ମୋହନ ସରକାରକୁ ପୁରିଲା ୫ ମାସ : ପୂରଣ ହେଉନି ନିଗମ ଓ ବୋର୍ଡ ମୁଖିଆ ପଦ, ବିଜେପି ନେତା ନିରାଶ

ରାଜ୍ୟରେ ପ୍ରଥମଥର ବିଜେପି ନିଜସ୍ୱ ଦମରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୀତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ ।

ମୋହନ ମାଝୀ ।

  • Published: Saturday, 09 November 2024
  • , Updated: 09 November 2024, 10:01 PM IST

ବିଜେଡି ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ନିଜ ଦମରେ ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିଛି। ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବାର ୫ମାସ ପୁରିଲାଣି କିନ୍ତୁ ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଛି । ଦଳ ଓ ସଂଗଠନ ପାଇଁ ଦୀର୍ଘବର୍ଷ ଧରି କଠିନ ପରିଶ୍ରମ କରିଥିବା ଆଗଧାଡ଼ିର ନେତାମାନେ ନିଜ ଦଳର ସରକାରରେ ପଦପଦବୀ ପାଇବେ ବୋଲି ରଖିଥିବା ଆଶା ଏବେ ହତାଶରେ ପରିଣତ ହେବାରେ ଲାଗିଲାଣି । ପଦ୍ମ ଘୁଂଚି ଘୁଂଚି ଯିବାଭଳି ଦୀର୍ଘ ୪ମାସରୁ ଅଧିକ ସମୟ ଧରି ଖାଲି ପଡ଼ିଥିବା ବିଭିନ୍ନ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦବୀ ସମେତ ଜିଲ୍ଲା ଯୋଜନା ବୋର୍ଡ, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ରାଜ୍ୟ ମହିଳା ଆୟୋଗ, ଲୋକାୟୁକ୍ତ ସଦସ୍ୟ ଓ ଅଧ୍ୟକ୍ଷ, ରାଜ୍ୟ ନିର୍ବାଚନ କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପୂରଣ କରିବାରେ ମୋହନ ସରକାର ସକ୍ଷମ ହୋଇପାରିନାହାନ୍ତି । ଦଳ ଭିତରେ ଏହାକୁ ନେଇ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଥିଲେ ମଧ୍ୟ ଜାନୁୟାରୀରେ ଦଳର ସାଂଗଠନିକ ନିର୍ବାଚନ ସରିବା ପୂର୍ବରୁ ଏସବୁ ରାଜନୀତିକ ନିଯୁକ୍ତି ମିଳିନପାରେ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟରେ ପ୍ରଥମଥର ବିଜେପି ନିଜସ୍ୱ ଦମରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୀତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ । କିନ୍ତୁ ବିଜେପି ସରକାର ଗଠନକୁ ୫ମାସ ପୁରିଗଲାଣି, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି । କେବଳ  କ୍ଷମତାକୁ ଆସିବା ପରେ ପୂର୍ବ ସରକାରରେ ଏସବୁ ପଦବୀରେ ରାଜନୀତିକ ନିଯୁକ୍ତି ପାଇଥିବା ବିଜେଡି ସମର୍ଥିତ ନେତାମାନଙ୍କୁ ହଟାଇ ଦିଆଯାଇଛି ।

ବିଜେପି ସୂତ୍ର ଅନୁସାରେ, ବିିଭିନ୍ନ ସରକାରୀ ପଦପଦବୀରେ ନିଯୁକ୍ତି ପାଇ ଆଗ୍ରହୀ ଥିବା କିଛି ଆଗଧାଡ଼ିର ନେତାମାନଙ୍କୁ ଇତିମଧ୍ୟରେ ଦିଲ୍ଲୀରୁ ଡକରା ଆସିଥିଲା । ସେଠାରେ ୭-୮ଜଣ ଆଗଧାଡ଼ିର ନେତାଙ୍କୁ ରାଜ୍ୟ ସରକାରରେ ଥଇଥାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି । କିନ୍ତୁ ଏବେ ଯେହେତୁ ଦଳରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ତେଣୁ ଏହି ନିଯୁକ୍ତିରେ ବିଳମ୍ବ ହେଉଛି । ଦଳରେ ଆଶାୟୀଙ୍କ ଲମ୍ବା ଧାଡ଼ି ଥିବାବେଳେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ମଧ୍ୟ ସହଜ ହେବନି । ତେଣୁ ସାଂଗଠନିକ ନିର୍ବାଚନ ପରେ ହିଁ କିଛି ନେତାଙ୍କୁ ସରକାରୀ ପଦବୀରେ ଥଇଥାନ କରିବାର ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଗତ ସପ୍ତାହରେ ହାଇକୋର୍ଟରେ ସରକାରୀ ଓକିଲ ନିଯୁକ୍ତି ଦେବାବେଳେ ଦଳୀୟ ନେତା ଓ ସମର୍ଥକମାନଙ୍କ ମଧ୍ୟରେ ଛକାପଞ୍ଝା ଓ ଟଣାଓଟରାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ମୋହନ ମାଝୀ ସରକାର ଆଉ ମାତ୍ର ୧୫ଦିନ ପରେ ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ବାର୍ଷିକ ବଜେଟ୍ ପରେ ଅତିରିକ୍ତ ବଜେଟ୍ ଆଣିବାକୁ ଯାଉଥିବା ସରକାର କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ଯୋଜନା ବୋର୍ଡ ଗଠନ କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରଶାସନିକ କଳ ମାଧ୍ୟମରେ ଜିଲ୍ଲା ଯୋଜନାଗୁଡ଼ିକୁ ଅନୁମୋଦନ କରାଇବାରେ ଲାଗିଛନ୍ତି ସରକାର ।

ସେହିପରି ବିଭିନ୍ନ ନିଗମ ଓ ବୋର୍ଡର ମୁଖିଆ(ଅଧ୍ୟକ୍ଷ ଓ ସଭାପତି) ଦାୟିତ୍ୱରେ ସରକାରୀ ଅଫିସରମାନେ ରହିଛନ୍ତି । ଯେଉଁଥିପାଇଁ ଏସବୁ ସରକାରୀ ସଂସ୍ଥା ପେଷାଦାର ଢଙ୍ଗରେ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରୁନି । ରାଜନୀତିକ ନେତୃତ୍ୱ ନଥିବାରୁ ସଂସ୍ଥା ଦାୟିତ୍ୱରେ ଥିବା ପ୍ରଶାସନିକ ଅଫିସରମାନେ ବି କୌଣସି ରିସ୍କ ନନେଇ କେବଳ କାମଚଳା ଜାରି ରଖିଥିବା ଜଣାପଡ଼ିଛି ।

ବିଜେପି ସୂତ୍ର ଅନୁସାରେ, ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ କେଉଁମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରାଯିବ ତା’ର ତାଲିକା ପ୍ରସ୍ତୁତି ଚାଲିଛି । ଦୀର୍ଘବର୍ଷ ଧରି ସଂଗଠନ ସହ ଜଡ଼ିତ ଥିବା ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯିବାକୁ ଯୋଜନା ଚାଲିଛି । ଯେଉଁ କିଛି ନେତା ଅନ୍ୟ ଦଳରୁ ବିଜେପିକୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ରାଜନୀତିକ ପ୍ରଭାବ ଥିବା ନେତାଙ୍କୁ ମଧ୍ୟ ଥଇଥାନ ପାଇଁ ଚାପ ପଡ଼ୁଛି । ଦଳର ମହିଳା ଓ ଯୁବ ମୋର୍ଚ୍ଚାର ଆଗଧାଡ଼ିର ନେତାମାନେ ନିଜ ନିଜସ୍ତରରେ ଲବି ଜୋରଦାର କରିବାରେ ଲାଗିଛନ୍ତି । ଆଶାୟୀଙ୍କ ଲମ୍ବା ତାଲିକା ଥିବାରୁ ଦଶହରା ଓ ପରେ ଦୀପାବଳୀରେ ବି ଏହି ଘୋଷଣା ସମ୍ଭବପର ହୋଇପାରିଲା ନାହିଁ ।

ରାଜ୍ୟ ସରକାରରେ କାହାକୁ ଥଇଥାନ କରାଯିବ ସେ ନିଷ୍ପତ୍ତି ମୋହନ ସରକାର ନୁହେଁ ବରଂ ସଂଗଠନସ୍ତରରେ ନିଆଯିବ ବୋଲି ଚର୍ଚ୍ଚା ହେଉଛି । ଯେହେତୁ ଏବେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନରେ ଦଳୀୟ ନେତୃତ୍ୱ ବ୍ୟସ୍ତ ରହିଛନ୍ତି ଓ ରାଜ୍ୟରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ତେଣୁ ଏସବୁ ସରିବା ପରେ ହିଁ ବିଭିନ୍ନ ସରକାରୀ ପଦପଦବୀ ପାଇଁ ଦଳୀୟ ନେତାମାନଙ୍କ ନିଯୁକ୍ତିର ପୂର୍ଣ୍ଣାଙ୍ଗ ତାଲିକା ଆସିବାର ସମ୍ଭାବନା ରହିଛି । ଏପଟେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଚଳିତମାସ ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଆଗଧାଡ଼ିର ୭-୮ଜଣ ନେତାମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରାଯାଇପାରେ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ।

Related story