କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଟାର୍ଗେଟରେ ପାଣ୍ଡିଆନ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟାଳୟର ଅଫିସରଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଏଠାରେ ବାଟମାରଣା କରାଯାଉଛି ତଥା ନବୀନ ପଟ୍ଟନାୟକ ଓ ବିଜେଡିର ବ୍ରାଣ୍ଡିଂ ପାଇଁ ବ୍ୟବହାର ହେଉଛି ବୋଲି ଅଭିଯୋଗ କରିଛନ୍ତି। ଏହାସହିତ ସେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କୁ […]

Biswaswar Tudu

Ordigital Desk
  • Published: Saturday, 19 February 2022
  • , Updated: 19 February 2022, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟାଳୟର ଅଫିସରଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଏଠାରେ ବାଟମାରଣା କରାଯାଉଛି ତଥା ନବୀନ ପଟ୍ଟନାୟକ ଓ ବିଜେଡିର ବ୍ରାଣ୍ଡିଂ ପାଇଁ ବ୍ୟବହାର ହେଉଛି ବୋଲି ଅଭିଯୋଗ କରିଛନ୍ତି। ଏହାସହିତ ସେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି।

ପଂଚାୟତ ନିର୍ବାଚନ ପ୍ରଚାରରେ ମୟୂରଭଞ୍ଜ ଜିଲ୍ଲାର ୨ ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଉଦଳା ବ୍ଲକର କୋଚିଲାଦିସା ପଂଚାୟତରେ ଏକ ନିର୍ବାଚନୀ ସଭାରେ ଭୋଟ ମାଗିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଅଫିସରଙ୍କୁ କଡ଼ା ସମାଲୋଚନା ସହ ବିଜେଡି ସରକାରର ବିଫଳତା ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଥିଲେ ଯେ,ବିଭିନ୍ନ ଜନକଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ଦେଉଥିବା ପାଣ୍ଠିକୁ ଓଡ଼ିଶାରେ ଲୁଟ୍ କରାଯାଉଛି। ଆଦିବାସୀ, ଚାଷୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀ ଓ ବିଜେଡିର ପ୍ରଚାର ନିମନ୍ତେ ଖର୍ଚ୍ଚ କରାଯାଉଛି । କେନ୍ଦ୍ରରେ ଥିବା ମୋଦି ସରକାର ଗଢ଼ୁଥିବାବେଳେ ଏଠି ନବୀନ ସରକାର ଭାଙ୍ଗିବାରେ ବ୍ୟସ୍ତ । ବିଜୁ ସ୍ୱାସ୍ଥ୍ୟ କାର୍ଡ କେବଳ ଏକ ଭାଣ୍ଡାମି । କେନ୍ଦ୍ର ଚାଉଳ ଦେଉଛି, ଏଠି ଶଙ୍ଖ ଚିହ୍ନ ଲଗାଇ ପ୍ରଚାର କରାଯାଉଛି । ସେହିପରି ମହିଳାମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଆରମ୍ଭ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ଓଡ଼ିଶାରେ ‘ମିଶନ ଶକ୍ତି’ ନାଁରେ ନାମିତ ହୋଇଛି । ଆଉ ଏହାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନଙ୍କ ପତ୍ନୀ ନେଇଛନ୍ତି । ତାଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି । ପାଣ୍ଡିଆନ ତାମିଲନାଡୁରୁ ଆସିଲେ, ଶଙ୍ଖ ଚିହ୍ନକୁ ଭୋଟ ଦେଇ ଆମେ ଏଠି ସରକାର ଗଢ଼ାଇଲେ । ଆଉ ପାଣ୍ଡିଆନଙ୍କ ପତ୍ନୀ ଏବେ ମହିଳାମାନଙ୍କୁ ବଣା କରାଉଛି । ନିର୍ବାଚନବେଳେ ୧୦ହଜାର/୧୫ହଜାର ଟଙ୍କା ସେ ବାଣ୍ଟୁଛନ୍ତି ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମଧ୍ୟ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିର୍ବାଚନରେ ଲଗାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଶାସକ ବିଜେଡି ସପକ୍ଷରେ ମହିଳା ଏସଏଚଜି ଗ୍ରୁପ୍ ଭୋଟ ଗୋଟାଉଛନ୍ତି । ମିଶନ ଶକ୍ତିର ଅଫିସରମାନେ ବିଜେଡି ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏସଏଚଜିଙ୍କୁ ଋଣ ଆକାରରେ ରାଜ୍ୟ ସରକାର ୨୫ହଜାର ଟଙ୍କା ଦେଇଛନ୍ତି ଓ ଏହାକୁ ବିଜେଡି ଦେଇଛି ବୋଲି ଚାରିଆଡ଼େ ପ୍ରଚାର କରାଯାଉଛି । ତେବେ ନିର୍ବାଚନ ଚାଲିଥିବାବେଳେ କେଉଁ ଆଧାରରେ ସରକାର ଏହି ଋଣ ପ୍ରଦାନ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ଡିପିଏମ, ବିପିଏମ, ଏମବିକେ, ସିଆରପି ଓ ମିଶନଶକ୍ତିର ଦାୟିତ୍ୱରେ ଥିବା ସମସ୍ତଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଜେଡିର ଦଳୀୟ କାର୍ଯ୍ୟରେ ବ୍ୟବହାର ନକରିବାକୁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତିି ।

ସେ କହିଛନ୍ତି ଯେ, ବ୍ଲକ ସ୍ତରରେ ଏସଏଚଜି ଓ ମହାସଂଘ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ରେଜିଷ୍ଟର ମେଂଟେନ କରାଯାଉନାହିଁ । ଯାହାଫଳରେ ଶାସକ ବିଜେଡି ସମର୍ଥିତ ଏସଏଚଜି ଗ୍ରୁପମାନଙ୍କୁ ବାରମ୍ବାର ରିଭଲଭିଂ ଫଣ୍ଡ୍ ୧୦ହଜାର ଟଙ୍କା ଲେଖାଏଁ ଦିଆଯାଉଥିବାବେଳେ ଥରେ ବି ପାଇନଥିବା ଗୋଷ୍ଠୀମାନଙ୍କୁ ରିଭଲିଂ ଫଣ୍ଡରୁ ସମ୍ପୂର୍ଣ୍ଣ ବଂଚିତ କରାଯାଉଛି । ଏଭଳି ପକ୍ଷପାତ ଆଚରଣ ମହିଳା ସଶକ୍ତିକରଣରେ ବାଧକ ସାଜିଛି ଓ ଏହା କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି ବୋଲି ପ୍ରମାଣିତ ହୋଇଛି । ରାଜ୍ୟର ବିଜେଡି ସରକାରଙ୍କ ଏଭଳି ରୁଗଣ ମାନସିକତା ବିରୁଦ୍ଧରେ ଏକାଠି ହେବା ସହ ସେମାନଙ୍କୁ କଡ଼ା ଜବାବ ଦେବାକୁ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Related story