ବିଜେଡିର ଉଦ୍ଭଟ ଅଭିଯୋଗ: କଂଗ୍ରେସର ଧର୍ମଘଟ କଥା ରାହୁଲ ଜାଣନ୍ତି ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ରାଜ୍ୟବ୍ୟାପୀ ୬ ଘଣ୍ଟିଆ ଧର୍ମଘଟ ପାଳନକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ଦୀର୍ଘ ଦେଢ଼ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଶାସକ ବିଜେଡି ଏଭଳି ପ୍ରତିକ୍ରିୟାଶୀଳ ହୋଇଥିବାବେଳେ ସାମ୍ବାଦିକ ସମ୍ମିଳନୀ କରି ଉଦ୍ଭଟ ଅଭିଯୋଗ ଆଣିବାକୁ ପଛାଇ ନଥିବା ଜଣାପଡ଼ିଛି। ରାହୁଲ ଗାନ୍ଧି ଓ ଏଆଇସିସିର ଶୀର୍ଷ ନେତୃତ୍ୱଙ୍କ ପିଠି ପଛରେ ରହି […]

sasmiti-patra

Ordigital Desk
  • Published: Friday, 12 November 2021
  • , Updated: 12 November 2021, 10:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ରାଜ୍ୟବ୍ୟାପୀ ୬ ଘଣ୍ଟିଆ ଧର୍ମଘଟ ପାଳନକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ଦୀର୍ଘ ଦେଢ଼ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଶାସକ ବିଜେଡି ଏଭଳି ପ୍ରତିକ୍ରିୟାଶୀଳ ହୋଇଥିବାବେଳେ ସାମ୍ବାଦିକ ସମ୍ମିଳନୀ କରି ଉଦ୍ଭଟ ଅଭିଯୋଗ ଆଣିବାକୁ ପଛାଇ ନଥିବା ଜଣାପଡ଼ିଛି। ରାହୁଲ ଗାନ୍ଧି ଓ ଏଆଇସିସିର ଶୀର୍ଷ ନେତୃତ୍ୱଙ୍କ ପିଠି ପଛରେ ରହି କଂଗ୍ରେସ ରାଜ୍ୟରେ ୬ ଘଣ୍ଟିଆ ଧର୍ମଘଟ ପାଳନ କରୁଛି ବୋଲି ବିଜେଡି ଅଭିଯୋଗ ଆଣିଛି। ତେବେ କଂଗ୍ରେସର ଧର୍ମଘଟ କଥା ରାହୁଲ ଗାନ୍ଧି ଜାଣନ୍ତି ନାହିଁ ବୋଲି ବିଜେଡି କିଭଳି ସାମ୍ବାଦିକ ସମ୍ମିଳନୀରେ ଏତେ ଦୃଢ଼ତାର ସହ ଯୁକ୍ତି ବାଢ଼ୁଛି ତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହ କଡ଼ା ଭାଷାରେ ଭର୍ତ୍ସନା କରିଛି।

ବିଜେଡିର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, କଂଗ୍ରେସର ହରତାଳ ସମ୍ପୂର୍ଣ୍ଣ ବିଫଳ ହୋଇଛି ଓ ଯାହାକି ଏକ ‘ଜୋକ୍‌’ରେ ପରିଣତ ହୋଇଯାଇଛି। ରାଜ୍ୟ ବିଜେପି ସହ କଂଗ୍ରେସର ଅଘୋଷିତ ମେଣ୍ଟ ହୋଇଛି । ବିଜେଡି ଗତକାଲି ଏହି ସତ୍ୟକୁ ପଦାକୁ ଆଣିବା ପରେ ବିଜେପି ଭୟରେ ହାତ ଛାଡ଼ି ଦେଇଛି । ଯେଉଁଥିପାଇଁ ରାଜ୍ୟ ବିଜେପି ଦ୍ୱାରା ପ୍ରାୟୋଜିତ ଏହି ହରତାଳରେ କଂଗ୍ରେସର ସବୁ ଗୋଷ୍ଠୀର ନେତା ସାମିଲ ହୋଇନଥିଲେ ବୋଲି ଶ୍ରୀ ପାତ୍ର କହିଛନ୍ତି। ସେ ଆହୁରି ପାଦେ ଆଗେଇ ଯାଇ କହିଛନ୍ତି ଯେ, ଏହି ହରତାଳ ସେମାନଙ୍କର ଶୀର୍ଷ ନେତୃତ୍ୱ ରାହୁଲ ଗାନ୍ଧିଙ୍କ ଅଗୋଚରରେ ହୋଇଛି। କେନ୍ଦ୍ରୀୟ ନେତୃତ୍ୱଙ୍କ ପିଠି ପଛରେ ରହି ଏହି ଅଘୋଷିତ ମେଣ୍ଟ ରାଜ୍ୟ ବିଜେପି ସହ କଂଗ୍ରେସ କରିଛି। ଆଉ ଏହି ହରତାଳ କଥା ଦିଲ୍ଲୀରେ ଥିବା ସେମାନଙ୍କର ନେତାମାନେ ଜାଣନ୍ତି କି ନାହିଁ ତାହା ମଧ୍ୟ ଆମେ ଜାଣିନାହୁଁ। ଲାଗୁଛି କଂଗ୍ରେସର ଶୀର୍ଷ ନେତୃତ୍ୱ ଏସବୁ ଜାଣନ୍ତି ନାହିଁ, ଅବା ପରେ ଜାଣିବାବେଳକୁ ବହୁତ ବିଳମ୍ବ ହୋଇସାରିଥିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ତେବେ ଗତ ଦୁଇଦିନ ଧରି ବିଜେଡି ନିଜର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ମାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗିଛି । କଂଗ୍ରେସରୁ ବିଜେଡିକୁ ଯାଇଥିବା ସସ୍ମିତଙ୍କ ମାଧ୍ୟମରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଯେଉଁସବୁ ଅଭିଯୋଗ ଆଣୁଛି ତାହା ଅତ୍ୟନ୍ତ ଶସ୍ତା ଓ ତଥ୍ୟଭିତ୍ତିକ ନଥିବା ସ୍ପଷ୍ଟ ଜଣାପଡ଼ୁଛି। ବିଜେଡିର ଏଭଳି ପ୍ରତିକ୍ରିୟା ପରୋକ୍ଷରେ ରାଜ୍ୟରେ କଂଗ୍ରେସର ପଲ୍ଲା ଭାରି କରାଉଥିବା ଜଣାପଡ଼ିଛି।

ତେବେ ରାହୁଲ ଗାନ୍ଧିଙ୍କ ଅଗୋଚରରେ ଏଠାରେ କଂଗ୍ରେସ ହରତାଳ କରିଥିବା ନେଇ ସସ୍ମିତଙ୍କ ଅଭିଯୋଗ ଉପରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସତ୍ୟପ୍ରକାଶ ନାୟକ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରିଛନ୍ତି। ସେ ଅତ୍ୟନ୍ତ କଡ଼ା ଭାଷାରେ ସସ୍ମିତଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ, ରାଜନୀତିକ ନେତା ସଦୃଶ ବୟାନ ସସ୍ମିତ ପାତ୍ର ଦେଉନାହାନ୍ତି। ଜଣେ ଟ୍ରୋଲ୍ ସଦୃଶ ବୟାନବାଜି କରୁଛନ୍ତି, ଯାହା କୌଣସି ତଥ୍ୟଭିତ୍ତିକ ନୁହେଁ। ତେଣୁ ସେଭଳି ଜଣେ ବ୍ୟକ୍ତିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିବାକୁ ସମୀଚୀନ ମନେ କରୁନାହିଁ। ଯିଏ ଜଣେ ବିରୋଧୀ ଦଳର ଶୀର୍ଷ ନେତୃତ୍ୱ(ରାହୁଲ ଗାନ୍ଧି)ଙ୍କ ନାଁକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରି ମିଛ କହିପାରୁଛି, ଶସ୍ତା ରାଜନୀତି କରୁଛନ୍ତି ଓ ସେଭଳି ଛୋଟଧରଣର ମାନସିକତା ଥିବା ବ୍ୟକ୍ତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ ଉଚିତ୍ ମଣୁନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

Related story