କାହାକୁ ଭୟ କରୁଛି ବିଜେଡି: ଘୋଷଣା କରିପାରୁନି ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ଯେତିକି ବିଳମ୍ବ ହେଉଛି ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସେତେ ଅଧିକ ହେବାରେ ଲାଗିଛି । ବିଧାନସଭାର ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେଡି ପ୍ରାର୍ଥୀ ସମସ୍ତ ୪ଟି ଆସନରେ ଜିତିବା ନିଶ୍ଚିତ ଥିବାବେଳେ ୩ଟି ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୩ ଦିନ ରହିଛି । ଅନ୍ୟ ଗୋଟିଏ ରାଜ୍ୟସଭା ଆସନ ପାଇଁ ଜୁନ୍ ୩ ତାରିଖ ବି ଶେଷ ଦିନ ଅଛି । ବିଜେଡି ପାଖରେ ସମସ୍ତ ଆସନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ବଳ ଥାଇ ମଧ୍ୟ ଦଳ କାହା ଭୟରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ତାରିଖ ଗଡ଼ାଇବାରେ ଲାଗିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ସମସ୍ତ ୪ଟି ଆସନ ପାଇଁ ବିଜେଡି ମୋଟ ୧୬ଟି ସେଟ୍ ପ୍ରାର୍ଥୀ ପତ୍ର ନେଇଛି । ଏହି ୪ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ଦଳର ବିଧାୟକମାନେ କିଛି ଜାଣିନଥିଲେ ମଧ୍ୟ ସେମାନଙ୍କର ପ୍ରସ୍ତାବକ ଓ ସମର୍ଥକ ଭାବେ ସେହି ନାମାଙ୍କନ ସେଟରେ ଦସ୍ତଖତ କରିସାରିଲେଣି । ଏପରିକି ସମସ୍ତ ୪ଜଣ ପ୍ରାର୍ଥୀ ମେ’ ୩୧ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ କାର୍ଯ୍ୟକ୍ରମ ବି ଚୂଡ଼ାନ୍ତ ହୋଇସାରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭାର ୩ଟି ଆସନରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୩ଦିନ ବାକି ଥିବାବେଳେ ସେଥିରୁ ରବିବାର ଛୁଟିଦିନ ଅଛି । କେବଳ ସୋମବାର ଗୋଟିଏ ଦିନ ହାତରେ ଥିବାବେଳେ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନିଜର ଦସ୍ତାବିଜ ପ୍ରସ୍ତୁତ ନିମନ୍ତେ ମଧ୍ୟ ସମୟ କମ୍ ରହିଛି । ଏହା ସତ୍ତ୍ୱେ ଦଳ ରାଜ୍ୟସଭା ପାଇଁ କାହାକୁ ପ୍ରାର୍ଥୀ କରିବ ସେ ନେଇ ନିଜର କାର୍ଡ ଖୋଲୁନାହିଁ ଓ ଦିନ ଗଡ଼ାଉଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ବିଜେଡି ମହଲରେ ମଧ୍ୟ ଏହି ଦିନ ଗଡ଼ାଇବା ପଛର ରହସ୍ୟକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି ।

ବିଜେଡି ସୂତ୍ର ଅନୁସାରେ, ଆସନ୍ତାକାଲି ଅର୍ଥାତ ମେ’ ୨୯ତାରିଖ ସନ୍ଧ୍ୟାରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେଉଛି । ରାଜ୍ୟସଭା ପାଇଁ ଆଶାୟୀ ଥିବା ପ୍ରାୟ ଏକ ଡଜନରୁ ଅଧିକ ନେତା ସେଠାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଛନ୍ତି । ଏହା ପୂର୍ବରୁ ଯଦି ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା ହୁଏ ତା’ର ପ୍ରଭାବ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର ଓ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟସଭା ଆଶାୟୀ ନେତାମାନଙ୍କୁ ନିରାଶ କରିବାର ଆଶଙ୍କା ରହିଛି । ଆଉ ବ୍ରଜରାଜନଗର ଉପନିର୍ବାଚନରେ ବି ସିଧାସଳଖ ତା’ର ପ୍ରତିକୂଳ ପ୍ରଭାବ ଅନୁଭୂତ ହେବ । ତେଣୁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଏହି ଦୃଷ୍ଟିରୁ ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରର ଶେଷଦିନକୁ ଅପେକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି ।

ସେହିପରି ଆସନ୍ତାକାଲି ମେ’୨୯ ତାରିଖରେ ବିଜେଡି ସରକାରର ପଂଚମ ପାଳିର ୩ବର୍ଷ ପୂର୍ତ୍ତି ହେଉଛି । ବ୍ରଜରାଜନଗରରେ ନିର୍ବାଚନ ଦାୟିତ୍ୱରେ ୮ରୁ ୧୦ଜଣ ମନ୍ତ୍ରୀ ଥିବାରୁ ଚଳିତଥର ବିଜେଡି ସରକାରର ବର୍ଷପୂର୍ତ୍ତି ପାଇଁ ବିଶେଷ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇପାରିନି । ସରକାରର ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଦଳ ନିଜର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ବୋଲି ଜଣାପଡ଼ିଛି ।

ତେବେ ପ୍ରଶ୍ନ ଉଠୁଛି, ଦୁଇଟି ପର୍ଯ୍ୟାୟରେ ହେଉଥିବା ଏହି ୪ଟି ଆସନ ପାଇଁ ନିର୍ବାଚନ ନିମନ୍ତେ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ଥିଲେ ମଧ୍ୟ ଦଳ କାହାକୁ ଏତେ ଭୟ କରୁଛି ? କାହିଁକି ନିଜର ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିପାରୁନି? ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପୂର୍ବରୁ କାହିଁକି ଦଳର ବରିଷ୍ଠ ନେତାମାନଙ୍କ ମତାମତ ଲୋଡ଼ୁନି ? ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲୁଥିବା ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡିରେ କାହିଁକି ଏଭଳି ଏକଛତ୍ରବାଦ ନିଷ୍ପତ୍ତି ନିଆଯାଉଛି? ଦଳ ପାଖରେ ପ୍ରାର୍ଥୀ ଜିତିବା ନେଇ ସ୍ପଷ୍ଟ ସଂଖ୍ୟା ଥିଲେ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନିଜର ଦସ୍ତାବିଜ ପ୍ରସ୍ତୁତ ପାଇଁ ବି ସମୟ ନମିଳିବା ଓ ଦଳର ବରିଷ୍ଠ ନେତାମାନେ ଏହି ପ୍ରାର୍ôଥତ୍ୱ ସମ୍ପର୍କରେ କିଛି ମଧ୍ୟ ଆଭାସ ନପାଇବା ବିଜେଡିରେ ବଢ଼ୁଥିବା ଏକଛତ୍ରବାଦ ନୀତିକୁ ପଦାରେ ପକାଇଛି ବୋଲି ସାଧାରଣରେ ଚର୍ଚ୍ଚା ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।