Advertisment

ଯୋଜନା ନାଁରେ ଡାହା ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର!

ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ବଡ଼ କୁଲେଇବିରା ଗାଁର କୁନ୍ଦନ ମୁଣ୍ଡା। ସେ ନିଜସ୍ୱ ଅର୍ଥରେ ଗୋଟିଏ ଧୂପକାଠି ପ୍ରସ୍ତୁତି ମେସିନ୍‌ କିଣିଛନ୍ତି। ଗତ ୮ ମାସ ହେଲା ସେ ଧୂପକାଠି ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଟଙ୍କାଟିଏ ଦେଇନାହାନ୍ତି।

BJD

BJD

Advertisment

ଯୋଜନା ନାଁରେ ଡାହା ମିଛ ପ୍ରଚାର କରୁଛନ୍ତି ରାଜ୍ୟ ସରକାର! ନିର୍ବାଚନ ପୂର୍ବରୁ ଭୋଟ୍‌ ହାତେଇବା ପାଇଁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ସାଧାରଣ ଲୋକଙ୍କୁ ମିଛ କଥା କହି ଭୂଆଁ ବୁଲାଇଛନ୍ତି। କେଉଁଠି ଯୋଜନାର ନାଁ ଗନ୍ଧ ନାହିଁ ତ ଆଉ କେହି କେହି ଯୋଜନାର ଲାଭ ପାଇନାହାଁନ୍ତି। କିନ୍ତୁ ତୁଚ୍ଛା ବାହାବା ସାଉଁଟିବା ପାଇଁ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ନାଁରେ ମିଥ୍ୟା ତଥ୍ୟ ସହ ପ୍ରଚାର ପୁସ୍ତିକା ବାଣ୍ଟି ଅପପ୍ରଚାର ଚଳାଇଛନ୍ତି ରାଜ୍ୟ ସରକାର। ଯାହାର ପ୍ରମାଣ କଟକ ଓ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ବଡ଼ କୁଲେଇବିରା ଗାଁର କୁନ୍ଦନ ମୁଣ୍ଡା। ସେ ନିଜସ୍ୱ ଅର୍ଥରେ ଗୋଟିଏ ଧୂପକାଠି ପ୍ରସ୍ତୁତି ମେସିନ୍‌ କିଣିଛନ୍ତି। ଗତ ୮ ମାସ ହେଲା ସେ ଧୂପକାଠି ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଟଙ୍କାଟିଏ ଦେଇନାହାନ୍ତି। ହେଲେ ରାଜ୍ୟ ସରକାରଙ୍କ ‘ନବୀନ ଓଡ଼ିଶା, ଆମ ଓଡ଼ିଶା’ ପ୍ରଚାର ପୁସ୍ତିକାରେ କୁନ୍ଦନ ମୁଣ୍ଡାଙ୍କ ନାଁ ରହିଛି। ସେଥିରେ ଦର୍ଶାଯାଇଛି, ସେ କୁଆଡ଼େ ମା’ ଦୁର୍ଗା SHGରୁ ଲକ୍ଷେ ଟଙ୍କା ଋଣ ନେଇ ଧୂପକାଠି ମେସିନ କିଣିଛନ୍ତି। ରାଜ୍ୟ ସରକାରଙ୍କ ଏହି ମିଛ ପ୍ରଚାରକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।

ସେହିପରି କୁଲେଇବିରା ପଞ୍ଚାୟତର ପ୍ରଚାର ପୁସ୍ତିକାରେ ରହିଛି ଆଉ ଗୋଟିଏ ମିଛ ତଥ୍ୟ। ସେଥିରେ ଦର୍ଶାଯାଇଛି, ଘରକୁ ଘର ପାଣି ଯୋଗାଇ ଦିଆଯାଇଛି। କିନ୍ତୁ ଗାଁରେ ଥିବା ଏକମାତ୍ର ନଳକୂପରୁ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁ ଥିବାରୁ ନଦୀର ପ୍ରଦୂଷିତ ପାଣି ପିଇ ଜୀବନ ଧାରଣ କରୁଛନ୍ତି ଲୋକେ। ବର୍ତ୍ତମାନ ଗାଁରେ ବଡ଼ ଟାଙ୍କି ଅଛି, କିନ୍ତୁ ଭଙ୍ଗା ଅବସ୍ଥାରେ ରହିଛି। ତାହା କୌଣସି ବ୍ୟବହାରରେ ଲାଗୁନି। ହେଲେ କୁଲେଇବିରା ପିଇଓ ଭାବଗ୍ରାହୀ ମହାକୁଡ, ଏହି କଥାକୁ ବାଏଁ ବାଏଁ ଉଡ଼ାଇ ଦେବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

ମୟୂରଭଞ୍ଜ ପରି କଟକରେ ଦେଖିବାକୁ ମିଳିଛି ମିଛ ପ୍ରଚାର। ନରସିଂହପୁର ବ୍ଲକ୍‌ ଅଢ଼େଇଗୁଣ୍ଡି ଗାଁରେ ନିଜସ୍ୱ ଅର୍ଥରେ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ମା’ ମଙ୍ଗଳା ମନ୍ଦିର। କିନ୍ତୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ବିଜ୍ଞାପନ ପୁସ୍ତିକାରେ ଦର୍ଶାଯାଇଛି, ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି। ଏହାର ପୋଲ୍‌ ଖୋଲିଦେଇଛନ୍ତି ଅଢେଇଗୁଣ୍ଡି ସମିତି ସଭ୍ୟ ମନୋଜ ପଣ୍ଡା। ଏବେ ନରସିଂହପୁର ବିଡ଼ିଓ ନୀଳମାଧବ ସୁନା କହୁଛନ୍ତି, ଜେଇ ଓ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଇଁ ପ୍ରତି ପଞ୍ଚାୟତକୁ ରାଜ୍ୟ ସରକାର ୫୦ ଲକ୍ଷ ଦେଉଛନ୍ତି। ଯେଉଁ ଟଙ୍କାରେ ଧାର୍ମିକ ଉପାସନାସ୍ଥଳୀର ବିକାଶ, ମହିଳା ଓ ଯୁବକଙ୍କୁ ସଶକ୍ତିକରଣ, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ସଂପ୍ରସାରଣ କରାଯିବ। କିନ୍ତୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାଁକୁ ଯୋଡ଼ି ଏଭଳି ମିଛ ପ୍ରଚାରର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ମୁହାଁମୁହିଁ ହେବାରେ ଲାଗିଛନ୍ତି ନେତା ଓ ଜନତା।

BjD Cuttack Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe