ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପଞ୍ଚାୟତ ନିର୍ବାଚନ ନେଇ ଆମର ପ୍ରସ୍ତୁତି ତ୍ରୁଟିପୂର୍ଣ୍ଣ ଥିଲା। ଶତ୍ରୁର ମର୍ମସ୍ଥଳକୁ ଯେଭଳି ଆଘାତ ଦେବାର ଆବଶ୍ୟକତା ଥିଲା, ସେମିତି ଦେଇ ପାରିଲୁନି। ପୁଣି ଏହି ଜନାଦେଶ ପଛରେ ପ୍ରଚୁର ଧନଶକ୍ତିର ବିନିଯୋଗ ହୋଇଥିଲା।’ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପାଇଁ ଦଳୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହିଭଳି କିଛି କାରଣ ଦର୍ଶାଇଛନ୍ତି। ଆଜି ‘ଓଟିଭି’ର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍-୨୦୨୨’ରେ ଯୋଗ ଦେଇ ସେ ଏ କଥା କହିଛନ୍ତି।
ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଏହି ନିର୍ବାଚନ ପାଇଁ ଆମ ପ୍ରସ୍ତୁତିରେ ତ୍ରୁଟି ଥିଲା। ଏହା ଅକ୍ଷମଣୀୟ। ଆମକୁ ଆହୁରି ଦାୟିତ୍ୱ ନେବାକୁ ପଡ଼ିବ। ଅନ୍ୟପକ୍ଷରେ ଲୋକଙ୍କୁ ସ୍ୱାଧୀନ ଭାବେ ମତ ଦେବାକୁ ସୁଯୋଗ ଦିଆଯାଇ ନଥିଲା। ଏହି ଜନାଦେଶ ପଛରେ ପ୍ରଚୁର ଧନଶକ୍ତିର ବିନିଯୋଗ ହୋଇଥିଲା। ଭୋଟ୍ ପାଇଁ ଟଙ୍କା ବଣ୍ଟା ଯାଉଥିଲା। କିନ୍ତୁ ଏହାକୁ ରୋକିବାରେ ପୁଲିସ୍ ପ୍ରଶାସନ ଅସହାୟତା ପ୍ରକାଶ କରିଥିଲା ଓ ହାତ ଟେକି ଦେଇଥିଲା। କିଛି ବଛା ବଛା ପ୍ରିଜାଇଣ୍ଡିଂ ଅଫିସରଙ୍କୁ ବୁଥ୍ ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରାଯାଇଥିଲା। କିଛି କିଛି ସ୍ଥାନରେ ଭୋଟରଙ୍କ ସଂଖ୍ୟା ଠାରୁ ଅଧିକ ଭୋଟ୍ ପଡ଼ିଥିଲା। କ୍ଷମତାରେ ଥିବା ଦଳ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରିବାର ସବୁ ଚେଷ୍ଟା କରାଯାଇଥିଲା।
ସେ ଆହୁରି କହିଛନ୍ତି, ଭୋଟ୍ ଦେବା ପାଇଁ ଲୋକଙ୍କୁ ଧମକଚମକ ଦିଆଯାଉଥିଲା। ରାସନକାର୍ଡ କାଟି ଦେବାଠୁ ଆରମ୍ଭ କରି ଆବାସ ଯୋଜନା ପର୍ଯ୍ୟନ୍ତ କୌଣସି ସୁବିଧା ଦିଆଯିବନି ବୋଲି କୁହାଯାଉଥିଲା। ଓଡ଼ିଶାରେ ଗଣତନ୍ତ୍ରର ମୃତ୍ୟୁ ହୋଇଯାଉଛି। ଏଭଳି ଏକତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହି ଫଳାଫଳକୁ ନେଇ ଆମେ ଚିନ୍ତିତ ଅଛୁ। କିନ୍ତୁ ହତୋତ୍ସାହିତ ହୋଇନାହୁଁ। ନୂଆ ଉତ୍ସାହ ନେଇ ଆମେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ହେଉଛୁ। ଆମେ ତ୍ରୁଟିର ସଂଶୋଧନ କରି ସଂଗଠିତ ଭାବେ ଆଗେଇବୁ। ପ୍ରତ୍ୟେକ ପରାଜୟ ନୂଆ ସୁଯୋଗ ଦିଏ।
‘ଅସଜଡ଼ା ଘରକୁ କେହି ଚାହାଁନ୍ତିନି’
ଓଟିଭି ଫୋରସାଇଟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସ୍ୱୟଂ କଂଗ୍ରେସ ଦାୟୀ। ଆମେ ଆମ ଘର ସଜାଡ଼ି ପାରିଲୁ ନାହିଁ। ଅସଜଡ଼ା ଘରକୁ କେହି ଚାହାଁନ୍ତିନି। ନିର୍ବାଚନ ଲଢ଼ିବା ପାଇଁ ଆମେ ସମ୍ବଳ ବି ସଂଗ୍ରହ କରିପାରିଲୁନି। ଆମେ ଧରାଶାୟୀ, କିନ୍ତୁ ପାତାଳି ହୋଇନୁ।
ସେ କହିଛନ୍ତି, ଆମେ ଆତ୍ମସମୀକ୍ଷାରେ ତ୍ରୁଟି କରିଛୁ। ତ୍ରୁଟିର ଦଣ୍ଡ ଅଛି। ଆଉ ଦଣ୍ଡ ବି ମିଳିଛି। ଆମକୁ ଆତ୍ମସମୀକ୍ଷା ସହିତ ଆତ୍ମସଂଶୋଧନ କରିବାକୁ ହେବ। ତା’ହେଲେ ଯାଇ ଲୋକେ ଆମକୁ ବିଶ୍ୱାସକୁ ନେବେ।
ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ୨୯୭ଟି ଜିଲ୍ଲା ପରିଷଦ ଆସନ ପାଇଥିଲା। କିନ୍ତୁ ଏଥର ଦଳ ମାତ୍ର ୪୨ଟି ଆସନ ହାତେଇବାକୁ ସକ୍ଷମ ହୋଇଛି। ଅପରପକ୍ଷେ ବିଜେଡି ୭୬୫ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୩୭ଟି ଆସନ। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ମିଶି ୭ଟି ଆସନ ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।