ଢିଙ୍କିଆରେ ପୁଲିସର ବର୍ବର କାଣ୍ଡ: ରାଜ୍ୟପାଳଙ୍କୁ ଫେରାଦ ହେଲେ ୧୩ ରାଜନୀତିକ ଦଳ, ତଦନ୍ତ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ଉପରେ ପୁଲିସର ବର୍ବର ଆକ୍ରମଣକୁ ରାଜ୍ୟର ୧୩ଟି ରାଜନୀତିକ ଦଳ କଡ଼ା ନିନ୍ଦା କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ଏହି ରାଜନୀତିକ ଦଳର ପ୍ରତିନିଧିମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ଭେଟି ଗିରଫ ହୋଇଥିବା ନେତାମାନଙ୍କୁ ତୁରନ୍ତ ଖଲାସ କରିବା ସହ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ତଦନ୍ତ ନିମନ୍ତେ ଏକ କମିଟି […]

dhiknia

Ordigital Desk
  • Published: Thursday, 20 January 2022
  • , Updated: 20 January 2022, 09:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ଉପରେ ପୁଲିସର ବର୍ବର ଆକ୍ରମଣକୁ ରାଜ୍ୟର ୧୩ଟି ରାଜନୀତିକ ଦଳ କଡ଼ା ନିନ୍ଦା କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ଏହି ରାଜନୀତିକ ଦଳର ପ୍ରତିନିଧିମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ଭେଟି ଗିରଫ ହୋଇଥିବା ନେତାମାନଙ୍କୁ ତୁରନ୍ତ ଖଲାସ କରିବା ସହ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ତଦନ୍ତ ନିମନ୍ତେ ଏକ କମିଟି ଗଠନ ପାଇଁ ଦାବି କରିଛନ୍ତି। ସେହି ଅଂଚଳରେ ମୁତୟନ ହୋଇଥିବା ପୁଲିସଙ୍କୁ ତୁରନ୍ତ ପ୍ରତ୍ୟାହାର ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଏହି ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ପ୍ରମୁଖ ୧୩ଟି ରାଜନୀତିକ ଦଳର ପ୍ରତିନିଧିମାନେ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଢିଙ୍କିଆରେ ପୁଲିସର ଜୁଲୁମ୍ ଓ ନିର୍ଯାତନା ବିରୁଦ୍ଧରେ ପ୍ରତିବାଦ ଜଣାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଜାନୁୟାରୀ ୧୪ତାରିଖରେ ପୁଲିସ ଫୋର୍ସ ଲଗାଇ ପିଲାମାନଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ଅମାନବୀୟ ଭାବେ ମାରପିଟ୍ କରିଛନ୍ତି। ରାଜ୍ୟ ସରକାର ଏକ କର୍ପୋରେଟ ହାଉସର ସ୍ୱାର୍ଥରେ ପୁଲିସ ଲଗାଇ ଲୋକଙ୍କୁ ମାରପିଟ କରି ବହୁ ଲୋକଙ୍କୁ କ୍ଷତାକ୍ତ କରିଛନ୍ତି।

ଜାନୁୟାରୀ ୧୫ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧିମାନଙ୍କ ଉପରେ ମଧ୍ୟ ପୁଲିସର ପ୍ରୋତ୍ସାହନରେ ଅସାମାଜିକ ଲୋକମାନେ ଆକ୍ରମଣ କରିଥିଲେ। ଏପରିକି ମହିଳା ପ୍ରତିନିଧିମାନେ ଏହି ଆକ୍ରମଣରୁ ବାଦ୍ ପଡ଼ିନଥିଲେ। ପୁଲିସର ନିର୍ଯାତନା ଓ ଆକ୍ରମଣ ଭୟରେ ଗାଁର ପୁରୁଷ ଲୋକମାନେ ଏବେ ଗାଁ ଛାଡ଼ି ପଳାୟନ କରିଛନ୍ତି । ପୁଲିସର ଆତଙ୍କରାଜ ଯୋଗୁ ସ୍ଥାନୀୟ ଲୋକେ ସେଠାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେଣୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ତଦନ୍ତ ପାଇଁ କମିଟି ଗଠନ କରିବାକୁ ଏହି ରାଜନୀତିକ ଦଳ ଦାବି କରିଛନ୍ତି ।

ଏହି ୧୩ଟି ରାଜନୀତିକ ଦଳ ମଧ୍ୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ସିପିଆଇ ନେତା ଆଶୀଷ କାନୁନଗୋ,ଜୟନ୍ତ ଦାସ, ସିପିଏମ୍ ନେତା ଜନାର୍ଦ୍ଦନ ପତି ଓ ଅଳିକିଶୋର ପଟ୍ଟନାୟକ, ସିପିଆଇଏମଲ ନେତା ମହେନ୍ଦ୍ର ପରିଡ଼ା, ଅଲଇଣ୍ଡିଆ ଫରୱାର୍ଡ ବ୍ଲକ ନେତା ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇଏମଏଲ୍ ରେଡଷ୍ଟାର ନେତା ପ୍ରମିଳା, ସିପିଆଇଏମଏଲ୍ ଶ୍ରୀକାନ୍ତ ମହାନ୍ତି, ଆପ ନେତା ରଙ୍ଗାରଚରଣ ପ୍ରଧାନ, ସମାଜବାଦୀ ପାର୍ଟି , ଆରଜେଡି, ଆରପିଆଇ ଆଦି ଦଳର ନେତାମାନେ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲାକୁମାର ଆସନ୍ତା ୨୨ତାରିଖରେ ଢିଙ୍କିଆ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିବେ। କଂଗ୍ରେସ ମଧ୍ୟ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ନିଜର ଏକ ଅନୁଧ୍ୟାନ କମିଟି ଗଠନ କରିଛି। ଏହି କମିଟି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବା ସହ ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ।

Related story