ବିଜେଡି ପ୍ରତିଷ୍ଠା ଦିବସ ପାଇଁ ବାଜି ଲାଗିଲା ଲୋକଙ୍କ ଜୀବନ, ୫ଘଣ୍ଟାରେ ବଦଳିଲା ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ସହ ସଂକ୍ରମଣ ବୃଦ୍ଧି ଆଶଙ୍କା ପାଉଥିବାବେଳେ ରାଜ୍ୟ ସରକାର ଶୁକ୍ରବାର ଜାରି କରିଥିବା ଦୁଇଟି ନିର୍ଦ୍ଦେଶନାମାକୁ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଡିସେମ୍ବର ୨୫ରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରତିଷେଧକମୂଳକ ପଦକ୍ଷେପ ନେଇ କଟକଣା ଜାରି କରିଥିବାବେଳେ ଏହାକୁ ମାତ୍ର ୫ଘଣ୍ଟା ପରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। ଶାସକ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଓ […]

BJD Office

Ordigital Desk
  • Published: Saturday, 25 December 2021
  • , Updated: 25 December 2021, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ସହ ସଂକ୍ରମଣ ବୃଦ୍ଧି ଆଶଙ୍କା ପାଉଥିବାବେଳେ ରାଜ୍ୟ ସରକାର ଶୁକ୍ରବାର ଜାରି କରିଥିବା ଦୁଇଟି ନିର୍ଦ୍ଦେଶନାମାକୁ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଡିସେମ୍ବର ୨୫ରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରତିଷେଧକମୂଳକ ପଦକ୍ଷେପ ନେଇ କଟକଣା ଜାରି କରିଥିବାବେଳେ ଏହାକୁ ମାତ୍ର ୫ଘଣ୍ଟା ପରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି।

ଶାସକ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କର ଦଳୀୟ କର୍ମୀମାନଙ୍କୁ ଅଭିଭାଷଣ ନିମନ୍ତେ ସରକାରୀ ନିର୍ଦ୍ଦେଶନାମା ଏଭଳି ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ହେଉଛି। ଆଉ ଓମିକ୍ରନ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା ସତ୍ତ୍ୱେ ବିଜେଡିର ରାଜନୀତିକ କାର୍ଯ୍ୟକ୍ରମ ପାଇଁ ସରକାରୀ କଟକଣାକୁ କୋହଳ କରାଯିବା ପରୋକ୍ଷରେ ସାଧାରଣ ଲୋକଙ୍କ ଜୀବନକୁ ବିପଦକୁ ଠେଲି ଦେଇଛି। ଖ୍ରୀଷ୍ଟମାସ ପାଇଁ ରାଜ୍ୟବ୍ୟାପୀ ଚର୍ଚ୍ଚଗୁଡ଼ିକରେ ମାତ୍ର ୫୦ଜଣ ଲେଖାଁଏ ଶ୍ରଦ୍ଧାଳୁଙ୍କ ସମାଗମ ନିମନ୍ତେ ଅନୁମତି ଦେଇଥିବା ରାଜ୍ୟ ସରକାର ଆସନ୍ତାକାଲି କିଭଳି ବ୍ଲକସ୍ତରରେ ବିଜେଡିର ବିଶାଳ ସମାବେଶକୁ ପ୍ରଶୟ ଦେଉଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୨ଟାରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମାରେ ଓମିକ୍ରନ ସଂକ୍ରମଣ ଏବେ ରାଜ୍ୟରେ ମୁଖ୍ୟ ଚିନ୍ତାର କାରଣ ପାଲଟିଥିବାରୁ ପ୍ରତିଷେଧକମୂଳକ ପଦକ୍ଷେପ ନେଇ ୭ଟି ଦିଗ ଉପରେ କଟକଣା ଜାରି କରାଯାଇଥିଲା । ଏହା ଡିସେମ୍ବର ୨୫ରୁ ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ଥିଲା । ଏଥିରେ ସମସ୍ତ ପ୍ରକାରର ର‌୍ୟାଲି, ଅକ୍ରେଷ୍ଟା, ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ ଏକଜୁଟ ହେବା ଆଦି ଉପରେ କଟକଣା ସହ ଗୋଷ୍ଠୀଗତ ଭୋଜିକୁ ମଧ୍ୟ ବାରଣ କରାଯାଇଥିଲା ।

ଏପରିକି ବିବାହ ସମାରୋହରେ କୌଣସି ପ୍ରକାରର ଭୋଜିଭାତ ନକରିବା, ଜିରୋ ନାଇଟ୍ ସେଲିବ୍ରେସନ, ହୋଟେଲ,କ୍ଲବ ଓ ରେଷ୍ଟୁରାଣ୍ଟ ଆଦିରେ ନୂଆବର୍ଷକୁ ସ୍ୱାଗତ ଉପରେ କଟକଣା ସହ ଖ୍ରୀଷ୍ଟିୟାନଙ୍କ ପର୍ବ ଖ୍ରୀଷ୍ଟମାସ ପାଇଁ ଚର୍ଚ୍ଚରେ ସର୍ବାଧିକ ୫୦ଜଣଙ୍କ ଏକଜୁଟ ହେବା ନେଇ ଅନୁମତି ଦିଆଯାଇଥିଲା । ଏହି ନିୟମ ରାଜ୍ୟବ୍ୟାପୀ ଲାଗୁ କରାଯାଇଥିଲା । କିନ୍ତୁ ଏହି ନିର୍ଦ୍ଦେଶନାମା ଜାରି ହେବାର ମାତ୍ର ୫ଘଣ୍ଟା ନପୁରୁଣୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଆଉ ଏକ ସଂଶୋଧିତ ନିର୍ଦ୍ଦେଶ ଜାରି କରି ଏସବୁ କଟକଣା କେବଳ ଡିସେମ୍ବର ୨୫, ଡିସେମ୍ବର ୩୧ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ବୋଲି ଜଣାଇଥିଲେ ।

ତେବେ ପ୍ରଶ୍ନ ଉଠୁଛି, ଓମିକ୍ରନ ସଂକ୍ରମଣ ଏବେ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ପାଲଟିଥିବାବେଳେ ଓଡ଼ିଶା ସରକାର ଏତେ ବେପରୁୱା ମନୋଭାବ କାହିଁକି ପୋଷଣ କରିଛନ୍ତି । ଅନେକ ରାଜ୍ୟ ଏଦିଗରେ କଠୋର ପଦକ୍ଷେପ ନେଇ ନିଜର ଲୋକଙ୍କୁ ସୁରକ୍ଷିତ ରଖୁଥିବାବେଳେ ଓଡ଼ିଶା ସରକାର ଲୋକଙ୍କ ସ୍ୱାର୍ଥ ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାରେ ସଂଶୋଧନ କଲେ କାହିଁକି? ଏବେ ରାଜ୍ୟବ୍ୟାପୀ ‘ପିକନିକ’ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନ ଓ ପିକନିକ୍ ସ୍ଥଳୀରେ ଲୋକଙ୍କର ନାହିଁ ନଥିବା ଭିଡ଼ ଜମୁଛି । ବିଶେଷକରି ରବିବାର ଓ ବୁଧବାର ଭଳି ଦିନଗୁଡ଼ିକରେ ଲୋକେ ପିକନିକ ଯିବାକୁ ପସନ୍ଦ କରୁଛନ୍ତି ଓ ସେସବୁ ସ୍ଥାନରେ କୋଭିଡ୍ ଗାଇଡଲାଇନ ପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି । ଏହା ଉଭୟ ପ୍ରଶାସନ ଓ ସରକାରଙ୍କ ଜାଣତରେ ହେଉଥିବାବେଳେ ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶନାମା ଶାସକ ବିଜେଡିର ଚାପରେ ପରିବର୍ତ୍ତନ ହୋଇଥିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

ଡିସେମ୍ବର ୨୬ରେ ବିଜେଡି ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଦିନ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ କାର୍ଯ୍ୟାଳୟ ଓ ସହାରାଂଚଳ ମୁଖ୍ୟାଳୟରେ ବିଜେଡି ନିଜର ବିରାଟ ସମାବେଶ କରିବାକୁ ପ୍ରସ୍ତୁତି ସାରିଛି । ପଂଚାୟତ ଓ ପୌର ନିର୍ବାଚନ ଆଗକୁ ଥିବାରୁ ଦଳ ଏସବୁ ସମାବେଶ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରାଇବ । ଆଉ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅପରାହ୍ନ ସାଢ଼େ ୪ଟାରେ ଭର୍ଚୁଆଲ ମୋଡରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ।

ଯେହେତୁ ବିଜେଡି ଏହି ପ୍ରତିଷ୍ଠା ଦିବସ ସମାରୋହକୁ ଧୂମଧାମରେ ବ୍ଲକ ଓ ସହରାଂଚଳସ୍ତରରେ ପାଳିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି ଏବଂ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳକୁ ଶକ୍ତି ପ୍ରଦର୍ଶନ କରିବାର ଏହା ଶେଷ ସୁଯୋଗ, ତେଣୁ ଓମିକ୍ରନ ସଂକ୍ରମଣ ପାଇଁ ଲାଗୁ କଟକଣାକୁ ଶାସକ ବିଜେଡି ସହଜରେ ହଜମ କରିପାରିନି । ଆଉ ଚାପ ପକାଇ ସରକାରୀ ନିର୍ଦ୍ଦେଶରେ ପରିବର୍ତ୍ତନ କରାଇବା ସହ ଖୋଲାଖୋଲି ଭାବେ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଇ ନାହିଁ । ଅନ୍ୟପକ୍ଷରେ ଏସଆରସିଙ୍କ କଟକଣା ଯୋଗୁ ଡିସେମ୍ବର ୨୬ରେ ନିଜର ପ୍ରସ୍ତାବିତ ସଦଭାବନା ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ବାତିଲ ପାଇଁ ନିଷ୍ପତ୍ତି ନେଇଥିଲା, କିନ୍ତୁ ନିର୍ଦ୍ଦେଶରେ ପରିବର୍ତ୍ତନ ପରେ କଂଗ୍ରେସ ମଧ୍ୟ ଏହି କାର୍ଯ୍ୟକ୍ରମ କରିବ ବୋଲି କହିଛି ।

କରୋନା ମହାମାରୀବେଳେ ଶାସକ ବିଜେଡି ନିଜର ରାଜନୀତିକ ଫାଇଦା ପାଇଁ ଚାପ ପକାଇ ପ୍ରତିଷ୍ଠା ଦିବସ ସମାରୋହ ପାଳି ଲୋକଙ୍କ ଜୀବନ ସହ ଖେଳିବାକୁ ଯେଉଁ ଉଦ୍ୟମ କରିଛି ତାହା ଆଗାମୀ ଦିନରେ ଦଳକୁ ବେଶ୍ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ।

Related story