ହଟ୍ଟଗୋଳ ଯୋଗୁ ଅଷ୍ଟମ ଦିନ ବି ଅଚଳ: ବାଚସ୍ପତିଙ୍କୁ ଫ୍ଲାଗ୍ କାର୍ଡ ଫିଙ୍ଗିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଅଷ୍ଟମ ଦିନ ପାଇଁ ବିଧାନସଭା ଅଚଳ ରହିଛି। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ଓ ଶାସକ ଦଳର ଜିଦଖୋର ମନୋଭାବ ଯୋଗୁ ଶୀତ ଅଧିବେଶନର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗୃହ ସ୍ୱାଭାବିକ ହୋଇପାରିନି। ବାଚସ୍ପତିଙ୍କ ଉପରକୁ ଫ୍ଲାଗକାର୍ଡ ଫିଙ୍ଗିବା, ପଂଚାୟତିରାଜ ମନ୍ତ୍ରୀଙ୍କ ସମ୍ମୁଖରେ ଘଣ୍ଟନାଦ କରିବା ସହ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ଗିଲୋଟିନ୍ ମାଧ୍ୟମରେ ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗୃହୀତ […]

tara bahinipati

tara bahinipati

Ordigital Desk
  • Published: Thursday, 09 December 2021
  • Updated: 10 December 2021, 12:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଅଷ୍ଟମ ଦିନ ପାଇଁ ବିଧାନସଭା ଅଚଳ ରହିଛି। ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ଓ ଶାସକ ଦଳର ଜିଦଖୋର ମନୋଭାବ ଯୋଗୁ ଶୀତ ଅଧିବେଶନର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗୃହ ସ୍ୱାଭାବିକ ହୋଇପାରିନି। ବାଚସ୍ପତିଙ୍କ ଉପରକୁ ଫ୍ଲାଗକାର୍ଡ ଫିଙ୍ଗିବା, ପଂଚାୟତିରାଜ ମନ୍ତ୍ରୀଙ୍କ ସମ୍ମୁଖରେ ଘଣ୍ଟନାଦ କରିବା ସହ ଗୃହର ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ଗିଲୋଟିନ୍ ମାଧ୍ୟମରେ ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗୃହୀତ ହୋଇଛି।

ଆଜି ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗତକାଲି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣ ବରିଷ୍ଠ ସେନା ଅଧିକାରୀଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଗୃହର ନେତା ମୁଖ୍ୟମନ୍ତ୍ରୀ ଆଗତ କରିବେ ବୋଲି ସୂଚନା ଦେଇଥିଲେ। ଶୋକ ପ୍ରସ୍ତାବ ପାରିତ ହେବାପରେ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘଣ୍ଟନାଦ ଓ ଫ୍ଲାଗକାର୍ଡ ଧରି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ତେବେ ଏହି ହଟ୍ଟଗୋଳ ଭିତରେ ବାଚସ୍ପତି ଶ୍ରୀ ପାତ୍ର ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କରିବାକୁ ଅନୁମତି ଦେଇଥିଲେ। ଶ୍ରୀ ଜେନା ନିଜ ଆସନରେ ଖର୍ଚ୍ଚ ଦାବି ଉପସ୍ଥାପନ କରୁଥିବା ବେଳେ ବିରୋଧୀ ଦଳ ଦ୍ୱାରା ତାଙ୍କ ପାଖରେ ଘଣ୍ଟନାଦ କରାଯାଇଥିଲା।

ମନ୍ତ୍ରୀ ଶ୍ରୀ ଜେନାଙ୍କ ସମ୍ମୁଖରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଘଣ୍ଟନାଦ କରିବା ଯୋଗୁ ବିଜେଡି ବିଧାୟକ ରୋହିତ ପୂଜାରୀ, ପ୍ରଣବ ବଳବନ୍ତରାୟ, ବିକ୍ରମ ପଣ୍ଡା ପ୍ରମୁଖ କିଛି ସମୟ ପାଇଁ ମନ୍ତ୍ରୀଙ୍କୁ ଘେରି ରହିଥିଲେ । ବିରୋଧୀଙ୍କ ଘଣ୍ଟନାଦ, ହୋ-ହାଲ୍ଲା ଭିତରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା । ବିରୋଧୀ ଦଳ ସଦସ୍ୟଙ୍କ ଦ୍ୱାରା ବାଚସ୍ପତିଙ୍କ ଉପରକୁ ଫ୍ଲାଗ କାର୍ଡ ଫିଙ୍ଗା ଯାଇଥିଲା । ତେବେ ଚଳିତ ଅଧିବେଶନରେ ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନଥିବାରୁ ସେ ସମସ୍ତ ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନ୍ ଆକାରରେ ଗୃହୀତ କରାଯାଇଥିଲା । ତା’ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆସନ୍ତାକାଲି ଗୃହରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ଆଗତ ଓ ପାରିତ ହେବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଚଳିତ ଶୀତ ଅଧିବେଶନରେ ଆଜି ଅଷ୍ଟମ ଦିନ ମଧ୍ୟ ଗୃହ ସ୍ୱାଭାବିକ ହୋଇପାରିନଥିଲା । ବାଚସ୍ପତି ଗତକାଲି ଡାକିଥିବା ସର୍ବଦଳୀୟ ବୈଠକ ଦୁଇଥର ଫେଲ୍ ମାରିବା ପରେ ଗୃହକୁ ସ୍ୱାଭାବିକ ନିମନ୍ତେ ଆଜି ବି ସମାଧାନର ବାଟ ବାହାରି ପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos