ଓଏଏସ ଅଫିସରମାନଙ୍କୁ ହେୟଜ୍ଞାନ: ସାଂସଦଙ୍କ ଅଜ୍ଞତା ନା ଲୋକଦେଖାଣିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନଙ୍କର କାର୍ଯ୍ୟ ଓ ପ୍ରଦର୍ଶନରେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଖୁସି ନାହାନ୍ତି। ଯେଉଁଥିପାଇଁ ସେ ଘରୋଇ କ୍ଷେତ୍ରର ବ୍ୟକ୍ତିମାନଙ୍କୁ ‘ଓଡ଼ିଶା ପ୍ରଶାସନିକ ଫେଲୋସିପ୍ କାର୍ଯ୍ୟକ୍ରମ’ରେ ନିଯୁକ୍ତି ଦେଲେ ବର୍ତ୍ତମାନର ଓଏଏସ୍ ଅଫିସରମାନଙ୍କୁ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବା ନିମନ୍ତେ ଏକ ସନ୍ଦେଶ ଯିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ତେବେ ଓଡ଼ିଶାରେ ପ୍ରଶାସନିକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ‘ୟଙ୍ଗ ପ୍ରଫେସନାଲ’ […]

amar-patnaik

amar-patnaik

Ordigital Desk
  • Published: Friday, 07 January 2022
  • Updated: 07 January 2022, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନଙ୍କର କାର୍ଯ୍ୟ ଓ ପ୍ରଦର୍ଶନରେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଖୁସି ନାହାନ୍ତି। ଯେଉଁଥିପାଇଁ ସେ ଘରୋଇ କ୍ଷେତ୍ରର ବ୍ୟକ୍ତିମାନଙ୍କୁ ‘ଓଡ଼ିଶା ପ୍ରଶାସନିକ ଫେଲୋସିପ୍ କାର୍ଯ୍ୟକ୍ରମ’ରେ ନିଯୁକ୍ତି ଦେଲେ ବର୍ତ୍ତମାନର ଓଏଏସ୍ ଅଫିସରମାନଙ୍କୁ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବା ନିମନ୍ତେ ଏକ ସନ୍ଦେଶ ଯିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ତେବେ ଓଡ଼ିଶାରେ ପ୍ରଶାସନିକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ‘ୟଙ୍ଗ ପ୍ରଫେସନାଲ’ ଓ ‘ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌’ ଆଦି ନାଁରେ ଘରୋଇ କ୍ଷେତ୍ରର ଦକ୍ଷ ବ୍ୟକ୍ତିମାନଙ୍କୁ ଉଚ୍ଚ ଦରମାରେ ନିଯୁକ୍ତି ଦିଆଯାଉଥିବାବେଳେ ସାଂସଦ ଶ୍ରୀ ପଟ୍ଟନାୟକ ନିଜ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖି ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

ମିଳିଥିବା ସୂଚନା ଅନୁସାରେ, ସାଂସଦ ଶ୍ରୀ ପଟ୍ଟନାୟକ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ଚିଠି ଅପଲୋଡ୍ କରିଛନ୍ତି । ଯାହାକୁ ସେ ଜାନୁୟାରୀ ୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି । ଘରୋଇ କ୍ଷେତ୍ର ନିମନ୍ତେ ସରକାରୀ ଚାକିରିରେ ଲାଟେରାଲ ଏଂଟ୍ରି ଦେବାକୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଗତ ୩ବର୍ଷ ଧରି ଘରୋଇ କ୍ଷେତ୍ରର ଏଭଳି ଦକ୍ଷ ବ୍ୟକ୍ତିମାନଙ୍କୁ ସିଧାସଳଖ ବିଭିନ୍ନ ସ୍ତରରେ ନିଯୁକ୍ତି ଦେଇ ପ୍ରଶାସନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ଦକ୍ଷ କରୁଛନ୍ତି । ସେମାନଙ୍କର ଯୋଗଦାନକୁ ମଧ୍ୟ ସରକାରଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି । ତେଣୁ ଓଡ଼ିଶା ସରକାର ଏଭଳି ଅନୁରୂପ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରୁଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ଘରୋଇ କ୍ଷେତ୍ରରୁ ବ୍ୟକ୍ତିମାନଙ୍କୁ ଆଣି ସ୍ପେଶାଲ ସେକ୍ରେଟାରୀ ଓ ତା’ଠୁ ତଳ ପାହ୍ୟାରେ ନିଯୁକ୍ତି ଦେବା, ଏପରିକି ଜିଲ୍ଲାସ୍ତରରେ ମଧ୍ୟ ସମାନ ଉଦ୍ଦେଶ୍ୟରେ ନିଯୁକ୍ତି ଦେବା ସପକ୍ଷରେ ଶ୍ରୀ ପଟ୍ଟନାୟକ ଯୁକ୍ତି ବାଢ଼ି କହିଛନ୍ତି ଯେ, ଓଡ଼ିଶା ସରକାର ଏବେ ଯେଉଁ କନସଲଟାଣ୍ଟ ନିଯୁକ୍ତି ଦେଉଛନ୍ତି ତାହା କିଛି ପରିମାଣରେ ଉଦ୍ଦେଶ୍ୟକୁ ପୂରଣ କରୁଛି କିନ୍ତୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ମାଧ୍ୟମରେ ନିୟମିତ ନିଯୁକ୍ତି ଦେବାର ବ୍ୟବସ୍ଥା ରହିବା ଉଚିତ୍ । ଯାହାଫଳରେ ଜଣେ ଅତିକମରେ ୩ରୁ ୫ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇ ପାରିବ ଓ ରାଜ୍ୟ ସରକାର ଦକ୍ଷ ମେଧାବୀଙ୍କୁ ଆକୃଷ୍ଟ କରିପାରିବେ ।

ଶ୍ରୀ ପଟ୍ଟନାୟକ ଚିଠି ଲେଖି ଏହି ପ୍ରସ୍ତାବ ଦେବା ସହ ପାଦେ ଆଗକୁ ଯାଇ ଏକ ସଂସ୍ଥା ସହ ଏ ସମ୍ପର୍କରେ କଥାବାର୍ତ୍ତା କରିଥିବା ଜଣାଇଛନ୍ତି । କର୍ଣ୍ଣାଟକ ସରକାର ସମ୍ପୃକ୍ତ ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇ ଗତ ୧୮ମାସ ମଧ୍ୟରେ ୧୧ଜଣ ଘରୋଇ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିବା ସେ କହିଛନ୍ତି । ତେଣୁ ଏ ପ୍ରସ୍ତାବର ଅନୁଧ୍ୟାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶା ସରକାର ୨୦୧୬-୧୭ ମସିହାରୁ ଘରୋଇ କ୍ଷେତ୍ରର ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଉଥିବାବେଳେ ସାଂସଦ ଶ୍ରୀ ପଟ୍ଟନାୟକ ଏବେ ଏଭଳି ଚିଠି ଲେଖି କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । ଓଡ଼ିଶା ପ୍ରଶାସନିକ ଅଫିସରମାନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ନିଜର ବିଜ୍ଞତାର ପରିଚୟ ଦେଇଛନ୍ତି ନା ନିଜ ସରକାରର ଅପାରଗତାକୁ ପଦାରେ ପକାଉଛନ୍ତି । ନିଜ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ସାର୍ବଜନୀନ କରି ଶ୍ରୀ ପଟ୍ଟନାୟକ ‘କହିପେ ନିଗାହେଁ କହିପେ ନିଶାନା’ ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି ତ? ୨୦୧୬-୧୭ ମସିହାରୁ ରାଜ୍ୟରେ ‘ୟଙ୍ଗ ପ୍ରଫେସନାଲ’ କାର୍ଯ୍ୟକ୍ରମ ନାଁରେ ଘରୋଇ କ୍ଷେତ୍ରର ବହୁ ଯୁବକଯୁବତୀଙ୍କୁ ନିଯୁକ୍ତି ଦେଉଛନ୍ତି । ‘ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ’ ନାଁରେ ପ୍ରତିଭାବାନ ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଉଛି । ‘ମେସର୍ସ ଏର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ୍ ଏଲଏଲପି’ ଏଭଳି ମାନବ ସମ୍ବଳ ଯୋଗାଇବାକୁ ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଛି ।

ଯଦି ଏଭଳି ସଂସ୍ଥା ସହ ପୂର୍ବରୁ ଚୁକ୍ତିବଦ୍ଧ ଓଡ଼ିଶା ସରକାର ହୋଇସାରିଛନ୍ତି, ଏବେ ବାଙ୍ଗାଲୁରୁସ୍ଥିତ ଘରୋଇ ସଂସ୍ଥା ସହ ଓଡ଼ିଶା ପାଇଁ କାର୍ଯ୍ୟ କରିବା ନିମନ୍ତେ କଥା ହେବାକୁ କିଏ ଅଧିକୃତ କରିଥିଲା, ସାଂସଦଙ୍କର ଏହାପଛରେ କ’ଣ ସ୍ୱାର୍ଥ ରହିଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos