କ୍ୟାବିନେଟ ବୈଠକରେ ମନ୍ତ୍ରୀମାନେ ‘ଜୀ ହଜୁର’ କହି ଦସ୍ତଖତ ଦେଉଛନ୍ତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନର ଶାସନ ଚାଲୁ ନାହିଁ ବରଂ ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଛି । ଆଉ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନେ ‘ଜୀ ହଜୁର’ କହି ଦସ୍ତଖତ ଦେଇ କେବଳ ଔପଚାରିକତାକୁ ପୂରଣ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଗତକାଲି କ୍ୟାବିନେଟ ବୈଠକରେ ୩୦ମିନିଟରେ ୩୨ ଏଜେଣ୍ଡା ଗୃହୀତ ହେବା ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ବିଜେପି କହିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ମୁଖପାତ୍ର ରମାରଞ୍ଜନ ବଳିୟାର ସିଂ ଅଭିଯୋଗ […]

bjp

bjp

Ordigital Desk
  • Published: Thursday, 19 May 2022
  • Updated: 19 May 2022, 08:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନର ଶାସନ ଚାଲୁ ନାହିଁ ବରଂ ବ୍ୟୁରୋକ୍ରାଟଙ୍କ ଶାସନ ଚାଲିଛି । ଆଉ କ୍ୟାବିନେଟ ବୈଠକରେ ମନ୍ତ୍ରୀମାନେ ‘ଜୀ ହଜୁର’ କହି ଦସ୍ତଖତ ଦେଇ କେବଳ ଔପଚାରିକତାକୁ ପୂରଣ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଗତକାଲି କ୍ୟାବିନେଟ ବୈଠକରେ ୩୦ମିନିଟରେ ୩୨ ଏଜେଣ୍ଡା ଗୃହୀତ ହେବା ଏହାର ପ୍ରକୃଷ୍ଟ ଉଦାହରଣ ବୋଲି ବିଜେପି କହିଛି ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ମୁଖପାତ୍ର ରମାରଞ୍ଜନ ବଳିୟାର ସିଂ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ମାତ୍ର ୩୦ମିନିଟ ପାଇଁ ବସିଥିଲା ଓ ଏହି ଅବଧିରେ ୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରି ସମସ୍ତ ନୀତି, ନିୟମକୁ ଜଳାଞ୍ଜଳି ଦିଆଯାଇଛି । କେବଳ ‘ଜୀ ହଜୁର’ କହି ଦସ୍ତଖତ କରି କ୍ୟାବିନେଟ ବୈଠକର ଔପଚାରିକତା ପୂରଣ କରାଯାଉଛି ।

ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ଯଥେଷ୍ଟ ଆଗରୁ କୌଣସି ସୂଚନା ନଦେଇ ଅତ୍ୟନ୍ତ ତରବରିଆଭାବେ ପ୍ରଶାସନିକ ବାବୁମାନଙ୍କ ଦ୍ୱାରା ପ୍ରସ୍ତୁତ ଦସ୍ତାବିଜକୁ କ୍ୟାବିନେଟ୍ ମୋହର ଦିଆଯାଉଛି । କେନ୍ଦ୍ରୀୟ ଯୋଜନା ବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ କ୍ୟାବିନେଟ ବୈଠକରେ କୌଣସି ସୂଚନା ନରଖିବା ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲିର ‘ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ବୈଠକର ନିଷ୍ପତ୍ତି' ରାଜ୍ୟବାସୀଙ୍କୁ କେବଳ ପ୍ରତାରିତ ଓ ପ୍ରଲୋଭିତ କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ କ୍ୟାବିନେଟ ବୈଠକ ଏକ ଔପଚାରିକତା ଓ ମନ୍ତ୍ରିପରିଷଦର ସଦସ୍ୟମାନେ କିଛି ଜାଣୁନାହାନ୍ତି କିମ୍ବା ଜାଣିବାର ସୁଯୋଗ ନାହିଁ ସେ ଅଭିଯୋଗ କରିଛନ୍ତି ।

ରମାରଞ୍ଜନ ବଳିୟାର ସିଂ କହିଛନ୍ତି ଯେ, ସୁନେଲୀ ସ୍ୱପ୍ନରେ ଜନସାଧାରଣଙ୍କୁ ବିଭୋର କରିବା ପାଇଁ ରାଜ୍ୟ ସରକାରଙ୍କ ଅପଚେଷ୍ଟାର ପରଦା ଧୀରେ ଧୀରେ ହଟିବାରେ ଲାଗିଛି । ଓଡ଼ିଶାର ଜନସାଧାରଣ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ପ୍ରତାରିତ ଓ ପ୍ରଲୋଭିତ କରୁଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି ଯୋଜନା ଆଳରେ ମହିଳାମାନଙ୍କୁ ଆସନ୍ତା ୫ବର୍ଷରେ ୧୨ଶହ କୋଟି ଟଙ୍କାର ସୁଧ ରିହାତି ଦେବେ ବୋଲି କ୍ୟାବିନେଟ୍‌ରେ ଉଲ୍ଲେଖ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀକୁ ମାତ୍ର ୧୨୬ କୋଟି ଟଙ୍କା ସୁଧ ରିହାତି ଦେଇଥିଲାବେଳେ ଆସନ୍ତା ୫ବର୍ଷ ମଧ୍ୟରେ ୧୨ଶହ କୋଟି ଟଙ୍କା କିଭଳି ସୁଧ ରିହାତି ଦେବେ ତାହାହିଁ ପ୍ରଶ୍ନବାଚୀ ।

ସେହିଭଳି ୨୦୨୦-୨୧ରେ ବ୍ୟାଙ୍କ ଲିଙ୍କେଜ୍ ସହାୟତା ମାତ୍ର ୪୨୯୧କୋଟି ଟଙ୍କା ହୋଇଥିଲାବେଳେ ଆସନ୍ତା ୫ବର୍ଷରେ ୫୦ହଜାର କୋଟି ଟଙ୍କା ବ୍ୟାଙ୍କ ଲିଙ୍କେଜ୍ ସହାୟତା ଦିଆଯିବ ବୋଲି କହିବା ବାସ୍ତବତାଠାରୁ ବହୁ ଦୂରରେ ଅଛି । ରାଜ୍ୟରେ ମୋଟ୍ ୬ ଲକ୍ଷ ଏସଏଚଜି ଓ ୭୦ଲକ୍ଷ ସଭ୍ୟା ସୃଷ୍ଟି କରିଛନ୍ତି ବୋଲି ଦାବି କରୁଥିବା ରାଜ୍ୟ ସରକାର ସମସ୍ତ ମହିଳା ଗୋଷ୍ଠୀଙ୍କୁ ସଶକ୍ତିକରଣ କରିବା ପରିବର୍ତ୍ତେ ଦଳୀୟ ପକ୍ଷପାତିତା ଏବଂ ଦଳ ସମର୍ଥିତ ଗୋଷ୍ଠୀଙ୍କୁ ସହାୟତା କରିବା କେତେଦୂର ଯଥାର୍ଥ । ରାଜ୍ୟ ସରକାର ମିଶନଶକ୍ତି, ଜଳସେଚନ, ପାନୀୟଜଳ ଯୋଗାଣ ଆଦି ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି କିନ୍ତୁ ରାଜ୍ୟ ବଜେଟ୍‌ରେ ଅର୍ଥ ନାହିଁ ଏବଂ ଏ ସମସ୍ତ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ ଓ ମିଡିଆ ସେଲର ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos