ନିର୍ବାଚନ ଆସିଲେ ସରକାର ଖେଳନ୍ତି ଭାଷା କାର୍ଡ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ‘ ଓଡ଼ିଆ ଭାଷା’ ପ୍ରୀତିକୁ ନେଇ ଯେମିତି ଲମ୍ବାଚଉଡ଼ା ସ୍ୱପ୍ନ ଦେଖାଇଥିଲେ ଆଜି ଅନୁରୂପ ଢଙ୍ଗରେ ଆଉ କିଛି ସ୍ୱପ୍ନ ସେଥିରେ ଯୋଡ଼ି ରାଜ୍ୟବାସୀଙ୍କୁ ପୁଣି ଭଣ୍ଡେଇବାକୁ ଉଦ୍ୟମ କରିଛନ୍ତି। ୨୦୧୭ ଡିସେମ୍ବର ୨୬ରେ ରାଜ୍ୟ ଐତିହ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ୨୦ଟି ପ୍ରସ୍ତାବକୁ ୨୦୧୮ ମସିହା ଶେଷ ସୁଦ୍ଧା କାର୍ଯ୍ୟକାରୀ ନିମନ୍ତେ ସମୟସୀମା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଆଧାରରେ ଆଉ ୧୮ଟି ପ୍ରସ୍ତାବକୁ ଫାଇଭ-ଟି ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ୧୮ଟି ନିଷ୍ପତ୍ତି ସମ୍ପର୍କରେ ଆଜି ବିଧାନସଭାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛଛନ୍ତି।
ତେବେ ନିର୍ବାଚନ ଆସିଲେ ‘ଭାଷା’ କାର୍ଡ ଖେଳୁଥିବା ନବୀନ ପଟ୍ଟନାୟକ ସରକାର ୨୦୧୭ ଡିସେମ୍ବର ୨୬ରେ ନେଇଥିବା କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ଯେଉଁ ୨୦ଟି ପ୍ରସ୍ତାବ ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ ସେଥିରୁ ଏବେବି ଅଧାରୁ ଅଧିକ ନିଷ୍ପତ୍ତି କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଇଛି । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସରକାରୀସ୍ତରରେ ସାମାନ୍ୟ ଉଦ୍ୟମ ହୋଇନାହିଁ କିମ୍ବା ବିଶ୍ୱ ଭାଷା ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟରେ ଏହାକୁ ସ୍ଥାନିତ କରାଯାଇନି ।
ଆଜି ମନ୍ତ୍ରୀ ଶ୍ରୀ ପାତ୍ର ବିଧାନସଭାରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ଫାଇଭ-ଟି ଅଧ୍ୟକ୍ଷଙ୍କ ଆଲୋଚନା ଆଧାରରେ ମୁଖ୍ୟମନ୍ତ୍ରୀ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।
ସେଥିରେ ଓଡ଼ିଆ ଭାଷାରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଗବେଷଣା ନିମନ୍ତେ ୧୦କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ ଓ ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ । ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ୱିତ କରିବା ପାଇଁ ପ୍ରତିବର୍ଷ ଆନ୍ତର୍ଜାତିକ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ହେବ । ପ୍ରଥମ ପର୍ଯ୍ୟାୟରେ ୧୫୦୦ ହାଇସ୍କୁଲରେ ସ୍ୱତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଓ ନିର୍ଦ୍ଧିଷ୍ଟ ସମୟସୀମାରେ ସମସ୍ତ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି, ୧୦୦ବର୍ଷରୁ ଅଧିକ ସ୍କୁଲ ଓ କଳେଜକୁ ୧କୋଟି ଟଙ୍କା ଓ ସ୍ୱାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨କୋଟି ଟଙ୍କାର ଅନୁଦାନ ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଦିଆଯିବ । ଏକ ସ୍ୱତନ୍ତ୍ର ଅନୁବାଦ ନୀତି ପ୍ରଣୟନ କରି ଦେଶବିଦେଶର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦର ବ୍ୟବସ୍ଥା କରାଯିବ।
ଏହାସହିତ ଓଡ଼ିଆ ଶବ୍ଦକୋଷ କମିଟି ଗଠନ, ଓଡ଼ିଆ ଭାଷାରେ ବିଜ୍ଞାନ-ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ ନିମନ୍ତେ ଏକ ମଧ୍ୟବର୍ତ୍ତୀକାଳୀନ ନୀତି ପ୍ରଣୟନ, ପ୍ରତିବର୍ଷ ଓଡ଼ିଆ ଭାଷାର ୧୦୦ଜଣ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ‘ମୁଖ୍ୟମନ୍ତ୍ରୀ କପ’ ଆରମ୍ଭ ହେବ । ଦେଶବିଦେଶରେ ଓଡ଼ିଆ ପାଠାଗାର ସ୍ଥାପନ, କଟକସ୍ଥିତ ପ୍ରିଣ୍ଟି ମ୍ୟୁଜିୟମକୁ ‘ଜାତୀୟ ମ୍ୟୁଜିୟମ’ରେ ପରିବର୍ଦ୍ଧିତ, ଓଡ଼ିଆ ଭାଷାରେ ଶିଶୁ ସାହିତ୍ୟର ବିକାଶ ପାଇଁ ସରକାରୀ ସହଯୋଗ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ୨୦୧୭ ଡିସେମ୍ବର ୨୬ରେ ଐତିହ୍ୟ କ୍ୟାବିନେଟରେ ପାରିତ ପ୍ରସ୍ତାବକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ୨୦୧୮ ଜାନୁୟାରୀ ୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ ବର୍ମା ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ପାଇଁ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ଆଧାରରେ ୨୦ଟି ପ୍ରସ୍ତାବକୁ ୨୦୧୮ ମସିହା ଶେଷ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ସମୟ ମଧ୍ୟ ଦେଇଥିଲେ । କିନ୍ତୁ ପରିତାପର ବିଷୟ କ୍ୟାବିନେଟଙ୍କ ଏହି ନିଷ୍ପତ୍ତି କେବଳ ଘୋଷଣାରେ ରହିଯାଇଛି ।
ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ୨୦୧୮ ଫେବୃୟାରୀ ସୁଦ୍ଧା ‘ଓଡ଼ିଆ ଭାଷା କମିଶନ’ ଗଠନ କରିବା ପାଇଁ ସମୟସୀମା ଦିଆଯାଇଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିନି । ସବୁ ହାଇସ୍କୁଲରେ ଲାଇବ୍ରେରୀ ସ୍ଥାପନ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ସହଜ ଶିକ୍ଷାପ୍ରଣାଳୀ ସହ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତି, ପ୍ରତିଜିଲ୍ଲାରେ ପବ୍ଳିକ ଲାଇବ୍ରେରୀ ଓ ସ୍ମାର୍ଟ ଲାଇବ୍ରେରୀ ସ୍ଥାପନ, ଓଡ଼ିଆ ସଫ୍ଟୱେୟାର ପ୍ରସ୍ତୁତିରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରତିବର୍ଷ ପୁରସ୍କୃତ କରାଯିବ, ଓଡ଼ିଆ ଭାଷା ଓ ଅନ୍ୟାନ୍ୟ ଭାଷାର ସାହିତ୍ୟକୃତିକୁ ଅନୁବାଦ, ରାଜ୍ୟ ଭିତରେ ସମସ୍ତ ସରକାରୀ ଉତ୍ସବ ଓଡ଼ିଆ ଭାଷାରେ ପରିଚାଳନା, ଓଡ଼ିଆ ଭାଷା ସାହିତ୍ୟରେ ପିଏଚଡି ସିଟ୍ ସଂଖ୍ୟା ବୃଦ୍ଧି, ୨୦୧୮ ଜାନୁୟାରୀ ଶେଷସୁଦ୍ଧା ସ୍ୱତନ୍ତ୍ର ପୋର୍ଟାଲ ଖୋଲି ଓଡ଼ିଆ ଭାଷାରେ ନାମଫଳକ ଲଗାଉନଥିବା ଦୋକାନୀ ଓ ବ୍ୟବସାୟ ସଂସ୍ଥା ବିରୁଦ୍ଧରେ ଦଣ୍ଡବିଧାନ ଆଦି ନିଷ୍ପତ୍ତିକୁ ଏବେବି ରାଜ୍ୟ ସରକାର କାର୍ଯ୍ୟକାରୀ କରିବାରେ ବିଫଳ ରହିଛନ୍ତି ।
ତେବେ ରାଜ୍ୟ ସରକାର ଯଦି ବାସ୍ତବରେ ଓଡ଼ିଆ ଭାଷାର ପ୍ରଚାର, ସୁରକ୍ଷା ଓ ସଂରକ୍ଷଣ ଚାହାଁନ୍ତି ତା’ହେଲେ ଆବଶ୍ୟକ କ୍ଷମତାସହ ତୁରନ୍ତ ‘ଓଡ଼ିଆ ଭାଷା କମିଶନ’ ଗଠନ କରି ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ଗଠନର ମୌଳିକତାକୁ ରକ୍ଷା କରିପାରନ୍ତେ । କିନ୍ତୁ ସେଭଳି ନକରି କେବଳ ନିର୍ବାଚନକୁ ଆଖିରେ ରଖି ସରକାର ଓଡ଼ିଆଙ୍କୁ ଭଣ୍ଡେଇବା ପାଇଁ ଭାଷା କାର୍ଡ ଖେଳୁଥିବା ସାଧାରଣରେ ଚର୍ଚ୍ଚା।