ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେନ୍ଡ୍ରାଇଭ୍ ପାଇଁ ଶିକ୍ଷୟିତ୍ରୀ ମମିତା ମହେର ଓ ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ଜୀବନ ଗଲା। ବର୍ତ୍ତମାନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ପ୍ରତିଦିନ ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଲୁଟ୍ ଭଳି ମାମଲା ବଢ଼ି ଚାଲିଛି। ଆଜି ଏଭଳି ଅଭିଯୋଗ ଆଣି ପୁଲିସ୍ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ।
କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରୁଛନ୍ତି। ହେଲେ ପୁଲିସ୍ କିପରି ତାଙ୍କୁ ଧରି ପାରୁନି? ଦୁଇ ଥର ଜେରା ପରେ ତାଙ୍କୁ କାହିଁକି ଛାଡ଼ି ଦେଇଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛି। ଶର୍ମିଷ୍ଠାଙ୍କ ସମ୍ପର୍କ ବଡ଼ ନେତାଙ୍କ ସହ ରହିଛି। ତେଣୁ ତଦନ୍ତ ପ୍ରଭାବିତ ହୋଇଥିବା ଅଭିଯୋଗ କରିଛି ସେ କହିଛନ୍ତି।
ସେପଟେ କଂଗ୍ରେସର ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ଭଦ୍ରକ ପୁଲିସ୍ର କୌଣସି ପ୍ରତିକ୍ରିୟା ମିଳିପାରିନି।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।
ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।
ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଅଭିଯୁକ୍ତମାନେ ମାନସଙ୍କ ମୃତଦେହକୁ ନୟାଗଡ଼ରେ ଏକ ପାହାଡ ତଳେ ପୋତି ଦେଇଥିଲେ। ଅନ୍ୟପକ୍ଷରେ ପରିବାର ଲୋକେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମ୍ରିୟମାଣ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋ ଡ୍ରାଇଭରକୁ ଉଠାଇ ଆଣିଥିଲା। ପରେ ତା’ ବୟାନ ଆଧାରରେ ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ରବିବାର ନିରଞ୍ଜନ ଓ ରାଜଙ୍କୁ ପୁଲିସ୍ ଗିରଫ କରିଥିଲା। ତେବେ ଶମିଷ୍ଠା ଓ ତାଙ୍କ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ୍ ୪ଟି ଟିମ୍ ଗଠନ କରିଛି। ଏହି ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।