ଗୃହମନ୍ତ୍ରୀ-ଗୋବିନ୍ଦ ଲିଙ୍କକୁ ନେଇ ପୁଲିସ ଚୁପ୍: ବିଜେଡିର ଦୁଇ ଉପସଭାପତି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜର ଦୋଷ ସ୍ୱୀକାର କରିବା ସହ କିଭଳି ଅପରାଧ କରିଥିଲା ତାହା ଆଜି ପୁଲିସକୁ ଦେଖାଇବା ପରେ ବି ନବୀନ ପଟ୍ଟନାୟକ ସରକାରର ଚେତା ପଶିନି। ମମିତା ହତ୍ୟା ମାମଲାରେ ପୁଲିସକୁ ତଦନ୍ତ ନିମନ୍ତେ ନବୀନ ପଟ୍ଟନାୟକ ସରକାର ସୁଯୋଗ ନଦେଇ ଓଲଟା କ୍ଷମତାର ଅହଙ୍କାରରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଜିଦ୍ ଧରି ବସିଛି। ଆଉ […]

soumya-and-pramila

Ordigital Desk
  • Published: Friday, 22 October 2021
  • , Updated: 22 October 2021, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜର ଦୋଷ ସ୍ୱୀକାର କରିବା ସହ କିଭଳି ଅପରାଧ କରିଥିଲା ତାହା ଆଜି ପୁଲିସକୁ ଦେଖାଇବା ପରେ ବି ନବୀନ ପଟ୍ଟନାୟକ ସରକାରର ଚେତା ପଶିନି। ମମିତା ହତ୍ୟା ମାମଲାରେ ପୁଲିସକୁ ତଦନ୍ତ ନିମନ୍ତେ ନବୀନ ପଟ୍ଟନାୟକ ସରକାର ସୁଯୋଗ ନଦେଇ ଓଲଟା କ୍ଷମତାର ଅହଙ୍କାରରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବାକୁ ଜିଦ୍ ଧରି ବସିଛି। ଆଉ ନୈତିକତା ଦୃଷ୍ଟିରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ଜୋର ଧରିଥିବାବେଳେ ଏହାକୁ ଏଡ଼ାଇ ଯାଇ ବିଜେଡିର ଜଣେ ମହିଳା ଉପସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଛାତ୍ର ମହାସଚିବ(ଛାତ୍ରୀ ନେତ୍ରୀ) ଇପସିତା ସାହୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯେଉଁସ୍ତରକୁ ଯାଇ ଓକିଲାତି କରୁଛନ୍ତି ତାହା ଯେ ଆଂଚଳିକ ଦଳ ବିଜେଡି ବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ଦଳର ଆଭିମୁଖ୍ୟ ତାକୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି।

ଏପଟେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳର ଏଭଳି ଓକିଲାତିକୁ ନାପସନ୍ଦ କରି ବିଜେଡି ନେତ୍ରୀଙ୍କ ମାନସିକତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କରାଯିବ ତାହା କମ୍ ହେବ ବୋଲି କହିବାକୁ ପଛାଇ ନାହାନ୍ତି । ସୌମ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସତର୍କ କରାଇ ଆତ୍ମନିର୍ମିତ ଅନୁକୂଳ ପରିବେଶକୁ ବେଶୀ ବିଶ୍ୱାସ କରିବା ଆତ୍ମଘାତୀ ହେବ ବୋଲି କହିଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଛତ୍ରଛାୟାରେ ରହି ତାଙ୍କର ସମ୍ପୂର୍ଣ୍ଣ ଅନୁଗତ ଭାବେ ଗୋବିନ୍ଦ ଗତ ପ୍ରାୟ ୩ରୁ ୪ବର୍ଷ ହେବ ଗୋଲାମୁଣ୍ଡା ବ୍ଲକ ପ୍ରଶାସନକୁ ନିୟନ୍ତ୍ରଣ କରୁଥିଲା । ମନ୍ତ୍ରୀଙ୍କର ଖାସ୍ ଲୋକ ବୋଲି ଗୋବିନ୍ଦ ବ୍ଲକଠୁ ଥାନା ପର୍ଯ୍ୟନ୍ତ ସବୁଠି ନିଜର ପତିଆରା ଦେଖାଉଥିଲା । ଆଉ କଳାହାଣ୍ଡି ଜିଲ୍ଲାରେ ଥିବାବେଳେ ମନ୍ତ୍ରୀ ପ୍ରାୟ ସମୟ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଯାଇ ୩-୪ ଘଣ୍ଟା ଏକାନ୍ତରେ ବିତାଇଥାନ୍ତି । ଏପରିକି ମମିତା ତାଙ୍କୁ ଧମକାଇଥିବା ସମ୍ପର୍କରେ ବି ଗୋବିନ୍ଦ ଗତ କିଛିମାସ ତଳେ ମନ୍ତ୍ରୀଙ୍କୁ ଅବଗତ କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି । ମମିତାଙ୍କୁ ହତ୍ୟା କରିବା ଓ ପୁଲିସ ବାରାକରୁ ଫେରାର ହେବା ପର୍ଯ୍ୟନ୍ତ (ଅକ୍ଟୋବର ୮ରୁ ୧୭ତାରିଖ) ମଧ୍ୟରେ ଗୋବିନ୍ଦଙ୍କ ଫୋନରୁ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଓ ବ୍ୟକ୍ତିଗତ ସହାୟକଙ୍କ ନିକଟକୁ ପ୍ରାୟ ୧୦ରୁ ୧୨ଥର ଫୋନ୍ କରିଥିବା ଏବଂ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଏନେଇ ତଦନ୍ତକାରୀ ଟିମ୍ ମଧ୍ୟ ନିଜର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇ ସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏତେ ସବୁ ତଥ୍ୟ ଜାଣିବା ପରେ ବି ତଦନ୍ତକାରୀ ପୁଲିସ କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ସେହିପରି ଗୋବିନ୍ଦଙ୍କ ଫୋନ୍ କଲ ବିବରଣୀକୁ ମଧ୍ୟ ପୁଲିସ ସାର୍ବଜନୀନ କରୁନି । ଯାହାକି ଗୃହମନ୍ତ୍ରୀ ଓ ତାଙ୍କ ଅଫିସ୍ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହଘେରକୁ ଟାଣିଛି । ଗୋବିନ୍ଦଙ୍କ ସ୍କୁଲ ଓ କଲେଜରେ ମନ୍ତ୍ରୀ ମଧ୍ୟ ନିଜର ଅର୍ଥ ବିନିଯୋଗ କରିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ଘଟଣା ଏବଂ ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କର ଲିଙ୍କର ତଦନ୍ତ କିଏ କରିବ ଓ କେମିତି ହେବ ତାହା ଏବେବି ଅସ୍ପଷ୍ଟ ।

ଅନ୍ୟପକ୍ଷରେ, ମମିତାଙ୍କ ହତ୍ୟା ଘଟଣାରେ ବିଜେଡିର ଦୁଇ ନେତ୍ରୀ ଯେଭଳି ସାମ୍ବାଦିକ ସମ୍ମିଳନୀ କରି ଦିବ୍ୟଶଙ୍କରଙ୍କ ମନ୍ତ୍ରୀ ପଦ ବଂଚାଇବା ସପକ୍ଷରେ ଓକିଲାତି କରୁଛନ୍ତି ସେମାନଙ୍କୁୁ ବିଜେଡି ଉପସଭାପତି ସୌମ୍ୟରଞ୍ଜନ କଟୂ ଭାଷାରେ ସମାଲୋଚନା କରିବାକୁ ପଛାଇନାହାନ୍ତି । ବିଜେଡି ନେତ୍ରୀ ପ୍ରମିଳା ଏହାକୁ ଗୋଟିଏ ଛୋଟିଆ ଘଟଣା କହିଥିବାବେଳେ ସୌମ୍ୟ ତାଙ୍କୁ ଜଣେ ସମ୍ବେଦନଶୂନ୍ୟତା ଓ ହୃଦୟହୀନତା ମହିଳା ଭାବେ ଚିତ୍ରଣ କରାଇ ତାଙ୍କର ଏଭଳି ମାନସିକତାକୁ ଯେତେ କଠୋର ଶବ୍ଦରେ ନିନ୍ଦା କଲେ କମ୍ ହେବ ବୋଲି କହିବାକୁ ପଛାଇ ନାହାନ୍ତି । ଗତ କିଛିମାସ ଧରି ରାଜ୍ୟରେ ସଂଗଠିତ ହେଉଥିବା ଅପରାଧ ଘଟଣାରେ ସରକାର ଓ ବିଜେଡିର ନରମ ଦୃଷ୍ଟିଭଙ୍ଗୀକୁ ମଧ୍ୟ ସୌମ୍ୟ ଉଜାଗର କରି ଏବେ ସମୟୋପଯୋଗୀ ସୁଚିନ୍ତିତ କୌଶଳ ଦ୍ୱାରା ଜନମତକୁ ପ୍ରଭାବିତ କରାଯାଉଛି ବୋଲି କହିଛନ୍ତି । କିନ୍ତୁ ଏ ପ୍ରକାରର ଆତ୍ମନିର୍ମିତ ଅନୁକୂଳ ପରିବେଶକୁ ବେଶୀ ବିଶ୍ୱାସ କରିବା ଆତ୍ମଘାତୀ ହେବ ଓ ନବୀନବାବୁଙ୍କ ପ୍ରଶାସନ ଯେଉଁ ସବୁ କାରଣ ପାଇଁ ଲୋକପ୍ରିୟ ହୋଇଥିଲା ତାହା ଏବେ ବିପଦରେ ବୋଲି ସୌମ୍ୟ ସତର୍କ କରାଇଛନ୍ତି ।

ଅଭିଯୁକ୍ତ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠତାର ପୁଳାପୁଳା ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବାବେଳେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଏବଂ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଥିଲେ ଅଦାଲତକୁ ଯାଅ ବୋଲି ବିଜେଡି ବେପରୁୱା ଢଙ୍ଗରେ କହିବା ପରୋକ୍ଷରେ ବିଜେଡିର କ୍ରୁର ଚେହେରାକୁ ଏବେ ପଦାରେ ପକାଇଲାଣି । ଆଉ ଦିବ୍ୟଶଙ୍କରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ଟାଳଟୂଳ ନୀତି ହିଁ ବିଜେଡି ନେତାମାନଙ୍କୁ ଏବେ ଦୁଇ ଫାଳ କରିଥିବା ଜଣାପଡ଼ିଛି । ଅବଶ୍ୟ ଆନୁଷ୍ଠାନିକ ଭାବେ ବିଜେଡି ନେତାମାନେ ଏବେ ମୁହଁ ଖୋଲୁନାହାନ୍ତି କିନ୍ତୁ ଦଳର ଆଭିମୁଖ୍ୟକୁ ନେଇ ନେତାମାନଙ୍କ ଭିତରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

Related story