ଓଡ଼ିଶାରେ ଦିଗବିଜୟ: କହିଲେ- କେନ୍ଦ୍ରର ଚାଷ ବିଲ୍‌ ଚାଷୀ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଏନଡିଏ ସରକାରଙ୍କ ଦ୍ୱାରା ଗୃହୀତ ଚାଷ ବିଲକୁ ଚାଷୀ ବିରୋଧୀ ଓ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସ୍ୱାର୍ଥରେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଦିଗବିଜୟ ସିଂ କହିଛନ୍ତି। କେନ୍ଦ୍ରର ଚାଷ ବିଲ ବିରୋଧରେ ଜନମତ ସୃଷ୍ଟି ପାଇଁ ଓଡ଼ିଶା ଗସ୍ତରେ ଆସି ଶ୍ରୀ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଓ ଏଥିପାଇଁ ଜନମତ ସୃଷ୍ଟି ସହ ରାଜ୍ୟରେ କ୍ଷମତାସୀନ ବିଜେଡିର ସୁବିଧାବାଦୀ ଆଭିମୁଖ୍ୟକୁ ମଧ୍ୟ କଡ଼ା […]

digvijay-singh

digvijay-singh

Manoranjan Sial
  • Published: Thursday, 24 September 2020
  • Updated: 24 September 2020, 08:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଏନଡିଏ ସରକାରଙ୍କ ଦ୍ୱାରା ଗୃହୀତ ଚାଷ ବିଲକୁ ଚାଷୀ ବିରୋଧୀ ଓ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ସ୍ୱାର୍ଥରେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଦିଗବିଜୟ ସିଂ କହିଛନ୍ତି।

କେନ୍ଦ୍ରର ଚାଷ ବିଲ ବିରୋଧରେ ଜନମତ ସୃଷ୍ଟି ପାଇଁ ଓଡ଼ିଶା ଗସ୍ତରେ ଆସି ଶ୍ରୀ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଓ ଏଥିପାଇଁ ଜନମତ ସୃଷ୍ଟି ସହ ରାଜ୍ୟରେ କ୍ଷମତାସୀନ ବିଜେଡିର ସୁବିଧାବାଦୀ ଆଭିମୁଖ୍ୟକୁ ମଧ୍ୟ କଡ଼ା ନିନ୍ଦା କରିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଚାଷୀଙ୍କୁ ତାଙ୍କର ନ୍ୟାଯ୍ୟ ହକ୍ ଦେବା ପାଇଁ କଂଗ୍ରେସ ସବୁବେଳେ କାର୍ଯ୍ୟ କରିଆସୁଛି। କିନ୍ତୁ ୨୦୧୪ ମସିହା ପରଠାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ରମାଗତ ଭାବେ ଚାଷୀ ଓ ଶ୍ରମିକ ବିରୋଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଆଜିର ଚାଷୀ ସ୍ୱାର୍ଥ ବିରୋଧି ଆଇନକୁ ମୁକ୍ତ ବାଣିଜ୍ୟିକ ରାଜିନାମାର ଦ୍ୱାହି ଦେଇ କିଛି ବିକଶିତ ବିଦେଶୀ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ମୋଦି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥ ସହିତ ସାଲିସ୍ କଲାଭଳି କୌଣସି ବିଦେଶୀ ଚାପକୁ କଂଗ୍ରେସ ସରକାର ସମୟରେ କେବେ ବି ପ୍ରଶୟ ଦିଆଯାଇନଥିଲା। ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଏହି ଆଇନ୍‌ର ବ୍ୟବସ୍ଥା ଫଳରେ ସିଧାସଳଖ ଭାରତର ଗ୍ରାମୀଣ କୃଷି ବଜାର ଉପରେ ନିଜର ଏକଚାଟିଆ ଅଧିକାର ଜାହିର କରିବାର ସୁଯୋଗ ପାଇବେ। ଘରୋଇ କମ୍ପାନୀଗୁଡିକ ନିଜେ ମଣ୍ଡି ଖୋଲିବାର ସୁଯୋଗ ପାଇବେ ଏବଂ ସରକାରଙ୍କ ନିୟନ୍ତ୍ରଣ ନରହିବା ହେତୁ ଚାଷୀ ଶୋଷଣର ଶିକାର ହେବେ। ଚୁକ୍ତିଭିତିକ ଚାଷରେ ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀମାନଙ୍କ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ବିଲର ପ୍ରାବଧାନ ଅନୁସାରେ ପ୍ରତାରଣାର ଶିକାର ହୋଇଥିବା ଚାଷୀଟି କମ୍ପାନୀ ବିରୁଦ୍ଧରେ ସିଧାସଳଖ ନ୍ୟାୟାଳୟକୁ ଯିବାର ବ୍ୟବସ୍ଥା ନାହିଁ। ପ୍ରଥମେ ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବାର ବ୍ୟବସ୍ଥା ରହିଛି। ଯଦି ଜିଲ୍ଲାପାଳଙ୍କ ପାଖରୁ ଚାଷୀଟିକୁ ନ୍ୟାୟ ନମିଳେ ତେବେ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହେବାକୁ ପଡ଼ିବ । କୃଷି ଏକ ରାଜ୍ୟଭିତ୍ତିକ ବିଷୟ ହୋଇଥିବା ହେତୁ ଏ ପ୍ରାବଧାନ ଫଳରେ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ପୂର୍ବରୁ ଥିବା ଏପିଏମ୍‌ସି ଆକ୍ଟ ବା ମଣ୍ଡି ଆଇନ୍ ଏଣିକି କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହେବ, ଯାହା ଚାଷୀକୂଳର ସର୍ବନାଶ କରିବ। ସେହିପରି ଅତ୍ୟାବଶ୍ୟକୀୟ ଆଇନ୍‌ର ସଂଶୋଧନ ଫଳରେ ବେଆଇନ୍ ମହଜୁଦକାରୀଙ୍କ ବିରୁଦ୍ଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। ପରୋକ୍ଷରେ ତାହା କଳାବଜାରୀ ଏବଂ ବେଆଇନ୍ ମହଜୁଦକାରୀଙ୍କୁ ପ୍ରୋତ୍ସାହିତ କରିବ। ଏବେବି ଦେଶର ୭୦ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତା’ର ଉତ୍ପାଦିତ ଶସ୍ୟକୁ ମଣ୍ଡି ବାହାରେ କମ ମୂଲ୍ୟରେ ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି। ଏହି ବିଲକୁ ଲୋକସଭାରେ ବିଜେଡି ସମର୍ଥନ କରିବା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସିଂ କଡ଼ା ଭାଷାରେ ସମାଲୋଚନା କରି କହିଥିଲେ ଯେ, ଉଭୟ ବିଜେପି ଓ ବିଜେଡି ଭିତରେ ଗୁପ୍ତ ବୁଝାମଣା ରହିଛି ଏବଂ ଦୁଇଟି ଯାକ ଦଳ ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ବିରୋଧି। ବିଜେଡିର ସତସାହସ ଥିଲେ ଏହି ବିଲ ବିରୁଦ୍ଧରେ ଜନମତ ସୃଷ୍ଟି କରୁ ଓ ଜୋରଦାର ବିରୋଧ କରୁ ବୋଲି ସେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos