ମୁଖ୍ୟମନ୍ତ୍ରୀଙ୍କ ହାତକୁ ଭିଡ଼ି ଧରି ପାଣ୍ଡିଆନ ତାଙ୍କୁ ଅପମାନିତ କରାଉଛନ୍ତି : ହିମନ୍ତ ବିଶ୍ୱଶର୍ମା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, ଗୋଟିଏ ଭିଡିଓ ଦେଖିଲି ସେଥିରେ ନବୀନବାବୁଙ୍କ ହାତକୁ ପାଣ୍ଡିଆନ ଦୁଇ ଦୁଇଥର ଭିଡ଼ି ଧରୁଛନ୍ତି ।

ହିମନ୍ତ ବିଶ୍ୱଶର୍ମା

  • Published: Tuesday, 28 May 2024
  • , Updated: 28 May 2024, 11:05 PM IST

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ଦୁଇଦୁଇ ଥର ଭିକେ ପାଣ୍ଡିଆନ ଭିଡ଼ି ଧରୁଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ଓ ସର୍ବସାଧାରଣରେ ଏଭଳି ଅପମାନିତ କରାଯିବା ଅତ୍ୟନ୍ତ ଦୁଃଖର କଥା ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ।
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, ଗୋଟିଏ ଭିଡିଓ ଦେଖିଲି ସେଥିରେ ନବୀନବାବୁଙ୍କ ହାତକୁ ପାଣ୍ଡିଆନ ଦୁଇ ଦୁଇଥର ଭିଡ଼ି ଧରୁଛନ୍ତି । ନବୀନବାବୁ ଜଣେ ବ୍ୟକ୍ତି ନୁହଁନ୍ତି ସେ ହେଉଛନ୍ତି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେ ଗୋଟିଏ ଅନୁଷ୍ଠାନ । ଓଡ଼ିଶା ଲୋକଙ୍କ ସ୍ୱାଭିମାନ ମୁଖ୍ୟମନ୍ତ୍ରୀଙ୍କ ସହ ଜଡ଼ିତ ହୋଇ ରହିଛି । ମୁଖ୍ୟମନ୍ତ୍ରୀଙ୍କ ହାତକୁ ଜଣେ ଅବସରପ୍ରାପ୍ତ ଅଧିକାରୀ କବଜା କରିବା ଦୁଃଖର କଥା । ନବୀନବାବୁ ପାଣ୍ଡିଆନଙ୍କ ମୁଖ୍ୟମନ୍ତ୍ରୀ ନୁହଁନ୍ତି , ସେ ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁ ଓଡ଼ିଆ ଲୋକଙ୍କ ସ୍ୱାଭିମାନ ତାଙ୍କ ସହ ଜଡ଼ିତ ରହିଛି । ଭାରତର ଅନ୍ୟ କୌଣସି ପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖିବାକୁ ମିଳେନି । ଯଦି କିଏ ଏଭଳି କରେ ତା’ହେଲେ ମୁଖ୍ୟ ସଚିବ ତୁରନ୍ତ ତାଙ୍କୁ ନିଲମ୍ବନ କରନ୍ତି । ସମସ୍ତଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ନବୀନବାବୁ ଏମିତି ହିଁ ଓଡ଼ିଆ ଲୋକଙ୍କ ପସନ୍ଦ । ଏଥିରେ ଲୁଚେଇବାର କ’ଣ ଅଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖରେ ଯେଭଳି ଏସପିଜି ଥାଆନ୍ତି ପାଣ୍ଡିଆନ ସେହିଭଳି ଜଗିକି ରହିଛନ୍ତି । ଏ ଯେଉଁ ଟୁଇଟ୍ କରୁଛନ୍ତି ତାହା ନବୀନବାବୁ କରୁଛନ୍ତି ବୋଲି କ’ଣ ଗ୍ୟାରେଣ୍ଟି । ସେସବୁ ପାଣ୍ଡିଆନ କରୁଥାଇ ପାରନ୍ତି । ଡିଜିଟାଲ ସିଗ୍ନେଚର ପାଣ୍ଡିଆନଙ୍କ ପାଖରେ ରହିଛି । ନବୀନବାବୁ ଫାଇଲ ଦେଖନ୍ତି ନାହିଁ । ତେଣୁ ବିଜେଡି ଲୋକେ ଜାଣିବା ଦରକାର ଯେ ମୁଖ୍ୟମନ୍ତ୍ରୀଙ୍କୁ କେତେ ଅପମାନ କରାଯାଉଛି । ଓଡ଼ିଆ ସ୍ୱାଭିମାନ ଉପରେ ନିୟମିତ ଆକ୍ରମଣ ହେଉଛି । ତାହା ଠିକ୍ ନୁହେଁ । ମୁଁ ଏଥିପାଇଁ ପାଣ୍ଡିଆନଙ୍କୁ ଅନୁରୋଧ କରୁଛି, ଆପଣ ଯାଆନ୍ତୁ ଓଡ଼ିଶାବାସୀ ଆଉ ଆପଣଙ୍କ ଉପରେ ଖୁସି ନାହାନ୍ତି । କୌଣସି ମନ୍ତ୍ରୀ, ବିଧାୟକ ଓ ସାଂସଦ ନହୋଇକି ସେ ମଂଚରେ ବସୁଛନ୍ତି । ଅନ୍ୟ କୌଣସି ରାଜ୍ୟରେ ଏଭଳି ହୁଏନାହିଁ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।

ବିଜେଡି ପକ୍ଷରୁ ତାଙ୍କୁ ଜୋକର କୁହାଯିବା ଉପରେ ପ୍ରତିକ୍ରିୟା ରଖି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, ମୁଁ ଜୋକର ହେବାରେ କୌଣସି ଅସୁବିଧା ନାହିଁ । ମୋତେ ଯାହା କହିବା କଥା କୁହନ୍ତୁ । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଆମକୁ ଦେଇଦିଅନ୍ତୁ । ମୋ ପାଇଁ ରାଷ୍ଟ୍ର ବଡ଼, ମହାପ୍ରଭୁ ବଡ଼ । ମୋତେ ଯାହା ଡାକୁଚ ଡାକ । ପାଣ୍ଡିଆନ ନିଜକୁ ସୈନିକ କହୁଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ସୈନିକ ପାଖକୁ ଆସନ୍ତି ନାହିଁ । ଆଜି ଭିଡିଓ ଦେଖିବା ପରେ ନବୀନବାବୁ ନିଜେ ହସ୍ତାକ୍ଷର କରନ୍ତି କି ନାହିଁ ତାହା ଆରଟିଆଇରେ ମାଗିଲେ ଜଣାପଡ଼ିବ । ପାଣ୍ଡିଆନ ଡିଜିଟାଲ ସିଗ୍ନେଚର କରିଛନ୍ତି । ଆମ ସରକାର ଆସିଲେ ଏସବୁର ଯାଂଚ ହେବ । ନବୀନବାବୁଙ୍କ ଜ୍ଞାତସାରରେ ଦସ୍ତଖତ ହୋଇଛି ନା ପାଣ୍ଡିଆନ ଏହାର ଅପବ୍ୟବହାର କରିଛି ତାହା ମଧ୍ୟ ଯାଂଚ ହେବ ।

ସେ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି କହିଛନ୍ତି ଯେ, ୧ତାରିଖରେ ନିର୍ବାଚନ ଅଛି । ତା’ପୂର୍ବରୁ ପାଣ୍ଡିଆନକୁ ଛୁଟି କରିଦିଅନ୍ତୁ । ଆପଣଙ୍କ ସରକାର ହେବନି । ବିରୋଧୀ ଦଳ ଭାବେ ବସିବାକୁ ସୁଯୋଗ ପାଇବେ । ଆଜି ଯେଉଁ ଭିଡିଓ ଦେଖିଲି ତାହା କ୍ଲାଇମାକ୍ସ । ମନ ବହୁତ ଦୁଃଖ ଲାଗୁଛି ଓ ସେଭଳି ଅନୁଭୂତି ନେଇ ଓଡ଼ିଶାରୁ ଯାଉଛି ବୋଲି ସେ କହିଛନ୍ତି ।

ସେ ସ୍ପଷ୍ଟ କରିଛନ୍ତି ଯେ, ନବୀନବାବୁ ଆମର ସମସ୍ୟା ନୁହଁନ୍ତି । ପାଣ୍ଡିଆନ କାହିଁକି ସରକାର ଚଳାଉଛନ୍ତି ତାହା ଆମର ସମସ୍ୟା । ଓଡ଼ିଆ ଲୋକ ଅଛନ୍ତି । ଓଡ଼ିଆ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଅଛନ୍ତି । ସେମାନଙ୍କୁ ସରକାର ଚଳାଇବାକୁ ଦିଆଯାଉ । ପାଣ୍ଡିଆନ ଓଡ଼ିଶା ସହ ଅନ୍ୟାୟ କରୁଛନ୍ତି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।

Related story