ଗାଁରେ ପ୍ରତି ଘରୁ ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି: ପଂଚାୟତିରାଜ ମନ୍ତ୍ରୀ

ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ପଂଚାୟତଗୁଡ଼ିକରେ କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା ନିମନ୍ତେ ପ୍ରତ୍ୟେକ ଘରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି ।

ପଞ୍ଚାୟତିରାଜ ମନ୍ତ୍ରୀ

  • Published: Tuesday, 20 August 2024
  • , Updated: 20 August 2024, 10:29 PM IST

 କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ ପଂଚାୟତଗୁଡ଼ିକରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି । ତେବେ ପଂଚାୟତରୁ ନିର୍ଗତ ଆବର୍ଜନାର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା ପାଇଁ ସରକାରଙ୍କ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ଶ୍ରୀ ନାଏକ ସ୍ପଷ୍ଟ କରିଛନ୍ତି ।

ଆଜି ବିଧାନସଭାରେ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ପଂଚାୟତଗୁଡ଼ିକରେ କଠିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା ନିମନ୍ତେ ପ୍ରତ୍ୟେକ ଘରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ରହିଛି । ଗ୍ରାମାଂଚଳରେ ଜୈବିକ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ନିମନ୍ତେ ବ୍ୟକ୍ତିଗତ ଓ ସାର୍ବଜନୀନ କମ୍ପୋଷ୍ଟ ପିଟ୍ ଓ ସୋକ୍ ପିଟର ବ୍ୟବସ୍ଥା ରହିଛି । ଗ୍ରାମାଂଚଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଓ ଫିକାଲ ସ୍ଲଜର ସୁପରିଚାଳନା ନିମନ୍ତେ ପଂଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସମସ୍ତ ଜିଳ୍ଲା, ସହରାଂଚଳ, ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଓ ଫିକାଲ ସ୍ଲଜ୍ ପରିଚାଳନାର ସୁବିଧା ପାଇଁ ୟୁଏଲବି ସହିତ ପଂଚାୟତଗୁଡ଼ିକର ଟ୍ୟାଗିଂ କରାଯାଇଛି ।

ତେବେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପଂଚାୟତ ଅଂଚଳରେ ବ୍ୟାପକ ଭାବେ ଆପାର୍ଟମେଂଟ, ଡୁପ୍ଲେକ୍ସ ଓ ବ୍ୟବସାୟିକ ବାସଗୃହ ପ୍ରକଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ସେଥିରୁ ନିର୍ଗତ ଆବର୍ଜନାର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା ପାଇଁ ସରକାରଙ୍କର ଏଯାବତ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।

ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଏହି ଉତ୍ତର ପରେ ଗ୍ରାମାଂଚଳରେ ପ୍ରତି ଘରୁ ଆବର୍ଜନା ସଂଗ୍ରହ ନିମନ୍ତେ ସାଧାରଣ ଲୋକେ ପଂଚାୟତଗୁଡ଼ିକ ଉପରେ ଚାପ ପକାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

Related story