୩୦ଦିନ ବସିଥାନ୍ତା, ମାତ୍ର ୪ଦିନରେ ବନ୍ଦ କରିଦେଲେ ବିଧାନସଭା

ମାତ୍ର ୪ଟି କାର୍ଯ୍ୟଦିବସରେ ଗୃହକୁ ବନ୍ଦ କରିଦେଲେ ସରକାର । ଚଳିତ କ୍ୟାଲେଣ୍ଡର ବର୍ଷରେ ୩ଟି ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ମୋଟ ୩୪ଦିନ ବସିଛି ।

ବିଧାନସଭା

  • Published: Friday, 24 November 2023
  • , Updated: 24 November 2023, 06:56 PM IST

୨୬ଟି କାର୍ଯ୍ୟଦିବସ ଥାଇ ଆଜି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ନଭେମ୍ବର ୨୧ରୁ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବିଧାନସଭାର ଶୀତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଥିଲା । ମାତ୍ର ୪ଟି କାର୍ଯ୍ୟଦିବସରେ ଗୃହକୁ ବନ୍ଦ କରିଦେଲେ ସରକାର । ଚଳିତ କ୍ୟାଲେଣ୍ଡର ବର୍ଷରେ ୩ଟି ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ମୋଟ ୩୪ଦିନ ବସିଛି । ଯଦିଓ କ୍ୟାଲେଣ୍ଡର ବର୍ଷରେ ୬୦ଦିନ ବସିବାର ପ୍ରାବଧାନ ରହିଛି ।

ସୂଚନା ଅନୁସାରେ, ଗୃହରେ ବିଶେଷ କିଛି କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ମାସେ ୬ଦିନ ପୂର୍ବରୁ (୨୭ଟି କାର୍ଯ୍ୟଦିବସ ଥାଇ) ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା । ବିରୋଧୀଙ୍କ ସହ ବିଚାରବିମର୍ଶ ନକରି ଶାସକ ଦଳ ଏକତରଫା ଭାବେ ଗୃହକୁ ବନ୍ଦ କରିଦେଇଛି ବୋଲି ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଚଳିତ ଅଧିବେଶନରେ ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହେବା ପରେ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହ ମୁଲତବୀ ହୋଇଥିଲା । ଦ୍ୱିତୀୟ ଦିନରେ ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର ପ୍ରସଙ୍ଗରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଦିନତମାମ ହଟ୍ଟଗୋଳ ଜାରି ରଖିଥିଲେ । ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇନଥିଲା । ତୃତୀୟ ଦିନରେ ଗୃହ କାର୍ଯ୍ୟ ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ରହିଥିଲା ଓ ଦ୍ୱିତୀୟାର୍ଦ୍ଧ ଗୃହ ସ୍ୱାଭାବିକ ହୋଇଥିଲା । ଗୃହରେ ବିରୋଧୀ ସଦସ୍ୟମାନେ ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ନିଜର ମତ ଉପସ୍ଥାପନ କରିବା ସହ ତୁରନ୍ତ କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ । ଓଡ଼ିଶା ଭୂସଂସ୍କାର ସଂଶୋଧନ ବିଲ୍ ଉପରେ ଆଲୋଚନା ହୋଇଥିଲା । ଆଜି ଗୃହରେ ପୂର୍ବାହ୍ନରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା । ବିଜେପି ଦେଇଥିବା ମୁଲତବୀ ପ୍ରସ୍ତାବ ‘ସରକାର ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନକଲେ ରାଜ୍ୟରେ ଆଦିବାସୀମାନେ ସର୍ବହରା ହୋଇଯିବେ’ ଶୀର୍ଷକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ କ୍ୟାବିନେଟ୍ ନଭେମ୍ବର ୧୪ତାରିଖରେ ନେଇଥିବା ନିଷ୍ପତ୍ତିକୁ ସଂଶୋଧନ କରାଯିବା ସମ୍ପର୍କରେ ଗୃହକୁ ଅବଗତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସୂଚନାଯୋଗ୍ୟ, ଚଳିତ କ୍ୟାଲେଣ୍ଡର ବର୍ଷରେ ବଜେଟ୍ ଅଧିବେଶ ଫେବୃୟାରୀ ୨୧ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ମୋଟ ୨୭ଦିନ ବସିବାର କାର୍ଯ୍ୟସୂଚୀ ଥିଲା । କିନ୍ତୁ ଗୃହ ମାତ୍ର ୨୩ଦିନ ଚାଲିଥିଲା । ସେହିପରି ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ମୋଟ ୮ଦିନ ବସିବାର ଥିଲା । କିନ୍ତୁ ଗୃହ ୭ଦିନ ଚାଲିଥିଲା । ଏବେ ଶୀତ ଅଧିବେଶନ ୩୦ଦିନ ବସିବାର ଥିଲା କିନ୍ତୁ ମାତ୍ର ୪ଦିନରେ ଶେଷ ହୋଇଛି । ଅର୍ଥାତ୍ ଚଳିତ କ୍ୟାଲେଣ୍ଡର ବର୍ଷରେ ଗୃହ ମାତ୍ର ୩୪ଦିନ ଚାଲିବା ସମ୍ଭବପର ହୋଇଛି ।

ନବୀନ ପଟ୍ଟନାୟକ ସରକାରର ପଂଚମ ପାଳି ଅବା ଷୋଡ଼ଶ ବିଧାନସଭାରେ ଅଧିବେଶନର ଅବଧି କୌଣସି କ୍ୟାଲେଣ୍ଡର ବର୍ଷରେ ୬୦ଦିନ ଚାଲି ପାରୁନଥିବା ଜଣାପଡ଼ିଛି । ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠୁ ବିଧାନସଭା ମାତ୍ର ୩ଥର ଅର୍ଥାତ୍ ୨୦୦୬, ୨୦୦୯ ଓ ୨୦୧୨ କ୍ୟାଲେଣ୍ଡର ବର୍ଷରେ ଅଧିବେଶନ ୬୦ଦିନ ବସିପାରିଥିଲା । ୨୦୨୨ ମସିହାରେ ବିଧାନସଭା ମାତ୍ର ୩୭ଦିନ ଚାଲି ପାରିଥିଲା । ବିଧାନସଭା ପ୍ରତିବର୍ଷ ଅତିକମରେ ୬୦ଦିନ ବସିବାର ପ୍ରାବଧାନ ଥିବାବେଳେ ନବୀନ ପଟ୍ଟନାୟକ ସରକାର ନିଜ ମନମୁଖୀ ଓ ସୁହାଇବା ଭଳି ଏହାର ଅବଧିକୁ ହ୍ରାସ କରିବାକୁ ପଛାଇ ନାହାନ୍ତି ।

Related story