ଓଡ଼ିଶାର ଅଚ୍ଛେଦିନ୍‌ ଆସିଗଲା: ଗୃହମନ୍ତ୍ରୀ ଅମିତ ଶାହ

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଚ୍ଛେଦିନ ଆସିଗଲା। ଓଡ଼ିଶାର ଜଣେ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରବିଆଇ ଗଭର୍ଣ୍ଣର ଓଡ଼ିଶାର ଶକ୍ତିକାନ୍ତ ଦାସ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ, ଏ ସମସ୍ତେ ଓଡ଼ିଆ। ଆଜି ପର୍ଯ୍ୟନ୍ତ ଇତିହାସରେ ଏପରି କେବେ ବି ଏତେ ସଂଖ୍ୟକ ଓଡ଼ିଆ କେନ୍ଦ୍ରରେ ପ୍ରତିନିଧିତ୍ୱ କରିନାହାନ୍ତି। ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ […]

Amit

Amit

Niranjan Mishra
  • Published: Monday, 08 August 2022
  • Updated: 08 August 2022, 08:21 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଚ୍ଛେଦିନ ଆସିଗଲା। ଓଡ଼ିଶାର ଜଣେ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରବିଆଇ ଗଭର୍ଣ୍ଣର ଓଡ଼ିଶାର ଶକ୍ତିକାନ୍ତ ଦାସ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ, ଏ ସମସ୍ତେ ଓଡ଼ିଆ। ଆଜି ପର୍ଯ୍ୟନ୍ତ ଇତିହାସରେ ଏପରି କେବେ ବି ଏତେ ସଂଖ୍ୟକ ଓଡ଼ିଆ କେନ୍ଦ୍ରରେ ପ୍ରତିନିଧିତ୍ୱ କରିନାହାନ୍ତି। ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

ଜୟ ଜଗନ୍ନାଥ କହି ଶ୍ରୀ ଶାହ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ସେ ଯେବେ ବି ଓଡ଼ିଶା ଆସନ୍ତି ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ କରିଥାନ୍ତି। ଆଜି ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଦିନ ଥିଲା ସମ୍ବିଧାନ ସଭାରେ କେହିବି ଜନଜାତି ପ୍ରତିନିଧି ନ ଥିଲେ। ହେଲେ ସମୟ ବଦଳିଛି। ଏବେ ଓଡ଼ିଶା ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୌରବର କଥା। ଓଡ଼ିଶାର ଅଚ୍ଛେଦିନ୍ ଆସି ଯାଇଛି। ଅନେକ ଓଡ଼ିଆଙ୍କୁ କେନ୍ଦ୍ରରେ ପ୍ରତିନିଧିତ୍ୱ ସୁଯୋଗ ମିଳିଛି। ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି। ବିସ୍ତୀର୍ଣ୍ଣ ସମୁଦ୍ର ଓ ବେଳାଭୂମି ସାଙ୍ଗକୁ ବ୍ୟପାର ସୁଯୋଗ ଏବଂ ପୂରା ଓଡ଼ିଶାର ଭୂ-ଭାଗ ଖଣିଜ ସଂପଦରେ ଭରପୂର ରହିଛି। ତେଣୁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ସେ ଦେଖିପାରୁଛନ୍ତି।

ପ୍ରଜାତନ୍ତ୍ର ପ୍ରତିଷ୍ଠାତା ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନ ଥିଲେ। ଦେଶ ସ୍ୱାଧୀନତା ହାସଲ ପରେ ମୁମ୍ବାଇର ଗଭର୍ଣ୍ଣର ହୋଇ ମୁଣ୍ଡ ଟେକିଥିବା ଗଣଆନ୍ଦୋଳନ ସମସ୍ୟାର ସମାଧାନ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ବିକାଶର କାମ ଓ ପ୍ରଜାତନ୍ତ୍ରର ମୁଖ୍ୟ ଭାବେ ସ୍ୱତନ୍ତ୍ର ପ୍ରହରୀ ଭାବେ କାମ କରିଥିଲେ। ତାଙ୍କ ପରେ ତାଙ୍କ ପୁଅ ତଥା ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଏହି ରାସ୍ତାରେ ପାଦରଖି ଆଗେଇ ଚାଲିଛନ୍ତି। ଦେଶ ଅମୃତ ଉତ୍ସବ ପାଳନ କରୁଥିବା ବେଳେ ପ୍ରଜାତନ୍ତ୍ର ପ୍ରତିଷ୍ଠା ଉତ୍ସବ ୭୫ ବର୍ଷ ପୂର୍ତ୍ତି ପାଳନ ଏକ ଉତ୍ତମ ସଂଯୋଗ। ୧୯୪୭ରେ ସର୍ଦ୍ଦାର ପଟେଲ ସମସ୍ତଙ୍କୁ ଭାରତୀୟ ସଂଘରେ ଯୋଡ଼ିବାର ଦାୟିତ୍ୱ ହରେକୃଷ୍ଣ ମହତାବଙ୍କୁ ଦେଇଥିଲେ। ସେବେଠାରୁ ସେ ହୀରାକୁଦ ନଦୀ ବନ୍ଧ ନିର୍ମାଣ, କେନ୍ଦ୍ର ମନ୍ତ୍ରୀର ଭୂମିକା ଓ ଓଡ଼ିଶାର କୃଷି ଓ ସଂସ୍କୃତିର ବିକାଶରେ ଯୋଗଦାନ ଦେଇଥିଲେ। ସଂସ୍କୃତିର ବିକାଶ ବିନା ବିକାଶ ଅଧୁରା। ଓଡ଼ିଶାର ସଂସ୍କୃତି ଖୁବ୍ ବଡ଼। ଭାଷା, ଗୀତ, ନାଟ୍ୟକଳା ଓ ସାହିତ୍ୟ ଏଠାର ଉତ୍କୃଷ୍ଟ। ହିନ୍ଦିକୁ ରାଜଭାଷାର ପରିଚୟ ଦେବା ନିମନ୍ତେ ସେ ଖୁବ୍ ପରିଶ୍ରମ କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ରରୁ ସହସ୍ରାଧିକ କଲମକାର ସୃଷ୍ଟି ହୋଇଛନ୍ତି। କିଏ ସାହିତ୍ୟକାର ହୋଇଛି ତ କିଏ ପତ୍ରକାର ହୋଇଛି ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହ କହିଥିଲେ।

ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରିୟ ଭାଇଭଉଣୀଙ୍କୁ ନମସ୍କାର କହି ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ସାରା ଦେଶ ଏବେ ଅମୃତ ମହୋତ୍ସବ ପାଳନ କରୁଛି। ତେଣେ ଦେଶ ଅଗଷ୍ଟକ୍ରାନ୍ତି ଦିବସ ମଧ୍ୟ ପାଳନ କରୁଛି। ଏହି ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଆମ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ୱ ପୂର୍ଣ୍ଣ। ଗଣମାଧ୍ୟମ ଆମ ସଂସ୍କୃତିର ବିକାଶ ଓ ଜାତୀୟ ସଂହତି ସୁରକ୍ଷା ଦିଗରେ କାମ କରିବା ଆବଶ୍ୟକ। ବିନା କୌଣସି ଭୟ ଓ ପକ୍ଷପାତିତାରେ ଗଣମାଧ୍ୟମ କାମ କରିବା ଉଚିତ। ଲୋକଙ୍କ ବିଶ୍ୱାସ ଉପରେ ଗଣମାଧ୍ୟମ ତିଷ୍ଠି ରହିଥାଏ। ତେଣୁ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ସମସ୍ୟା ଉପସ୍ଥାପିତ କରିବାରେ ଗଣମାଧ୍ୟମ କାମ କରିବା ଉଚିତ। ଏହା ଲୋକଙ୍କ ସ୍ୱର ହେବା ଉଚିତ। ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ଗଣମାଧ୍ୟମର ଦାୟିତ୍ୱ। ସତ୍ୟ ଓ ଅହିଂସା ସ୍ୱାଧୀନତା ସଂଗ୍ରାମରେ ଆମକୁ ଆଗକୁ ନେଇପାରିଥିଲା। ଏହା ଚିରନ୍ତନ ହେଉ ବୋଲି ସେ ପ୍ରକାଶ କରିଥିଲେ ଏବଂ  ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱାଗତ କରିଥିଲେ।

ଜୟ ଜଗନ୍ନାଥ ଓ ଜୟ ମା’ କଟକ ଚଣ୍ଡି କହି ଭାଷଣ ଆରମ୍ଭ କରିଥିଲେ ସମ୍ମାନିତ ଅତିଥି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ, ଦେଶରେ ତ୍ରିରଙ୍ଗା ଯାତ୍ରା ଓ ଅମୃତ ଉତ୍ସବ ପାଳନ ହେଉଛି। ଆଗାମୀ ୨୫ ବର୍ଷ ପରେ ଦେଶ ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବ। ତେଣୁ ଏହି ସମୟ ଭିତରେ ଦେଶର ସମସ୍ତ ଜମିକୁ ଓ ସମସ୍ତଙ୍କ ଘରକୁ ପାଣି ପହଞ୍ଚିବ। ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହେବ। ଏହି ଲକ୍ଷ୍ୟ ନେଇ କାମ କରିବାକୁ ପଡ଼ିବ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପଦ୍ମବିଭୂଷଣ ପ୍ରତିଭା ରାୟ କହିଥିଲେ, କେବଳ ଧନର ବୃଦ୍ଧି ହେଲେ ରାଷ୍ଟ୍ରର ଅଭିବୃଦ୍ଧି ହୁଏନି, ସଂସ୍କୃତିର ବୃଦ୍ଧି ହେଲେ ରାଷ୍ଟ୍ରର ଅଭିବୃଦ୍ଧି ହୋଇଥାଏ।

ଏହି ଅବସରରେ, ସ୍ୱତନ୍ତ୍ର ପୋଷ୍ଟାଲ କାର୍ଡ ଓ ଓ ସ୍ୱତନ୍ତ୍ର କଭର ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରଜାତନ୍ତ୍ରର ସମ୍ପାଦକ ତଥା ସାଂସଦ ଭର୍ତ୍ତୃହରି ମହତାବ ସଭାରେ ଅଧ୍ୟକ୍ଷତା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos