ଚେତାଇବା ପରେ ଚେତିଲେ: ସଞ୍ଜୟ ଓ ମହେଶ୍ୱରଙ୍କୁ ମିଳିଲା ପିପିଲି ଦାୟିତ୍ୱ

ଯଦିଓ ପୂର୍ବରୁ ସମଗ୍ର ପିପିଲି ବ୍ଲକ ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଡେଲାଙ୍ଗ ବ୍ଲକ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଓ ପିପିଲି ଏନଏସି ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ୨୦୦ରୁ ଅଧିକ ନେତାଙ୍କୁ ସମସ୍ତ ୪୬ ପଂଚାୟତ ଓ ୧୬ଟି ୱାର୍ଡ(ଏନଏସି)ରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିଛି। ଏବେ ଦେବୀ,ମହେଶ୍ୱର,ସଞ୍ଜୟ ଓ ପ୍ରତାପଙ୍କୁ ସମଗ୍ର ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଛି। ଭୁବନେଶ୍ୱର(ଓଡ଼ିଶା […]

Sanjay Das Burma & Maheswar Mohanty

Sanjay Das Burma & Maheswar Mohanty

Ordigital Desk
  • Published: Wednesday, 31 March 2021
  • Updated: 31 March 2021, 06:54 PM IST

Sports

Latest News

ଯଦିଓ ପୂର୍ବରୁ ସମଗ୍ର ପିପିଲି ବ୍ଲକ ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଡେଲାଙ୍ଗ ବ୍ଲକ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଓ ପିପିଲି ଏନଏସି ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ୨୦୦ରୁ ଅଧିକ ନେତାଙ୍କୁ ସମସ୍ତ ୪୬ ପଂଚାୟତ ଓ ୧୬ଟି ୱାର୍ଡ(ଏନଏସି)ରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିଛି। ଏବେ ଦେବୀ,ମହେଶ୍ୱର,ସଞ୍ଜୟ ଓ ପ୍ରତାପଙ୍କୁ ସମଗ୍ର ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଛି।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ବିଧାନସଭା ଉପନିର୍ବାଚନ ପରିଚାଳନାରୁ ପୁରୀ ଜିଲ୍ଲାର ଆଗଧାଡ଼ିର ନେତାମାନଙ୍କୁ ଦୂରେଇ ରଖିଥିବା ବିଜେଡିର ଏବେ ଚେତା ପଶିଛି। ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବାର ୪୮ଘଣ୍ଟା ନପୁରୁଣୁ ବିଜେଡି ପୁରୀ ଜିଲ୍ଲାର ୨ଜଣ ପ୍ରଭାବଶାଳୀ ନେତାଙ୍କୁ ପିପିଲି ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ପାଇଁ ନିଷ୍ପତ୍ତି ନେଇଛି। ପିପିଲି ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କରର ସମ୍ଭାବନା ଥିବାବେଳେ ପୁରୀ ଜିଲ୍ଲାର ଆଗଧାଡ଼ିର ନେତାମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ଦୂରେଇ ରଖି କୌଣସି ରିସ୍କ ନେବାକୁ ବିଜେଡି ଚାହିଁନଥିବା ଜଣାପଡ଼ିଛି।

ଆଜି ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ପିପିଲି ଉପନିର୍ବାଚନର ସମଗ୍ର ପରିଚାଳନା କାର୍ଯ୍ୟକୁ ଦଳର ୪ଜଣ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା ଓ ପ୍ରତାପ ଦେବ ତଦାରଖ କରିବେ। ମହେଶ୍ୱର ପୁରୀ ଜିଲ୍ଲା ବିଜେଡି ସଭାପତି ଥିବାବେଳେ ସଞ୍ଜୟଙ୍କର ପିପିଲି ନିର୍ବାଚନମଣ୍ଡଳୀରେ ବେଶ୍ ପ୍ରଭାବ ରହିଛି ।

ପ୍ରତାପ ଦେବଙ୍କୁ ଦଳ ନିର୍ବାଚନ ପ୍ରସ୍ତୁତି ଆରମ୍ଭରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଥିଲା। ତେବେ ପିପିଲି ନିର୍ବାଚନମଣ୍ଡଳୀରେ ତୃଣମୂଳସ୍ତରରେ ବଦଳୁଥିବା ରାଜନୀତିକ ପରିଦୃଶ୍ୟରେ ପୁରୀ ଜିଲ୍ଲାର ଆଗଧାଡ଼ିର ନେତାମାନଙ୍କୁ ଅଣଦେଖା କରିବାକୁ ବିଜେଡି ସାହାସ କରିପାରିଲା ନାହିଁ।

ପିପିଲି ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ପ୍ରତାପ ଦେବ ମଙ୍ଗଳବାର ସନ୍ଧ୍ୟାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଭେଟି ତାଙ୍କ ସହ ନିର୍ବାଚନ ପ୍ରସଙ୍ଗରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିବାବେଳେ ଆଜି ଜିଲ୍ଲାର ୨ ପ୍ରଭାବଶାଳୀ ନେତା ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଛି ।

ଯଦିଓ ପୂର୍ବରୁ ସମଗ୍ର ପିପିଲି ବ୍ଲକ ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଡେଲାଙ୍ଗ ବ୍ଲକ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଓ ପିପିଲି ଏନଏସି ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ସହ ୨୦୦ରୁ ଅଧିକ ନେତାଙ୍କୁ ସମସ୍ତ ୪୬ ପଂଚାୟତ ଓ ୧୬ଟି ୱାର୍ଡ(ଏନଏସି)ରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ଦଳ ନିୟୋଜିତ କରିଛି, ଏବେ ଦେବୀ, ମହେଶ୍ୱର, ସଞ୍ଜୟ ଓ ପ୍ରତାପଙ୍କ ଉପରେ ସମଗ୍ର ନିର୍ବାଚନମଣ୍ଡଳୀର ପରିଚାଳନା ଦାୟିତ୍ୱ ନ୍ୟସ୍ତ ହୋଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଆଗଧାଡ଼ିର ନେତାମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ଦୂରେଇ ରଖିବାକୁ ନେଇ ପିପିଲି ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପଂଚାୟତରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଜିଲ୍ଲା ବାହାରୁ ଯାଇଥିବା ନେତାମାନଙ୍କୁ ପିପିଲିବାସୀ ସହଜରେ ଗ୍ରହଣ କରୁନଥିବାରୁ ବିଜେଡି ବାଧ୍ୟ ହୋଇ ପୁରୀ ଜିଲ୍ଲାର ଆଗଧାଡ଼ିର ଏହି ଦୁଇ ନେତାଙ୍କୁ ଆଣିବାକୁ ବାଧ୍ୟ ହୋଇଛି।

ଯଦିଓ ଦେଢ଼ମାସରୁ ଅଧିକ ସମୟ ଧରି ପିପିଲି ଉପନିର୍ବାଚନ ପାଇଁ ନିଜର ନେତାମାନଙ୍କୁ ପଠାଇ ଗ୍ରାଉଣ୍ଡଜିରୋରେ ବିଜେଡି ପ୍ରସ୍ତୁତି କରୁଥିଲା। କିନ୍ତୁ ସଞ୍ଜୟ ଦାସବର୍ମା ଓ ମହେଶ୍ୱର ମହାନ୍ତିଙ୍କ ଭଳି ନେତାଙ୍କୁ କୋଣଠେସା କରି ରଖିଥିଲା । ସେହିପରି ସମଗ୍ର ପିପିଲି ବ୍ଲକ ଦାୟିତ୍ୱ ସହ ୪ଟି ପଂଚାୟତର ଟିମ ଲିଡର ଦାୟିତ୍ୱ ପ୍ରଭାବଶାଳୀ ତଥା ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଥିବାବେଳେ ସେ ଏହି ନବନିଯୁକ୍ତ ୪ନେତାଙ୍କ ଅଧୀନରେ ରହି କାର୍ଯ୍ୟ କରିବାକୁ ନିଜକୁ ସହଜ ମନେକରିବେ ନାହିଁ।

ପ୍ରତାପ ଦେବଙ୍କ ସହ ତାଙ୍କର ଅହି-ନକୂଳ ସମ୍ପର୍କ ଥିବାବେଳେ ସଞ୍ଜୟ ତାଙ୍କଠୁ ରାଜନୀତିରେ କନିଷ୍ଠ। ଏଭଳି ସ୍ଥିତିରେ ପିପିଲି ବ୍ଲକ ଦାୟିତ୍ୱରେ ଏହି ଦୁଇ ନେତାଙ୍କ ମଧ୍ୟରୁ ଯିଏ ରହିବ ତାଙ୍କ ଅଧୀନରେ କାମ କରିବା ଅତନୁଙ୍କ ପାଇଁ ଅଡ଼ୁଆ ହେବ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡିର ରଣନୀତି କେବଳ ଏହି ନେତାମାନଙ୍କ ଉପରେ ନିର୍ଭର କରିବ ନା କଂଗ୍ରେସରେ ଅସନ୍ତୁଷ୍ଟ ଥିବା କିଛି ନେତାଙ୍କୁ ଆଣି ମିଶାଇବେ ତାକୁ ନେଇ ଚର୍ଚ୍ଚା ଲାଗିଛି।

ତେବେ ବିଜେଡିର ଏଭଳି ଛକାପଞ୍ଝା ରାଜନୀତି ମଧ୍ୟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଗ୍ରାଉଣ୍ଡଜିରୋରେ ନିଜର ଭୋଟହାର ବୃଦ୍ଧି କରିବା ରଣନୀତିକୁ କାର୍ଯ୍ୟ କରୁଥିବାବେଳେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଆଜି ପ୍ରଥମଥର ପାଇଁ ମଇଦାନରେ ପ୍ରଚାର ନିମନ୍ତେ ଓହ୍ଲାଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲିନଥିବାବେଳେ ଅଜିତ୍ ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ଦଳୀୟ ନେତା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ନିରବ ରହଛନ୍ତିି। ସେପଟେ ଡେଲାଙ୍ଗ ବ୍ଲକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କୁ ଦଳରେ ମିଶାଇବା ପାଇଁ ବିଜେଡି ଉଦ୍ୟମ ମଧ୍ୟ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos