ସୀମା ବିବାଦ: ସର୍ବଦଳୀୟ ବୈଠକ ଡାକିବାକୁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅଂଚଳରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ି ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି । ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ରହିଥିବା ସୀମା ବିବାଦର ସମାଧାନ ପାଇଁ ତୃତୀୟ ଥର ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ […]

dharmendra-pradhan

dharmendra-pradhan

Ordigital Desk
  • Published: Friday, 04 November 2022
  • Updated: 04 November 2022, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅଂଚଳରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ି ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି । ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ରହିଥିବା ସୀମା ବିବାଦର ସମାଧାନ ପାଇଁ ତୃତୀୟ ଥର ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଂଚାୟତ ମାଣିକପାଟଣାରେ ଦେଖାଯାଇଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହାସହିତ ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରି ଉକ୍ତ ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ ବୋଲି କହିଛନ୍ତି । ଏହାସହିତ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବିଗତ କିଛି ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତ୍ତୀ ଗ୍ରାମରେ ପ୍ରଶାସନିକ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ହସ୍ତକ୍ଷେପ କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାରେ ଅନେକ ଗ୍ରାମକୁ ବ୍ୟାପିବାରେ ଲାଗିଛି । ନାମ ପରିବର୍ତ୍ତନ କରାଯାଇ ଆନ୍ଧ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ହୋଇଥିବା ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାରେ ଏହିଭଳି ୨୧ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହାର ସଦର ମହକୁମା କୋଟିଆର ଅନେକ ଗ୍ରାମରୁ ୪୦ କିମି ଦୂରରେ ରହିଛି । ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହି ସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ସହ ଅଂଚଳର ଅଧିବାସୀଙ୍କୁ ଆନ୍ଧ୍ରର ଅଂଶ ହେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି । ଏଭଳି ସମୟରେ ଓଡ଼ିଶା ସରକାର ମଧ୍ୟ ସରଜମିନ ସ୍ତରରେ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି । ଫଳସ୍ୱରୂପ ସରକାର ଏବଂ ପ୍ରଶାସନ ଏହି ସୀମାବର୍ତ୍ତୀ ଗ୍ରାମବାସୀଙ୍କ ନିକଟତର ହୋଇପାରିବ । ଜିଲ୍ଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ଲୋକମାନେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାଖରେ ହାଜର ହୋଇପାରନ୍ତି । ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଧ୍ୟ ଏହିଭଳି ଭାବରେ ସୀମାବର୍ତ୍ତୀ ଅଂଚଳରେ ବସବାସ କରୁଥିବା ନାଗରିକଙ୍କୁ ଓଡ଼ିଶା ଠାରୁ ଦୂରେଇ ନେବା ପାଇଁ ସମାନ ଉପାୟ ଅବଲମ୍ବନ କରିପାରନ୍ତି ବୋଲି ଶ୍ରୀ ପ୍ରଧାନ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଓ ସଂଗଠନକୁ ବିଶ୍ୱାସର ସହ ନିଆଯାଉ । ବିକାଶ ସହ ଜଡ଼ିତ ପ୍ରସଙ୍ଗର ସମାଧାନ କରାଯାଉ । ଆନ୍ଧ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁବିଧା ଦ୍ୱାରା ଲୋକମାନେ କିପରି ପ୍ରଲୋଭିତ ନ ହେବେ, ସେ ଦିଗ ପ୍ରତି ଧ୍ୟାନ ଦିଆଯାଉ । ସୀମା ବିବାଦ ଅଂଚଳଗୁଡ଼ିକରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ପ୍ରଶାସନିକ ମୁହାଁମୁହିଁ ଓ ବିବାଦ ଦ୍ୱାରା ଉକ୍ତ ଅଂଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଏପରି ପରିସ୍ଥିତି ଉପୁଜିଲେ ଉଭୟ ରାଜ୍ୟର ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟର ବିରୋଧ ହେବ, ଯାହା ବ୍ୟବସ୍ଥା ବିରୋଧୀ ମତକୁ ପ୍ରଶୟ ଦେବ । ତେଣୁ ଦୁଇ ରାଜ୍ୟର ଲୋକକଲ୍ୟାଣକୁ ଦୃଷ୍ଟିରେ ରଖି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ସତ୍ତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଭଳି ମନେ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos