ବର୍ଷକରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୧୬୨୩୫ଟଙ୍କା ବଢ଼ିଛି, ଦାରିଦ୍ର୍ୟ ହାର ଏବେବି ଚିନ୍ତାଜନକ

ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ହାରାହାରି ୪.୬୪କୋଟି ଆକଳନ କରାଯାଇଛି । ଯାହାକି ଗତ ୨୦୨୨-୨୩ ମସିହା ତୁଳନାରେ ପ୍ରାୟ ୨୦ଲକ୍ଷ ଅଧିକ।

Representation image

  • Published: Wednesday, 24 July 2024
  • , Updated: 24 July 2024, 10:51 PM IST

ଓଡ଼ିଶାର ଲୋକଙ୍କ ମୁଣ୍ଡପିଛା ଆୟ ବର୍ଷକରେ ୧୬୨୩୫ଟଙ୍କା ବୃଦ୍ଧି ପାଇଛି । ସେହିପରି ମୁଣ୍ଡପିଛା ବ୍ୟୟ ଗ୍ରାମାଂଚଳରେ ମାସିକ ୨୯୫୦ଟଙ୍କା ଓ ସହରାଂଚଳରେ ୫୧୮୭ଟଙ୍କା ରହିଛି । କେବଳ ସେତିକି ନୁହେଁ ରାଜ୍ୟର ଲୋକଙ୍କ ହାରାହାରି ଆୟୁଷ(ଜୀବନକାଳ) ବିଗତ ୧୬ବର୍ଷ ମଧ୍ୟରେ ପ୍ରାୟ ୧୦ବର୍ଷ ବୃଦ୍ଧି ପାଇଛି । ରାଜ୍ୟର ଅର୍ଥନୀତିର ଆକାରରେ ଆଖିଦୃଶିଆ ବୃଦ୍ଧି ହୋଇଛି । ରାଜ୍ୟର ଅର୍ଥନୀତିର ବାର୍ଷିକ ଅଭିବୃଦ୍ଧି ହାର ୨୦୨୨-୨୩ରେ ୭.୯%ରୁ ଲମ୍ବା ଡ଼ିଆଁ ମାରି ୨୦୨୩-୨୪ ଆର୍ଥିକ ବର୍ଷରେ ୮.୫% ରହିବ ବୋଲି ଅଗ୍ରୀମ ଆକଳନ ହୋଇଛି । ଆଜି ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଅର୍ଥନୀତିକ ସର୍ଭେ ୨୦୨୩-୨୪ ରିପୋର୍ଟରୁ ଏହା ଜଣାପଡ଼ିଛି ।

ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ହାରାହାରି ୪.୬୪କୋଟି ଆକଳନ କରାଯାଇଛି । ଯାହାକି ଗତ ୨୦୨୨-୨୩ ମସିହା ତୁଳନାରେ ପ୍ରାୟ ୨୦ଲକ୍ଷ ଅଧିକ । ରାଜ୍ୟବାସୀଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୨୦୨୨-୨୩ରେ ୧ଲକ୍ଷ ୪୫ ୨୦୨ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୪୩୭ରେ ପହଂଚିଛି । ଅର୍ଥାତ୍ ବର୍ଷକରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟରେ ୧୬ହଜାର ୨୩୫ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରାଜ୍ୟର ଗ୍ରାମାଂଚଳରେ ହାରାହାରି ମାସିକ ମୁଣ୍ଡପିଛା ବ୍ୟୟ ୨୯୫୦ଟଙ୍କା ଓ ସହରାଂଚଳରେ ୫୧୮୭ଟଙ୍କା ରହିଛି । ଯାହାକି ଜାତୀୟ ହାର ତୁଳନାରେ ବେଶ୍ ପଛରେ ରହିଛି । ଜାତୀୟସ୍ତରରେ ଗ୍ରାମାଂଚଳରେ ହାରାହାରି ମାସିକ ମୁଣ୍ଡପିଛା ବ୍ୟୟ ୩୭୭୩ଟଙ୍କା ଓ ସହରାଂଚଳୋର ୬୪୫୯ଟଙ୍କା ରହିଛି ।

ସେହିପରି ରାଜ୍ୟର ଅର୍ଥନୀତି ୨୦୨୩-୨୪ ବର୍ଷରେ ୮.୫% ହାରରେ ଅଭିବୃଦ୍ଧି କରିବ ବୋଲି ଅଗ୍ରୀମ ଆକଳନ ହୋଇଛି । ୨୦୨୧-୨୨ରେ ରାଜ୍ୟର ଅର୍ଥନୀତି ୧୦.୬% ଓ ୨୦୨୨-୨୩ରେ ୭.୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା ।

ରାଜ୍ୟର ଆର୍ଥିକ ଅଭିବୃଦ୍ଧିର ଗୋଲାପୀ ଚିତ୍ର ସରକାର ଦେଉଥିଲେ ମଧ୍ୟ ଏବେବି ୧୫.୬୮ପ୍ରତିଶତ ଲୋକ ଦାରିଦ୍ର‌୍ୟ ସ୍ଥିତିରେ ରହିଛନ୍ତି । ୨୦୧୫-୧୬ରେ ଏହି ଦାରିଦ୍ର‌୍ୟ ହାର ୨୯.୩୪% ଥିବାବେଳେ ୨୦୧୯-୨୦ରେ ଏହା ୧୫.୬୮%କୁ ହ୍ରାସ ପାଇଥିଲଶ । ପ୍ରାୟ ୬୨.୬ଲକ୍ଷ ଲୋକ ଦାରିଦ୍ର‌୍ୟ କବଳରୁ ମୁକ୍ତି ପାଇଥିଲେ । କିନ୍ତୁ ଜାତୀୟସ୍ତରରେ ଦାରିଦ୍ର‌୍ୟ ହାର  ହାରାହାରି ୧୪.୯୬ ପ୍ରତିଶତ ରହିଛି । ଯାହାକି ଓଡ଼ିଶା ତୁଳନାରେ କମ୍ ।

ରାଜ୍ୟରେ ୪୦.୭ପ୍ରତିଶତ ଲୋକ ପକ୍କାଘର ବା ବାସଗୃହରୁ ବଂଚିତ ଥିବାବେଳେ ୩୯.୮ ପ୍ରତିଶତ ପରିମଳରୁ, ୧୩.୫% ପାନୀୟ ଜଳରୁ ବଂଚିତ ଅଛନ୍ତି ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏବେ ଓଡ଼ିଶାର ୫୯ପ୍ରତିଶତ ପରିବାର ପାଖରେ ପକ୍କାଘର ରହିଥିବା ଏନଏଫଏସଏଚ୍ ରିପୋର୍ଟରେ ଉଲ୍ଲେଖ ଅଛି ବୋଲି ଅର୍ଥନୀତିକ ସର୍ଭେରେ ଦର୍ଶାଯାଇଛି ।

ରାଜ୍ୟ ସରକାରଙ୍କ ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହୁଥିଲେ ମଧ୍ୟ ଆର୍ଥିକ ପ୍ରଦର୍ଶନ ଉତ୍ସାହଜନକ ରହିନାହିଁ । ରାଜ୍ୟର ବଜେଟ୍ ଆକାର କ୍ରମାଗତ ବଡ଼ ହୋଇଥିବାବେଳେ ତଦନୁସାରେ ରାଜ୍ୟର ଆର୍ଥିକ ପ୍ରଦର୍ଶନ ହୋଇନଥିବା ଜଣାପଡ଼ିଛି । ୨୦୨୨-୨୩ରେ ମୋଟ ରାଜସ୍ୱ ୧ଲକ୍ଷ ୬୪ହଜାର ୧୬୬କୋଟି ଟଙ୍କା ଥିବାବେଳେ ଖର୍ଚ୍ଚ ୧ଲକ୍ଷ ୮୫ହଜାର ୯୯୯କୋଟି ଟଙ୍କା ଥିଲା । ଯାହାକି ରାଜସ୍ୱ ତୁଳନାରେ ୨୧୮୩୩କୋଟି ଟଙ୍କା ଅଧିକ ବ୍ୟୟକୁ ଦର୍ଶାଉଛି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ରାଜସ୍ୱ ୧ଲକ୍ଷ ୮୫ହଜାର ୩୭୦କୋଟି ଟଙ୍କା ଥିବାବେଳେ ବ୍ୟୟ ୨ଲକ୍ଷ ୧୧ହଜାର ୨୧୪କୋଟି ଟଙ୍କା ରହିଛି । ରାଜସ୍ୱ ତୁଳନାରେ ବ୍ୟୟ ୨୫୮୪୪କୋଟି ଟଙ୍କା ଅଧିକ ରହିଛି ।
ସେହିପରି ରାଜ୍ୟବାସୀଙ୍କ ଆୟୁଷ ପରିମାଣ ବୃଦ୍ଧି ପାଇଛି । ଏସଆରଏସ୍ ତଥ୍ୟ ଅନୁସାରେ ଓଡ଼ିଶାରେ ଜନ୍ମ ସମୟରେ ଆୟୁଷ ୨୦୦୦-୦୪ରେ ୬୦.୪ବର୍ଷ ଥିବାବେଳେ ୨୦୧୬-୨୦ରେ ଏହା ୭୦.୩ ବର୍ଷକୁ ବୃଦ୍ଧି ପାଇଛି । ଅବଶ୍ୟ ଆୟୁଷ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶର ୧୭ଟି ପ୍ରମୁଖ ରାଜ୍ୟ ତାଲିକାର ଅଷ୍ଟମରେ ରହିଛି ବୋଲି ଏହି ରିପୋର୍ଟ କହିଛି ।

Related story