ନେତା-କର୍ମୀ ଖପ୍ପା: ସୁଯୋଗ ପାଇଲେ ବର୍ଷୁଛନ୍ତି, ତଥାପି ପାଣ୍ଡିଆନ-ବବିଙ୍କ କବଜାରୁ ମୁକୁଳିପାରୁନି ବିଜେଡି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ପ୍ରାୟ ଏକ ଘଂଟା ଧରି ଉପସ୍ଥିତ ରହି ନେତାମାନଙ୍କ ମତାମତ ଶୁଣିଥିଲେ ମଧ୍ୟ ସେମାନଙ୍କ ଉତ୍ସାହ ବୃଦ୍ଧି କଲାଭଳି କୌଣସି ମତ ରଖିନଥିଲେ ।

ଆଜିର ବୈଠକରେ ନବୀନଙ୍କ ପାଖରେ ବସିଛନ୍ତି ବବି

  • Published: Friday, 27 September 2024
  • , Updated: 27 September 2024, 10:37 PM IST

ଯେଉଁମାନଙ୍କ ମାମଲାତି ଓ ତ୍ରୁଟି ପାଇଁ କୋଟିଏ ସଦସ୍ୟଙ୍କ ଦଳ ବିଜେଡିର ୨୪ବର୍ଷ ଶାସନର ପତନ ହେଲା, ସେହି ବିପର୍ଯ୍ୟୟକାରୀଙ୍କ କବଜାରେ ଏବେବି ରହିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ବାଧ୍ୟବାଧକତା, ନିରବ ସମ୍ମତି ଓ ଅପାରଗତାର ଫାଇଦା ଉଠାଇ ଭିକେ ପାଣ୍ଡିଆନ ନିଜର ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ(ବବି)ଙ୍କ ମାଧ୍ୟମରେ ବିଜେଡିକୁ ନିୟନ୍ତ୍ରଣ କରୁଥିବା ଆଜି ପୁଣିଥରେ ସ୍ପଷ୍ଟ ହୋଇଯାଇଛି । ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଦଳ ପକ୍ଷରୁ ଘୋଷିତ ବିଭିନ୍ନ କମିଟିରେ ପ୍ରଣବପ୍ରକାଶ ଓରଫ ବବିଙ୍କୁ ସାମିଲ କରାଯାଇନଥିଲେ ମଧ୍ୟ ଆଜି ଶଙ୍ଖଭବନରେ ଦଳର ପ୍ରାୟ ୧୦୦ରୁ ଅଧିକ ଶୀର୍ଷ ଓ ଆଗଧାଡ଼ିର ନେତାମାନଙ୍କ ବୈଠକରେ ନବୀନଙ୍କ ପାଖେପାଖେ ତାଙ୍କୁ ଦେଖିବାକୁ ମିଳିଥିଲା । କୌଣସି କମିଟିରେ ନଥାଇ ବବି ଆଜିର ବୈଠକରେ କିଭଳି ସାମିଲ ହେଲେ ,ଆଗଧାଡ଼ିରେ ନବୀନଙ୍କ ପାଶ୍ୱର୍ରେ ବସି ଗ୍ରୁଫ୍ ଫଟୋ ଉଠାଇଲେ ଓ ଦଳର ସବୁ ଆଗଧାଡ଼ିର ନେତା ଥିଲେ ମଧ୍ୟ କାହିଁକି ବବିଙ୍କ ମାମଲାତିକୁ କେହି ବିରୋଧ କଲେନି ତାକୁ ନେଇ ଦଳୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି ।

ଆଜି ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ଆଗଧାଡ଼ିର ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ପ୍ରାୟ ଏକ ଘଂଟା ଧରି ଉପସ୍ଥିତ ରହି ନେତାମାନଙ୍କ ମତାମତ ଶୁଣିଥିଲେ ମଧ୍ୟ ସେମାନଙ୍କ ଉତ୍ସାହ ବୃଦ୍ଧି କଲାଭଳି କୌଣସି ମତ ରଖିନଥିଲେ । ଚିରାଚରିତ ଢଙ୍ଗରେ ଆଣିଥିବା ଲିଖିତ ପେପରକୁ ପଢ଼ି ମୋହନ ମାଝୀ ସରକାରକୁ ସମାଲୋଚନା କରିଥିଲେ । କିନ୍ତୁ ନିଜ ଦଳ କିଭଳି ସଂଗଠିତ ହେବ, ଦଳର ନିର୍ବାଚନୀ ବିପର୍ଯ୍ୟୟ କାହିଁକି ହେଲା, ଦଳୀୟ ନେତାମାନେ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତା’ର ସମାଧାନ କିଭଳି ହେବ ସେସବୁ ପ୍ରସଙ୍ଗରେ ମୁହଁ ଖୋଲିନଥିଲେ । କେବଳ ବିନା କାଗଜରେ ‘ବର୍ଷା ଦିନ ସରିଲେ ଜିଲ୍ଲା ଗସ୍ତରେ ଯିବେ’ ବୋଲି ନବୀନ କହିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ପ୍ରାୟ ୨୫ରୁ ଅଧିକ ଦଳୀୟ ନେତା ନିଜର ମତ ରଖିଥିବାବେଳେ ଅଧିକାଂଶ ବରିଷ୍ଠ ନେତା ଦଳର ବିପର୍ଯ୍ୟୟ କାହିଁକି ହେଲା ତା’ର କାରଣ ଖୋଜିବା ପାଇଁ ପରାମର୍ଶ ଦେଇଥିଲେ । ନବୀନଙ୍କ ଉପସ୍ଥିତିରେ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର ଯେଉଁଥିପାଇଁ ଦଳ ହାରିଲା ତା’ର ସମୀକ୍ଷା, ସଂଗଠନ ଠିକ୍ ଲୋକଙ୍କ ହାତରେ ରହୁ ଓ ଠିକ୍ ବାଟରେ ଯାଉ ବୋଲି କହିବା ସହ ପ୍ରତ୍ୟେକଙ୍କ ରାଜନୈତିକ କ୍ଷେତ୍ର(ଅଂଚଳ) ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାରେ ଦଳ କାହିଁକି ପରାଜୟ ହେଲା ତା’ର ସମୀକ୍ଷା ପାଇଁ ନବୀନଙ୍କୁ ଅନୁରୋଧ କରିଥିଲେ । ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଦଳର ପରାଜୟ ଅତ୍ୟଧିକ ଆତ୍ମବିଶ୍ୱାସ ପାଇଁ ହୋଇଛି ଓ ନିର୍ବାଚନ ପୂର୍ବରୁ ଯଦି ଲୋକଙ୍କ ସହ ୱାନଟୁୱାନ୍ କଥା ହୋଇଥାନ୍ତେ ତା’ହେଲେ ସ୍ଥିତି କ’ଣ ଥିଲା ତାହା ଜାଣିପାରିଥାନ୍ତେ ବୋଲି କହିଥିଲେ । ସେହିପରି ବରିଷ୍ଠ ବିଧାୟକ ଅରୁଣ ସାହୁ ମଧ୍ୟ ଦଳୀୟ ନେତାମାନଙ୍କର ଏବେବି ହ୍ୟାଙ୍ଗଓଭର ଯାଇନି ବୋଲି କଟାକ୍ଷ କରିବା ସହ ଏଠାରେ ବାରମ୍ବାର ବୈଠକ ନୁହେଁ ଫଳପ୍ରଦ ନିର୍ଯ୍ୟାସ କିଭଳି ବାହାରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ଦଳ ଏବେ କ୍ଷମତାରେ ନଥିବାରୁ ପଦଯାତ୍ରାବେଳେ ସାଧାରଣ ଲୋକଙ୍କ ସମର୍ଥନ ମିଳିବ କି ନାହିଁ ତାକୁ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ରାଜ୍ୟରେ ବିଜେପି ନେତାମାନଙ୍କୁ ସଂଗଠନ ସୁଦୃଢ଼ ପାଇଁ ରୋଡମ୍ୟାପ୍ ଦେଇଥିବାରୁ ସଦସ୍ୟତା ଅଭିଯାନ ପାଇଁ ଠୋସ୍ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିବାବେଳେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ତାଙ୍କର କଥାକୁ ଛିଡ଼ା ହୋଇ ବିରୋଧ କରିଥିଲେ । ଯାହାକୁ ନେଇ ଅରୁଣ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି ।

ସେହିପରି ଏହି ବୈଠକରେ ପୂର୍ବତନ ବିଧାୟିକା ଦୀପାଳି ଦାସ ପୁୁରୁଣା ମୁହଁଙ୍କ ବଦଳରେ ନୂଆ ମୁହଁଙ୍କୁ ଆଗକୁ ଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ତାଙ୍କୁ ଟିକେଟର ପ୍ରତିଶ୍ରୁତି ଦେଇ କିଭଳି ଶେଷମୁହୂର୍ତ୍ତରେ ନିରାଶ କରାଗଲା ଓ ବରିଷ୍ଠ ନେତାମାନେ ଏସବୁ ଜାଣି କାହିଁକି ନିରବ ରହିଲେ ସେନେଇ ନିଜର ଅସନ୍ତୋଷ ଝାଡ଼ିଥିଲେ । ଆଉ ନବୀନ ପଟ୍ଟନାୟକ ଥିବାପର୍ଯ୍ୟନ୍ତ ସେ ବିଜେଡି ସହ ଅଛନ୍ତି ବୋଲି କହିଥିଲେ । ସେହିପରି ସାଂସଦ ସୁଲତା ଦେଓ ଭାଷଣ ଦେବା ପାଇଁ ଦାବି କରିବାରୁ ବରିଷ୍ଠ ନେତା ଦେବୀ ମିଶ୍ର ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ‘ଅତୃପ୍ତ ଆତ୍ମା’ କହି କଟାକ୍ଷ କରିଥିଲେ ବୋଲି ଜଣାପଡ଼ିଛି ।

ତେବେ ବବିଙ୍କୁ ନେଇ ଦଳ ଭିତରେ ତୀବ୍ର ଆକ୍ରୋଶ ରହିଥିଲେ ମଧ୍ୟ ତାଙ୍କୁ  ବୈଠକକୁ କିଏ ଓ କାହିଁକି ଡାକିଲେ ଏବଂ ନବୀନଙ୍କ ପାଶ୍ୱର୍ରେ ବସି ଫଟୋ ଉଠାଇବାର ସୁଯୋଗ କିଭଳି ଦିଆଗଲା ତାହା ଦଳୀୟ କର୍ମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଚର୍ଚ୍ଚା ହେଉଛି, ନବୀନ ନିବାସରେ ବସି ବିଜେଡି ସଂଗଠନକୁ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କରୁଥିବା ପାଣ୍ଡିଆନ ନିଜର ପ୍ରତିନିଧି କରି ବବିଙ୍କୁ ଶଙ୍ଖଭବନ ପଠାଇଥିଲେ । ଆଉ ବଡ଼ମ୍ବାର ପ୍ରତ୍ୟାଖାତ ନେତା ନିଜର ରାଜନୀତିକ ଅସ୍ତିତ୍ୱ ବଂଚାଇବା ପାଇଁ ବବିଙ୍କୁ ମଧ୍ୟ ନବୀନଙ୍କ ପାଖରେ ବସିବାର ସୁଯୋଗ ଦେଇଥିଲେ । ଦୀର୍ଘବର୍ଷର ରାଜନୀତିକ ଅଭିଜ୍ଞତା ଥାଇ ମଧ୍ୟ ଦେବୀ ଏବେ ଅସ୍ତିତ୍ୱ ବଂଚାଇବା ପାଇଁ ମେରୁଦଣ୍ଡବିହୀନ ପାଲଟି ସବୁ ସାଂଗଠନିକ ପ୍ରସଙ୍ଗରେ  ଅଘୋଷିତ ଭାବେ ବବିଙ୍କୁ ରିପୋର୍ଟ କରୁଥିବା ଜଣାପଡ଼ିଛି ।

ନିର୍ବାଚନ ପରାଜୟ ପରଠୁ ବିଜେଡିରେ ବ୍ଲକଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଆଉ ସୁଯୋଗ ପାଇବାମାତ୍ରେ ନବୀନଙ୍କ ଆଗରେ ଦଳର ନେତା-କର୍ମୀମାନେ ପରାଜୟର କାରଣ କଥା କହି ନିଜର ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି । ଦଳୀୟ କର୍ମୀ ଓ ନେତାମାନଙ୍କ ତୀବ୍ର ବିରୋଧ ସତ୍ତ୍ୱେ ବବିଙ୍କ ମାଧ୍ୟମରେ ପାଣ୍ଡିଆନ ଦଳକୁ ନିୟନ୍ତ୍ରଣ କରିବା ଖୋଲାଖୋଲି ଭାବେ ନବୀନଙ୍କ ବିବଶତା ଓ ଅସହାୟତାକୁ ପଦାରେ ପକାଇ ଦେଇଛି । ‘ଧର୍ମକୁ ଆଖିଠାର ମାରିବା’ ଭଳି ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନଙ୍କ ଉପରେ ଅବ୍ୟକ୍ତ କାରଣରୁ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା ଓ ବବିଙ୍କୁ ପାଣ୍ଡିଆନ ନିଜ ସହ ରଖିବାର ବାଧ୍ୟବାଧତା ସେମାନଙ୍କ ମଧ୍ୟରେ ଥିବା ଅସାଧୁ ମେଂଟକୁ ଇସାରା କରୁଛି ବୋଲି ସାଧାରଣରେ ଚର୍ଚ୍ଚା ।

Related story