୧୫ବର୍ଷ ଧରି ‘ଏୟାରଷ୍ଟ୍ରିପ’ ସ୍ୱପ୍ନ ଦେଖାଉଛନ୍ତି ସରକାର, ଆସନ୍ତାକାଲି ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ତଥା ରାଜ୍ୟର ସବୁଠୁ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଗସ୍ତ କରି ‘ସ୍ମାର୍ଟ ହେଲଥ୍ କାର୍ଡ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଜିଲ୍ଲା ଗସ୍ତ ହୋଇଥିବାବେଳେ ଶାସକ ବିଜେଡି ଏହି କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେବା ପାଇଁ ଏବେ ରାଜ୍ୟସ୍ତରର ପ୍ରାୟ ୩ ଡଜନରୁ ଅଧିକ ନେତାଙ୍କୁ ମାଲକାନଗିରିରେ ନିୟୋଜିତ କରିଛି। ପଂଚାୟତ […]

Naveen Patnaik

Naveen Patnaik

Ordigital Desk
  • Published: Thursday, 19 August 2021
  • Updated: 20 August 2021, 08:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ତଥା ରାଜ୍ୟର ସବୁଠୁ ଅନୁନ୍ନତ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଗସ୍ତ କରି ‘ସ୍ମାର୍ଟ ହେଲଥ୍ କାର୍ଡ’ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଜିଲ୍ଲା ଗସ୍ତ ହୋଇଥିବାବେଳେ ଶାସକ ବିଜେଡି ଏହି କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେବା ପାଇଁ ଏବେ ରାଜ୍ୟସ୍ତରର ପ୍ରାୟ ୩ ଡଜନରୁ ଅଧିକ ନେତାଙ୍କୁ ମାଲକାନଗିରିରେ ନିୟୋଜିତ କରିଛି। ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରୁଥିବାବେଳେ ଏହି ମାଓପ୍ରବଣ ଜିଲ୍ଲାକୁ ଆକାଶମାର୍ଗରେ ସବୁଦିନିଆ ସଂଯୋଗ ନିମନ୍ତେ ରାଜ୍ୟ ସରକାର ଦେଖାଇଥିବା ‘ଏୟାରଷ୍ଟ୍ରିପ୍‌’ ନିର୍ମାଣ କାର୍ଯ୍ୟ ଏବେବି ଅନିଶ୍ଚିତତା ମଧ୍ୟରେ ରହିଛି।

୨୦୦୭ ଅଗଷ୍ଟ ୨୯ତାରିଖରେ ଏହି ‘ଏୟାରଷ୍ଟ୍ରିପ୍‌’ ନିର୍ମାଣ କାର୍ଯ୍ୟକୁ ପ୍ରଶାସନିକ ଓ ବଜେଟ୍ ଅନୁମୋଦନ ଦେଇଥିବା ରାଜ୍ୟ ସରକାର ବିଗତ ୧୫ବର୍ଷ ଧରି ଜିଲ୍ଲାବାସୀଙ୍କୁ କେବଳ ସ୍ୱପ୍ନ ଦେଖାଇ ଚାଲିଛନ୍ତି। ଏବେପୁଣି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଦୁଇଦିନ ପୂର୍ବରୁ ରାଜ୍ୟ ସରକାର ସେହି ପ୍ରସ୍ତାବିତ ‘ଏୟାରଷ୍ଟ୍ରିପ’ ହେବାକୁ ଥିବା ଜଙ୍ଗଲଜମିର କିସମ ପରିବର୍ତ୍ତନ ଆବେଦନକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଖାରଜ କରିଦେଇଥିବା ଦର୍ଶାଇ କ୍ଷତିପୂରଣ ବନୀକରଣ ନିମନ୍ତେ ସାନି ଜମି ଚିହ୍ନଟ କରିବାକୁ ମାଲକାନଗିରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଅନ୍ୟ ଅଂଚଳ ସହ ଆକାଶମାର୍ଗରେ ମାଲକାନଗିରି ଜିଲ୍ଲାକୁ ଯୋଡ଼ିବା ପାଇଁ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ୧୫ବର୍ଷ ପରେ ବି ସେହି ଫାଇଲ୍ ଭିତରେ ରହିବା ବିଜେଡି ସରକାରଙ୍କର ଜିଲ୍ଲା ପ୍ରତି ଆନ୍ତରିକତାକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ସେଠାରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବେ । ଏହି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମାଲକାନଗିରିକୁ ଚୟନ କରିଥିବାବେଳେ ପୌର ଓ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡି ତା’ର ଭରପୂର ଫାଇଦା ନେବାକୁ ପ୍ରୟାସ କରିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ ଗସ୍ତରେ ଆସି ଜିଲ୍ଲାରେ ମାତ୍ର ୪୦ ମିନିଟ୍ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ସଫଳ କରିବା ପାଇଁ ମନ୍ତ୍ରୀ ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ, ସମୀର ଦାଶ, ଜଗନ୍ନାଥ ସାରକା, ତୁଷାରକାନ୍ତି ବେହେରା, ପଦ୍ମିନୀ ଦିଆନ, ଅରୁଣ ସାହୁ, ପଦ୍ମନାଭ ବେହେରାଙ୍କ ସମେତ ବିଧାୟକ ଚନ୍ଦ୍ରସାରଥୀ ବେହେରା, ପ୍ରଣବପ୍ରକାଶ ଦାସ,ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, କୁନା ତ୍ରିପାଠୀ ଓ ଅନ୍ୟ ପ୍ରାୟ ୩ ଡଜନରୁ ଅଧିକ ନେତା ଏବେ ଜିଲ୍ଲାରେ ଡେରା ପକାଇଛନ୍ତି। ଏହି ବିଜେଡି ନେତାମାନେ ଜିଲ୍ଲାର ୭ଟି ବ୍ଲକ ଓ ୨ଟି ପୌରାଂଚଳରେ କାର୍ଡ ବଣ୍ଟନ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମାଓବାଦୀ ପ୍ରଭାବିତ ଜିଲ୍ଲାବାସୀଙ୍କୁ ୨୦୦୭ ପଂଚାୟତ ନିର୍ବାଚନ ପୂର୍ବରୁ ‘ଏୟାରଷ୍ଟ୍ରିପ’ ଉପହାର ଦେବା ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେତେବେଳେ ୬.୪୧କୋଟି ଟଙ୍କା ବଜେଟ୍ ବ୍ୟୟବରାଦ ରାଜ୍ୟ ରାଜକୋଷରୁ କରାଯାଇଥିଲା । ମ୍ୟାପଟେକ ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଡିଜିପିଏସ୍ ସର୍ଭେ କରାଯାଇ ମୋଟ ୯୪.୨୫୪ ହେକ୍ଟର ଜମିରେ ଏହି ଏୟାରଷ୍ଟ୍ରିପ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମାଲକାନଗିରି ତହସିଲ ଅନ୍ତର୍ଗତ ବାଇଲାପାରି, ବାଟାପାଲି,ନିଲିମାରି ଓ ଗୋରେଗୁଡ଼ି ରାଜସ୍ୱ ଗାଁ ନିକଟରେ ଏହି ଏୟାରଷ୍ଟ୍ରିପ ନିର୍ମାଣ ହେବ।

ତେବେ ଏଥିରେ ୧୩.୨୩୩ ହେକ୍ଟର ଜଙ୍ଗଲଜମି ରହିଥିବାରୁ ଆବଶ୍ୟକ ଅନୁମୋଦନ ନିମନ୍ତେ ପ୍ରଶାସନିକ ଅନୁମତିର ପ୍ରାୟ ୧୦ବର୍ଷ ପରେ ଅର୍ଥାତ ୨୦୧୭ ଡିସେମ୍ବର ୧ତାରିଖରେ ମାଲକାନଗିରି ପୂର୍ତ୍ତ ଡିଭିଜନ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ଜଙ୍ଗଲଜମି କିସମ ପରିବର୍ତ୍ତନ ପାଇଁ କ୍ଷତିପୂରଣ ବନୀକରଣ ନିମନ୍ତେ ଚିତ୍ରକୋଣ୍ଡା ତହସିଲର ପଣାସପୁଟ ଗାଁ’ରେ ପ୍ରାୟ ୨୬.୪୬୬ ହେକ୍ଟର ଜମି ଚିହ୍ନଟ କରାଯାଇଥିଲା। କିନ୍ତୁ ଏହି ଜମି ଜଙ୍ଗଲ ନିକଟରେ ନୁହେଁ ଦର୍ଶାଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିବା ସହ କ୍ଷତିପୂରଣ ବନୀକରଣ ନିମନ୍ତେ ସାନି ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ପଠାଇବାକୁ କହିଛନ୍ତି। ଏହାପରେ ରାଜ୍ୟ ପୂର୍ତ୍ତ ବିଭାଗ ଗତକାଲି ଅର୍ଥାତ ଅଗଷ୍ଟ ୧୮ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ବନୀକରଣ ନିମନ୍ତେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ଜମି ଚିହ୍ନଟ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଏତେ ବର୍ଷ ଧରି ପ୍ରସ୍ତାବିତ ‘ଏୟାରଷ୍ଟ୍ରିପ’ ପାଇଁ ଶୋଇ ରହିଥିବା ରାଜ୍ୟ ସରକାର କାହିଁକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ିଲେ। ଜିଲ୍ଲାବାସୀଙ୍କୁ ‘ଏୟାରଷ୍ଟ୍ରିପ’ ନାଁରେ ପୁଣିଥରେ ଲଲିପପ୍ ଦେବାକୁ ପ୍ରୟାସ ହେଉଛି କି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos