ନିର୍ବାଚନୀ ବଣ୍ଡ ବ୍ୟାନ୍ ପରେ ରାଜନୈତିକ ଦଳ ଉପରେ କି ପ୍ରଭାବ ପଡ଼ିବ?

ନିର୍ବାଚନୀ ବଣ୍ଡ ସ୍କିମ୍ ରଦ୍ଦ ହୋଇଯିବା ପରେ ରାଜନୈତିକ ଦଳଗୁଡ଼ିକ ଉପରେ କି ପ୍ରଭାବ ପଡ଼ିବ ଏବଂ ଆଗକୁ କି ପରିବର୍ତ୍ତନ ଦେଖିବାକୁ ମିଳିବ, ଜାଣନ୍ତୁ...

ପ୍ରତିକାତ୍ମକ ଚିତ୍ର

  • Published: Friday, 16 February 2024
  • , Updated: 16 February 2024, 04:42 PM IST

ଦୀର୍ଘ ଦିନର ନ୍ୟାୟିକ ପ୍ରକ୍ରିୟା ପରେ ଶେଷରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ବା ନିର୍ବାଚନୀ ବଣ୍ଡ ସ୍କିମକୁ ଅସାମ୍ବିଧନିକ ଦର୍ଶାଇ ଏହା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟର ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ ସ୍କିମ୍ ରଦ୍ଦ ହୋଇଯିବା ପରେ ରାଜନୈତିକ ଦଳଗୁଡ଼ିକ ଉପରେ କି ପ୍ରଭାବ ପଡ଼ିବ ଏବଂ ଆଗକୁ କି ପରିବର୍ତ୍ତନ ଦେଖିବାକୁ ମିଳିବ, ଜାଣନ୍ତୁ...

ରାଜନୈତିକ ଦଳଗୁଡ଼ିକ ଉପରେ କୌଣସି ପ୍ରଭାବ ପଡ଼ିବ କି?

ରାଜନୈତିକ ସମୀକ୍ଷକ ଅମିତାଭ ତିୱାରୀଙ୍କ କହିବା ଅନୁସାରେ, ଏଥିରେ ରାଜନୈତିକ ଦଳଗୁଡ଼ିକ ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ। କାରଣ ସେମାନଙ୍କର ଅଧିକାଂଶ ଅର୍ଥ ନଗଦ ଆକାରରେ ଏବଂ ଅନ୍ୟାନ୍ୟ ଉତ୍ସରୁ ଆସିଥାଏ। ଅନେକ କ୍ଷେତ୍ରରେ, ଏହି ନଗଦ ଟଙ୍କା ହିସାବ ହୋଇନପାରେ।

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR)ର ଏକ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷଠାରୁ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନୀ ଚାନ୍ଦା ଆକାରରେ ୬,୫୬୬ କୋଟି ଟଙ୍କା ପାଇଥିବା ବେଳେ କଂଗ୍ରେସକୁ ୧,୧୨୩.୩ କୋଟି ମିଳିଥିଲା। ADRର ଆଉ ଏକ ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ମୋଟ ୨,୯୯୪.୧୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ସେଥିମଧ୍ୟରୁ ବିଜେପି ୧,୩୭୧.୮୨ କୋଟି ଟଙ୍କା ବ୍ୟୟ କରିଥିବା ବେଳେ କଂଗ୍ରେସ ପ୍ରାୟ ୮୨୦.୮୮୭ କୋଟି ଟଙ୍କା ଖର୍ଚ୍ଚ କରିଛି।

୨୦୧୯ ଲୋକସଭା ନିର୍ବାଚନ ପରେ "ନିର୍ବାଚନ ଖର୍ଚ୍ଚ, ୨୦୧୯ ଇଲେକ୍ସନ" ଶୀର୍ଷକରେ ଥିଙ୍କ ଟ୍ୟାଙ୍କ CMS ଇଣ୍ଡିଆର ଏକ ବିଶ୍ଳେଷଣ ରିପୋର୍ଟକୁ ଯଦି ନଜର ପକାଇବା, ତେବେ ୨୦୧୯ ନିର୍ବାଚନରେ ମୋଟ ୫୫,୦୦୦-୬୦,୦୦୦ କୋଟି ଖର୍ଚ୍ଚ ହୋଇଛି। ଏହାର ଅର୍ଥ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ହାରାହାରି ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। 

ଏହି ଆନୁମାନିକ ଖର୍ଚ୍ଚ ମଧ୍ୟରୁ ବିଜେପିର ଅଂଶ ୪୫-୫୦% (ପାଖାପାଖି ୨୪,୭୦୦ କୋଟି) ଏବଂ କଂଗ୍ରେସର ପ୍ରାୟ ୧୫-୨୦% (ପାଖାପାଖି ୮,୨୦୦ କୋଟି) ବୋଲି କୁହାଯାଇଥିଲା। ଏଡିଆରର ଅଫିସିଆଲ୍ ଯେଉଁ ଡାଟା ପ୍ରକାଶ କରିଥିଲା, ତା ତୁଳନାରେ ଏହା ବହୁ ଗୁଣା ଅଧିକ। 

ଏସବୁ ତଥ୍ୟ ଉପରେ ବିଶ୍ଳେଷଣ କରି ତିୱାରୀ କହିଛନ୍ତି, "ନିର୍ବାଚନୀ ବଣ୍ଡ ଏକ ଅମୂଳକ ପରିମାଣ।" ADR ତଥ୍ୟ କହୁଛି, ଗତ ୬ ବର୍ଷରୁ ଆଜି ପର୍ଯ୍ୟନ୍ତ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଦାନର ପରିମାଣ ପ୍ରାୟ ୧୧,୯୮୬ କୋଟି ଟଙ୍କା। ଗୋଟିଏ ଲୋକସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିବା ୫୫,୦୦୦-୬୦,୦୦୦ କୋଟି ତୁଳନାରେ ଏହା ବହୁତ କମ୍।

ବିଶ୍ଳେଷକମାନେ କହିଛନ୍ତି ଯେ, ୫ ବର୍ଷ ଅର୍ଥାତ୍ ଗୋଟିଏ ନିର୍ବାଚନ ଚକ୍ରରେ ଗୋଟିଏ ଲୋକସଭା ଏବଂ ପ୍ରାୟ ୩୦ଟି ବିଧାନସଭା ନିର୍ବାଚନରେ ସମୁଦାୟ ୮୫,୦୦୦-୯୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବାକି ଟଙ୍କା ନଗଦ ଆକାରରେ ଦଳକୁ ପଠାଯାଇଛି।

ଅର୍ଥର ଅନ୍ୟାନ୍ୟ ଉତ୍ସ 
ଚେକ୍, କୁପନ୍ ବିକ୍ରୟ, କ୍ରାଉଡ-ଫଣ୍ଡିଂ ଏବଂ କର୍ପୋରେଟ୍ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଦାନ ଦିଆଯାଇପାରେ। ଅନ୍ୟ ପକ୍ଷରେ, ସିଏମ୍ଏସ୍ ଇଣ୍ଡିଆ ରିପୋର୍ଟରେ ଆହୁରି ମଧ୍ୟ କହିଛି ଯେ, ସମ୍ପ୍ରତି ନିର୍ବାଚନରେ କୋଟିପତି ତଥା ବ୍ୟବସାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପ୍ରାର୍ଥୀମାନେ ଅଧିକ ଖର୍ଚ୍ଚ ହେଉଥିବା ଟଙ୍କା ନିଜେ ବହନ କରୁଛନ୍ତି। ପ୍ରାର୍ଥୀମାନେ ନିଜେ ଖର୍ଚ୍ଚ କରୁଥିବା ଏବଂ କୌଣସି ପ୍ରାର୍ଥୀଙ୍କ ପାଇଁ ଅନ୍ୟ କେହି ଖର୍ଚ୍ଚ କରିବା ଭଳି ଅନେକ ମାମଲା ବିଗତ ଅତୀତରେ ଦେଖିବାକୁ ମିଳିଛି।  

ନିର୍ବାଚନ ବଣ୍ଡ ଉପରେ ପ୍ରତିବନ୍ଧକ: କାହା ଉପରେ କି ପ୍ରଭାବ ପକାଇପାରେ?
ନିର୍ବାଚନୀ ବଣ୍ଡ ହଟିଯିବା ପରେ, କର୍ପୋରେଟ୍ ଏବଂ କମ୍ପାନୀଗୁଡ଼ିକ ପାଇଁ ଏକ ସମସ୍ୟା ହୋଇପାରେ, ଯେଉଁମାନେ ଆଇଟି କମ୍ପାନୀ ପରି ନଗଦ ଟଙ୍କା ଆୟକାରୀ କମ୍ପାନୀ ହୋଇନଥିବ ବୋଲି ତିୱାରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଯେଉଁ ଶିଳ୍ପରେ ନଗଦ ସଂଗ୍ରହ / ଉତ୍ପାଦନ ନାହିଁ, କେବଳ ସେବା ଯୋଗାଇ ଦିଆଯାଏ, ସେମାନେ ହୁଏତ ନିର୍ବାଚନୀ ବଣ୍ଡକୁ ନଗଦ ଦାନ କରିପାରିବେ ନାହିଁ। ରାଜନୈତିକ ଦଳମାନେ ନଗଦ ଦାନ ଜାରି ରଖିବେ ଏବଂ ଏହାକୁ ରୋକାଯାଇପାରିବ ନାହିଁ ବୋଲି ରୈଜନୈତିକ ସମୀକ୍ଷକ ଅମିତାଭ ତିୱାରୀ କହିଛନ୍ତି।

Related story