ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତିକ ଅପରାଧିକରଣ ବିରୁଦ୍ଧରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହାସହିତ ଶାନ୍ତିପ୍ରିୟ ଓଡ଼ିଶାରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଅପରାଧରେ ସଂଶ୍ଲୀଷ୍ଟ ହୋଇ ରାଜ୍ୟ ରାଜନୀତିକୁ ଅପରାଧୀକରଣ କରିଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଶାସକ ବିଜେଡିର ନେତା-ମନ୍ତ୍ରୀମାନେ ରାଜ୍ୟରେ ଅରାଜକତା ସୃଷ୍ଟି କରି ରାଜ୍ୟର ଆଇନ […]

Mohan Majhi

Ordigital Desk
  • Published: Monday, 26 December 2022
  • , Updated: 26 December 2022, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୀତିକ ଅପରାଧିକରଣ ବିରୁଦ୍ଧରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହାସହିତ ଶାନ୍ତିପ୍ରିୟ ଓଡ଼ିଶାରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ଅପରାଧରେ ସଂଶ୍ଲୀଷ୍ଟ ହୋଇ ରାଜ୍ୟ ରାଜନୀତିକୁ ଅପରାଧୀକରଣ କରିଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଶାସକ ବିଜେଡିର ନେତା-ମନ୍ତ୍ରୀମାନେ ରାଜ୍ୟରେ ଅରାଜକତା ସୃଷ୍ଟି କରି ରାଜ୍ୟର ଆଇନ ଶୃଙ୍ଖଳା ଭଙ୍ଗ କରିଥିବାରୁ ବିଜେପି ଏହାର ଦୃଢ଼ ବିରୋଧ କରୁଛି । ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଏ ବିଷୟରେ ଆଲୋଚନା କରାଯିବାର ନିହାତି ଆବଶ୍ୟକତା ରହିଛି । ନିଜର ଅପରାଧିକ ଚେହେରା ଖୋଲିଯିବା ଭୟରେ ଏବଂ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟର ବିଜେଡି ସରକାର ଜାଣିଶୁଣି ଏବଂ ଚକ୍ରାନ୍ତ କରି ଗତ ବିଧାନସଭା ଅଧିବେଶନକୁ ବନ୍ଦ କରିଦେଲେ । ଓଡ଼ିଶାର ଆଇନ ଶୃଙ୍ଖଳା ରାଜ୍ୟ ପ୍ରଶାସନ ହାତରେ ନ ରହି ବିଜୁ ଜନତା ଦଳ କବଜାରେ ଅଛି । ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଓ ନେତାମାନେ ସିଧାସଳଖ ନିଜେ ହତ୍ୟା, ଯୌନକାର୍ଯ୍ୟରେ ଲିପ୍ତ। ଗଣଧର୍ଷଣ, ନାରୀ ନିର୍ଯାତନା, ଶିଶୁ ଅପହରଣ, ସାକ୍ଷ୍ୟ ପ୍ରମାଣ ନଷ୍ଟପାଇଁ ମୁଖ୍ୟ ଅଭିଯୁକ୍ତ ତଥା ସାକ୍ଷୀମାନଙ୍କୁ ହତ୍ୟା କରି ବିଜୁ ଜନତା ଦଳ ଏଭଳି ଅରାଜକତା ସୃଷ୍ଟି କରିଛି ।

କୁନ୍ଦୁଲିର ପୀଡ଼ିତାଠାରୁ ବେବିନା ପର୍ଯ୍ୟନ୍ତ ସମସ୍ତ ମାମଲାରେ ବିଜୁ ଜନତା ଦଳ ସରକାର ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଅସମର୍ଥ ହେଲେ । ନୟାଗଡର କୁନି ଝିଅ ‘ପରୀ’, ଯାଜପୁର ପିହୁ, ମାହାଙ୍ଗାର ଡବଲ ମର୍ଡର, ଜିଲ୍ଲା ପରିଷଦର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା, ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଭଳି ଘଟଣାର ଦୋଷୀଙ୍କୁ ଧରିବା ଓ ତଦନ୍ତ ଠିକ୍ ଭାବେ କରିବାକୁ ବିଜେଡି ସରକାର ପଛଘୁଂଚା ଦେଉଛି । ତେଣୁ ବିଜେପିର ବିଧାୟକମାନେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଏ ସମସ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏହାର ଆଲୋଚନା ପାଇଁ ଦାବି ଜଣାଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ବିଧାୟକ ସୁବାଷ ପାଣିଗ୍ରାହୀ, ଭାସ୍କର ମଢେଇ, ଶଙ୍କର ଓରାମ, ସୁକାନ୍ତ ନାୟକ, ପ୍ରକାଶ ସୋରେନ, ନବଚରଣ ମାଝୀ, ମୁକେଶ ମହାଲିଙ୍ଗ, ବୁଧାନ ମୁର୍ମୁ ଓ ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ସାମିଲ ଥିଲେ ।

Related story