ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଭୁଷୁଡ଼ୁଥିବା ନିଜର ଗଡ଼କୁ ବଂଚାଇବା ପାଇଁ ବିଜେଡି ପୁଣିଥରେ ଦଳିୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚଳିତ ନିର୍ବାଚନରେ ପଶ୍ଚିମଓଡ଼ିଶାରୁ ପ୍ରାର୍ଥୀ କରିଛି । ୨୦୧୯ ସାଧାରଣ ନିର୍ବାଚନ ଭଳି ନବୀନ ନିଜର ପାରମ୍ପରିକ ହିଞ୍ଜଳି ଆସନ ସହ ବିଜେପୁର ବଦଳରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ । ତେବେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ଏହି ଆସନରୁ ନବୀନଙ୍କୁ ଲଢ଼ାଇବା ପାଇଁ ବିଜେଡି କାହିଁକି ନିଷ୍ପତ୍ତି ନେଲା, କ’ଣ ରହିଛି ଦଳର ରଣନୀତି ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ୨୦୧୯ ନିର୍ବାଚନରେ ନବୀନ ବିଜେପୁରରୁ ଲଢ଼ିଥିଲେ ମଧ୍ୟ ବିଜେଡିକୁ ବିଶେଷ ଫାଇଦା ମିଳିନଥିଲା, ଓଲଟା ପଶ୍ଚିମଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନ ବିଜେପି ଖାତାକୁ ଚାଲିଯାଇଥିଲା ।
ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଭୋଟର ନୂଆ ଢଙ୍ଗରେ ଭୋଟ ବିଭାଜନ କରି ସମସ୍ତ ୫ଟି ଲୋକସଭା ଆସନକୁ ବିଜେପି ହାତକୁ ଟେକି ଦେଇଥିଲେ । ନବୀନ ନିଜେ ବରଗଡ଼ ସଂସଦୀୟ କ୍ଷେତ୍ରର ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ସେହି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜିତାଇବାରେ ସକ୍ଷମ ହୋଇପାରିନଥିଲେ । ପଶ୍ଚିମଓଡ଼ିଶାର ଭୋଟରମାନେ ସୁନ୍ଦରଗଡ଼ ସମେତ ବରଗଡ଼, ସମ୍ବଲପୁର,କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଭୋଟରଙ୍କ ଏଭଳି ଭୋଟ ବିଭାଜନର ଫାଇଦା ମଧ୍ୟ ବିଜେପିକୁ ଭୁବନେଶ୍ୱର ଓ ବାଲେଶ୍ୱର ଆସନରେ ମିଳିଥିଲା ତଥା ଦଳ ଏହି ଦୁଇ ଲୋକସଭା ଆସନକୁ ମଧ୍ୟ ଜିତିଥିଲା । ବିଜେପି ମୋଟ ୨୧ରୁ ୮ଟି ଲୋକସଭା ଆସନ ହାତେଇଥିଲା ।
ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ପଶ୍ଚିମଓଡ଼ିଶାର ସବୁ ଲୋକସଭା ଆସନକୁ ଜିତିବାର ଯେଭଳି ଏକତରଫା ସଫଳତା ମିଳିଥିଲା, ଅନୁରୂପ ସଫଳତା ବିଧାନସଭା ଆସନରେ ମିଳିପାରିନଥିଲା । ୨୦୧୪ରେ ବିଜେପି ମୋଟ ୧୦ରୁ ୮ଟି ଆସନ ପଶ୍ଚିମଓଡ଼ିଶାରୁ ଜିତିଥିବାବେଳେ ୨୦୧୯ରେ ବି ଅନୁରୂପ ଭାବେ ଏହି ଅଂଚଳରୁ ୮ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲା ଅଧୀନରେ ୫ ସଂସଦୀୟ କ୍ଷେତ୍ର ଓ ୩୩ଟି ବିଧାନସଭା ରହିଛି । ୨୦୧୯ରେ ଏଥିରୁ ବିଜେଡିକୁ ୨୦ଟି,ବିଜେପିକୁ ୮ଟି, କଂଗ୍ରେସକୁ ୪ଟି ଓ ସିପିଏମକୁ ଗୋଟିଏ ଆସନ ମିଳିଥିଲା ।
ତେବେ ୨୦୧୯ରେ ବିଜେଡି ପାଇଁ ସର୍ବାଧିକ ବିପର୍ଯ୍ୟୟ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନରେ ହୋଇଥିଲେ ମଧ୍ୟ ଦଳ ଏଥର ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିଛି । ସୋନପୁର ଜିଲ୍ଲାର ୨ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ଆସନକୁ ମିଶାଇ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଗଠିତ । ବଲାଙ୍ଗୀରର ୫ଟିରୁ ୨ଟି କଂଗ୍ରେସ ଓ ଗୋଟିଏ ବିଜେପି ପାଖକୁ ଯାଇଥିଲା । ବିଜେଡି ସେଠାରେ ଭଙ୍ଗାଗଢ଼ା ରାଜନୀତି କରିବାକୁ ପ୍ରୟାସ କରି ଫେଲ୍ ମାରିବା ପରେ ନିଜର ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଛି ।
ବଲାଙ୍ଗୀରର କଣ୍ଟାବାଞ୍ଜିରେ ନବୀନ ପ୍ରାର୍ଥୀ ହେବାର ସମ୍ଭାବ୍ୟ କାରଣ...
୧- ପଶ୍ଚିମଓଡ଼ିଶାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଜୋର ଧରିଛି । କଂଗ୍ରେସ ସାଂସଦ ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ର ‘କୋଶଳୀ’ କାର୍ଡକୁ ଖେଳି କଂଗ୍ରେସ ଭୋଟକୁ ଏକଜୁଟ କରିବାର ସମ୍ଭାବନା ରହିଛି । ନରସିଂହ ମିଶ୍ର ଓ ସନ୍ତୋଷସିଂ ସାଲୁଜାଙ୍କ ଭଳି ପୁରୁଖା କଂଗ୍ରେସ ନେତା ମଧ୍ୟ ସେଠାରେ ଅଛନ୍ତି । ତେଣୁ ଆଂଚଳିକ ବୈଷମ୍ୟ ଓ ଅଂଚଳର ବିକାଶର କଥା କହି କଂଗ୍ରେସ ‘କୋଶଳ’ରାଜ୍ୟ ଗଠନ ଦାବିକୁ ସ୍ଥାନୀୟସ୍ତରରେ ଜୋରଦାର କରିପାରେ । ଯାହାର ପ୍ରଭାବ ପଶ୍ଚିମଓଡ଼ିଶାର ଅନ୍ୟ ଜିଲ୍ଲାରେ ପଡ଼ିବାର ଆଶଙ୍କା ରହିଛି । ତେଣୁ ବିଜେଡି ଏହାର ମୁକାବିଲା ପାଇଁ ନବୀନଙ୍କୁ ସେଠାରେ ମଇଦାନକୁ ଓହ୍ଲାଇଥାଇପାରେ ।
୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ରାଜ୍ୟରେ ବେଶ୍ ଅଧିକ ରହିଛି । ସବୁ ସର୍ଭେ ମଧ୍ୟ ଏହାର ସଙ୍କେତ ଦେଉଛନ୍ତି । ପଶ୍ଚିମଓଡ଼ିଶାରେ ବିଜେଡିର ଚେହେରା ବିବାଦୀୟ ଦିବ୍ୟଶଙ୍କର ମିଶ୍ର ଓ ସୁଶାନ୍ତ ସିଂଙ୍କ ଯୋଗୁ ଦଳର ଭାବମୂର୍ତ୍ତି ନଷ୍ଟ ହୋଇଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଓ ଉକ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତର ଜେଲ ଭିତରେ ସନ୍ଦେହଜନକ ଆତ୍ମହତ୍ୟା ସହ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ବିଜେଡିର ଭାବମୂର୍ତ୍ତି ନଷ୍ଟ କରିଛି । ତେଣୁ ନରେନ୍ଦ୍ର ମୋଦିଙ୍କ ଲୋକସଭା ପ୍ରାର୍ଥୀ(ବିଜେପିର) ଭୋଟ ଦେବାକୁ ଯାଇ ଯଦି ଭୋଟ ବିଭାଜନ( ସ୍ପ୍ଲିଟ୍ ଭୋଟିଂ) ହେଲେ ତା’ର ସିଧାସଳଖ ପ୍ରଭାବ ବିଧାନସଭା ପ୍ରାର୍ଥୀଙ୍କ ଭୋଟ ଉପରେ ପଡ଼ିବ ଓ ବିଜେଡିର ବେଶୀ କ୍ଷତି ହେବାର ଆଶଙ୍କା ରହିଛି । ତେଣୁ ପଶ୍ଚିମଓଡ଼ିଶାରେ ଏହି ଭୋଟ ବିଭାଜନକୁ ରୋକିବା ପାଇଁ ‘ଓଡ଼ିଶାରେ ନବୀନ’କୁ ଜୋରଦାର ଢଙ୍ଗରେ ଦଳ ଉଠାଇବ ।
୩- ପଶ୍ଚିମଓଡ଼ିଶା ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ସେଠାରେ ନିଜକୁ ନମ୍ବର-ଟୁ କରିଛି । ବିଜେପିର ଭୋଟହାର ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ତେଣୁ ବିଜେପିକୁ ରୋକିବା ପାଇଁ ନବୀନଙ୍କୁ ଦଳ ପ୍ରାର୍ଥୀ କରିବା ସହ କଂଗ୍ରେସର ଗଡ଼ ଥିବା ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେବାକୁ ପ୍ରୟାସ କରିଛି । ପଶ୍ଚିମଓଡ଼ିଶାରେ ବଲାଙ୍ଗୀର ଏକମାତ୍ର ଜିଲ୍ଲା ଯେଉଁଠି କଂଗ୍ରେସ ୨ଟି ଆସନକୁ ନିଜ ପାଖରେ ରଖିଛି ।
୪- ୨୦୧୯ ନିର୍ବାଚନରେ ନବୀନ ବରଗଡ଼ ସଂସଦୀୟ କ୍ଷେତ୍ରର ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ୫୭ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବରଗଡ଼ ଲୋକସଭା କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିଲା ମାତ୍ର ଲୋକସଭା ଆସନଟି ବିଜେପିକୁ ପଳାଇଥିଲା । ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କୁ ୫୧% ଭୋଟ୍ ମିଳିଥିବାବେଳେ ସାଂସଦ ପ୍ରାର୍ଥୀଙ୍କୁ ୪୧.୪୫% ଭୋଟ୍ ମିଳିଥିଲା । ମାତ୍ର ବିଜେପି ବିଧାୟକମାନଙ୍କୁ ମାତ୍ର ୩୭% ଭୋଟ୍ ମିଳିଥିବାବେଳେ ସାଂସଦ ପ୍ରାର୍ଥୀଙ୍କୁ ୪୬.୬% ଭୋଟ୍ ମିଳିଥିଲା । ନବୀନଙ୍କ ମ୍ୟାଜିକ୍ କାମ ଦେଇନଥିଲା, ମାତ୍ର ନବୀନଙ୍କୁ ଓହ୍ଲାଇ ଦଳ ବିଧାନସଭା ଆସନଗୁଡ଼ିକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା ।
୫- କଣ୍ଟାବାଞ୍ଜିରେ ବିଜେଡିର ତୀବ୍ର ଗୋଷ୍ଠୀକନ୍ଦଳ ରହିଛି । ସେଠାରେ ପୂର୍ବତନ ବିଧାୟକ ଆୟୁବ ଖାନ୍, ବିଜେଡିର ପରାଜିତ ପ୍ରାର୍ଥୀ ଅଜୟ ଦାସ ଓ ଅନ୍ୟଜଣେ ନେତା ହଂସରାଜ ଜୈନଙ୍କ ଭଳି ନେତାଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ବିଜେଡି ପ୍ରାର୍ଥୀ ଜିତିବାର ସମ୍ଭାବନା କ୍ଷୀଣ । ୨୦୧୯ ନିର୍ବାଚନରେ ବିଜେଡି ଏହି ଆସନରେ ତୃତୀୟ ସ୍ଥାନରେ ରହିଥିଲା । ଦଳ ଆୟୁବ ଖାନଙ୍କ ପରିବର୍ତ୍ତେ ଅଜୟ ଦାସଙ୍କୁ ଟିକେଟ୍ ଦେଇଥିଲା । କଂଗ୍ରେସର ସନ୍ତୋଷ ସିଂ ସାଲୁଜା ମାତ୍ର ୪୫୮ଖଣ୍ଡ ଭୋଟରେ ଜିତିଥିଲେ । ବିଜେପିର ଲକ୍ଷ୍ମଣ ବାଗଙ୍କ ପ୍ରଭାବ ଏଠାରେ ବେଶ୍ ଅଧିକ ରହିଛି । ଦଳ ତାଙ୍କୁ କ୍ରମାଗତ ଭାବେ ୨୦୧୪ ଓ ୨୦୧୯ରେ ମଇଦାନକୁ ଓହ୍ଲାଇଛି ତଥା ବିଜେପିର ଭୋଟ ହାର ୧୮ରୁ ୩୪%କୁ ବୃଦ୍ଧି ପାଇଛି । ଏଥର ସାଲୁଜା ଓ ଲକ୍ଷ୍ମଣ ବାଗଙ୍କ ଉପରେ ସେମାନଙ୍କ ଦଳ ଆସ୍ଥା ପ୍ରକଟ କରି ପୁଣିଥରେ ମଇଦାନକୁ ଓହ୍ଲାଇଛି। ଆପ୍ ଓ ବିଜେପି ଛାଡ଼ି ବିଜେଡିକୁ ଆସିଥିବା ଅଜୟ ଦାସଙ୍କ ପଛରେ ବିଜେଡିର ବିବାଦୀୟ ନେତାଙ୍କ ଆଶୀର୍ବାଦ ରହିଛି । ତେଣୁ ସେମାନଙ୍କ ବଳରେ ଅଜୟ ଉକ୍ତ ଆସନରେ ଅସ୍ଥିରତା ସୃଷ୍ଟି କରିବା ଦଳ ପାଇଁ ବୁମେରାଂ ହୋଇଛି । ନବୀନ ପ୍ରାର୍ଥୀ ହେଲେ ଏହି ସମସ୍ତ ନେତା ଏକାଠି କାମ କରିବାକୁ ଏକରକମ ବାଧ୍ୟ ହେବେ ।
୬- ବିଜେଡି ନିଜର ଜଣେ ଆଗଧାଡ଼ିର ପ୍ରଭାବଶାଳୀ ନେତ୍ରୀଙ୍କୁ ସେଠାରୁ ଜିତାଇ ବିଧାନସଭାକୁ ଆଣିବା ପାଇଁ ଏବେ ନବୀନଙ୍କୁ ପ୍ରାର୍ଥୀ କରାଇଛି । ନବୀନ ଜିତିଲେ ବିଜେପୁର ଭଳି ସେଠାରୁ ଇସ୍ତଫା ଦେବେ ଓ ଉପନିର୍ବାଚନ ହେଲେ ବିଜେଡି ନିଜର ସମ୍ପୃକ୍ତ ନେତ୍ରୀଙ୍କୁ ବିଧାନସଭାକୁ ଆଣିବାକୁ ଏବେଠୁ ରଣନୀତି କରିଛି । ଦଳ ଏହି ନେତ୍ରୀଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ବୁଲାଇଥିଲା । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଏହି ପଦକ୍ଷେପ ନେଇଥାଇପାରେ ବୋଲି ଚର୍ଚ୍ଚା ।
୭- କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଦଳକୁ ଆଣି ସେଠାରୁ ପ୍ରାର୍ଥୀ କରିବାକୁ ବିଜେଡି ରଣନୀତି କରିଥିଲା । ଏନେଇ ବ୍ୟାକଡୋରରେ କଥାବାର୍ତ୍ତା ହୋଇଥିବା ବି ଚର୍ଚ୍ଚା ହେଉଛି । କିନ୍ତୁ ଅଦୃଶ୍ୟ କାରଣରୁ ଏହା ବାସ୍ତବ ରୂପ ନେଇପାରିଲା ନାହିଁ । ତେଣୁ ଶେଷ ମୁହୂର୍ତ୍ତରେ ଯାହାକୁ ପ୍ରାର୍ଥୀ କଲେ ଦଳ ସେଠାରେ ନିଶ୍ଚିତ ପରାଜିତ ହେବ ଜାଣି ନବୀନଙ୍କୁ ଦଳ କଣ୍ଟାବାଞ୍ଜିରେ ମଇଦାନକୁ ଓହ୍ଲାଇଥାଇପାରେ ବୋଲି କୁହାଯାଉଛି ।