ଅସଲ ଦୋଷୀକୁ ଖସାଇବା ପାଇଁ ଚାଲିଛି ବଡ଼ ଷଡ଼ଯନ୍ତ୍ର: ଲେଖାଶ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ଘଟଣାକୁ ନେଇ ପୁଣିଥରେ ରାଜନୀତି ସରଗରମ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଭାଇରାଲକୁ ନେଇ ପରୀର ମା’ ପ୍ରଶ୍ନ ଉଠାଇଥିବା ବେଳେ ଏବେ ବିରୋଧୀ ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ମନ୍ତ୍ରୀ ଅରୁଣ ସାହୁ ଓ SIT ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍ କରିଛନ୍ତି। ଲେଖାଶ୍ରୀ କହିଛନ୍ତି, ଗୋଟିଏ ପଟେ ପରୀ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। କିନ୍ତୁ ପରିତାପର […]

lekha

Ranjit Kumar Jena
  • Published: Friday, 19 February 2021
  • , Updated: 19 February 2021, 10:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ଘଟଣାକୁ ନେଇ ପୁଣିଥରେ ରାଜନୀତି ସରଗରମ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନାବାଳକର ଏକ ଭିଡିଓ ଭାଇରାଲକୁ ନେଇ ପରୀର ମା' ପ୍ରଶ୍ନ ଉଠାଇଥିବା ବେଳେ ଏବେ ବିରୋଧୀ ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ସିଧାସଳଖ ମନ୍ତ୍ରୀ ଅରୁଣ ସାହୁ ଓ SIT ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍ କରିଛନ୍ତି।

ଲେଖାଶ୍ରୀ କହିଛନ୍ତି, ଗୋଟିଏ ପଟେ ପରୀ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। କିନ୍ତୁ ପରିତାପର ବିଷୟ ଯେ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେଉ ହେଉ କିଛି ତଥାକଥିତ ସରକାରୀ ଚ୍ୟାନେଲରେ ରାଜ୍ୟ ସରକାର ଏକ ଭିଡିଓ ଭାଇରାଲ୍ କରିଛନ୍ତି। ଯେଉଁ ସମୟରେ କୋଟିଆ, ଧାନ ମଣ୍ଡି ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବା କଥା, ସେହିଠାରେ ଏସବୁ ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ରାଜ୍ୟ ସରକାର SITକୁ ଲଗାଇ ଗୋଟିଏ ଭିଡିଓ ରିଲିଜ୍ କରିଛନ୍ତି। ଏହି ଭିଡିଓ କିଛି ଗଣମାଧ୍ୟମରେ ପ୍ରସାରଣ କରାଗଲା, ଯାହା ସମ୍ପୂର୍ଣ୍ଣ ଅନୈତିକ ବୋଲି କହିଛନ୍ତି ଲେଖାଶ୍ରୀ।

ସେ କହିଛନ୍ତି, ପୂର୍ବରୁ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ବନ୍ଦ ଲଫାଫା ରିପୋର୍ଟ ଲିକ୍ ହୋଇ ଗଣମାଧ୍ୟମ ଆଗରେ ପ୍ରକାଶ ପାଇଥିଲା। ଏବେ ଗଣମାଧ୍ୟମରେ ଯେଉଁ ସ୍ୱୀକାରୋକ୍ତି ଭିଡିଓ ପ୍ରକାଶ ପାଇଲା, ତାହା ଫରେନ୍ସିକ୍ ଲ୍ୟାବରେ ଶୁଟିଂ ହୋଇଛି। କହିବାକୁ ଗଲେ ଏହା ସମ୍ପୂର୍ଣ୍ଣ ବେଆଇନ। ସରକାର ଜାଣିଶୁଣି ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ସରକାରଙ୍କ ଏଭଳି କଦର୍ଯ୍ୟ କାମ ଓଡ଼ିଶା ଲୋକଙ୍କୁ ବାଟବଣା କରିପାରିବନି। ପରୀକୁ ନ୍ୟାୟ ନମିଳିବା ଯାଏ ଆମର ଲଢ଼େଇ ଜାରି ରହିବ।

ଲେଖାଶ୍ରୀ ଆହୁରି କହିଛନ୍ତି, ଆରମ୍ଭରୁ SIT ଓ ଏହାର ମୁଖ୍ୟ ଅରୁଣ ବୋଥ୍ରା ପ୍ରକୃତ ତଦନ୍ତ କରିନାହାନ୍ତି। ଯେଉଁଠି ଯାହାସବୁ ପ୍ରମାଣ ଆସିଛି, ତାକୁ ମଧ୍ୟ ତଦନ୍ତ କରିନାହାନ୍ତି। ଏହା ବଦଳରେ ଗୋଟିଏ କାହାଣୀ ରଚିବା ପାଇଁ ଚାହିଁବସିଛନ୍ତି ଏବଂ ସେହି କାହାଣୀ ଅନୁସାରେ ତଥ୍ୟ ପ୍ରମାଣ ରୋପଣ କରାଯାଇଛି। ତେଣୁ ଗତକାଲି ଯେଉଁ ଭିଡିଓ ଭାଇରାଲ୍ ହୋଇଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ SIT ହାତରେ ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କିଛି ବି ପ୍ରମାଣ ନାହିଁ। ବରଂ ଅସଲ ଦୋଷୀକୁ ଖସାଇବା ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି।

ତା'ଛଡ଼ା ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ। ଏମାନଙ୍କର ବିଜେଡି ସହ ସମ୍ପୃକ୍ତି ଅଛି ଏବଂ ଏମାନଙ୍କର ହେଡ୍ ହେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ। ତେଣୁ ଏ ସମସ୍ତଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଆଉ ଜଣେ ଅରୁଣଙ୍କୁ ଦାୟିତ୍ୱ ଦେଇଛନ୍ତି। ଆଉ ସେ ନିଜ ଦାୟିତ୍ୱକୁ କେଉଁଭଳି ଭାବେ ତୁଲାଉଛନ୍ତି, ତାକୁ ଓଡ଼ିଶାବାସୀ ଦେଖୁଥିବା କହିଛନ୍ତି ଲେଖାଶ୍ରୀ।

Related story