ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପୂର୍ବରୁ ହାତ ଯୋଡ଼ି ଭୋଟ୍ ନବିକିବା ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଢ଼େ ଚାରି ଶହ ବସ୍ତିରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ହାତ ଯୋଡ଼ି ଅନୁରୋଧ କରି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି, ଆପଣମାନେ ଭୋଟ୍ ବିକିବେ ନାହିଁ। ବିକାଶ ପାଇଁ କାମ କରିବା। ଯିଏ ବିକାଶ କରିପାରିବ, ତାକୁ ଭୋଟ୍ ଦେଇ ବାଛନ୍ତୁ।
ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି, “ପଞ୍ଚାୟତ ନିର୍ବାଚନରେ ଆମର ପ୍ରଦର୍ଶନ ବହୁତ ଖରାପ ହୋଇଛି। ଓଡ଼ିଶା ସାରା ଏମିତି ପରାଜୟ ହେବ ବୋଲି ଆମେ ଭାବି ନଥିଲୁ। ଏହାର ବିଭିନ୍ନ କାରଣ ରହିଛି। କିନ୍ତୁ ପଞ୍ଚାୟତ ନିର୍ବାଚନର ପ୍ରଭାବ ପୌର ନିର୍ବାଚନରେ ପଡ଼ବ ନାହିଁ। କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର (ଖୋର୍ଦ୍ଧା ମ୍ୟୁନିସିପାଲିଟି, ଜଟଣୀ ମ୍ୟୁନିସିପାଲିଟି ଓ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍)ରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଇଛି। ସବୁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଛି। ସମସ୍ତେ ଲଢ଼ିବାକୁ ଚାହୁଁଛନ୍ତି।”
ଶ୍ରୀମତୀ ଷଡଙ୍ଗୀ ଆହୁରି କହିଛନ୍ତି, “ଆମେ ୫ଟି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବୁ। ସେ ଗୁଡ଼ିକ ହେଲା ଡ୍ରେନେଜ, ବସ୍ତି, ଭେଣ୍ଡିଂ ଜୋନ୍, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା।”
ଅପରାଜିତାଙ୍କ ପ୍ରଥମ ପ୍ରସଙ୍ଗ ହେଲା ‘ବସ୍ତି’। ସେ କହିଛନ୍ତି, ଏଠି ସାଢ଼େ ଚାରି ଶହରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ବସ୍ତିରେ ବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନ ଯେମିତି ହେବା କଥା ତାହା ହୋଇନାହିଁ। ୨୦ ବର୍ଷର ଶାସନ କାଳ ଭିତରେ କାହିଁକି ବସ୍ତି, ବସ୍ତି ହୋଇ ରହି ଯାଇଛି? ସେମାନଙ୍କ ଜୀବନଶୈଳୀ ସ୍ଥିର ହୋଇ ରହିଛି। ବସ୍ତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଡ୍ରେନ୍ ଉପରେ ଧ୍ୟାନ ଦେବାର ଥିଲା। ଆଉ ବସ୍ତିକୁ ସହରାଞ୍ଚଳ ସହିତ ମିଶାଇବାର ଥିଲା। ମାତ୍ର ତାହା ହୋଇପାରିଲା ନାହିଁ ବୋଲି ଅପରାଜିତା କହିଛନ୍ତି।
ଅପରାଜିତାଙ୍କ ଦ୍ୱିତୀୟ ପ୍ରସଙ୍ଗଟି ହେଉଛି ‘ଡ୍ରେନେଜ୍’। ସେ କହିଛନ୍ତି, ରାଜଧାନୀରେ ଡ୍ରେନ୍ଜ ବ୍ୟବସ୍ଥା ଠିକ୍ ନାହିଁ। ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ପାଇଁ ବଡ଼ ଧରଣର ମାଷ୍ଟର ପ୍ଲାନ୍ ହେବା କଥା। ମାତ୍ରର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। କାହିଁକି ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।
ତାଙ୍କର ତୃତୀୟ ପ୍ରସଙ୍ଗଟି ହେଉଛି ‘ଭେଣ୍ଡିଂଜୋନ୍’। ସେ କହିଛନ୍ତି, “କର୍ପୋରେଟ୍ର ଓ ମେୟାରଙ୍କ ଜରିଆରେ ଆମେ ବହୁତ ଭେଣ୍ଡିଂ ଜୋନ୍ କରିଥିଲୁ। ଉଠା ଦୋକାନୀମାନଙ୍କୁ ଥଇଥାନ୍ କରିଥିଲୁ। କିନ୍ତୁ ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ହେଉଛି। ହେଲେ ଭେଣ୍ଡିଂ ଜୋନ୍ ଦେଖିବାକୁ ପାଉନାହୁଁ। ଅଳ୍ପ ପକ୍କା ଘର କରିଦେଲେ ସମସ୍ୟା ସମାଧାନ ହୋଇପାରିବ ନାହିଁ। ହଜାର ହଜାର ସଂଖ୍ୟାରେ ଉଠା ଦୋକାନୀ ଜବରଦଖଲ କରି ଅଛନ୍ତି। ସେମାନଙ୍କୁ ଜବରଦଖଲ ଉଚ୍ଛେଦ କରିବା, ସମାଧାନର ରାସ୍ତା ନୁହେଁ। ଆଗେ ଥଇଥାନ୍ ପରେ ଉଚ୍ଛେଦ କରାଯାଉ।”
ଅପରାଜିତାଙ୍କ ଚତୁର୍ଥ ପ୍ରସଙ୍ଗ ହେଉଛି ‘ସୌନ୍ଦର୍ଯ୍ୟକରଣ’। ସେ କହିଛନ୍ତି, ସୌନ୍ଦର୍ଯ୍ୟକରଣ କରିବା ଏକ ଭଲ କଥା। କିନ୍ତୁ ସୌନ୍ଦର୍ଯ୍ୟକରଣ ସହରର ଗଳିକନ୍ଦିରେ ହେଉ। ସବୁଠି ଭଲ ରାସ୍ତା ଓ ଡ୍ରେନେଜ୍ ବ୍ୟବସ୍ଥା ହେଉ। ଏହି ଦିଗରେ ଆମକୁ କାମ କରିବାର ଅଛି ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି।
ଅପରାଜିତାଙ୍କ ପଞ୍ଚମ ପ୍ରସଙ୍ଗ ହେଉଛି ‘ସୁରକ୍ଷା’। ସେ କହିଛନ୍ତି, ମହାନଗର ସୁରକ୍ଷିତ ସହର ହେବା କଥା। ଏଠି କାହିଁକି ମହିଳା ଓ ପୁରୁଷମାନେ ଡକାୟତିର ଶିକାର ହେଉଛନ୍ତି? ଏହା ଉପରେ ଧ୍ୟାନ ଦିଆଯିବା କଥା ବୋଲି ସେ କହିଛନ୍ତି।