Advertisment

ଦେବୀ ମିଶ୍ର କମିଟି ବୈଠକ: ସମସ୍ତେ ବର୍ଷିଲେ,ପାଣ୍ଡିଆନ ନୁହେଁ ନବୀନ ବୁଝନ୍ତୁ ଆଉ ରାଜ୍ୟ ବୁଲନ୍ତୁ

ଆଜିର ବୈଠକରେ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ସିଧାସଳଖ ମାନସ ମଙ୍ଗରାଜଙ୍କ ନାଁ ନେଇ ଗଞ୍ଜାମ ଜିଲ୍ଲା ସଂଗଠନକୁ ନଷ୍ଟ କରିଦେଇଥିବା ଅଭିଯୋଗ ଆଣିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

“ଦୀର୍ଘ ୨ମାସ ପରେ ଦଳୀୟ ଫୋରମ୍ ମିଳିଥିଲା । ଯାହା ମନକୁ ଆସିଲା ବର୍ଷିଲେ । ସମସ୍ତଙ୍କ ଟାର୍ଗେଟରେ ଭିକେ ପାଣ୍ଡିଆନ, ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜ ଥିଲେ । ନାଁ ନନେଇ ଏହି ୩ଜଣଙ୍କ ଉପରେ ଦଳର ବରିଷ୍ଠ ନେତାମାନେ ଏଭଳି ବର୍ଷିଲେ ଯେ, ବୈଠକ ପୁରା ସରଗରମ ହୋଇଗଲା । ଏପରିକି ଧୀରସ୍ଥିର ରହୁଥିବା ବରିଷ୍ଠ ନେତା ପ୍ରଦୀପ ଅମାତ୍ ବି ନିଜର ଅସନ୍ତୋଷ ଝାଡ଼ିବାକୁ ପଛାଇଲେ ନାହିଁ । ବହୁତ ହୋଇଗଲା, ଆଉ ପାଣ୍ଡିଆନ କି କେହି ନୁହେଁ ସିଧାସଳଖ ନବୀନ ପଟ୍ଟନାୟକ ସଂଗଠନ କଥା ବୁଝନ୍ତୁ । ଆଉ ରାଜ୍ୟସାରା ବୁଲି ସଂଗଠନକୁ ସୁଦୃଢ଼ କରନ୍ତୁ ଓ କର୍ମୀଙ୍କ ଉତ୍ସାହ ବଢ଼ାନ୍ତୁ । ଦଳୀୟ ଜିଲ୍ଲା ପର୍ଯ୍ୟବେକ୍ଷକ ଦରକାର ନାହିଁ କି ସେମାନେ ଯାଇ ଅଯଥା ଗୋଷ୍ଠୀ କରନ୍ତୁ ନାହିଁ ।” ଏଭଳି କିଛି ଢଙ୍ଗରେ ଆଜି ଶଙ୍ଖଭବନରେ ଆୟୋଜିତ ଦେବୀ ମିଶ୍ର କମିଟିର ପ୍ରଥମ ବୈଠକରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତାମାନେ । 

Advertisment

ବିଜେଡି ସୂତ୍ର ଅନୁସାରେ, ଦଳର ନିର୍ବାଚନୀ ବିପର୍ଯ୍ୟୟର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ସଂଯୋଜନା ଓ ତଦାରଖ ପାଇଁ ଗତ ୩ଦିନ ତଳେ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ଗଠିତ ୧୫ଜଣିଆ କମିଟିର ଆଜି ପ୍ରଥମ ବୈଠକ ବସିଥିଲା । ଦଳର ଏହି ଫୋରମରେ ସଦସ୍ୟ ଥିବା ବରିଷ୍ଠ ନେତାମାନେ ନିଜ ଭିତରେ ଚାପି ରଖିଥିବା ଅସନ୍ତୋଷ ବ୍ୟକ୍ତ କରି କଡ଼ା ଭାଷାରେ ପାଣ୍ଡିଆନ, ବବି ଓ ମାନସ ମଙ୍ଗରାଜଙ୍କ ମାମଲାତିକୁ ଦୋଷ ଦେଇଥିଲେ । ଏହି ୩ଜଣଙ୍କୁ ଇଙ୍ଗିତ କରି ସେମାନଙ୍କ ପାଇଁ ଦଳ ନିର୍ବାଚନୀ କ୍ଷତି ସହିଲା ଓ ତଳିତଳାନ୍ତ ହୋଇଛି ବୋଲି କହିବାକୁ ପଛାଇନଥିଲେ ।

ସୂଚନା ଅନୁସାରେ ଆଜିର ବୈଠକରେ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ସିଧାସଳଖ ମାନସ ମଙ୍ଗରାଜଙ୍କ ନାଁ ନେଇ ଗଞ୍ଜାମ ଜିଲ୍ଲା ସଂଗଠନକୁ ନଷ୍ଟ କରିଦେଇଥିବା ଅଭିଯୋଗ ଆଣିଥିଲେ । ମଙ୍ଗରାଜ ଦଳର ପର୍ଯ୍ୟବେକ୍ଷକ କହି ଜିଲ୍ଲାରେ ବିଜେଡି ସଂଗଠନକୁ ବିପର୍ଯ୍ୟସ୍ତ କରି ଦେଇଥିବା କହିବା ସହ ଅତ୍ୟନ୍ତ କଡ଼ା ଭାଷାରେ ବର୍ଷିଥିଲେ । ଏପରିକି ଏଭଳି ଅନଭିଜ୍ଞ ଲୋକମାନଙ୍କୁ ପର୍ଯ୍ୟବେକ୍ଷକରେ ବସାଇ ଦଳକୁ ତଳିତଳାନ୍ତ କରିଦିଆଯାଇଛି । ତେଣୁ ଦଳରେ ଆଉ ଜିଲ୍ଲା ପର୍ଯ୍ୟବେକ୍ଷକ ଦରକାର ନାହିଁ ବୋଲି ପ୍ରସ୍ତାବ ଦେଇଥିଲେ ।

Advertisment

ସେହିପରି ବରିଷ୍ଠ ନେତା ପ୍ରଦୀପ ଅମାତ୍ ମଧ୍ୟ ସଂଗଠନର ପରିଚାଳନାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ । କାହା ନାଁ ନନେଇ ସେ ସଂଗଠନ ମନଇଚ୍ଛା ଚାଳିଥିବା ବୋଲି କହିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଯାଇ ଜିଲ୍ଲାରେ ଗୋଷ୍ଠୀ ରାଜନୀତି କରୁଥିଲେ । ପଶ୍ଚିମଓଡ଼ିଶାରୁ ରାଜ୍ୟସଭା କିଏ ଯିବେ ସେନେଇ କାହାସହ ପରାମର୍ଶ କରାଯାଉ ନଥିଲା । ଏପରିକି କିଏ ବିଧାୟକ ପ୍ରାର୍ଥୀ ହେବ ତାହା ବି ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରାଗଲାନି । ଏବେ ମମତା ମହନ୍ତ ପଳାଇଲେ । ତେଣୁ ଦଳରେ ଆଉ କାହାରି ଆବଶ୍ୟକତା ନାହିଁ । ନବୀନ ପଟ୍ଟନାୟକ ନିଜେ ଏକା ସବୁ ବୁଝନ୍ତୁ ବୋଲି ସେ ବୈଠକରେ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି ।

ବରିଷ୍ଠ ନେତା ଶାରଦା ନାୟକ ସିଧାସଳଖ ପାଣ୍ଡିଆନଙ୍କ ନାଁ ନେଇ ସେ ଜଣେ କୁଶଳୀ ପ୍ରଶାସକ ମାତ୍ର ରାଜନେତା ନୁହଁନ୍ତି । ତେଣୁ ନବୀନ ପଟ୍ଟନାୟକ ସଂଗଠନ କଥା ବୁଝନ୍ତୁ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ସେହିପରି ବରିଷ୍ଠ ନେତ୍ରୀ ସେହ୍ନାଙ୍ଗିନୀ ଛୁରିଆ ଦଳର ପରାଜୟ ପାଇଁ ମନମୁଖୀ ନିଆଯାଇଥିବା ନିଷ୍ପତ୍ତିକୁ ଦାୟୀ କରିଥିଲେ । ଏମବିକେ,ସିଆରପିଙ୍କ ଦରମା ବଢ଼ାଇ ଦିଆଗଲା । ଇସି ସଦସ୍ୟଙ୍କ ପାରିଶ୍ରମିକ ବଢ଼ିଲା । ଏସବୁ ଯୋଗୁ ମହିଳା ଏସଏଚଜି ସଦସ୍ୟମାନେ ଅସନ୍ତୁଷ୍ଟ ହେଲେ । ସେ ଦଳର ମହିଳା ସଭାନେତ୍ରୀ ଭାବେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ବାରମ୍ବାର ପାଣ୍ଠି ମାଗିଲେ ମଧ୍ୟ ତାଙ୍କୁ ଦିଆଗଲାନି । ଯେଉଁଥିପାଇଁ ଦଳର ମହିଳା ସଂଗଠନ କାର୍ଯ୍ୟ କରିବାର ସୁଯୋଗ ପାଇଲା ନାହିଁ ବୋଲି ଅଭିଯୋଗ କରିଥିବା ଜଣାପଡ଼ିଛି ।

ବରିଷ୍ଠ  ବିଧାୟକ ଅରୁଣ କୁମାର ସାହୁ ତୁରନ୍ତ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ ସୁଦୃଢ଼ କରାଯାଉ ବୋଲି କହିଥିଲେ । ସମସ୍ତ ଜିଲ୍ଲା କମିଟିକୁ ପୁର୍ନଗଠନ ଓ ୬ଟି ଜୋନାଲ କମିଟି ଗଠନ କରିବାକୁ ପ୍ରସ୍ତାବ ଦେବା ସହ ସଂଗଠନର ପରିଚାଳନାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି ।

ସେହିପରି ବିଧାୟକ ପ୍ରତାପ କେଶରୀ ଦେବ ମଧ୍ୟ ବୁଲେଇକି ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି । ଦଳର ବିପର୍ଯ୍ୟୟ କାହିଁକି ହେଲା ତା’ର କାରଣ ସମସ୍ତଙ୍କୁ ଜଣାଅଛି । ସେ ବିଷୟରେ ଅଧିକ ଆଲୋଚନା ନକରି ଆଗକୁ ବଢ଼ିବା ପାଇଁ ସେ ପରାମର୍ଶ ଦେଇଥିବା ଜଣାପଡ଼ିଛି ।
ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ସମସ୍ତେ ବିଜେଡିକୁ ଏବେ ବିଜେପିର ଗୋଡ଼ାଣିଆ କହୁଛନ୍ତି । ତେଣୁ ବିଜେପି ପ୍ରତି ଦଳର ଆଭିମୁଖ୍ୟ କ’ଣ ରହିବ ତାହା ସ୍ପଷ୍ଟ କରାଯାଉ ବୋଲି ଦାବି କରିଥିଲେ ।

ବରିଷ୍ଠ ନେତା ପ୍ରତାପ ଜେନା ମଧ୍ୟ ସଂଗଠନର ପରିଚାଳନାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି । ଅପରାହ୍ନରେ କମିଟିର ସଦସ୍ୟମାନେ ଦେବୀ ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସ ଯାଇ ବୈଠକରେ ଯିଏ ଯାହା ମତ ଦେଇଥିଲେ ସେ ସଂକ୍ରାନ୍ତ ଲିଖିତ ପ୍ରସ୍ତାବକୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ । ନବୀନ ମଧ୍ୟ ପ୍ରାୟ ୪୦ମିନିଟ୍ ଧରି ସବୁ ନେତାମାନଙ୍କର ମତାମତ ନେଇଥିଲେ । ଦଳର ନେତାମାନେ ଅନ୍ୟ କାହାରିକୁ ନେତା ଭାବେ ଆଉ ସହ୍ୟ କରିବା ମୁଡରେ ନଥିବା ମଧ୍ୟ ଖୋଲାଖୋଲି ମତ ଦେବାକୁ ପଛାଇ ନଥିବା ଜଣାପଡ଼ିଛି ।

ନବୀନ ସବୁ ଶୁଣିବା ପରେ ସେ ନିଜେ ନିୟମିତ ଶଙ୍ଖ ଭବନ ଯିବେ ଓ ରାଜ୍ୟତମାମ ବୁଲିବେ ବୋଲି ସଦସ୍ୟମାନଙ୍କୁ ଆଶ୍ୱସ୍ତ କରିଛନ୍ତି । ଖୁବଶୀଘ୍ର ରାଜ୍ୟସ୍ତରୀୟ କମିଟି ଓ ବିଭିନ୍ନ ଛାମୁଆ କମିଟି ଗଠନ କରାଯିବ ବୋଲି ନବୀନ କହିଛନ୍ତି । ଦଳୀୟ ପାଣ୍ଠିରେ ହେଲିକପ୍ଟର ଭଡ଼ାରେ ଆଣି ଆସନ୍ତା ଅକ୍ଟୋବର ୨ରୁ ଦଳର ଏକମାସ ବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମରୁ ନବୀନଙ୍କ ରାଜ୍ୟବୁଲା ଆରମ୍ଭ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe