ଗାଁରେ ନେଟ୍‌ୱର୍କ ନାହିଁ, କେମିତି ହେବ ଡିଜିଟାଲ୍‌ କ୍ୟାମ୍ପେନ? ଚିନ୍ତାରେ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କୋଭିଡ୍‌କୁ ଦେଖି ଡିଜିଟାଲ୍‌ କ୍ୟାମ୍ପେନ୍‌ କରିବାକୁ ରାଜ୍ୟ ନିର୍ବାଚନ କମିଶନର ପରାମର୍ଶ ଦେଇଥିଲେ। କମିଶନରଙ୍କ ଏପରି ପରାମର୍ଶକୁ ସାଦରେ ଗ୍ରହଣ କରିଥିଲେ ନେତା ଓ କର୍ମୀ। ହେଲେ ଜାଣିନଥିଲେ କି ଦେଖିନଥିଲେ ଗାଁର ଚିତ୍ର! ଯେଉଁଥିପାଇଁ ଡିଜିଟାଲ୍‌ କ୍ୟାମ୍ପେନ୍‌କୁ ଏବେ ନାନା ଅଡ଼ୁଆରେ ପଡ଼ୁଛନ୍ତି। ଗାଁରେ ନେଟ୍‌ୱର୍କ ନଥିବାରୁ ନେତା ଓ ଆଶାୟୀମାନେ ଡିଜିଟାଲ୍‌ କ୍ୟାମ୍ପେନ କରିପାରୁ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର […]

Mobile

Manoranjan Sial
  • Published: Friday, 28 January 2022
  • , Updated: 28 January 2022, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କୋଭିଡ୍‌କୁ ଦେଖି ଡିଜିଟାଲ୍‌ କ୍ୟାମ୍ପେନ୍‌ କରିବାକୁ ରାଜ୍ୟ ନିର୍ବାଚନ କମିଶନର ପରାମର୍ଶ ଦେଇଥିଲେ। କମିଶନରଙ୍କ ଏପରି ପରାମର୍ଶକୁ ସାଦରେ ଗ୍ରହଣ କରିଥିଲେ ନେତା ଓ କର୍ମୀ। ହେଲେ ଜାଣିନଥିଲେ କି ଦେଖିନଥିଲେ ଗାଁର ଚିତ୍ର! ଯେଉଁଥିପାଇଁ ଡିଜିଟାଲ୍‌ କ୍ୟାମ୍ପେନ୍‌କୁ ଏବେ ନାନା ଅଡ଼ୁଆରେ ପଡ଼ୁଛନ୍ତି। ଗାଁରେ ନେଟ୍‌ୱର୍କ ନଥିବାରୁ ନେତା ଓ ଆଶାୟୀମାନେ ଡିଜିଟାଲ୍‌ କ୍ୟାମ୍ପେନ କରିପାରୁ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ବଡ଼ଖମଣ ପଞ୍ଚାୟତରେ ନାହିଁ ମୋବାଇଲ ନେଟ୍‌ୱର୍କ। ଯାହାଫଳରେ ହୋଇପାରୁନାହିଁ ଭର୍ଚୁଆଲ୍‌ ମୋଡ୍‌ରେ ପ୍ରଚାର। ଆଉ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି। ଏପରିକି ପ୍ରାର୍ଥୀମାନେ ଚାହିଁଲେ ମଧ୍ୟ ଲୋକଙ୍କ ସହିତ ଯୋଗାଯୋଗ କରିପାରୁ ନାହାନ୍ତି। ବହୁ କଷ୍ଟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ପ୍ରାର୍ଥୀମାନେ ୫ ଜଣ ସହକର୍ମୀଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସରପଞ୍ଚ ପ୍ରାର୍ଥୀ ଚକ୍ରଧର ସିଂ।

ସମାନ ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲାରୁ। ବଣପାହାଡ଼ ଘେରା କଲ୍ୟାଣସିଂପୁର ବ୍ଲକ ଅଞ୍ଚଳର ମୋବାଇଲ୍‌ ନେଟ୍‌ୱର୍କ ନାହିଁ। ଯେଉଁଥିପାଇଁ ଲୋକମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ନେଟ୍‌ୱର୍କ ପାଇଁ ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନ ଯାଏଁ କେତେକ ଗୁହାରୀ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଏବେ ପଞ୍ଚାୟତ ନିର୍ବାଚନ ବେଳେ ନେତାଙ୍କୁ ଘାରିଛି ନେଟ୍‌ୱର୍କ ଚିନ୍ତା। ନେଟ୍‌ୱର୍କ ନଥିବାରୁ ନେତାଙ୍କ ପ୍ରତିଶ୍ରୁତି ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଲ୍ୟାଣସିଂହପୁରର ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ତୋଷ ବେହେରା। ସେ କହିଛନ୍ତି, ଯେଉଁଠି ସିଗ୍‌ନାଲ୍‌ ପହଞ୍ଚି ପାରୁନାହିଁ, ସେପରିସ୍ଥିତିରେ ଆମେ ଡିଜିଟାଲ୍‌ କ୍ୟାମ୍ପେନକୁ କେମିତି ଲୋକଙ୍କ ପାଖରେ ପହଞ୍ଚାଇବୁ?

ପଞ୍ଚାୟତ ନିର୍ବାଚନ ତାରିଖ ପୂର୍ବରୁ ପ୍ରତିଶ୍ରୁତି ମୁତାବକ ମୋବାଇଲ୍‌ ଟାୱାର୍‌ ବସାଇନପାରିବାରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଯେସାକୁ ତେସା ନୀତି ନ୍ୟାୟରେ ବନ୍ଧପାରିର ଲୋକେ ମୋବାଇଲ୍‌ ଟାୱାର ପ୍ରତିକୃତି ତିଆରି କରି ଲୋକାର୍ପଣ ପାଇଁ ବିଧାୟକଙ୍କୁ ଡାକିଥିଲେ। ବିଧାୟକ ଆସି ଦେଖିଲା ବେଳକୁ ତାହା ଥିଲା କେଇଟା ବାଉଁଶ ଖଣ୍ଡ ତିଆରୀ ଟାୱାର। ଯେଉଁଥିପାଇଁ ସେ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ। ହେଲେ ଦୁର୍ଭାଗ୍ୟର କଥା ଆଜି ଯାଏଁ ମୋବାଇଲ୍‌ ଟାୱାରଟିଏ ପ୍ରତିଷ୍ଠା ହୋଇନପାରିବାରୁ ୩୦୦ରୁ ଅଧିକ ଗାଁରେ ହୋଇପାରୁନି ଡିଜିଟାଲ୍‌ ପ୍ରଚାର।

ସମାନ ଅଭିଯୋଗ ଆଣି ଭୋଟବର୍ଜନ ନିଷ୍ପତ୍ତିରେ ଅଟଳ ଅଛନ୍ତି ଦେବଗଡ଼ ତିଲେଇବଣି ବ୍ଲକର ୫ଟି ପଞ୍ଚାୟତର ଲୋକେ। ମୋବାଇଲ୍ ନେଟ୍‌ୱର୍କ ନଥିବାରୁ ଏହି ୫ ପଞ୍ଚାୟତରୁ କେହି ନାମାଙ୍କନ ଦାଖଲ କରିନାହାଁନ୍ତି। ଏପରିକି କାଲିଠୁ ହେବାକୁ ଥିବା ସାନି ନାମାଙ୍କନ ପ୍ରକ୍ରିୟାରେ ସାମିଲ ହେବେନି ବୋଲି ଚେତାବନୀ ଶୁଣାଇଛନ୍ତି। ଫଳରେ ଚିନ୍ତାରେ ଥିବା ଜିଲ୍ଲା ପ୍ରଶାସନ କହିଛି, ଲୋକଙ୍କୁ ବୁଝାସୁଝା କରାଯାଉଛି। ପ୍ରତିଶ୍ରୁତି ମୁତାବକ ଖୁବଶୀଘ୍ର ନେଟ୍‌ୱର୍କର ସମାଧାନ ହେବ।

ସରକାରୀ ତଥ୍ୟ କହୁଛି, ଟେଲିସେବା ଦୃଷ୍ଟିରୁ କନ୍ଧମାଳ ସବୁଠୁ ଅପହଞ୍ଚ। ଏଠାରେ ୧୦୯୪ଟି ଗାଁରେ ନାହିଁ ନେଟ୍‌ୱର୍କ। ସେହିପରି ରାୟଗଡ଼ାରେ ୯୬୬, କୋରାପୁଟରେ ୫୨୦, କଳାହାଣ୍ଡିରେ ୫୧୬, ମାଲକାନଗିରି ଜିଲ୍ଲାର ୩୦୬ଟି ଗାଁରେ ମୋବାଇଲ୍‌ ନେଟ୍‌ୱର୍କ ନାହିଁ।

Related story