ଆକ୍ସନମୋଡରେ ଏନଏଚଆରସି: କିଟ୍ ଅବହେଳା ପାଇଁ ନେପାଳୀ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା, ମୁଖ୍ୟ ସଚିବ-ନାକ୍‌-ୟୁଜିସିକୁ ମାଗିଲେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ

ଆୟୋଗ ମାର୍ଚ୍ଚ ୨୭ତାରିଖରେ ୪ସପ୍ତାହସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ନିମନ୍ତେ ପ୍ରରୋଚିତ କରିଥିବା କହିଛନ୍ତି ।

KIIT

କିଟ୍‌

Ordigital Desk
  • Published: Friday, 28 March 2025
  • , Updated: 28 March 2025, 02:40 PM IST

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା କିଟ୍ ଓ କିସ୍ ପାଇଁ ଅଡୁଆ ବଢ଼ିଛି । କଳବଳକୌଶଳ ଖଟାଇ ସମସ୍ତଙ୍କୁ ମ୍ୟାନେଜ୍ କରୁଥିବା କିଟ୍ କର୍ତ୍ତୃପକ୍ଷଙ୍କୁ ଲାଗିଛି ଶକ୍ତଧକ୍କା । ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ନିଜ ତଦନ୍ତକାରୀ ଟିମଙ୍କ ସରଜମିନ୍ ତଦନ୍ତ ରିପୋର୍ଟ ଆଧାରରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୪ସପ୍ତାହ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବା ପାଇଁ ରାଜ୍ୟ ମୁଖ୍ୟ ସଚିବ, ଭୁବନେଶ୍ୱର ପୁଲିସ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ୟୁଜିସି ଓ ନାକ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହାସହିତ ଆୟୋଗ ସିଧାସଳଖ କିଟ୍ କର୍ତ୍ତୃପକ୍ଷଙ୍କୁ ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟରେ କିଭଳି ସବୁପ୍ରକାରର ଆଇନକୁ ଜଳାଞ୍ଜଳି ଦିଆଯାଇଛି ତାହା ମଧ୍ୟ ଉଲ୍ଲେଖ କରିବାକୁ ଆୟୋଗ ପଛାଇନାହାନ୍ତି ।

ଆୟୋଗ ନିଜର ଟିମ୍ ପଠାଇ ସରଜମିନ୍ ତଦନ୍ତ କରିବା ପରେ ସେମାନଙ୍କ ରିପୋର୍ଟକୁ ଆଧାର କରି ଗୁରୁବାର ମାର୍ଚ୍ଚ ୨୭ତାରିଖରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କ ବିବାଦୀୟ ଭୂମିକାକୁ ଆୟୋଗ ନିଜେ ଚିହ୍ନଟ କରି ନାକ୍ ଓ ୟୁଜିସି ଅଧ୍ୟକ୍ଷଙ୍କୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ନିମନ୍ତେ କହିଛନ୍ତି । ଅଦୃଶ୍ୟ କାରଣରୁ ପ୍ରାୟ ଦେଢ଼ମାସ ଧରି କିଟ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ବସିଥିବା ରାଜ୍ୟ ସରକାରଙ୍କୁ ମଧ୍ୟ ୪ସପ୍ତାହ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଉଲ୍ଲଘଂନ କାରଣରୁ ୟୁଜିସି କର୍ତ୍ତୃପକ୍ଷ ‘ଡିମଡ୍ ବିଶ୍ୱବିଦ୍ୟାଳୟ’ ମାନ୍ୟତା ନିଲମ୍ବନ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହାସହିତ ଆୟୋଗ ଏହି ଆତ୍ମହତ୍ୟା ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିବାରୁ ପୁଲିସ ନିଜର ଏଫଆଇଆରରେ ତାଙ୍କୁ ସାମିଲ କରିବାକୁ ଏକରକମ ବାଧ୍ୟ ହେବ ବୋଲି ଜଣାପଡ଼ିଛି ।

ଆୟୋଗ ମାର୍ଚ୍ଚ ୨୭ତାରିଖରେ ୪ସପ୍ତାହସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ନିମନ୍ତେ ପ୍ରରୋଚିତ କରିଥିବା କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୁରୁତର ଅବହେଳା ଓ ତ୍ରୁଟି ହୋଇଛି । ବିଶ୍ୱବିଦ୍ୟାଳୟ ଅଧିକାରୀ, ଅନୁଶାସନ କମିଟି, କଲେଜ କର୍ତ୍ତୃପକ୍ଷ ଓ ଆଇଆରଓ (ଆନ୍ତର୍ଜାତିକ ସମ୍ପର୍କ କାର୍ଯ୍ୟାଳୟ)ଙ୍କ ଆଚରଣ ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିଛି ।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା କରି ପ୍ରାୟ ୧୦୦୦ରୁ ୧୧୦୦ ଛାତ୍ର ଓ ୧୮୦ଜଣ ଛାତ୍ରୀ ତରବରରେ କ୍ୟାମ୍ପସରୁ ବିଦା କରିଦିଆଗଲା । ସେମାନଙ୍କ ସହ ଅନ୍ୟ କୌଣସି ଅପ୍ରୀତିକର ଘଟଣାର ବି ଆଶଙ୍କା ରହିଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କୌଣସି ପଶ୍ଚାତାପ କରିନାହାନ୍ତି। ଓଲଟା ଏସବୁ ଅଭିଯୋଗରେ ଦମ୍ ନାହିଁ ବୋଲି କହିବାର ଦୁଃସାହାସ ଦେଖାଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ଭାବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅସମ୍ବେଦନଶୀଳତା ନହେଲେ ସମ୍ପୂର୍ଣ୍ଣ ଅହଙ୍କାରକୁ ପ୍ରତିଫଳିତ କରାଇଛି ବୋଲି ଆୟୋଗ କହିଛନ୍ତି ।

୪ ସପ୍ତାହ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦିଅ

୧- ରାଜ୍ୟ ସରକାର ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

୨- ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ୨୦୧୭  ଜୁଲାଇ ୬ତାରିଖରେ ଶିଶୁ ମଙ୍ଗଳ କମିଟି କରିଥିବା ସୁପାରିଶ ଓ ଅନୁରୋଧକୁ ଅନୁପାଳନ କରାନଯିବା ଉପରେ ସ୍ପଷ୍ଟୀକରଣ ରଖିବା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦ୍ଦେଶ

୩- ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ୨୦୨୫ ଫେବୃୟାରୀ ୧୬ରେ ଇନଫୋସିଟି ଥାନାରେ ଦାଏର ଏଫଆଇଆର ଓ ଏହାର ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

୪- ୟୁଜିସି ଗାଇଡଲାଇନ୍ ଉଲ୍ଲଘଂନ କରିଥିବା ଯୋଗୁ କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦାଖଲ ପାଇଁ ୟୁଜିସି ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ

୫-  ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ(ନାକ) ଅଧ୍ୟକ୍ଷ ଏହି ସମସ୍ତ ଘଟଣାରେ ଆୟୋଗଙ୍କ ଉଦବେଗ ଓ ଟିପ୍ପଣୀକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ତଦନ୍ତକାରୀ ସଦସ୍ୟଙ୍କ ରିପୋର୍ଟ

ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଜାତୀୟ ମାନବାଧିକାର ଆୟୋଗ(ଏନଏଚଆରସି) ମାର୍ଚ୍ଚ ୩ତାରିଖରେ ଆୟୋଗଙ୍କ ରେଜିଷ୍ଟ୍ରାର(ଆଇନ) ଓ ତଦନ୍ତ ବିଭାଗର ଦୁଇଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମକୁ ସରଜମିନ୍ ତଦନ୍ତ କରି ମାର୍ଚ୍ଚ ୧୦ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତକାରୀ ଟିମ୍ ମାର୍ଚ୍ଚ ୬ରୁ ୮ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହି କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ପରିସରରେ ସରଜମିନ୍ ଯାଂଚ କରିଥିଲେ ।

ସେମାନେ ଦାଖଲ କରିଥିବା ରିପୋର୍ଟ ଅନୁସାରେ, ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା । କିନ୍ତୁ ତଦନ୍ତକାରୀ ଟିମ୍ ଏଭଳି କୌଣସି ଗୋଟିଏ ଦସ୍ତାବିଜ କିମ୍ବା ସାକ୍ଷୀ ପାଇନଥିଲେ ଯିଏ ଝିଅର ମୃତ୍ୟୁକୁ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କିଛି ଥିଲା ବୋଲି ସୂଚାଇଥାନ୍ତା । ପୋଷ୍ଟମର୍ଟମ ରିପୋର୍ଟ, ଇନକ୍ୱେଷ୍ଟ ରିପୋର୍ଟ, ସାକ୍ଷୀ,ପ୍ରମାଣ ଓ ଦସ୍ତାବିଜ ସବୁ ସୂଚାଇଛି ଯେ ମୃତ ଛାତ୍ରୀ(ନେପାଳୀ ଝିଅ) ନିଜ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଛଡ଼ା ଅନ୍ୟ କୌଣସି ଦସ୍ତାବିଜ ମୃତ୍ୟୁର କାରଣ ସମ୍ପର୍କରେ ମିଳିନଥିଲା । ମୃତ ନେପାଳୀ ଛାତ୍ରୀ ୨୦୨୪ ମାର୍ଚ୍ଚ ୧୨ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ସମ୍ପର୍କ କାର୍ଯ୍ୟାଳୟ (ଆଇଆରଓ)ରେ ଏକ ଅଭିଯୋଗ କରିଥିଲେ, ଯେଉଁଥିରେ ସେ ନିଜର ମାନସିକ ଅବସାଦ ଓ ଅଦ୍ୱିକ୍ ଶ୍ରୀବାସ୍ତବ ବ୍ଲାକମେଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅଦ୍ୱିକ୍ ତାଙ୍କର ନଗ୍ନ ଫଟୋଗୁଡ଼ିକୁ ଡିଲିଟ୍ ନକଲେ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଧମକ ଦେଇଥିଲେ । ଆଇଆରଓ ଏହି ଅଭିଯୋଗକୁ ବିଶ୍ୱବିଦ୍ୟାଳୟର ଅନୁଶାସନ କମିଟିକୁ ପଠାଇଥିଲେ । କିନ୍ତୁ କମିଟି ଉକ୍ତ ଫଟୋ ଡିଲିଟ୍ କରିବା ପାଇଁ କହି ଉଭୟଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନେଇ ମାମଲାକୁ ବନ୍ଦ କରିଦେଇଥିଲା । ଅଭିଯୋଗକୁ ଇଂଟରନାଲ କମ୍ପେ୍ଲନ୍ କମିଟି(ଆଇସିସି) କିମ୍ବା ସ୍ଥାନୀୟ ଥାନାକୁ ଜଣାଯାଇନଥିଲା । ଆଇସିସି ଅଧ୍ୟକ୍ଷା ଇପସିତା ଶତପଥୀ ତାଙ୍କ ବୟାନରେ ସ୍ୱୀକାର କରିଛନ୍ତି ଯେ, ମୃତ ଛାତ୍ରୀର ମାର୍ଚ୍ଚ ୧୨ତାରିଖର ଅଭିଯୋଗକୁ ଆଇସିସିକୁ ପଠାଯିବା ଉଚିତ୍ ଥିଲା ।

ତେଣୁ ତଦନ୍ତକାରୀ ଟିମ୍ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଅଧିକାରୀ, ଆଇଆରଓ, ଅନୁଶାସନ କମିଟି ଓ କିଟ୍ କର୍ତ୍ତୃପକ୍ଷଙ୍କ  ଦ୍ୱାରା ଗୁରୁତର ଅବହେଳା ଓ ତ୍ରୁଟି ହୋଇଛି ବୋଲି ସେମାନଙ୍କ ଆଚରଣ ଦର୍ଶାଉଛି । ଆଇଆରଓ ଓ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ଅବହେଳା ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିଛି ବୋଲି ତଦନ୍ତକାରୀ ଟିମ୍ ଅନୁଭବ କରିଛନ୍ତି ।

ଫେବୃୟାରୀ ୧୬ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ନେପାଳ ଛାତ୍ରଛାତ୍ରୀମାନେ ନ୍ୟାୟ ଦାବିରେ ବିକ୍ଷୋଭ କରିଥିଲେ । ଏହି ସମୟରେ କିଟ୍ ବିଶ୍ୱବିଦ୍ୟାଳୟର ଦୁଇଜଣ ପ୍ରଶାସନିକ ଅଫିସର ମଞ୍ଜୁସା ପାଣ୍ଡେ ଓ ଜୟନ୍ତୀ ନାଥ ଅସଭ୍ୟ ଭାଷା ବ୍ୟବହାର କରିବା ସହ ନେପାଳବିରୋଧୀ ମନ୍ତବ୍ୟ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ଥିବା ଭିଡିଓରୁ ପ୍ରମାଣିତ ହୋଇଛି । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଜ୍ଞାନରଞ୍ଜନ ମହାନ୍ତି  ଓ ଅନ୍ୟ ସାକ୍ଷୀମାନେ ଏହା ସ୍ୱୀକାର କରିଛନ୍ତି ଓ ସେହି ଦୁଇ ମହିଳା ଅଫିସରଙ୍କୁ ନିଲମ୍ବିତ କରାଯାଇଛି ତଥା ସେମାନଙ୍କ ମନ୍ତବ୍ୟ ଅନାବଶ୍ୟକ ଓ ଅଗ୍ରହଣୀୟ । ଯାହା ପ୍ରମାଣ କରୁଛି ଯେ, ତ୍ରୁଟି ଓ ଅବହେଳା ବିଶ୍ୱବିଦ୍ୟାଳୟର ଅଧିକାରୀମାନଙ୍କ ପକ୍ଷରୁ ହୋଇଛି ।

ଘଟଣାର ପରଦିନ ଅର୍ଥାତ୍ ଫେବୃୟାରୀ ୧୭ତାରିଖ ସକାଳ ପ୍ରାୟ ୭ରୁ ୮ଟା ମଧ୍ୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ-ଡାଏ ଘୋଷଣା କରି ଅନ୍ୟାୟ ଭାବେ କେବଳ ନେପାଳ ଛାତ୍ର-ଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ରହଣୀର ବ୍ୟବସ୍ଥା ନକରି ବସରେ ବସାଇ ସେମାନଙ୍କୁ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରେଳଷ୍ଟେସନରେ ଏଭଳି ଅମାନବୀୟ ଭାବେ ଛାଡ଼ିଦିଆଯାଇଥିଲା । ଯାହାକି ନେପାଳ ଛାତ୍ରଛାତ୍ରୀଙ୍କ ମାନବାଧିକାରର ଗୁରୁତର ଉଲ୍ଲଘଂନକୁ ଦର୍ଶାଉଛି । ସାକ୍ଷୀମାନେ କହିଛନ୍ତି ଯେ, ବିକ୍ଷୋଭରେ ଅନ୍ୟ ଛାତ୍ରୀମାନେ ମଧ୍ୟ ସାମିଲ ଥିଲେ, କିନ୍ତୁ କେବଳ ନେପାଳର ପ୍ରାୟ ୧୦୦୦ରୁ ୧୧୦୦ଜଣ ଛାତ୍ର ଓ ୧୮୦ଜଣ ଛାତ୍ରୀ ତରବରରେ କ୍ୟାମ୍ପସରୁ ବଳପୂର୍ବକ ବିଦା କରି ଦିଆଯାଇଥିଲା । କିଟ୍ କର୍ତ୍ତୃପକ୍ଷ ଛାତ୍ରୀଙ୍କ ସୁରକ୍ଷା ପ୍ରତି ଚିନ୍ତା କରିନଥିଲେ । ଯାହାକି ଅନ୍ୟ କୌଣସି ଅପ୍ରୀତିକର ଅଘଟଣର ଆଶଙ୍କା ମଧ୍ୟ ସୃଷ୍ଟି କରୁଥିଲା ।

ଏହି ୩ଜଣିଆ ତଦନ୍ତକାରୀ ଦଳ ଚଳିତମାସ ୬ରୁ ୮ତାରିଖ ମଧ୍ୟରେ ମୃତ ନେପାଳୀ ଛାତ୍ରୀ ରହୁଥିବା କିଟ୍ ଲେଡିଜ ହଷ୍ଟେଲର ଇନଚାର୍ଜ, ତାଙ୍କର ସହପାଠୀ, ପରିବାର ସଦସ୍ୟ, ସମସ୍ତ ଲେଡିଜ୍ ହଷ୍ଟେଲର ଅତିରିକ୍ତ ନିର୍ଦ୍ଦେଶକ, ସୁରକ୍ଷା କର୍ମୀ, ଅଧ୍ୟାପିକା-ଅଧ୍ୟାପକ, ଆଇସିସି ଅଧ୍ୟକ୍ଷା, କିଟ୍ ପ୍ରଶାସନିକ ନିର୍ଦ୍ଦେଶକ, ଆଇଆରଓ ନିର୍ଦ୍ଦେଶକ, ଇନଫୋସିଟି ଥାନାର ଦୁଇ ତଦନ୍ତକାରୀ ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ ।

ଅଭିଯୁକ୍ତ ଛାତ୍ର ଅଦ୍ୱିକ୍ ଶ୍ରୀବାସ୍ତବ ଫେବୃୟାରୀ ୧୭ରୁ ନ୍ୟାୟିକ ହେପାଜତରେ ଅଛନ୍ତି । ତାଙ୍କ ବିରୁଦ୍ଧରେ ପ୍ରଥମେ ବିଏନଏସର ଧାରା ୧୦୮ ଓ ପରେ ତଦନ୍ତ ସମୟରେ ବିଏନଏସର ଧାରା-୭୫,୭୮,୭୯,୧୦୮,୨୯୪ ଓ ୨୯୬ ଏବଂ ଆଇଟି ଆକ୍ଟର ଧାରା ୬୬-ଇ,୬୭ ଓ ୬୭-କ ସାମିଲ କରି ତଦନ୍ତ ଜାରି ରଖିଥିବା ଆୟୋଗଙ୍କ ତଦନ୍ତକାରୀ ଟିମ୍ କହିଛନ୍ତି ।

ପୁଳାପୁଳା ଆଇନର ଉଲ୍ଲଘଂନ

ଆୟୋଗ ଉଲ୍ଲେଖ କରିଛନ୍ତି ଯେ, ନେପାଳୀ ଛାତ୍ରୀଜଣକ ଅଭିଯୁକ୍ତଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆଇଆରଓଙ୍କ ଅବହେଳା ହିଁ ତାଙ୍କ ସମାନତା ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ଅଧିକାରକୁ ଉଲ୍ଲଘଂନ କରିଥିଲା । ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪,୧୫ ଓ ୨୧ର ଉଲ୍ଲଘଂନ । ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଦେଶର ପ୍ରଚଳିତ ଆଇନ ଓ ନିୟମ, କୋର୍ଟଙ୍କ ରାୟ, ଆନ୍ତର୍ଜାତିକ ଚୁକ୍ତିନାମାକୁ ମଧ୍ୟ ଉଲ୍ଲଘଂନ କରାଯାଇଛି ।

ସୁପ୍ରିମକୋର୍ଟ ମୋହିନୀ ଜୈନ ବନାମ କର୍ଣ୍ଣାଟକ-୧୯୯୨ ମସିହା ମାମଲାରେ କହିଛନ୍ତି ଯେ ଶିକ୍ଷା ଅଧିକାର ଜୀବନର ଅଧିକାରର ମୂଳଅଂଶ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି ଫ୍ରାନ୍ସିସ କୋରାଲି ବନାମ ଦିଲ୍ଲୀ-୧୯୮୧ ମସିହା, ଏନଏଏଲଏସଏ ବନାମ ଭାରତ ସରକାର-୨୦୧୪ ମସିହା ମାମଲାରେ ଅନୁଚ୍ଛେଦ-୨୧ ଅଧୀନରେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସୁନିଶ୍ଚିତ ହେବା ଉଚିତ୍ ଓ ଏହା ମୌଳିକ ଅଧିକାର । ତେବେ କିଟ୍ ମାମଲାରେ ଅଭିଯୋଗକୁ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମାଧାନ ନକରାଯିବା ଛାତ୍ରୀଙ୍କ ମର୍ଯ୍ୟାଦାର ଅଧିକାରକୁ ଉଲ୍ଲଘଂନ କରିିଛି । ଛାତ୍ରୀଙ୍କୁ ସୁରକ୍ଷିତ ପରିବେଶ ପ୍ରଦାନ ନକରି କିଟ୍ ତାଙ୍କ ଉଚ୍ଚଶିକ୍ଷାର ଅଧିକାର(ଉନ୍ନିକ୍ରିଷ୍ଣନ ବନାମ ଆନ୍ଧ୍ରପ୍ରଦେଶରେ ସୁପ୍ରିମକୋର୍ଟଙ୍କ ରାୟ)କୁ ଉଲ୍ଲଘଂନ କରିଛି ।

ଏହାସହିତ ମହିଳାଙ୍କ ବିରୋଧରେ ବୈଷମ୍ୟ ଦୂରୀକରଣ ସମ୍ବନ୍ଧୀୟ ଆନ୍ତର୍ଜାତିକ ଚୁକ୍ତି, କର୍ମକ୍ଷେତ୍ରରେ ମହିଳା ଯୌନହିଂସା ନିବାରଣ ଆଇନ-୨୦୧୩ ସମେତ ୟୁଜିସି ନିର୍ଦ୍ଦେଶକୁ କିଟ୍ କର୍ତ୍ତୃପକ୍ଷ ପାଳନ କରିନଥିଲେ । ଯାହା ଛାତ୍ରୀଙ୍କ ଅସୁବିଧାର କାରଣ ହୋଇଛି । ୟୁଜିସି ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ ।

ସେହିପରି ନାକ୍ ହେଉଛି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଗୁଣବତ୍ତା ନିରୀକ୍ଷଣ କରିବା ପାଇଁ ଉଦ୍ଦିଷ୍ଟ ୟୁଜିସିର ଏକ ସ୍ୱୟଂଶାସିତ ଅନୁଷ୍ଠାନ । ୭ଟି ମାନଦଣ୍ଡ ଆଧାରରେ ଶିକ୍ଷାନୁଷ୍ଠାନର ମୂଲ୍ୟାୟନ କରେ । କିଟ୍ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଓ ଅଧିକାର ପ୍ରଦାନରେ ବିଫଳ ହୋଇଛି । ନାକ୍ ଏହାକୁ ମାନ୍ୟତା ପ୍ରକ୍ରିୟାରେ ବିଚାର କରିବା ଉଚିତ୍ ବୋଲି ଆୟୋଗ କହିଛନ୍ତି ।

ମାର୍ଚ୍ଚ ୨୧ତାରିଖରେ ସରକାର କ’ଣ କହିଥିଲେ

ମାର୍ଚ୍ଚ ୨୧ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ବିଧାନସଭାରେ ଲିଖିତ ଉତ୍ତରରେ କହିଥିଲେ ଯେ, ମୃତ ନେପାଳୀ ଛାତ୍ରୀ ନିଜର ମୃତ୍ୟୁର ପ୍ରାୟ ୧୧ମାସ ପୂର୍ବରୁ ଅର୍ଥାତ୍ ୨୦୨୪ ମାର୍ଚ୍ଚ ୧୨ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିକଟରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗ କରିଥିଲେ । କିଟ୍ ଘଟଣାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଉଚ୍ଚସ୍ତରୀୟ କମିଟି ୨୦୨୫ ଫେବୃୟାରୀ ୨୧ରେ ୮ଜଣ, ଫେବୃୟାରୀ ୨୭ରେ ୬ଜଣ, ମାର୍ଚ୍ଚ ୬ରେ ୫ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ। ତେବେ ମନ୍ତ୍ରୀଙ୍କ ଉତ୍ତର କେବଳ କିଟ୍ ମାମଲାରେ ଦିନ ଗଡ଼ାଇବା ପାଇଁ ଉଦ୍ଦିଷ୍ଟ ଥିବା ଚର୍ଚ୍ଚା ହୋଇଥିଲା ।

 

 

Related story