ପିପିଲିଠୁ କୁନ୍ଦୁଲି, କାହାକୁ ନ୍ୟାୟ ମିଳିଛିି ଶାସକ ବିଜେଡି କହୁ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ବୀଭତ୍ସ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଇଥିବା ନେଇ ଭିଡିଓ ମାଧ୍ୟମରେ ବିଜେଡି ଦାବି କରିବାକୁ ନେଇ ପ୍ରଦେଶ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ପିପିଲି ଗଣଦୁଷ୍କର୍ମ ପୀଡ଼ିତାଠୁ ଆରମ୍ଭ କରି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ପର୍ଯ୍ୟନ୍ତ କେଉଁଠିବି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଆଜି ଏକ ସାମ୍ବାଦିକ […]

nishikant

Ordigital Desk
  • Published: Monday, 08 November 2021
  • , Updated: 08 November 2021, 09:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ବୀଭତ୍ସ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଇଥିବା ନେଇ ଭିଡିଓ ମାଧ୍ୟମରେ ବିଜେଡି ଦାବି କରିବାକୁ ନେଇ ପ୍ରଦେଶ କଂଗ୍ରେସ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ପିପିଲି ଗଣଦୁଷ୍କର୍ମ ପୀଡ଼ିତାଠୁ ଆରମ୍ଭ କରି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ପର୍ଯ୍ୟନ୍ତ କେଉଁଠିବି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବରୁ ବିଜେଡି ଜାତୀୟ ମୁଖପାତ୍ର ରାଜ୍ୟର ଦୁଇଟି ବହୁଚର୍ଚ୍ଚିତ ଘଟଣା ଉପରେ ଦୁଇଟି ଭିଡିଓ ଗଣମାଧ୍ୟମ ସାମ୍ନାରେ ଦେଖାଇ ବିଜେଡି କେବେବି ନାରୀ ବିରୋଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ମମିତା ମେହେର ହତ୍ୟା ଘଟଣାକୁ ବାଟବଣା କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଜେଡିକୁ ଆଉ ସାଧାରଣ ଲୋକେ ବିଶ୍ୱାସ କରିବା ସ୍ଥିତିରେ ନାହାନ୍ତି । ବିଜେଡି ଦ୍ୱାରା ଜାରି ଉକ୍ତ ଦୁଇଟି ଭିଡିଓ ତଥ୍ୟକୁ ଆଧାର କରି କଂଗ୍ରେସ ଏବେ ପାଲଟା ଜବାବ ମାଗିଛି।

ଶ୍ରୀ ମିଶ୍ର କହିଛନ୍ତି ଯେ, ମମିତା ମେହେର ଘଟଣାକୁ ସବୁଦିନ ପାଇଁ ଚାପି ଦେବାକୁ ଶାସକ ବିଜେଡି ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି । ତଦନ୍ତର ସ୍ୱଚ୍ଛତା ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତୁରନ୍ତ ଇସ୍ତଫା ଦେବା ଉଚିତ୍ । ଗୃହମନ୍ତ୍ରୀ ଇସ୍ତଫା ନଦେଲେ ମମିତା ମେହେର ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନ୍ୟ ସବୁ ମାମଲା ଭଳି ଦିଗହରା ହୋଇଯିବ । ସେମାନେ ଦଣ୍ଡିତ କରାଇବା ସମ୍ଭବପର ହେବନାହିଁ ।

ଟିକିରି ଘଟଣା ଉପରେ ଆଧାରିତ ହୋଇଥିବା ପ୍ରଥମ ଭିଡିଓରେ ଷଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନା ଦଣ୍ଡ ପାଇବା ଘଟଣାକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଉକ୍ତ ଘଟଣାରେ ମୃତ୍ୟୁକାଳୀନ ଜମାନବନ୍ଦୀରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୀଳ ଜିନ୍ ପ୍ୟାଣ୍ଟ ପିନ୍ଧା ଯୁବକକୁ ଏବେ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ୍ କିମ୍ବା ସିବିଆଇ ଧରିବାରେ ସଫଳ ହୋଇଛି କି? ସେହିପରି ଦ୍ୱିତୀୟ ଭିଡିଓଟିରେ କୁନ୍ଦୁଲି ଘଟଣାରେ ତଦନ୍ତକୁ ନେଇ ବାହାସ୍ଫୋଟ ମାରୁଥିବା ବିଜେଡି କେତେ ଜଣ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ? ପିପିଲି ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା କ୍ରାଇମବ୍ରାଂଚ ତଥ୍ୟ ପ୍ରମାଣ ଯୋଗେଇବାରେ ବିଫଳ ହେବାରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲେ । ସେହିପରି ବ୍ରହ୍ମଗିରି ରେବେଣା ନୂଆଗାଁ ଆୟୁଷ ଡାକ୍ତରାଣୀ ମାଧବୀଲତା ମୃତ୍ୟୁ ଘଟଣାରେ ଜିଆରପି ପୋଲିସ୍ ଶବ ବ୍ୟବଚ୍ଛେଦ ପରେ ଯେଉଁ ସ୍ଥାନରେ ମୃତଦେହ ପୋତିଥିଲା । ଦୁଇଦିନ ପରେ ହାଇକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାରୁ ଅଚାନକ ପୋତାଯାଇଥିବା ସ୍ଥଳରୁ ଶବ ଗାଏବ ହୋଇଯାଇଥିଲା, ଯାହା ଏବେ ମଧ୍ୟ ରହସ୍ୟଘେରରେ ଅଛି ।

ତେଣୁ ଟିକିରି ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ଛାଡ଼ି ଷଡ଼ଯନ୍ତ୍ରକାରୀଙ୍କୁ ଧରି ବାହାସ୍ଫୋଟ ମାରୁଥିବା ବେଳେ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟ ସରକାର କ’ଣ ପାଇଁ ସୁରକ୍ଷା ଦେଉଛନ୍ତି ? ଏଥିରୁ ସ୍ପଷ୍ଟ ଯେ, ପୂର୍ବ ଘଟଣାଗୁଡ଼ିକ ଭଳି ମମିତା ମେହେର ଘଟଣାରେ ଅଭିଯୁକ୍ତମାନେ ଖସିଯିବାର ସମ୍ଭାବନା ଅଧିକ । ତେଣୁ ଗୃହମନ୍ତ୍ରୀଙ୍କ ଇସ୍ତଫା ବିନା ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ସମ୍ଭବପର ନୁହେଁ ବୋଲି କଂଗ୍ରେସ କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

Related story