ବିଜେଡି ପ୍ରତିଷ୍ଠା ଦିବସରେ ଘୋଷଣା ହୋଇପାରେ କୃଷକଙ୍କ ପାଇଁ ପ୍ୟାକେଜ୍ !

ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ପ୍ରସ୍ତାବ ସପକ୍ଷରେ ନାହିଁ ଅର୍ଥ ବିଭାଗ

ଭୁବନେଶ୍ୱର(ପ୍ରକାଶ ସେଠୀ): ନିର୍ବାଚନୀ ବର୍ଷରେ ପଡ଼ୋଶୀ ରାଜ୍ୟ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ ଘୋଷଣା ପରେ ଏବେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଉପରେ ଚାପ ବଢ଼ିବାରେ ଲାଗିଛି। ରାଜ୍ୟରେ ଚାଷୀ ଅସନ୍ତୋଷ ଓ ଆନ୍ଦୋଳନ ଆଗାମୀ ନିର୍ବାଚନରେ ‘ଗେମ୍ ଚେଞ୍ଜର’ ହେବାର ଆଶଙ୍କା କରି ବିଜେଡି ସରକାର ଏବେ କୃଷି ଋଣ ଛାଡ଼ ଓ କୃଷକଙ୍କ ପାଇଁ ପ୍ୟାକେଜ୍ ପ୍ରସ୍ତୁତି ଦିଗରେ ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଡିସେମ୍ବର ୧୧ ତାରିଖରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପଛରେ ଚାଷୀ ଅସନ୍ତୋଷ ପ୍ରମୁଖ କାରଣ ବୋଲି ମତ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ କୃଷି ଋଣ ଛାଡ଼ ପ୍ରସଙ୍ଗରେ ସମୀକ୍ଷା ଚାଲିଛି ବୋଲି ଆଜି କହିଛନ୍ତି। ତେବେ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ସପକ୍ଷରେ ଅର୍ଥ ବିଭାଗ ନଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ଚାପ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି।

ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆସାମ ସରକାରଙ୍କ ପରେ ରାଜସ୍ଥାନ ସରକାର ଅନୁରୂପ ପଦକ୍ଷେପ ନେବାକୁ ଯାଉଥିବାବେଳେ ସପ୍ତାହକ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଚାଷୀଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁହଁ ଖୋଲି ତାଙ୍କ ସରକାର ମଧ୍ୟ ଚାଷୀଙ୍କ ଅସନ୍ତୋଷକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସଙ୍କେତ ଦେଇଛନ୍ତି।

ଡିସେମ୍ବର ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର କ୍ୟାବିନେଟ୍ ଡାକି ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି। ସମବାୟ ବିଭାଗ,ଅର୍ଥ ବିଭାଗ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବୈଠକ ଏବଂ ଆଜି ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ଆଲୋଚନାରୁ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା ଆଡ଼କୁ ଇଙ୍ଗିତ କରିଛି।

ପ୍ରାୟ ୫୦ହଜାର କୋଟି ଟଙ୍କା ଋଣ ବକେୟା ରହିଛି

ରାଜ୍ୟ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରିପୋର୍ଟ ଅନୁସାରେ ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ୪୩ଲକ୍ଷ ୫୩ହଜାର ୮୦୧ଜଣ ଚାଷୀଙ୍କ ଉପରେ ୨୦,୪୧୩ କୋଟି ୭୫ଲକ୍ଷ ଟଙ୍କା ଫସଲ ଋଣ ବକେୟା ଥିବାବେଳେ ଏହି ଅବଧି ମଧ୍ୟରେ ୧୧ ଲକ୍ଷ ୫୨ହଜାର ୮୬୬ଜଣ ଚାଷୀଙ୍କ ଉପରେ ୧୧,୦୫୬କୋଟି ୪୨ଲକ୍ଷ ଟଙ୍କା ଏଗ୍ରି ଟର୍ମ ଲୋନ୍ ବକେୟା ରହିଛି।ଏଥିରେ ୨୦୧୭-୧୮ ମସିହାରେ ଫସଲ ଋଣ ଓ ଏଗ୍ରି ଟର୍ମ ଲୋନ୍ ବାବଦରେ ଯଥାକ୍ରମେ ୧୬,୫୩୦କୋଟି ଓ ୬୧୩୪ କୋଟି ଟଙ୍କା ରହିଛି।

ଏହାବ୍ୟତୀତ ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କିଷାନ କେଡ୍ରିଟ୍ କାର୍ଡ ମାଧ୍ୟମରେ ୫୫ଲକ୍ଷ ୮୭ହଜାର ୬୫୩ଜଣ ଚାଷୀ ୧୮,୯୮୧ କୋଟି ଟଙ୍କା ଋଣ ନେଇଛନ୍ତି।

ଫସଲ ଋଣ, ଏଗ୍ରି ଟର୍ମ ଲୋନ୍ ଓ କିଷାନ କ୍ରେଡିଟ୍ କାର୍ଡକୁ ମିଶାଇଲେ ଚାଷୀଙ୍କ ଉପରେ ପ୍ରାୟ ୫୦ହଜାର କୋଟି ଟଙ୍କା ଋଣ ବକେୟା ରହିଛି। ଆଉ ଏହି ସମସ୍ତ ଋଣରେ ରାଜ୍ୟ ସମବାୟ ବ୍ୟାଙ୍କର ଋଣ ପରିମାଣ ମାତ୍ର ୧୯ ହଜାର ୯୫୬ କୋଟି ଟଙ୍କା। ଏତେ ପରିମାଣର ଋଣ ଛାଡ଼ କରିବା ସପକ୍ଷରେ ଅର୍ଥ ବିଭାଗ ନାହିଁ।

ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ରିପୋର୍ଟ ମାଗିଥିଲେ। କିନ୍ତୁ ରାଜ୍ୟର ଆର୍ଥିକ ସ୍ଥିତି ଯାହା ଯଦି ଏକକାଳୀନ ଏତେ ଋଣ ଛାଡ଼ କରାଯାଏ ତା’ହେଲେ ବ୍ୟାଙ୍କଗୁଡ଼ିକୁ ବକେୟା ପରିଶୋଧ କରିବା ରାଜ୍ୟ ସରକାରଙ୍କ ଏକ ଚ୍ୟାଲେଞ୍ଜ ପାଲଟିବ। ସହଜେ ରାଜ୍ୟର ଋଣବୋଝ ୯୦ହଜାର କୋଟି ଟଙ୍କା ଛୁଇଁଲାଣି। ରାଜ୍ୟର ବିତ୍ତିୟ ନିଅଣ୍ଟ ଏବେ ୩.୭୫% ମଧ୍ୟରେ ସୀମିତ ରହୁଥିବାବେଳେ ଏହାକୁ ଅତିକ୍ରମ କଲେ ରାଜ୍ୟକୁ ପୁଣିଥରେ ୯୦ଦଶକର ସ୍ଥିତି ଭୋଗିବାକୁ ପଡ଼ିବାର ଆଶଙ୍କା ରହିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ପରିବର୍ତ୍ତେ ରାଜ୍ୟ ସରକାର ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣକୁ ସମ୍ପୂର୍ଣ୍ଣ ଛାଡ଼ ଓ ତଦୁଦ୍ଧ୍ୱର୍ ଋଣ ଉପରେ ମୋଟ ଋଣର ୨୫ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଭଳି ବିକଳ୍ପ ସମ୍ପର୍କରେ ଚିନ୍ତା କରୁଛନ୍ତି। ଏହାଛଡ଼ା କିଷାନ କ୍ରେଡିଟ୍ କାର୍ଡ ଉପରେ ଋଣ ନେଇଥିବା ଚାଷୀଙ୍କୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼, ଚଳିତ ବର୍ଷ ଓ ଆସନ୍ତା ବର୍ଷର ଖରିଫ ଓ ରବି ଋଣକୁ ସମ୍ପୂର୍ଣ୍ଣ ସୁଧ ରିହାତି ଦେବା ପ୍ରସ୍ତାବ ବିଚାରାଧୀନ ରହିଛି।

ଚାଷୀଙ୍କୁ ୭% ସୁଧ ହାରରେ ଫସଲ ଋଣ ମିଳୁଥିବାବେଳେ ଏଥିରେ ଏବେ କେନ୍ଦ୍ର ସରକାର ୫% ସୁଧ ଓ ରାଜ୍ୟ ସରକାର ୧% ସୁଧ ରିହାତି ଦେଉଛନ୍ତି। ବାକି ୧ପ୍ରତିଶତ ସୁଧ ଚାଷୀଙ୍କୁ ଦେବାକୁ ପଡ଼ୁଛି। ତା’ଛଡ଼ା ଚାଷୀ ପରିବାରର ଝିଅ ବିବାହ, ସାଇକେଲ କିଣିବା ଓ ମଧୁବାବୁ ପେନସନ ଯୋଜନା ଭଳି ଚାଷୀକୁ ପେନସନ୍ ପାଇଁ ସରକାର ସହାୟତା ଘୋଷଣା କରିପାରନ୍ତି।

ଧାନର ଏମଏସପି ଉପରେ ବୋନସ ଦେବା ପ୍ରସ୍ତାବ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିଚାରବିମର୍ଶ ହୋଇନି ବୋଲି ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି।