ରାଜ୍ୟସଭା ଟିକେଟ୍ ପ୍ରତିଶ୍ରୁତି: ତାଲିକା ଲମ୍ବା, ସରପ୍ରାଇଜ୍ କରିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପର୍ଯ୍ୟାୟରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ସହ ଶାସକ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ୨୦୧୯ ସାଧାରଣ ନିର୍ବାଚନବେଳେ ଟିକେଟରୁ ବଂଚିତ ହୋଇଥିବା କିଛି ନେତାଙ୍କୁ ରାଜ୍ୟସଭାରେ ଥଇଥାନ କରିବା ପାଇଁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ, ନା ପୂର୍ବଭଳି ପୁଣି ଅଣଦେଖା କରିବେ ତାକୁ ନେଇ ସଂଶୟ ଲାଗି […]

Naveen Patnaik

Naveen Patnaik

Ordigital Desk
  • Published: Friday, 13 May 2022
  • Updated: 13 May 2022, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇଟି ପର୍ଯ୍ୟାୟରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ସହ ଶାସକ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ୨୦୧୯ ସାଧାରଣ ନିର୍ବାଚନବେଳେ ଟିକେଟରୁ ବଂଚିତ ହୋଇଥିବା କିଛି ନେତାଙ୍କୁ ରାଜ୍ୟସଭାରେ ଥଇଥାନ କରିବା ପାଇଁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ, ନା ପୂର୍ବଭଳି ପୁଣି ଅଣଦେଖା କରିବେ ତାକୁ ନେଇ ସଂଶୟ ଲାଗି ରହିଛି । ଅବଶ୍ୟ ଯେଉଁ ନେତାମାନଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ସେମାନଙ୍କମ ମଧ୍ୟରୁ ଏବେ ଅଧିକାଂଶ ବିଜେଡିରୁ ହଜିଗଲେଣି । ଆଉ କିଛି ଥିଲେ ମଧ୍ୟ ସଂଗଠନ ସହ ଜଡ଼ିତ ନାହାନ୍ତି । ତେଣୁ ସେମାନଙ୍କର ଦାବିଦାରୀ ଯେ କେବଳ ନିଷ୍ଫଳ, ତାହା ଏବେଠୁ ଜଳଜଳ ହୋଇ ଦିଶିଲାଣି । ଅନ୍ୟପକ୍ଷରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନବେଳେ ଜାତୀୟ ରାଜନୀତିକୁ ସନ୍ଦେଶ ଦେବା ଭଳି ନିଷ୍ପତ୍ତି ବିଜେଡି ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନେତୃତ୍ୱ ଯେଉଁ କିଛି ବରିଷ୍ଠ ନେତାଙ୍କୁ ରାଜ୍ୟସଭା ଟିକେଟର ପ୍ରତିଶ୍ରୁତି ଦେଇଥିଲା ସେମାନଙ୍କ ମଧ୍ୟରେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚ୍ୟାଉପଟ୍ଟନାୟକ, ଯୋଗେନ୍ଦ୍ର ବେହେରା ଓ ବଳଭଦ୍ର ମାଝୀ ରହିଛନ୍ତି । ଏହି ୪ ନେତା ଏବେବି ବିଜେଡିରେ ଥିଲେ ମଧ୍ୟ ସଂଗଠନଠୁ ଢେର ଦୂରରେ ଅଛନ୍ତି । ଦଳ ଓ ସଂଗଠନ ପାଇଁ ଏମାନଙ୍କର ଭୂମିକା ଏବେ ନଗଣ୍ୟ ଥିବାବେଳେ ଏମାନଙ୍କର ଦାବିଦାରୀକୁ ବିଜେଡି ସେତେଟା ଗୁରୁତ୍ୱ ଦେବାର ସମ୍ଭାବନା କ୍ଷୀଣ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଯେଉଁମାନଙ୍କୁ ଦଳ ଦୀର୍ଘବର୍ଷ ଧରି ସଂଗଠନ ଓ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରାଇ ସଫଳତା ହାସଲ କରିଛି ସେମାନଙ୍କୁ ଅଗ୍ରାଧିକାର ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେଡି ସୂତ୍ର ଅନୁସାରେ, ଜାତୀୟ ରାଜନୀତିରେ ସକ୍ରିୟ ହେବା ପାଇଁ ନବୀନ ପଟ୍ଟନାୟକଙ୍କ ଆଗ୍ରହ ନଥିଲେ ମଧ୍ୟ ନିଜର ନିଷ୍ପତ୍ତି ମାଧ୍ୟମରେ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିବାକୁ ସେ ସର୍ବଦା ପସନ୍ଦ କରିଥାନ୍ତି । ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ପ୍ରସଙ୍ଗ ଉଠାଇ ନବୀନ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଥିବାବେଳେ ଦଳ ଏଥର ୪ଟି ରାଜ୍ୟସଭା ଆସନରୁ ୨ଟିରେ ମହିଳାଙ୍କୁ ପ୍ରାର୍ଥୀ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ମାଧ୍ୟମରେ ବିଜେଡି ନିଜକୁ ‘ମହିଳାଙ୍କୁ ସଂସଦରେ ଅଧିକାର’ ଦେବାରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଚାହିଁବ । ରାଜ୍ୟସଭାରେ ଓଡ଼ିଶାର ମୋଟ ୧୦ଟି ଆସନ ମଧ୍ୟରୁ ୪ଟିରେ ନିର୍ବାଚନ ହେବାକୁ ଯାଉଥିବାବେଳେ ବାକି ୬ଟିରୁ କେବଳ ଗୋଟିଏ ବିଜେପି ପାଖରେ ଅଛି । ଅନ୍ୟ ୫ଟି ଆସନରେ ମାତ୍ର ଜଣେ ମହିଳା ଥିବାବେଳେ ବିଜେଡି  ଆଉ ୨ଜଣ ମହିଳାଙ୍କୁ ରାଜ୍ୟସଭାକୁ ପଠାଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳ ୩୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରତିନିଧିତ୍ୱର ସୁଯୋଗ ଦେଇଛି ବୋଲି ଜାତୀୟସ୍ତରରେ ସନ୍ଦେଶ ଦେବ । ଯାହାକୁ ଦଳ ମଧ୍ୟ ଆଗାମୀ ୨୦୨୪ ନିର୍ବାଚନରେ ନିଜର ଟ୍ରମ୍ପକାର୍ଡ ଭାବେ ଉପଯୋଗ କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ଏବେଠୁ ରଣନୀତି ପ୍ରସ୍ତୁତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟସଭାର ନିର୍ବାଚନୀ ଗଣିତ ଯାହା ସମସ୍ତ ୪ଟି ଆସନ ବିଜେଡି ଦଖଲକୁ ଯିବ । ତେଣୁ ରାଜ୍ୟସଭା ପାଇଁ ୨ଟି ଆସନ ମହିଳାଙ୍କୁ ଦେଇ ବାକି ୨ଟି ଆସନରେ ପୁରୁଷଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ବିଜେଡି ପାଇଁ ଏବେ କୌଣସି ସମୀକରଣର ବାଧ୍ୟବାଧକତା ନଥିବାରୁ ବିଜେଡି ନେତୃତ୍ୱ ଯାହାକୁ ଚାହିଁବ ତାଙ୍କ ମୁଣ୍ଡରେ ସୁନା କଳସୀ ଢ଼ାଳିବ । ଏଥିରେ ଦଳ ଭିତରେ ଅସନ୍ତୋଷ ପ୍ରକଟ ହେବାର ସମ୍ଭାବନା କ୍ଷୀଣ ।

ଯଦି ବିଜେଡି ସୂତ୍ର ବିଶ୍ୱାସ କରାଯାଏ, ତେବେ ବିଜେଡି ସୁପ୍ରିମୋ ଓ ପରାମର୍ଶଦାତା ଏପର୍ଯ୍ୟନ୍ତ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ କୌଣସି ବିଚାରବିମର୍ଶ କରିନାହାନ୍ତି । ଯେହେତୁ ନିର୍ବାଚନ ବିଜେଡି ପ୍ରାର୍ଥୀଙ୍କୁ ସୁହାଇବା ଭଳି ହେଉଛି ତେଣୁ ନିର୍ବାଚନୀ ମାନଦଣ୍ଡ ହେଉଛି ବିଜେଡି ଯାହାଙ୍କୁ ବି ପ୍ରାର୍ଥୀ କରିବ ସିଏ ଜିତିବେ । ତେଣୁ ଏଭଳି ଭଲ ସ୍ଥିତିରେ ବିଜେଡି ଥିବାରୁ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଏତେ ବ୍ୟସ୍ତ ହେଉନି । ଏବେ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ନିମନ୍ତେ ଯେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି ସେସବୁ କେବଳ ଗଣମାଧ୍ୟମକୁ ସୁହାଇବା ଭଳି ପ୍ରସ୍ତୁତ ହୋଇଥିବା ମନମୁଖୀ ତାଲିକା ଆଧାରରେ ହୋଇଛି ବୋଲି ଏହି ସୂତ୍ର ସ୍ପଷ୍ଟ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos