ଶଙ୍ଖାସୁରର ଆଚରଣ ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ, ଢିଙ୍କିଆରେ ଦୋଷୀଙ୍କୁ ବାନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢ଼ିଙ୍କିଆବାସୀଙ୍କ ଉପରେ ବର୍ବର ଆକ୍ରମଣ କରିଥିବା ଦୋଷୀଙ୍କୁ ତୁରନ୍ତ ବାନ୍ଧିବା ପାଇଁ କଂଗ୍ରେସ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଶଙ୍ଖାସୁର ଆଚରଣ ଛାଡ଼ନ୍ତୁ ବୋଲି ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳବଳ କୌଶଳ ଖଟାଇ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ଲୁଚି ଯାଇ ଶଂଖାସୁରର ଆଚରଣକୁ […]

manoi mohapatra

Ordigital Desk
  • Published: Wednesday, 19 January 2022
  • , Updated: 19 January 2022, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢ଼ିଙ୍କିଆବାସୀଙ୍କ ଉପରେ ବର୍ବର ଆକ୍ରମଣ କରିଥିବା ଦୋଷୀଙ୍କୁ ତୁରନ୍ତ ବାନ୍ଧିବା ପାଇଁ କଂଗ୍ରେସ ଦାବି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଶଙ୍ଖାସୁର ଆଚରଣ ଛାଡ଼ନ୍ତୁ ବୋଲି ଅଭିଯୋଗ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳବଳ କୌଶଳ ଖଟାଇ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ଲୁଚି ଯାଇ ଶଂଖାସୁରର ଆଚରଣକୁ ଅନୁସରଣ କରୁଛନ୍ତି। ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଏକ ଭିଡିଓ ଉତ୍ତୋଳନ କରି ଛାଡ଼ିଥିଲେ। ତାଙ୍କର ଜଗନ୍ନାଥ ଭକ୍ତି ଉପରେ ଆମର କୌଣସି ଆପତ୍ତି ନାହିଁ। ନିଜକୁ ଜଗନ୍ନାଥଙ୍କ ପରମଭକ୍ତ ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଚରଣ କିନ୍ତୁ ଶଂଖାସୁରର ଆଚରଣର ସମାନତା ରହିଯାଉଛି।

ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଶଂଖାସୁରର ଚରିତ୍ର ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳବଳ କୌଶଳ ଓ ଛଳନାରେ ନିର୍ବାଚନରେ ଲୋକଙ୍କ ଠାରୁ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ବ୍ୟାପକ ପୁଲିସ ସୁରକ୍ଷା ଭିତରେ ଲୁଚିଯାଉଛନ୍ତି। ଏହା ଶଂଖାସୁରର ଆଚରଣର ଅଂଶ ବିଶେଷ ବୋଲି ଅଭିହିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶଂଖାସୁର ପ୍ରକୃତିରୁ ନିଜକୁ ନିବୃତ୍ତ ରଖନ୍ତୁ। ମୁଖ୍ୟମନ୍ତ୍ରୀ ଦାବି କରନ୍ତି ଯେ ରାଜ୍ୟର ସାଢ଼େ ୪କୋଟି ଓଡ଼ିଆ ତାଙ୍କ ପରିବାର, ତା’ହେଲେ ଢ଼ିଙ୍କିଆର ହଜାର ହଜାର ଲୋକ କାହା ପରିବାରର ?

୨୦୦୬ ଜାନୁଆରୀ ୨ ତାରିଖରେ କଳିଙ୍ଗ ନଗର ଗଣହତ୍ୟା ପ୍ରସଙ୍ଗରେ କିଛି ଆଦିବାସୀ ମହିଳାଙ୍କର ସ୍ତନକୁ ପୋଲିସ ବର୍ବର ଭାବେ କାଟିଥିଲା, ତାର ପୁନରାବୃତ୍ତି କରାଯାଇ ଶାସକ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଓ ପୁଲିସର ମିଳିତ ଷଡ଼ଯନ୍ତ୍ରରେ କିଛି ଯୁବତୀ ଓ ମହିଳାଙ୍କ ଉପରେ ବର୍ବର ଅତ୍ୟାଚାର କରାଯାଇଛି, ତାହା ବିହିତ ଅନୁସନ୍ଧାନ କରାଯାଇ ଦୋଷୀକୁ ଦଣ୍ଡିତ କରିବାର ସତସାହସ ଦେଖାଇବେ କି? ଢିଙ୍କିଆର ପ୍ରସଙ୍ଗରେ ରାଜ୍ୟ ସରକାର ଓ ପ୍ରଶାସନ ସହ ପୁଲିସ କମ୍ପାନୀର ପୋଷା ଗୁଣ୍ଡା ଭଳି ବ୍ୟବହାର କରିଛି। ଯାହାକୁ ଦଳ ତରଫରୁ ତୀବ୍ର ଭର୍ତ୍ସନା କରାଯାଇଛି ଓ ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ଆସନ୍ତା ୨୨ ତାରିଖରେ ଢ଼ିଙ୍କିଆ ଗସ୍ତ କରିବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି ।

ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଚୁପ ରହିବା ଦୁର୍ଭାଗ୍ୟଜନକ। ୫୪ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଏହି ପଛୁଆବର୍ଗଙ୍କ ସାମାଜିକ, ରାଜନୀତିକ, ଅର୍ଥନୈତିକ ଉତ୍‌ଥାନ କ୍ଷେତ୍ରରେ ଜାଣିସୁଣି ଚଂଚକତା କରି ସରକାର ଏମାନଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତିି। ଯାହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଚଳିତ ନିର୍ବାଚନରେ ଲୋକେ ତାର ଜବାବ ଦେବେ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

Related story