ଆସନ୍ତାକାଲି ଦମ୍ ଦେଖାଇବେ ପ୍ରଦୀପ ମାଝୀ, ୨୮ରେ ବିଜେଡିରେ ମିଶ୍ରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତାକାଲି ନବରଙ୍ଗପୁରରେ ନିଜର ଦମ୍ ଦେଖାଇବେ। ପ୍ରଦୀପଙ୍କ ସମର୍ଥନରେ ଆସନ୍ତାକାଲି ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ପଦାଧିକାରୀ ଓ କର୍ମୀମାନେ କଂଗ୍ରେସରୁ ସମୂହ ଇସ୍ତଫା ଦେବେ। ଆଉ ୪-୫ଦିନ ମଧ୍ୟରେ ଶ୍ରୀ ମାଝୀ ନିଜ ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ଶ୍ରୀ […]

Pradeep Majhi

Ordigital Desk
  • Published: Saturday, 23 October 2021
  • , Updated: 24 October 2021, 07:13 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆସନ୍ତାକାଲି ନବରଙ୍ଗପୁରରେ ନିଜର ଦମ୍ ଦେଖାଇବେ। ପ୍ରଦୀପଙ୍କ ସମର୍ଥନରେ ଆସନ୍ତାକାଲି ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ପଦାଧିକାରୀ ଓ କର୍ମୀମାନେ କଂଗ୍ରେସରୁ ସମୂହ ଇସ୍ତଫା ଦେବେ। ଆଉ ୪-୫ଦିନ ମଧ୍ୟରେ ଶ୍ରୀ ମାଝୀ ନିଜ ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ଶ୍ରୀ ମାଝୀ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ସମର୍ଥକମାନଙ୍କର କଂଗ୍ରେସରୁ ସମୂହ ଇସ୍ତଫା ସମ୍ପର୍କରେ ଘୋଷଣା କରିବେ। ପଂଚାୟତଠୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନରେ ବିଭିନ୍ନ ପଦପଦବୀରେ ଥିବା ନେତା ଓ ଆଗୁଆ କର୍ମୀଙ୍କୁ ମିଶାଇ ମୋଟ ପ୍ରାୟ ୧୨୦୦ଜଣ କଂଗ୍ରେସ ଛାଡ଼ିବେ ବୋଲି ଜଣାପଡ଼ିଛି। ୪୫ବର୍ଷୀୟ ଶ୍ରୀ ମାଝୀ ଦକ୍ଷିଣ ଓଡ଼ିଶାରେ ଏକ ପ୍ରମୁଖ ଆଦିବାସୀ ଚେହେରା ହୋଇଥିବା ବେଳେ ବିଜେଡି ତାଙ୍କୁ ସଂଗଠନରେ ସାମିଲ କରି ଆଦିବାସୀ ଭୋଟବ୍ୟାଙ୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରଦୀପ ବିଜେଡିରେ ସାମିଲ ହେବା ପୂର୍ବରୁ ତାଙ୍କର ଦୁଇ ଅନୁଗତ ତଥା ପୂର୍ବତନ ବିଧାୟକ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇସାରିଛନ୍ତି। ପ୍ରଦୀପ କେବେ ବିଜେଡିରେ ସାମିଲ ହେବେ ତାହା ଆସନ୍ତାକାଲି ଚୂଡ଼ାନ୍ତ ହେବ। ୨୬ରୁ ୩୦ତାରିଖ ମଧ୍ୟରେ ବିଜେଡିରେ ସେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେବେ ଭୁବନେଶ୍ୱରରେ ମିଶ୍ରଣ ପର୍ବ ପାଇଁ କୋଭିଡ୍ କଟକଣା ସମସ୍ୟା ହୋଇଥିବାରୁ କେଉଁ ସ୍ଥାନରେ (ଭୁବନେଶ୍ୱର ନା ନବରଙ୍ଗପୁର) ସେ ବିଜେଡିରେ ମିଶିବେ ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନବୀନ ନିବାସ ନେବ ବୋଲି ସୂଚନା ମିଳିଛି। ପ୍ରଦୀପଙ୍କ ଦଳ ଛାଡ଼ିବା କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଥିବାବେଳେ ବିଜେଡି ତାଙ୍କୁ ଆସନ୍ତା ଜୁନ୍ ମାସରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନ(ଏନ ଭାସ୍କରରାଓ)ଙ୍କ ସ୍ଥାନରେ ଦଳୀୟ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Related story