ପୁଣି ଚର୍ଚ୍ଚାରେ ରାଜ୍ୟ ସମବାୟ ବ୍ୟାଙ୍କ: ୬କୋଟି ଟଙ୍କାରୁ ଅଧିକ ଖିଲାପୀ ଥାଇ କେମିତି ହେଲେ ସଭାପତି, ଖୋଳତାଡ଼ ଆରମ୍ଭ

ରାଜ୍ୟ ସମବାୟ ବିଭାଗ ୩ଜଣିଆ କମିଟି ଗଠନ କରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି) ସଭାପତି ଓ ପରିଚାଳନା ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଥିବା ପୁଳାପୁଳା ଅଭିଯୋଗର ତଦନ୍ତ କରିବା ପରେ ଅନେକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍

  • Published: Monday, 15 July 2024
  • , Updated: 16 July 2024, 08:35 AM IST

କିଛିଦିନର ବ୍ୟବଧାନ ପରେ  ଦୁର୍ନୀତି ଓ ଅନୟମିତତା ଅଭିଯୋଗକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ । ଗତବର୍ଷକ ମଧ୍ୟରେ ମାଳମାଳ ଅଭିଯୋଗ ଆସିବା ଓ ମୁଖ୍ୟ ସଚିବଙ୍କୁ ନାବାର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ରାଜ୍ୟ ସମବାୟ ବିଭାଗ ୩ଜଣିଆ କମିଟି ଗଠନ କରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି) ସଭାପତି ଓ ପରିଚାଳନା ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଥିବା ପୁଳାପୁଳା ଅଭିଯୋଗର ତଦନ୍ତ କରିବା ପରେ ଅନେକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏହି କମିଟି ଇତିମଧ୍ୟରେ ତାଙ୍କର ତଦନ୍ତ ରିପୋର୍ଟ ନୂଆ ମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଓଡ଼ିଶା ସମବାୟ ଆଇନ-୧୯୬୨କୁ ଉଲ୍ଲଘଂନ କରି ପ୍ରାୟ ୬କୋଟି ଟଙ୍କାର ଏକ ଖିଲାପୀ ସମବାୟ ସଂସ୍ଥାର ପ୍ରତିନିଧି କିଭଳି ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା କମିଟିକୁ ନିର୍ବାଚିତ ହେଲେ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଏବଂ ବ୍ୟାଙ୍କର ପରିଚାଳନା କମିଟିର ସଦସ୍ୟ ଓ ସଭାପତି ଭାବେ ଟିପି.ଆର ଦୋରା ବେଆଇନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ଉପରେ ନାବାର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ମାଗିବା ପରେ ରାଜ୍ୟ ସରକାର ଖୋଳତାଡ଼ ଆରମ୍ଭ କରିଛନ୍ତି । ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସମବାୟ ବିଭାଗ ଗତ ମେ’ ୨୧ତାରିଖରେ ୩ଜଣିଆ କମିଟି ଗଠନ କରି ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ । ଏହାସହିତ ଉକ୍ତ ଅଭିଯୋଗର ତଦନ୍ତ ପାଇଁ ସରକାର ଏପ୍ରିଲ ୨୯ତାରିଖରେ ସମବାୟ ରେଜିଷ୍ଟ୍ରାରଙ୍କୁ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ରଦ୍ଦ କରିଦେଇଥିଲେ । ତେବେ ସମବାୟ ବିଭାଗର ଯୁଗ୍ମ ସଚିବ, ଯୁଗ୍ମ ସମବାୟ ରେଜିଷ୍ଟ୍ରାର ଓ ସମବାୟ ସୋସାଇଟିର ଯୁଗ୍ମ ଅଡିଟର ଜେନେରାଲଙ୍କୁ ନେଇ ଗଠିତ ୩ଜଣିଆ କମିଟି ଇତିମଧ୍ୟରେ ତାଙ୍କର ରିପୋର୍ଟ ରାଜ୍ୟର ନବଗଠିତ ବିଜେପି ସରକାରଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ,ରାଜ୍ୟ ସମବାୟ ଆଇନ-୧୯୬୨ର ଧାରା ୨୮-୩(କ) ଓ ୩(କକ) ପ୍ରାବଧାନ ଆଧାରରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ହେବା ପାଇଁ ଶ୍ରୀ ଦୋରା ଯୋଗ୍ୟ ନୁହଁନ୍ତି । ଶ୍ରୀ ଦୋରା ଭୁବନେଶ୍ୱର ଟାଉନ ଡେଭଲପମେଂଟ ହାଉସିଂ କୋଅପରେଟିଭ ସୋସାଇଟି ଲିମିଟେଡର ସଭାପତି ଭାବେ ଗତବର୍ଷ ମାର୍ଚ୍ଚ ମାସରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ନିର୍ବାଚିତ ହୋଇଥିଲେ । ବିଜେଡି ସମର୍ôଥତ ପ୍ରାର୍ଥୀ ଭାବେ ଶ୍ରୀ ଦୋରା ଏହି ପଦବୀରେ ଅଧିଷ୍ଠିତ ହୋଇଥିଲେ । ସେତେବେଳେ ରାଜ୍ୟ ବିଜେପି ସମବାୟ ସେଲ୍ ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ଓଡ଼ିଶା ସମବାୟ ରେଜିଷ୍ଟ୍ରାରଙ୍କ ଦ୍ୱାରସ୍ଥ ହୋଇଥିଲା।

ମାତ୍ର ତଥ୍ୟ କହୁଛି, ଶ୍ରୀ ଦୋରା ଯେଉଁ ଭୁବନେଶ୍ୱର ଟାଉନ ଡେଭଲପମେଂଟ ହାଉସିଂ କେଅପରେଟିଭ ସୋସାଇଟିରୁ ପ୍ରତିନିଧିତ୍ୱ କରୁଛନ୍ତି ସେହି ସମବାୟ ସଂସ୍ଥା ଉପରେ ଏବେ ପ୍ରାୟ ୬କୋଟି ଟଙ୍କାରୁ ଅଧିକ ଋଣ ବକେୟା ରହିଛି । ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମ ପକ୍ଷରୁ ଏହି ସଂସ୍ଥାକୁ ଦିଆଯାଇଥିବା ବକେୟା ଆଦାୟ ନୋଟିସ୍ ଅନୁସାରେ, ୨୦୨୩ ଜୁଲାଇ ୧୦ତାରିଖ ସୁଦ୍ଧା ଏହି ସଂସ୍ଥା ଉପରେ ସୁଧମୂଳ ମିଶି ମୋଟ ୫କୋଟି ୭୫ଲକ୍ଷ ୩୭ହଜାର ୪୨୨ଟଙ୍କା ଥିଲା । ଯେଉଁଥିରେ ମୂଳ ହେଉଛି ମାତ୍ର ୧.୧୫କୋଟି ଟଙ୍କା । ଅର୍ଥାତ୍ ଏହି ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ସରକାରୀ ଋଣ ଅର୍ଥକୁ ପରିଶୋଧ କରୁନଥିବା ଜଣାପଡ଼ିଛି।

ତେବେ ଓଡ଼ିଶା ସମବାୟ ଆଇନ-୧୯୬୨ର ଧାରା- ୨୮(୩-କ) ପ୍ରାବଧାନ କହୁଛି, କୌଣସି ସୋସାଇଟି ବା ପରିଷଦର ପ୍ରତିନିଧିଙ୍କୁ ଅନ୍ୟ ସୋସାଇଟିର ସଦସ୍ୟ ବା ପରିଚାଳନା କମିଟି ସଭାପତି ଭାବେ ଚୟନ କରାଯାଇପାରିବ ନାହିଁ, ଯଦି ଉକ୍ତ ସଂସ୍ଥା ଉପରେ କୌଣସି ବ୍ୟାଙ୍କ ଓ ସୋସାଇଟିର ଋଣ ବକେୟା ରହିଥିବ ତଥା ନୋଟିସ ପାଇବାର ୩ମାସ ମଧ୍ୟରେ ତାହା ପୈଠ କରାଯାଇ ନଥିବ । ଅବା ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବକେୟା ଋଣ ପୈଠ ହୋଇନଥିବ।

ସେହିପରି ସମବାୟ ଆଇନ-୧୯୬୨ର ଧାରା -୨୮(୩-କକ) ପ୍ରାବଧାନ ଆଧାରରେ ସମ୍ପୃକ୍ତ ଖିଲାପୀ ସୋସାଇଟିର ସଦସ୍ୟ ଓ ପରିଚାଳନା କମିଟି ସଭାପତିଙ୍କ ପଦବୀକୁ ଅଯୋଗ୍ୟ ଘୋଷଣା କରାଯାଇପାରିବ।

ଅନ୍ୟପକ୍ଷରେ ଏନେଇ ଶ୍ରୀ ଦୋରାଙ୍କୁ ପଚରାଯିବାରୁ ସେ ଋଣ ଖିଲାପୀକୁ ସ୍ୱୀକାର କରିଛନ୍ତି । ମାତ୍ର ତାଙ୍କର ନିର୍ବାଚନକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ଭିତ୍ତିହୀନ ଓ ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ସେହିପରି ଶ୍ରୀ ଦୋରାଙ୍କ ସମବାୟ ସଂସ୍ଥାକୁ ଋଣ ଦେଇଥିବା ଓଡ଼ିଶା ଗୃହନିର୍ମାଣ ସମବାୟ ନିଗମର ସଭାପତି ବିଶ୍ୱରଞ୍ଜନ ମହାନ୍ତିଙ୍କ ସହ ଯୋଗାଯୋଗ ହୋଇଥିଲେ ମଧ୍ୟ ସେ ପରବର୍ତ୍ତୀ ସମୟରେ ତଥ୍ୟ ଦେବେ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଜେଡି ସରକାର ନିଜର ସଂଖ୍ୟାବଳ ଦେଖାଇ ଆଇନକୁ ମୋଡ଼ିମକଚି ଗତବର୍ଷ ସମସ୍ତ ସମବାୟ ସଂସ୍ଥାକୁ ନିଜ କବଜାକୁ ନେଇଯାଇଥିଲା । କିନ୍ତୁ ରାଜ୍ୟ ସମବାୟ ବ୍ୟାଙ୍କରେ କିଭଳି ବେଆଇନ ଭାବେ ଥଇଥାନ କରାଯାଇଛି, ସରକାରୀ ଟଙ୍କାରେ ସଭାପତି ନିଜର ପୈତୃକ ବାସଭବନର ମରାମତି ଓ ବିଦେଶ ବୁଲା ଆଦି କରିଛନ୍ତି ତା’ର ତଥ୍ୟ ହସ୍ତଗତ ହୋଇଛି।

Related story