Advertisment

ମନ୍ତ୍ରୀଙ୍କୁ ଗୋପାଳ କାହିଁକି ମାରିଲା? ବିହେଭିୟରାଲ ଷ୍ଟଡିରୁ ଜଣାପଡ଼ିବନି

‘ଗୁଳିଟି ତାଙ୍କ ବାମ ଭେଣ୍ଟ୍ରିକଲ୍‌ରେ ଗଳି ବାହାରି ଯାଇଛି। ଯେ କୌଣସି ଡାକ୍ତରଙ୍କୁ ପଚାରିଲେ, ସେ କହିବେ ବାମ ଭେଣ୍ଟ୍ରିକଲ୍‌ରେ ଗୁଳି ବାଜି ବାହାରିଗଲେ, ତାଙ୍କର ୨ରୁ ୩ ମିନିଟ୍‌ରେ ମୃତ୍ୟୁ ଘଟିବ।’

ଅଦ୍ୟତନ ହୋଇଛି
Prakash Mishra

Prakash Mishra

Advertisment

ପାୱାରଫୁଲ୍‌ କ୍ୟାବିନେଟ୍‌ ମନ୍ତ୍ରୀ ନବ କିଶୋର ଦାସଙ୍କୁ କାହିଁକି ହତ୍ୟା କଲା ଏଏସ୍‌ଆଇ ଗୋପାଳ ଦାସ? ନବ ଦାସଙ୍କ ମୃତ୍ୟୁ କେତେବେଳେ ହେଲା? ମୃତ୍ୟୁର ପ୍ରକୃତ ସମୟ କାହିଁକି ଲୁଚାଗଲା? କେଉଁ ପରିସ୍ଥିତିରେ FBI ସହାୟତା ନିଆଯାଏ? ଆଜି ଏପରି ମାଳମାଳ ପ୍ରଶ୍ନ ପଚାରି ରାଜ୍ୟ ସରକାରଙ୍କୁ ସିଧାସିଧା ଆକ୍ରମଣ କରିଛନ୍ତି ଓଡ଼ିଶାର ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର।

Advertisment

ଗୋପାଳର ବିହେଭିୟରାଲ ଷ୍ଟଡି ନେଇ ଶ୍ରୀ ମିଶ୍ର କହିଛନ୍ତି, ବିହେଭିୟରାଲ ଷ୍ଟଡି ପାଇଁ ଏଫବିଆଇ  ସହାୟତା ନିଆଯିବ ବୋଲି କୁହାଯାଉଛି। ଗୋପାଳ କାହିଁକି ମାରିଲା, ତାହା ସ୍ପଷ୍ଟ ହୋଇପାରୁନାହିଁ। ବିହେଭିୟର ଷ୍ଟଡିରେ ଗୋପାଳ କାହିଁକି ମାରିଲା, ତାହା ଜଣାପଡ଼ିବ ନାହିଁ। ଯେଉଁଠି ୫/୭ ଜଣଙ୍କୁ ସନ୍ଦେହ କରାଯାଏ, ସେଠି ଏ ଷ୍ଟଡି ହୁଏ। ସନ୍ଦିଗ୍ଧଙ୍କ ଆଚରଣକୁ ତର୍ଜମା କରି ଅପରାଧୀକୁ ଧରାଯାଇଥାଏ। ହେଲେ ଏ କ୍ଷେତ୍ରରେ ତ ଗୋପାଳ ଅପରାଧୀ ବୋଲି ଚିହ୍ନଟ ହୋଇସାରିଛି। ସେ କାହିଁକି ମାରିଲା? ତାହା ନାର୍କୋ ଟେଷ୍ଟରୁ ଜଣାପଡ଼ିବ। କିନ୍ତୁ ନାର୍କୋ ଟେଷ୍ଟରେ କ’ଣ ରିପୋର୍ଟ ଆସିଛି, ତାହା ତ ଜଣାପଡ଼ିନି। ଓଡ଼ିଶାରେ ସବୁ ତ ବିଶ୍ୱସ୍ତରୀୟ ହେଲାଣି। ହେଲେ ତଦନ୍ତ ବିଶ୍ୱସ୍ତରୀୟ କରିବା ପାଇଁ FBIକୁ ଦିଆଯାଇପାରି ଥାଏ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ସାରା ଓଡ଼ିଶାକୁ ସ୍ତବ୍ଧ କରିଛି। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଦିନରେ ଜନଗହଳି ଭିତରେ ହତ୍ୟା କରାଯାଇଛି। ତାହା ପୁଣି ଜଣେ ପୁଲିସ ଏଏସ୍‌ଆଇଙ୍କ ଦ୍ୱାରା। ଏହା ସମସ୍ତଙ୍କୁ ବିଚଳିତ କରିଛି। ଏହି ହତ୍ୟାକାଣ୍ଡର ଭଲ ଭାବେ ତଦନ୍ତ ହେବ ବୋଲି ସମସ୍ତେ ଆଶା କରୁଥିଲେ। କିନ୍ତୁ ଏତେ ଦିନ ବିତିଯିବା ସତ୍ତ୍ୱେ କୌଣସି ସଠିକ୍‌ ଉତ୍ତର ମିଳିପାରୁ ନାହିଁ। କେବଳ ସମସ୍ତେ ଜାଣିଛନ୍ତି, ମନ୍ତ୍ରୀଙ୍କୁ ଗୋପାଳ ଦାସ ନାମକ ଜଣେ ଏଏସ୍‌ଆଇ ଗୁଳି ଚଳାଇ ମାରି ଦେଇଛି। ସେ କ’ଣ ପାଇଁ ତାଙ୍କୁ ହତ୍ୟା କଲା? ଏହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ଆଜି ପର୍ଯ୍ୟନ୍ତ ଯେଉଁ ଭଳି ତଦନ୍ତ ହୋଇଛି, ତାହା ଲୋକଙ୍କ ମନ ଭିତରେ ସନ୍ଦେହ ବଢ଼ାଇବାରେ ଲାଗିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି।

Advertisment

ନବ ଦାସଙ୍କ ମୃତ୍ୟୁର ପ୍ରକୃତ ସମୟ ଲୁଚାଯାଉଥିବା ନେଇ ଶ୍ରୀ ମିଶ୍ର କହିଛନ୍ତି, ହତ୍ୟାକାଣ୍ଡ ଘଟିଲେ, ମୃତ୍ୟୁର କାରଣ ଖୋଜାଯାଏ। କେଉଁଥି ପାଇଁ ଓ କେଉଁ ସମୟରେ ମୃତ୍ୟୁ ଘଟିଲା- ଏହି ଦୁଇଟି ହେଉଛି ନିର୍ଣ୍ଣାୟକ। ଅତି ନିକଟରୁ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିଟି ପଶି ବାହାରି ଯାଇଛି। ଆଜି ପର୍ଯ୍ୟନ୍ତ ସେହି ଗୁଳିକୁ ପୁଲିସ ଖୋଜି ପାଇନି। ମୁଁ ଯାହା ଶୁଣିବାକୁ ପାଇଛି, ଗୁଳିଟି ତାଙ୍କ ବାମ ଭେଣ୍ଟ୍ରିକଲ୍‌ରେ ଗଳି ବାହାରି ଯାଇଛି। ଯେ କୌଣସି ଡାକ୍ତରଙ୍କୁ ପଚାରିଲେ, ସେ କହିବେ ବାମ ଭେଣ୍ଟ୍ରିକଲ୍‌ରେ ଗୁଳି ବାଜି ବାହାରିଗଲେ, ତାଙ୍କର ୨ରୁ ୩ ମିନିଟ୍‌ରେ ମୃତ୍ୟୁ ଘଟିବ। ହେଲେ ଏ କ୍ଷେତ୍ରରେ ଦେଖାଗଲା ତାଙ୍କୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସେ ଜୀବିତ ଅଛନ୍ତି ବୋଲି କହି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ରାତି ପ୍ରାୟ ୭ଟା ବେଳେ ମନ୍ତ୍ରୀଙ୍କୁ ମୃତ ଘୋଷଣା କରାଗଲା। ତେବେ ଏପରିସ୍ଥିତିରେ ଗୋପାଳ ଦାସ ଏବେ କୋର୍ଟରେ କହିବ, ‘ମୁଁ ମାରିଥିବା ଗୁଳି ବାମ ଭେଣ୍ଟ୍ରିକଲ୍‌ରେ ପଶି ବାହାରି ଗଲା ପରେ ମୃତ୍ୟୁ ତୁରନ୍ତ ହେବା କଥା। ହେଲେ ସେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜୀବିତ ରହିଲେ। ତେଣୁ ମୋ ଗୁଳିରେ ତାଙ୍କର ମୃତ୍ୟୁ ହୋଇନାହିଁ। ମୁଁ ଦେଖିଲି କ’ଣ ଗୋଟିଏ ଶବ୍ଦ ହେଲା। ବନ୍ଧୁକ କାଢ଼ିଲା ବେଳେ ଲୋକ ମୋତେ ମାଡ଼ି ବସି ଧରିଲେ। ତା’ପରେ ତାଙ୍କ ଛାତିରେ କିଏ କଣା କଲା, ମୁଁ କିଛି ଜାଣିନି ବୋଲି ଗୋପାଳ କୋର୍ଟରେ କହିବେ।’ ମୃତ୍ୟୁ ଘୋଷଣା ବିଳମ୍ୱ କରି ଏପରି କହିବା ପାଇଁ ଗୋପାଳକୁ ସୁଯୋଗ ଦେଲା କିଏ? ତାହା ଉପରେ ତଦନ୍ତ ହୋଇଛି କି ନାହିଁ? ପ୍ରକୃତରେ ମୃତ ସମୟ କାହିଁକି ଲୁଚାଗଲା? କିଏ ମୃତ୍ୟୁ ସମୟ ଲୁଚାଇଲେ? ମାମଲାର ନିରପେକ୍ଷ ତଦନ୍ତ ହେଲେ ସବୁ ପଦାକୁ ଆସିପାରିବ। ତେଣୁ ସିବିଆଇ ଘଟଣାର ତଦନ୍ତ କରିବା ଆବଶ୍ୟକ ବୋଲି ପ୍ରକାଶ ମିଶ୍ର କହିଛନ୍ତି।

BjD State Bjp Naba Das Prakash Mishra Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe