ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗା ହେଉଛି ରାଜ୍ୟ ସରକାରଙ୍କ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ରାଜ୍ୟ ସରକାର ଓ ସରକାରୀବାବୁମାନେ ଚୁଲି ଭଙ୍ଗା କାର୍ଯ୍ୟକ୍ରମ କରିଛନ୍ତି। ଏପରି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ୍। ଯେଉଁମାନେ ଚୁଲି ଭଙ୍ଗାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ୍ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ମୁଖ୍ୟ ସଚିବ ଓ ଡିଜିପି ଯେମିତି ତତ୍ପରତା ଦେଖାଇଲେ, ପୂର୍ବରୁ କାହିଁକି ଦେଖାଇଲେନି? ପୂର୍ବରୁ ଯଦି ସେମାନେ ତତ୍ପରତା ଦେଖାଇଥାଆନ୍ତେ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାଆନ୍ତେ, ତାହାହେଲେ ଏଭଳି ଅଘଟଣ ଘଟି ନଥାଆନ୍ତା। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସରକାର ଏଥିପ୍ରତି ଉଦାସୀନ। ଏହାକୁ ଯେଉଁଭଳି ଭାବେ ଗମ୍ଭିରତା ସହ ନେବା କଥା, ତାକୁ ନେଇନାହାନ୍ତି। ଚୋର ଚୋରି କରି ଧନ ନେବା ପରେ ପୁଲିସ୍ ଖୋଜିଲା ଭଳି ରାଜ୍ୟ ସରକାର ଏବେ ଖୋଜୁଛନ୍ତି। ଏହି ଘଟଣା ପାଇଁ ଦାୟୀ କିଏ? କାହା ଦାୟିତ୍ୱରେ ଥିଲା ରୋଷଘର? ସେମାନଙ୍କ ପ୍ରତି ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, “କେବଳ ଲୋକ ଦେଖଣିଆ ଭାବେ ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜି ଗସ୍ତ କରିଥିଲେ। ବାସ୍ତବରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କିନ୍ତୁ ଯାହା ଶୁଣା ଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖନନକୁ ନେଇ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି। ଖନନ କାର୍ଯ୍ୟକୁ ନେଇ ବିଧାନସଭାରୁ ଲୋକସଭା ପର୍ଯ୍ୟନ୍ତ ଅପଦସ୍ତ ହୋଇଛନ୍ତି। ବିଧାନସଭାରେ ଭୁଲ୍ ଉତ୍ତର ରଖିଛନ୍ତି। ତାଙ୍କ ସାଂସଦ ଲୋକସଭାରେ ଭୁଲ୍ ଉତ୍ତର ରଖିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ସମାଲୋଚନାରେ ଶିକାର ହେବା ପରେ ଯେଉଁ ସାଂସଦ ଭୁଲ୍ କହିଥିଲେ ସେ ସଫେଇ ଦେଇ ପୁଣି ଥରେ ଭୁଲ୍ କହିଲେ। ଗୋଟିଏ ମିଛକୁ ଲୋଚାଇବା ପାଇଁ ସେମାନେ ବାରମ୍ୱାର ଭୁଲ୍ କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି।”
https://youtu.be/S3FCCOwoDW0
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।