ବିଧାନସଭା ଉପବାଚସ୍ପତି ନିର୍ବାଚନ ଆସନ୍ତା ୨୧ତାରିଖରେ ହେବ । ଉପବାଚସ୍ପତି କିଏ ହେବେ ତାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି । ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ମାସ ବାକି ଥିଲେ ବି କାହିଁକି ଶାସକ ଦଳ ଉପବାଚସ୍ପତି ନିର୍ବାଚନ ପାଇଁ ତତ୍ପରତା ଦେଖାଇଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଏହି ଉପବାଚସ୍ପତି ପଦ ପାଇଁ ଶାସକ ବିଜେଡି କାହାକୁ ମନୋନୀତ କରିବ ତାହା ଏବେଠୁ ଆକଳନ କରିବା ଅପରିପକ୍ୱ ହେବ । ମାତ୍ର ଦଳ ଏଭଳି ଜଣେ ବିଧାୟକଙ୍କୁ ଏହି ପଦବୀରେ ଆସୀନ କରାଇବ ଯିଏ ହୁଏତ ପରବର୍ତ୍ତୀ ନିର୍ବାଚନରେ ପ୍ରାର୍ଥୀ ହେବେନି ଅବା ପୁଣି ନିଜ ଆସନରୁ ଜିତିବାର ଶତପ୍ରତିଶତ ସମ୍ଭାବନା ସମ୍ପୃକ୍ତ ପ୍ରାର୍ଥୀଙ୍କର ଥିବ ବୋଲି କୁହାଯାଉଛି । ସଂଗଠନ ଦାୟିତ୍ୱ ସମ୍ଭାଳିବା ପାଇଁ ନଭେମ୍ବର ୮ତାରିଖରେ ଉପବାଚସ୍ପତି ପଦରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ ।
ସୂଚନା ଅନୁସାରେ, ଆସନ୍ତା ୨୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ସେହିଦିନ ସକାଳ ସାଢ଼େ ୯ଟାରେ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ତା’ପୂର୍ବରୁ ୨୦ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାର କାର୍ଯ୍ୟକ୍ରମ ରହିଛି । ସଂଖ୍ୟାଦୃଷ୍ଟିରୁ ଶାସକ ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ହିଁ ଉପବାଚସ୍ପତି ହେବେ । ନିର୍ବାଚନର ଆବଶ୍ୟକତା ପଡ଼ିନପାରେ । ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୪ମାସ ବାକି ଥିବାବେଳେ ବିଜେଡି କାହିଁକି ଏହି ପଦକୁ ପୂରଣ କରିବା ଦିଗରେ ଏତେ ଆନ୍ତରିକତା ଦେଖାଇଲା ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ସଜାଡ଼ିବା ପାଇଁ ବିଜେଡି ପୂର୍ବରୁ ବାଚସ୍ପତି ଓ ଉପବାଚସ୍ପତି ପଦରେ କାର୍ଯ୍ୟରତ ନିଜର ବିଧାୟକଙ୍କୁ ଅପସାରଣ କରିନେଇଥିଲା । ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦରୁ ଅପସାରଣ କରି ମନ୍ତ୍ରୀ କରାଇଥିବାବେଳେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂଙ୍କୁ ଅପସାରଣ କରି ଏପର୍ଯ୍ୟନ୍ତ କୌଣସି ଦାୟିତ୍ୱ ଦେଇନି । ତେବେ ସେ ନିଜ ଜିଲ୍ଲାରେ ସଂଗଠନ କଥା ବୁଝିବେ ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ସୂତ୍ର ଅନୁସାରେ, ଉପବାଚସ୍ପତି ପଦ ନିମନ୍ତେ ଯେଉଁ କିଛି ନେତାଙ୍କ ନାଁ ଚର୍ଚ୍ଚାରେ ରହିଛି ସେଥିରେ ବରିଷ୍ଠ ବିଧାୟକ ଅରବିନ୍ଦ ଢ଼ାଲି, ଶଶୀଭୂଷଣ ବେହେରା, ରୋହିତ ପୂଜାରୀ, ନିତ୍ୟାନନ୍ଦ ସାହୁ , ପର୍ଶୁରାମ ଧଡ଼ା, ସୀମାରାଣୀ ନାୟକ ଓ ସୁନନ୍ଦା ଦାସ ଆଗରେ ରହିଛନ୍ତି । ଏହି ନେତାମାନଙ୍କୁ ବିଜେଡି ପୁଣିଥରେ ପ୍ରାର୍ଥୀ କରିବା ମୁଡରେ ନାହିଁ । ସେମାନଙ୍କୁ ଏବେଠୁ ଦଳୀୟସ୍ତରରେ ଥଇଥାନ କରିବା ନିମନ୍ତେ ଦଳ ଯୋଜନା କରିଛି। ଉପବାଚସ୍ପତି ପଦରେ ଜଣକୁ ଥଇଥାନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ହୁଏତ ଦଳ ସରପ୍ରାଇଜ୍ କାର୍ଡ ଖେଳି ଜଣେ ମହିଳାଙ୍କୁ ମଧ୍ୟ ଉପବାଚସ୍ପତି ପଦରେ ଆସୀନ କରାଇ ନୂଆ ରେକର୍ଡ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ବରିଷ୍ଠ ନେତା ଭୂପିନ୍ଦର ସିଂ ୧୯୮୦ ମସିହାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ବରିଷ୍ଠତା ଦୃଷ୍ଟିରୁ(ବାଚସ୍ପତିଙ୍କଠୁ ଗୃହରେ ବରିଷ୍ଠ) ତାଙ୍କୁ ଏହି ପଦରେ ଆସୀନ କରାଯିବା ସମ୍ଭାବନା କ୍ଷୀଣ । ଯିଏବି ଉପବାଚସ୍ପତି ହେବେ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କୁ ସାଂଗଠନିକ କାର୍ଯ୍ୟ କରିବାରେ ସମସ୍ୟା ହେବ । ତେଣୁ ଟିିକେଟ୍ ଆଶାୟୀ ବିଧାୟକ ଏହି ପଦ ପାଇଁ ରାଜି ହୋଇନପାରନ୍ତି । ଅବା ଯେଉଁ ନେତାଙ୍କ ପୁଅ କିମ୍ବା ପତ୍ନୀଙ୍କୁ ଟିକେଟ୍ ଦେବା ପାଇଁ ଦଳ ଲକ୍ଷ୍ୟ ରଖିଥିବ ତାଙ୍କ ଭିତରକୁ କାହାରିକୁ ଏହି ପଦ ଦେବାର ସମ୍ଭାବନା ବି ଏଡ଼ାଇ ଦିଆଯାଇନପାରେ ।
ଏପଟେ ରାଜନୀତିକ ବିଶ୍ଲେଷକଙ୍କ ମତରେ, ଯଦିଓ ସମ୍ବିଧାନର ଧାରା ୧୭୮ ଏବଂ ଓଡ଼ିଶା ବିଧାନସଭାର ରୁଲସ୍ ଅଫ ପ୍ରୋସିଜିଓର ଆଣ୍ଡ କଣ୍ଡକ୍ଟର ରୁଲ ୭(୨) ଓ ୭(୪)ର ପ୍ରାବଧାନରେ ଉପବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତଥାପି ସମ୍ବିଧାନର ଧାରା ୯୩ର ପ୍ରାବଧାନ( ଉପବାଚସ୍ପତି ନିର୍ବାଚନ ନିମନ୍ତେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନି କେବଳ ଯଥାଶୀଘ୍ର ହୋଇପାରିବ)ର ଆଳ ଦେଖାଇ ଶାସକ ବିଜେଡି ଏହି ନିର୍ବାଚନକୁ ଏଡ଼ାଇ ଯାଇ ପାରିଥାନ୍ତା । କିନ୍ତୁ ବିଜେଡି ସେଭଳି ନକରି ନିଜର ଜଣେ ନେତାଙ୍କୁ ଏହି ପଦରେ ଆସୀନ କରିବାର ରଣନୀତି ପ୍ରସ୍ତୁତ କରିଛି ।
ଅବଶ୍ୟ ଏବେବି ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ବିଧାନସଭା ଏବଂ ଲୋକସଭାରେ ଦୀର୍ଘଦିନ ଧରି ଉପବାଚସ୍ପତି ପଦ ଖାଲି ପଡ଼ିଛି । ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ବିଚାରାଧୀନ ରହିଛି ।
ସୂଚନାଯୋଗ୍ୟ, ବିଧାନସଭାର ଶୀତ ଅଧିବେଶନ ଚଳିତମାସ ୨୧ରୁ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟସୂଚୀ ଘୋଷଣା ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।