ଶ୍ରୀକାନ୍ତଙ୍କ ଚିଠି ଦେଖି ବିଜେଡିର ନିଦ ଭାଙ୍ଗିଲା, ଦାସବର୍ମା କଲେ ପ୍ରେସ ମିଟ୍‌

କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ଦାଖଲ କରିଥିବା ରିଭ୍ୟୁ ପିଟିସନ୍ ପ୍ରତ୍ୟାହାର ପାଇଁ ଦାବି ଜଣାଇବା ପରେ ଆଜି ବିଜେଡିର ନିଦ ଭାଙ୍ଗିଛି ।

ଶ୍ରୀକାନ୍ତ ଜେନା

  • Published: Tuesday, 17 September 2024
  • , Updated: 17 September 2024, 10:47 PM IST

ଦୀର୍ଘ ୨୪ବର୍ଷର ଶାସନ କାଳରେ ରାଜ୍ୟରେ ଖଣିଖାଦାନକୁ ମନଇଚ୍ଛା ଲୁଟ୍ କରି ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି କରିଥିବା ବିଜେଡିର ଏବେ ରାଜ୍ୟସ୍ୱାର୍ଥର ଆଳ ଦେଖାଇ କୁମ୍ଭୀରକାନ୍ଦଣା ଆରମ୍ଭ କରିଛି । କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ର ସରକାର ଦାଖଲ କରିଥିବା ରିଭ୍ୟୁ ପିଟିସନ୍ ପ୍ରତ୍ୟାହାର ପାଇଁ ଦାବି ଜଣାଇବା ପରେ ଆଜି ବିଜେଡିର ନିଦ ଭାଙ୍ଗିଛି । ନିର୍ବାଚନ ପରଠୁ କୋଣଠେସା ହୋଇ ରହିଥିବା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରିଭ୍ୟୁ ପିଟିସନ ପ୍ରତ୍ୟାହାର ଦାବି କରିଛନ୍ତି।

ବିଜେଡି ନେତା ସଞ୍ଜୟ ଦାସବର୍ମା ଓ ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶକୁ ଅଗ୍ରାଧିକାର ନୁହେଁ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ପୁଣିଥରେ ଦୋହରାଇ ବିଜେଡି ନେତା ଶ୍ରୀ ଦାସବର୍ମା କହିଛନ୍ତି ଯେ, ଚଳିତ ବଜେଟରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନୈରାଶ୍ୟଜନକ । ଓଡ଼ିଶାରେ ୨୧ରୁ ବିଜେପିର ୨୦ସାଂସଦ ଜିତିଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶ ଓ ବିହାର ତୁଳନାରେ ଅଣଦେଖା କରାଯାଇଛି । କୋଇଲା ରୟାଲିଟି ସଂଶୋଧନ ପାଇଁ ବିଜେଡି ବାରମ୍ବାର ଦାବି କରିଆସିଛି ।  ନିୟମ ଅନୁସାରେ ପ୍ରତି ୩ବର୍ଷରେ ରୟାଲିଟି ସଂଶୋଧନ ହେବାର ନିୟମ ଥିଲେ ମଧ୍ୟ ତାକୁ ଅଣଦେଖା କରାଯାଇଛି । ଫଳରେ ଓଡ଼ିଶାକୁ ବହୁ ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି । ସୁପ୍ରିମକୋର୍ଟଙ୍କ ୯ଜଣିଆ ଖଣ୍ଡପୀଠ ଚଳିତବର୍ଷ ଜୁଲାଇ ୨୫ ଓ ଅଗଷ୍ଟ ୧୪ତାରିଖରେ ଐତିହାସିକ ରାୟ ଦେଇଛନ୍ତି । ରାଜ୍ୟର ଖଣିଜ ସମ୍ପଦ ଓ ଖଣି ଅଂଚଳ ଉପରେ ସେସ୍ ଓ ଟିକସ ରାଜ୍ୟ ସରକାର ଲଗାଇପାରିବେ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ୨୦୦୫ ମସିହାରୁ ଆଜିପର୍ଯ୍ୟନ୍ତ ବକେୟା ରାଜସ୍ୱ ମଧ୍ୟ ଖଣି ମାଲିକମାନଙ୍କଠୁ ବିନା ସୁଧରେ ଆଦାୟ କରିପାରିବେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଓଡ଼ିଶା ସରକାର ପ୍ରାୟ ବକେୟା ଦେୟ ବାବଦରେ ୨ଲକ୍ଷ କୋଟି ଟଙ୍କା ପାଇବା ସହ ପ୍ରତିବର୍ଷ ଖଣିଜ ସେସ୍ ବାବଦରେ ଅତିକମରେ ୫୦ହଜାର କୋଟି ଟଙ୍କା ପାଇପାରିବେ । କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ର ସରକାର ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପାଇଁ ଓଡ଼ିଶା ସବୁଠୁ ବେଶୀ କ୍ଷତି ସହିବ । ତେଣୁ ଓଡ଼ିଶାରୁ ନିର୍ବାଚିତ ୨୦ଜଣ ବିଜେପି ସାଂସଦ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରି କେନ୍ଦ୍ର ସରକାର ଦାଖଲ କରିଥିବା ରିଭ୍ୟୁ ପିଟିସନ ପ୍ରତ୍ୟାହାର କରନ୍ତୁ ବୋଲି ବିଜେଡି ଦାବି କରିଛି ।

ଅବଶ୍ୟ ବିଜେଡିର ଆଜିର ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଗତକାଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ରାଜସ୍ୱ କ୍ଷତି ସମ୍ପର୍କରେ ଅବଗତ କରିବା ସହ ରିଭ୍ୟୁ ପିଟିସନ୍ ପ୍ରତ୍ୟାହାର ପାଇଁ ଦାବି ରଖିଥିଲେ । ଯାହାକୁ ଆଜି ବିଜେଡି ନିଜର ସାମ୍ବାଦିକ ସମ୍ମିଳନୀରେ ଦୋହରାଇଛି ।

ତେବେ ପ୍ରଶ୍ନ ଉଠୁଛି,  ଦୀର୍ଘ ୧୦ବର୍ଷ ମଧ୍ୟରେ ବିଜେଡି ନିଜର ପାରମ୍ପରିକ ପ୍ରସଙ୍ଗ ‘କେନ୍ଦ୍ରୀୟ ଅବହେଳା’କୁ ଶୀତଳଭଣ୍ଡାରରେ ପକାଇ ଦେଇଥିବା ବିଜେଡି ଏବେ ପୁଣିଥରେ କାହିଁକି ଏହି ପ୍ରସଙ୍ଗକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛି । ଚଳିତମାସ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ରିଭ୍ୟୁ ପିଟିସନ୍ ଦାଖଲ କରି ଖଣିଜ ରୟାଲିଟି ଓ ଟିକସ ଉପରେ ଦେଇଥିବା ରାୟର ପୁର୍ନବିଚାର ନିମନ୍ତେ ଦାବି ରଖିବାକୁ ବିଜେଡିକୁ କାହିଁକି ପ୍ରାୟ ୧୦ଦିନ ଲାଗିଗଲା? ଶ୍ରୀକାନ୍ତ ଚିଠି ଲେଖି ଦାବି କରିବା ପରେ ବିଜେଡି ନିଜର ବିରୋଧୀ ଦଳ ଅସ୍ତିତ୍ୱ ପ୍ରତି ସଙ୍କଟକୁ ଦେଖି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି କି? ବିଜେଡି ନିଜ ଶାସନ କାଳ ଭିତରେ ଖଣି ଆଇନକୁ ମନଇଚ୍ଛା ମୋଡ଼ିମକଚି ଦେଇ ଲିଜଧାରୀଙ୍କୁ ଖଣି ରାଜସ୍ୱ ଲୁଟ୍ ପାଇଁ ସୁଯୋଗ ଦେଇଥିଲା । ଯାହାର ବିକଳ ଚିତ୍ର ଗତ ସପ୍ତାହରେ ସିଏଜି ତାଙ୍କ ଅଡିଟରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୂର୍ବରୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟରେ ବିଜେଡି ଓ ବିଜେପି ମେଂଟ ସରକାର ଚାଲିଥିବାବେଳେ ଖଣି ଅଂଚଳରୁ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ଓଡ଼ିଶା ରୁରାଲ ଇନଫ୍ରାଷ୍ଟକଚର ଆଣ୍ଡ ସୋସିଓ-ଇକୋନୋମି ଡେଭଲପମେଂଟ ଆକ୍ଟ-୨୦୦୪ ଓ ଓଡ଼ିଶା ରୁରାଲ ଇନଫ୍ରାଷ୍ଟକଚର ଆଣ୍ଡ ସୋସିଓ ଇକୋନୋମି ଡେଭଲପମେଂଟ ରୁଲସ-୨୦୦୫ ପ୍ରସ୍ତୁତ କରିଥିଲେ । ଏହି ଆଇନ ମାଧ୍ୟମରେ ରାଜ୍ୟରେ ଖଣି ଅଂଚଳରେ ଟିକସ ବସାଇବା ପାଇଁ ସ୍ଥିର କରିଥିଲେ । କିନ୍ତୁ ଏହାର ବୈଧତାକୁ ବିରୋଧ କରି ନାଲକୋ ଓ ଅନ୍ୟ ଖଣି ଲିଜଧାରୀମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାକୁ ରାଜ୍ୟ ସରକାରଙ୍କ କ୍ଷମତା ବହିର୍ଭୂତ ଦର୍ଶାଇ ହାଇକୋର୍ଟ ଉକ୍ତ ଆଇନକୁ ରଦ୍ଦ କରିଦେଇଥିଲେ । ଯାହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ଯାହାର ବିଚାର କରି ସୁପ୍ରିମକୋର୍ଟ ୨୦୨୪ ଜୁଲାଇ ୨୫ତାରିଖରେ ରାଜ୍ୟମାନଙ୍କର ଖଣିଜ ପଦାର୍ଥ ଓ ଖଣିସଂଲଗ୍ନ ଜମି ଉପରେ ଟିକସ ବସାଇବାର ବୈଧାନିକ ଅଧିକାର ରହିଛି ବୋଲି ରାୟ ଦେଇଛନ୍ତି । ଏହାକୁ ଅଧିକ ସ୍ପଷ୍ଟ କରି ସୁପ୍ରିମକୋର୍ଟ ୨୦୨୪ ଅଗଷ୍ଟ ୧୪ତାରିଖରେ କହିଛନ୍ତି ଯେ, ରାଜ୍ୟମାନେ ଏହି ଟିକସ ପିଛିଲା ଭାବେ ୨୦୦୫ ଏପ୍ରିଲ ୧ରୁ ହୋଇଥିବା କାରବାର ଉପରେ ଲାଗୁ କରିପାରିବେ ଓ ଧାର୍ଯ୍ୟ ଦେୟ ଖଣିମାଲିକଙ୍କଠୁ ୨୦୨୬ ଏପ୍ରିଲ ପରେ ୧୨ବର୍ଷର ବାର୍ଷିକ କିସ୍ତିରେ ଆଦାୟ କରିପାରିବେ । ଏହି ମାମଲାରେ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଯଥୋଚିତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Related story