ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ କରିବେ ମେଗା ଶୋ’: ଦମ୍ ଦେଖାଇବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ସଫଳତା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯାଇ ପ୍ରାୟ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ। ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ଏବେ ସାଂଗଠନିକ ଦୃଷ୍ଟିରୁ ଦୁର୍ବଳ ଥିବା ଜିଲ୍ଲାରେ ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କଳାହାଣ୍ଡି ଓ […]

Naveen Patnaik

Naveen Patnaik

Ordigital Desk
  • Published: Thursday, 04 March 2021
  • Updated: 04 March 2021, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ସଫଳତା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯାଇ ପ୍ରାୟ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ। ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ଏବେ ସାଂଗଠନିକ ଦୃଷ୍ଟିରୁ ଦୁର୍ବଳ ଥିବା ଜିଲ୍ଲାରେ ନିଜର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କଳାହାଣ୍ଡି ଓ ସୁନ୍ଦରଗଡ଼ରେ ସରକାରୀ ଗସ୍ତ କାର୍ଯ୍ୟକ୍ରମରୁ ରାଜନୀତିକ ଫାଇଦା ନେଇଥିବା ବିଜେଡି ଅନୁରୂପ ଫର୍ମୂଲା ନୂଆପଡ଼ା ଜିଲ୍ଲା ପାଇଁ ଆପଣାଇଛି। ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତବେଳେ ବିଜେଡି ଉଭୟ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିବ। ଦଳର ପ୍ରାୟ ୧୨ମନ୍ତ୍ରୀ, ୪୦ ବିଧାୟକ, ବହୁ ଦଳୀୟ ପଦାଧିକାରୀଙ୍କୁ ନୂଆପଡ଼ାର ୫ଟି ବ୍ଲକ୍ ଓ ବଲାଙ୍ଗିରର ୩ଟି ବ୍ଲକ ଦାୟିତ୍ୱ ଆବଣ୍ଟନ ହୋଇଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳଠାରେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲାର ସମସ୍ତ ୫ଟି ବ୍ଲକ ଓ ବଲାଙ୍ଗିରର ୩ଟି ବ୍ଲକ ନିମନ୍ତେ ପ୍ରାୟ ୪ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ଲୋୟର ଇନ୍ଦ୍ର ଜଳଭଣ୍ଡାରର ଉଦଘାଟନ, ଖଡ଼ିଆଳ, ବୋଡେନ, ବଙ୍ଗମୁଣ୍ଡା,ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକକୁ ଜଳସେଚନ ସୁବିଧା, ଜଙ୍କ ଜଳସେଚନ ପ୍ରକଳ୍ପ ସମେତ ପ୍ରାୟ ୪ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖଡ଼ିଆଳରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ସେଠାରେ ଏକସଙ୍ଗେ ଏସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସରକାରୀସ୍ତରରେ ତତ୍ପରତା ରହିଥିବାବେଳେ ଶାସକ ବିଜେଡି ଏହି ଗସ୍ତବେଳେ ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ବଲାଙ୍ଗିରର ୩ଟି ବ୍ଲକ ଯଥା ବଙ୍ଗମୁଣ୍ଡା,ମୁରିବାହଲ ଓ ଟିଟିଲାଗଡ଼ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁ ଥିବାବେଳେ ସିନାପାଲି ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କୋମନା  ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ପ୍ରତାପ ଜେନା, ନୂଆପଡ଼ା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନବକିଶୋର ଦାସ ଥିବାବେଳେ ବୋଡେନ୍ ଓ ଖଡ଼ିଆଳ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସୁଜିତ୍ କୁମାର , ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ପ୍ରତାପ ଦେବ ରହିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଦ୍ମନାଭ ବେହେରା, ଅରୁଣ ସାହୁ ଓ ରଘୁନନ୍ଦନ ଦାସ ପ୍ରମୁଖଙ୍କ ସମେତ ୮ଟି ଯାକ ବ୍ଲକ ପାଇଁ ମୋଟ ୪୦ଜଣ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଏମାନଙ୍କ ବ୍ୟତୀତ ପ୍ରାୟ ୬୦ଜଣ ଦଳୀୟ ପଦାଧିକାରୀଙ୍କୁ ମଧ୍ୟ ଏହି ସବୁ ବ୍ଲକରେ ମୁତୟନ କରାଯିବ। ଏହି ନେତାମାନଙ୍କୁ ମାର୍ଚ୍ଚ ୮ତାରିଖ ରାତିସୁଦ୍ଧା ଖଡ଼ିଆଳ ଓ କଣ୍ଟାବାଞ୍ଜିରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୭ ପଂଚାୟତ ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ଏବେ ଫୋକସରେ ରଖି ଏସବୁ କାର୍ଯ୍ୟକ୍ରମ ହାତକୁ ନେଇଛି। ଗତ ପଂଚାୟତ ନିର୍ବାଚନରେ କଳାହାଣ୍ଡି, ସୁନ୍ଦରଗଡ଼ ଭଳି ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଦଳ ଖରାପ ପ୍ରଦର୍ଶନ କରିଥିଲା। ସାଧାରଣ ନିର୍ବାଚନରେ ମଧ୍ୟ ଦଳର ପ୍ରଦର୍ଶନ ଏହି ଜିଲ୍ଲାରେ ଅନ୍ୟ ସ୍ଥାନଗୁଡ଼ିକ ଭଳି ଉତ୍ସାହଜନକ ରହିନି। ତେଣୁ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ଦଳ ସେଠାରେ ଗାଁ ଗହଳିକୁ ଯାଇ ଲୋକଙ୍କ ସହ ମିଶି ସେମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରୟାସ କରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦିନ ରାଜ୍ୟର ଉପକୂଳ ଓ ଅନ୍ୟାନ୍ୟ ଅଂଚଳରୁ ଯାଇଥିବା ଦଳୀୟ ବିଧାୟକ ଓ ନେତାମାନେ ସେଠାରେ ସ୍ଥାନୀୟ ନେତାମାନଙ୍କ ସହ ମିଶି ରାଜ୍ୟ ସରକାରଙ୍କର ସଫଳତାର ବାର୍ତ୍ତା ସେହି ଅଂଚଳର ସାଧାରଣ ଲୋକଙ୍କ ପାଖରେ ପହଂଚାଇବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos