ରାଜଧାନୀରେ ମାଳମାଳ ‘ନୂଆଁଖାଇ ହୋର୍ଡିଂ’, ପାୱାର ଶୋ’ କଲେ ଶ୍ରୀମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଭେଟଘାଟର ମାଳମାଳ ହୋର୍ଡିଂ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି। ରାଜ୍ୟ ସରକାର ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ପର୍ବ ପାଳନ ନିମନ୍ତେ ଏହି ହୋର୍ଡିଂ ଲଗାଯାଇଥିବାବେଳେ ଏହା ଏବେ ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ  ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ର ଏଭଳି ଜୋରସୋର ପ୍ରଚାର ଓ ମାଳମାଳ ହୋର୍ଡିଂ ଲଗାଯିବାର ପ୍ରଚ୍ଛଦପଟ୍ଟରେ ଓଟିଡିସି ଅଧ୍ୟକ୍ଷା […]

590

Ordigital Desk
  • Published: Tuesday, 07 September 2021
  • , Updated: 07 September 2021, 11:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଭେଟଘାଟର ମାଳମାଳ ହୋର୍ଡିଂ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଛି। ରାଜ୍ୟ ସରକାର ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ପର୍ବ ପାଳନ ନିମନ୍ତେ ଏହି ହୋର୍ଡିଂ ଲଗାଯାଇଥିବାବେଳେ ଏହା ଏବେ ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ  ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ର ଏଭଳି ଜୋରସୋର ପ୍ରଚାର ଓ ମାଳମାଳ ହୋର୍ଡିଂ ଲଗାଯିବାର ପ୍ରଚ୍ଛଦପଟ୍ଟରେ ଓଟିଡିସି ଅଧ୍ୟକ୍ଷା ତଥା ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କ ପ୍ରମୁଖ ଭୂମିକା ଥିବା ଜୋରଦାର ଚର୍ଚ୍ଚା ହେଉଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ପଶ୍ଚିମଓଡ଼ିଶାବାସୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଜେଡି ପକ୍ଷରୁ ସୁଚିନ୍ତିତ ଢଙ୍ଗରେ ଏଭଳି ମାଳମାଳ ହୋର୍ଡିଂ ଭୁବନେଶ୍ୱରରେ ଲଗାଯାଇଛି ଏବଂ ଶ୍ରୀମୟୀଙ୍କୁ ପଶ୍ଚିମଓଡ଼ିଶାରେ ଦଳର ଚେହେରା ଭାବେ ଉପସ୍ଥାପନ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୧ତାରିଖରେ ପଶ୍ଚିମଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ନିମନ୍ତେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ପକ୍ଷରୁ ‘ନୂଆଁଖାଇ ଭେଟଘାଟ’ର  ବିରାଟ ହୋର୍ଡିଂମାନ ରାଜଧାନୀ ଭୁବନେଶ୍ୱରରେ ଲାଗିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ପଶ୍ଚିମଓଡ଼ିଶାବାସୀଙ୍କ ପ୍ରତି ରାଜ୍ୟ ସରକାର ପାତରଅନ୍ତର କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ମାତ୍ ଦେବା ନିମନ୍ତେ ବିଜେଡି ସରକାରରେ ପ୍ରଥମଥର ପାଇଁ ଏଭଳି ହୋର୍ଡିଂ ମାନ ରାଜଧାନୀରେ ଲାଗିଛି। ଆଉ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣି ଦଳ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରିଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ପୂର୍ବରୁ ପଶ୍ଚିମଓଡ଼ିଶାର ବିଜେଡି ରାଜନୀତି ଏୟୁ ସିଂହଦେଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବରିଷ୍ଠ ନେତାଙ୍କ ଇସାରାରେ ଗତି କରୁଥିବାବେଳେ ଏବେ ସେମାନେ ପ୍ରଭାବହୀନ ହୋଇପଡ଼ିଛନ୍ତି । ପଶ୍ଚିମଓଡ଼ିଶାରେ ଦଳର ଚେହେରା ପାଲଟିଥିବା ବିବାଦୀୟ ନେତାମାନଙ୍କ ଭରସାରେ ରହିବାର ପରିଣାମ ବିଜେଡିକୁ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମିଳିସାରିଥିବାରୁ ବିଜେଡି ନେତୃତ୍ୱ ଏବେ ସେଠାରେ ନୂଆ ଚେହେରା ସନ୍ଧାନରେ ରହିଛନ୍ତି । ପଶ୍ଚିମଓଡ଼ିଶାରେ ଆଶାନୁରୂପ ନିର୍ବାଚନୀ ଫଳାଫଳ ପାଇଁ ବିଜେଡି ଏବେ ଶ୍ରୀମୟୀଙ୍କୁ ଆଗକୁ ଆଣିଥିବା ଚର୍ଚ୍ଚା ହେଉଛି।

ଗତ ସପ୍ତାହରେ ପଶ୍ଚମଓଡ଼ିଶାର ଦୁଇ ପ୍ରମୁଖ ସ୍ଥାନ ହରିଶଙ୍କର ଓ ନୃସିଂହନାଥ ପୀଠର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳିଥିଲା । ସେହି ବୈଠକରେ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ମୁଖ୍ୟସଚିବ,ଉନ୍ନୟନ କମିଶନର ଓ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିବାବେଳେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ କିମ୍ବା ପଶ୍ଚିମଓଡ଼ିଶାର କୌଣସି ବିଜେଡି ବିଧାୟକ(ଏହି ଦୁଇ ସ୍ଥାନରେ ଥିବା ବିଜେଡି ବିଧାୟକ)ଙ୍କୁ ବୈଠକରେ ଦେଖିବାକୁ ମିଳିନଥିଲା । ଏହାର ଦୁଇଦିନ ନପୁରୁଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଟିଡିସି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଡ଼ିଆ ବ୍ୟଞ୍ଜନର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’କୁ ଉଦଘାଟନ କରିଥିଲେ। ସେହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଥିଲେ ମଧ୍ୟ ଶ୍ରୀମୟୀଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡରେ ସାମିଲ ହେଉଥିବାବେଳେ ଶ୍ରୀମୟୀଙ୍କ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ମଧ୍ୟ ପାୱାର କରିଡରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ଆସନ୍ତା ସପ୍ତାହରେ ପଶ୍ଚିମଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଯାହାକି ଶ୍ରୀମୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ପଶ୍ଚିମଓଡ଼ିଶାର କଳାକାରମାନଙ୍କୁ ଭୁବନେଶ୍ୱର ଆଣି ସେମାନଙ୍କୁ ମଂଚ ପ୍ରଦାନ କରି ଭର୍ଚୁଆଲ ମୋଡରେ ‘ନୂଆଁଖାଇ ଭେଟଘାଟ’ ପାଳନ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟ ଶ୍ରୀମୟୀଙ୍କ ନେତୃତ୍ୱରେ ହୋଇଥିବା ସୂଚନା ମିଳିଛି।

ଏସବୁ ବ୍ୟତୀତ, ପଶ୍ଚିମଓଡ଼ିଶାରେ ଥିବା ଦଳର ଅଧିକାଂଶ ନେତା ବିବାଦୀୟ ହୋଇଥିବାବେଳେ ନିଜ ନିଜର ଏଜେଣ୍ଡାରେ କାମ କରୁଥିବାରୁ ପଶ୍ଚିମଓଡ଼ିଶାର କୌଣସି ପ୍ରମୁଖ ପ୍ରସଙ୍ଗ ଆସିଲେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମୟୀଙ୍କୁ ଆଗକୁ ଆଣି ବିଜେଡି ନେତୃତ୍ୱ ତାଙ୍କୁ  ପଶ୍ଚିମଓଡ଼ିଶାର ଚେହେରା ଭାବେ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହେଉଛି । ବିଜେଡିର କ୍ଷମତାକେନ୍ଦ୍ରଙ୍କ ଗୁଡବୁକରେ ଥିବା ଶ୍ରୀମୟୀ ଜଣେ ଉଚ୍ଚଶିକ୍ଷିତା ଓ ଏପର୍ଯ୍ୟନ୍ତ ବିବାଦୀୟ ହୋଇନଥିବାରୁ ତାଙ୍କୁ ଆଗକୁ ଆଣି ପଶ୍ଚିମଓଡ଼ିଶାରେ ଉଭୟ ମହିଳା ଓ ଯୁବ ବର୍ଗଙ୍କ ଅଧିକ ଆସ୍ଥାଭାଜନ ହେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଭୁବନେଶ୍ୱରରେ ମେୟର ପଦବୀ ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଲାଗି ରହିଥିବାରୁ ଶ୍ରୀମୟୀଙ୍କୁ ଏହି ପଦବୀ ପାଇଁ ଦଳ ମଧ୍ୟ ଆଗକୁ ଆଣିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ ବୋଲି ସୂଚନା ମିଳିଛି ।

Related story