‘ଧର୍ମଘଟ ସଫଳ ହୋଇଛି, ବିଜେଡିର ଭଣ୍ଡୁର ଉଦ୍ୟମ ଫେଲ୍ ମାରିଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ଧର୍ମଘଟ ଆଜି ସଫଳ ହୋଇଛି ବୋଲି କଂଗ୍ରେସ କହିଛି। ଏହାସହିତ ମମିତାଙ୍କୁ ନ୍ୟାୟ ଓ ଗୃହମନ୍ତ୍ରୀଙ୍କୁ ବହିଷ୍କାର ନକରିବା ପର୍ଯ୍ୟନ୍ତ କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିବ। ଆବଶ୍ୟକ ପଡ଼ିଲେ ଦଳ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ କହିଛି। କଂଗ୍ରେସର ଧର୍ମଘଟକୁ ଭଣ୍ଡୁର କରିବାକୁ ଗତକାଲି କୋର୍ଟ ଯାଇଥିବା […]

Congress

Ordigital Desk
  • Published: Friday, 12 November 2021
  • , Updated: 12 November 2021, 07:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ଧର୍ମଘଟ ଆଜି ସଫଳ ହୋଇଛି ବୋଲି କଂଗ୍ରେସ କହିଛି। ଏହାସହିତ ମମିତାଙ୍କୁ ନ୍ୟାୟ ଓ ଗୃହମନ୍ତ୍ରୀଙ୍କୁ ବହିଷ୍କାର ନକରିବା ପର୍ଯ୍ୟନ୍ତ କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିବ। ଆବଶ୍ୟକ ପଡ଼ିଲେ ଦଳ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ କହିଛି। କଂଗ୍ରେସର ଧର୍ମଘଟକୁ ଭଣ୍ଡୁର କରିବାକୁ ଗତକାଲି କୋର୍ଟ ଯାଇଥିବା ବ୍ୟକ୍ତିମାନେ ବିଜେଡି ଲିଗାଲ ସେଲ୍ କର୍ମକର୍ତ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି ରାଜ୍ୟବ୍ୟାପୀ ୬ ଘଣ୍ଟିଆ ଧର୍ମଘଟ ପାଳନ ପରେ କଂଗ୍ରେସ ଭବନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତାମାନେ ଏକଜୁଟ ହୋଇ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ବର୍ଷିଥିଲେ। ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ କହିଥିଲେ ଯେ, ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି। ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା। ଏହି ଆହ୍ୱାନରେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି।

ତେବେ ସଂଗ୍ରାମ ଏଇଠି ଶେଷ ହୋଇ ନାହିଁ। ଏ ଲଢ଼େଇ ଆଗାମୀ ଦିନରେ ଜାରି ରହିବ। ମମିତା ମେହେରଙ୍କ ପରିବାରକୁ ଯେପର୍ଯ୍ୟନ୍ତ ନ୍ୟାୟ ମିଳିନି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିନାହାନ୍ତି ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି କଂଗ୍ରେସ ଚୁପ ବସିବ ନାହିଁ। କଂଗ୍ରେସ ଦରକାର ପଡ଼ିଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। କଂଗ୍ରେସର ଏହି ଧର୍ମଘଟ ଡାକରାରେ ବିରୋଧି ବିଜେଡ଼ି ସରକାର ଭୟଭୀତ ହୋଇ ଧର୍ମଘଟକୁ ଭଣ୍ଡୁର କରିବା ଲାଗି ପରୋକ୍ଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣେଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କଲେ। ସେଥିପାଇଁ ରାଜ୍ୟବାସୀ ଏବଂ କଂଗ୍ରେସର ସମସ୍ତ ନେତୃବୃନ୍ଦ, ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ ଯେ, ବିଜେଡ଼ି ସରକାର ଅହଙ୍କାର ସୀମା ପାର କରିଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । କଂଗ୍ରେସ ନୂଆ କରି ଧର୍ମଘଟ ପାଳନ କରୁନାହିଁ। ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଂଚକତା କରିଛନ୍ତି। ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ। ଗୋଟିଏ ମମିତା ମେହେର ନୁହେଁ, ବେବିନା, କୁନ୍ଦୁଲି, ମାଧବୀଲତା ହିଁ ନବୀନ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି। ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥିଲେ ବନ୍ଦକୁ ବିଫଳ କରିବାପାଇଁ ତାହା ହୋଇପାରିଲା ନାହିଁ। ମମିତା ମେହେର ସମ୍ପର୍କରେ କଂଗ୍ରେସର ନିଷ୍ପତ୍ତି ବନ୍ଦ ଡାକରା ଥିଲା। ଏହା ଶାନ୍ତପୂର୍ଣ୍ଣ ଭାବେ କରାଯିବାକୁ ନିଷ୍ପତତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ଗୋଟିଏ ମଂଚରେ ପାଖରେ ବସାଇ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ କଲେ। ସତକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର। ରାଜ୍ୟ ନାରୀଙ୍କୁ ସୁରକ୍ଷା ମିଳୁନି ବୋଲି ସମସ୍ତେ ଜାଣି ସାରିଲେଣି ବୋଲି ସେ କହିଛନ୍ତି।

ଏଆଇସିସି ସଂପାଦକ ଶରତ ରାଉତ କହିଛନ୍ତି ଯେ, କଂଗ୍ରେସ ଦିବ୍ୟଶଙ୍କର ମିଶ୍ର ଗରିଫଦାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଧର୍ମଘଟ ଡାକରା ଦେଇଥିଲା। ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏକ ନୂତନ ଢ଼ଙ୍ଗରେ କଂଗ୍ରେସ ବନ୍ଦ କରିଛି । ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ମକଦ୍ଦମା ଲଢ଼ୁଥିଲେ, ସେମାନେ ବିଜେଡ଼ି ଲିଗାଲ ସେଲର କର୍ମକର୍ତ୍ତା । ବିଜେଡ଼ି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ । ହାଇକୋର୍ଟର ରାୟ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ପାଇଁ ଲାଗୁ ହେବା ଉଚିତ୍ । କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି ସେ କହିଥିଲେ।

ସେହିପରି ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ହରତାଳର ଡାକରା କାହିଁକି ଦରକାର ପଡ଼ିଲା ତାହା ଉଲ୍ଲେଖ କରିଥିଲେ । ମମିତା ମେହେରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଗଲା ଏବଂ ଏହି ଘଟଣାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସ୍କୁଲରେ ରାତ୍ରିଯାପନ କରୁଥିଲେ ବୋଲି ମମିତାର ବାପା ମା କହିଛନ୍ତି କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ପୋଲିସ୍ ଗିରଫ କରିଛି ଅନ୍ୟ ଅଭିଯୁକ୍ତମାନେ ବାହାର ବୁଲୁଛନ୍ତି। ଏବେ ମମିତାଙ୍କ ପରିବାରକୁ ଡରାଇ ବୟାନ ପରିବର୍ତନ କରାଯାଇଛି । ମମିତାକୁ ନ୍ୟାୟ ଦେବାକୁ ଅଗାମୀ ଦିନରେ କଂଗ୍ରେସ ବିଧାନସଭାରେ ସରକାରଙ୍କୁ ଘେରିବ ବୋଲି ଶ୍ରୀ ସାଲୁଜା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପଟ୍ଟନାୟକ, ଯଜ୍ଞେଶ୍ୱର ବାବୁ, ୟାସିର ନୱାଜ, ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ମନୋଜ ମହାପାତ୍ର , ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Related story