ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ୭ମାସ ପୂରଣ କରିବାକୁ ଯାଉଛି । ତଥାପି ବିଜେଡି ସରକାରର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଅଫିସର ଟିମ୍ ନିଜ ନିଜର କୁର୍ସି ମାଡ଼ି ବସି ରହିଛନ୍ତି । ନା ସେମାନଙ୍କ ବିଭାଗ ବଦଳୁଛି, ନା ପାଣ୍ଡିଆନ ଶାସନରେ ରାତାରାତି ଘୋଷଣା ହେଉଥିବା ଯୋଜନା ଓ ତା’ର କାର୍ଯ୍ୟକାରିତାରେ ହୋଇଥିବା ଅନିୟମିତତାର ତଥ୍ୟ ପଦାକୁ ଆସିପାରୁଛି । ପାଣ୍ଡିଆନ ସିଣ୍ଡ୍ରୋମରେ କବଳିତ ଏହି ଅଫିସରମାନଙ୍କ ବିଭାଗ ବଦଳିବା ପାଇଁ କିଏ କେଉଁଠି ବାଟ ଓଗାଳୁଛି ତାକୁ ନେଇ ସସପେନ୍ସ ଲାଗି ରହିଛି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।
ସୂଚନା ଅନୁସାରେ, ୨୦୧୧ ବ୍ୟାଚ୍ ଆଇଏଏସ୍ ଶ୍ରୀ ଡାକୁଆ ଆଜି ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ହଟାଇ ଦିଆଯାଇଥିଲା । ଶ୍ରୀ ଡାକୁଆଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଇଏଏସ୍ ମନୋଜ ସାହୁ ଓ ଅନୁପମ ଶାହଙ୍କ ମଧ୍ୟରୁ ଜଣଙ୍କୁ ଆନୁଷ୍ଠାନିକ ଦାୟିତ୍ୱ ମିଳିପାରେ ବୋଲି ଜଣାପଡ଼ିଛି । ତେବେ ଶ୍ରୀ ଡାକୁଆଙ୍କୁ କାହିଁକି ଅଚାନକ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ(ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ)ରୁ ହଟାଇ ଦିଆଗଲା ତାକୁ ନେଇ ପାୱାର କରିଡରରେ ନାନାଦି ଚର୍ଚ୍ଚା ଲାଗି ରହିଛି । ଗତକାଲି ତାଙ୍କ ବଦଳି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଛି ସମୟ ପାଇଁ ଦ୍ୱନ୍ଦ୍ୱ ମଧ୍ୟ ଲାଗି ରହିଥିଲା ।
ଅନ୍ୟପକ୍ଷରେ, ବିଜେଡି ଶାସନ କାଳରେ ପାଣ୍ଡିଆନଙ୍କ ଖାସ୍ ଅଫିସର ଭାବେ ପରିଚିତ ଥିବା ଅଧ ଡଜନରୁ ଅଧିକ ଆଇଏଏସ୍ ଏବେବି ନିଜର ପୁରୁଣା ଗାଦି ମାଡ଼ିବସି ରହିଛନ୍ତି । ୟେ ହେଉଛନ୍ତି ସେହି ଆଇଏଏସ୍ ଅଫିସରମାନେ ଯାହାଙ୍କ ସହଯୋଗରେ ପାଣ୍ଡିଆନ ନିର୍ବାଚନକୁ ଆଖିରେ ରଖି ରାତାରାତି ଯୋଜନା ଘୋଷଣା ସହ କାର୍ଯ୍ୟକାରୀ କରିବାକୁ ମଧ୍ୟ ସକ୍ଷମ ହେଉଥିଲେ । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ,ଉଚ୍ଚଶିକ୍ଷା ଓ କୃଷି ଭଳି ବିଭାଗର ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସରମାନେ ବିଜେଡି ଶାସନକାଳରେ ଯେଭଳି ପାୱାରଫୁଲ୍ ଥିଲେ ଏବେବି ସମାନ ସୁବିଧା ଓ ଇକୋସିଷ୍ଟମରେ ରହିଛନ୍ତି ।
ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ଜଳସମ୍ପଦ ପ୍ରକଳ୍ପଗୁଡ଼ିକର ସମୀକ୍ଷା ସହ କୋଟିକୋଟି ଟଙ୍କା ପ୍ରକଳ୍ପର ମଞ୍ଜୁରୀ ଘୋଷଣା କରୁଥିଲେ । ସେତେବେଳେ ଆଇଏଏସ୍ ଅନୁ ଗର୍ଗ ବିଭାଗୀୟ ସଚିବ ଭାବେ ତାଙ୍କ ସହ ରହୁଥିଲେ । ଶ୍ରୀମତୀ ଗର୍ଗ ୨୦୨୦ ଜୁଲାଇ ମାସରୁ ଏହି ବିଭାଗର ଦାୟିତ୍ୱରେ ଅଛନ୍ତି । ବିଜେପି ସରକାର ଆସିବା ପରେ ମଧ୍ୟ ତାଙ୍କ ଗାଦି ୭ମାସ ହେଲା ସୁରକ୍ଷିତ ରହିଛି ।
ସେହିପରି ‘ନୂଆ ଓ ଓଡ଼ିଶା’ ଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ପାଖାପାଖି ହଜାରେ କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିଦେଲେ ପାଣ୍ଡିଆନ । ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲା । ସେହି ଯୋଜନାକୁ ନେଇ ତତକାଳୀନ ବିରୋଧୀ ଦଳ ବିଜେପି ବେଶ୍ ହୋ-ହାଲ୍ଲା କରିଥିଲା । କିନ୍ତୁ ଏବେ ଶ୍ରୀ ଅଗ୍ରୱାଲ ଉକ୍ତ ବିଭାଗରେ ଅଛନ୍ତି, ଆଉ ପାଣ୍ଡିଆନଙ୍କ ଶାସନରେ ସେହି ଯୋଜନା ଅର୍ଥ ସଠିକ୍ ଢଙ୍ଗରେ ହୋଇଥିଲା କି ନାହିଁ ତା’ର ଖୋଳତାଡ଼ ମଧ୍ୟ ହେଉନାହିଁ ।
ସେହିପରି ‘ଲକ୍ଷ୍ମୀ ବସ୍’ ଯୋଜନା ନାଁରେ ରାଜକୋଷରୁ ପ୍ରାୟ ୨ହଜାର କୋଟି ଟଙ୍କା ବ୍ୟୟ କରାଗଲା । ଏହି ଯୋଜନାକୁ ତତକାଳୀନ ବିଜେଡି ସରକାର ନିଜର ରାଜନୀତିକ ପ୍ରଚାର ଉଦ୍ଦେଶ୍ୟରେ ଉପଯୋଗ କଲା । ଯୋଜନାକୁ ନେଇ ସେତେବେଳେ ବିଜେପି କଡ଼ାଭାଷାରେ ବର୍ଷିବା ସହ ଦୁର୍ନୀତିର ଗନ୍ଧ ବାରିଥିଲା । ଗଣମାଧ୍ୟମର ମୁହଁ ବନ୍ଦ ପାଇଁ ବି ବିଜେଡି ସରକାର ପୃଷ୍ଠାପୃଷ୍ଠା ବିଜ୍ଞାପନ ଦେବାକୁ ପଛାଇ ନଥିଲା । ୨୦୨୨ ଡିସେମ୍ବରରୁ ସେହି ବିଭାଗର ସଚିବ ଥିବା ଉଷା ପାଢ଼ୀ ସେତେବେଳେ ଏସବୁ ତଦାରଖ କରୁଥିଲେ, ସେ ଏବେବି ସେହି ବିଭାଗର ଦାୟିତ୍ୱରେ ରହିଛନ୍ତି ।
ସେହିପରି ପାଣ୍ଡିଆନ ଶାସନରେ ଆଉଜଣେ ଖାସ୍ ଅଫିସର ହେଲେ ସଞ୍ଜୟ କୁମାର ସିଂହ । ଯାହାଙ୍କୁ ୨୦୨୨ ଜୁନରୁ ସୂଚନା ଓ ଲୋକସମ୍ପର୍କ ବିଭାଗ(ନିର୍ବାଚନୀ ବର୍ଷରେ ପ୍ରଚାରପ୍ରସାର ଦାୟିତ୍ୱ), ୨୦୨୨ ଅଗଷ୍ଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଳି ଦୁହାଁଳିଆ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଥିଲା। ସେ ଏବେବି ସେହି ଦୁଇ ବିଭାଗ ସମ୍ଭାଳୁଛନ୍ତି । ଆଉ ବିଜେପି ସରକାର ତାଙ୍କୁ ପୁରସ୍କାର ସ୍ୱରୂପ ନଭେମ୍ବର ମାସରେ ଆଉ ଏକ ବିଭାଗ(ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ) ଦେଇଛନ୍ତି । ସେହିପରି ପୂର୍ତ୍ତ ବିଭାଗର ସଚିବ ଭିଭି ଯାଦବ ୨୦୨୨ ମାର୍ଚ୍ଚରୁ ଦାୟିତ୍ୱରେ ରହିଛନ୍ତି।
ଏହି ଅଫିସରମାନେ ଯେଉଁସବୁ ବିଭାଗ ଦାୟିତ୍ୱରେ ଅଛନ୍ତି, ସେସବୁ ବିଭାଗକୁ ସାଧାରଣତଃ ଦୁହାଁଳିଆ ବିଭାଗ ଭାବେ ବିବେଚନା କରାଯାଏ ଓ ଏସବୁ ବିଭାଗରେ ଅଧିକ ଅର୍ଥ ଆବଂଟନ ମଧ୍ୟ ହୋଇଥାଏ । କିନ୍ତୁ ସରକାର ଯିବାପରେ ମଧ୍ୟ କେଉଁ ଅଦୃଶ୍ୟ କାରଣରୁ ଓ କାହା ସୁରକ୍ଷାରେ ଏହି ଅଫିସରମାନେ କେମିତି ନିଜର ଗାଦି ମାଡ଼ିବସି ରହିବାରେ ସକ୍ଷମ ହୋଇଛନ୍ତି, ତାହା କେହି ଟେର ପାଉନାହାନ୍ତି । ପାଣ୍ଡିଆନଙ୍କ ଇକୋସିଷ୍ଟମରୁ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥା ମୁକୁଳିପାରୁନି ନା ଅଦୃଶ୍ୟ ଭୟର ବାତାବରଣ ସୃଷ୍ଟି କରାଯାଇ ବିଜେପି ସରକାରଙ୍କୁ ‘ବ୍ଲାକମେଲ’ ପାଇଁ ଅପଚେଷ୍ଟା କରାଯାଉଛି ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।