Advertisment

କାହିଁକି ପଡ଼ିଲା ପ୍ରାକ୍ ନିର୍ବାଚନୀ ମେଣ୍ଟର ପୂର୍ଣ୍ଣଚ୍ଛେଦ: ବଢ଼ିଲା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ଭାବନା

ଦୁଇ ଦଳ ପରସ୍ପରର ବିରୋଧୀ ଭାବେ ୧୫ ବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ତୃଣମୂଳସ୍ତରରେ ଦୁଇ ଦଳର କର୍ମୀମାନେ ପରସ୍ପର ସହ ଲଢ଼ୁଛନ୍ତି । ତେଣୁ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଲେ ତା’ର ପ୍ରତିକୂଳ ପ୍ରଭାବ ଦଳୀୟ କର୍ମୀ ଓ କ୍ୟାଡ଼ର ଉପରେ ପଡ଼ିବ ।

BJD

BJD

Advertisment

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ବିଜେପି ଓ ବିଜେଡି ଏକାକୀ ଲଢ଼ିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ତଥାପି ଦୁଇ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନି। ଦୁଇ ଦଳ ମଧ୍ୟରେ ପ୍ରାକ୍ ନିର୍ବାଚନୀ ପରିବର୍ତ୍ତେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ମହଲରେ ଆକଳନ ଚାଲିଛି । ଆଉ ଏସବୁ ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ପ୍ରସଙ୍ଗରେ ଗତକାଲି ରାତିରୁ ପୁଣିଥରେ ବ୍ୟାକଡୋର ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି।  ତେବେ ସବୁକିଛି ଠିକଠାକ୍ ଥିବା ସତ୍ତ୍ୱେ ଦୁଇ ଦଳ ମଧ୍ୟରେ କାହିଁକି ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ ହେଲାନି ତାକୁ ନେଇ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା ଜୋର ଧରିଛି।

Advertisment

ଦୀର୍ଘ ୧୬ ଦିନ ଧରି ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚା ଉପରେ ଗତକାଲି ଦୁଇ ଦଳ ନାଟକୀୟ ଢଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ମଧ୍ୟ ଏବେବି ବିଜେଡିର ଏକ ବୃହତ୍ ଗୋଷ୍ଠୀ ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାବାଦୀ ଥିବା ଜଣାପଡ଼ିଛି। ଶୁକ୍ରବାର ପ୍ରଥମେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଓଡ଼ିଶାର ସମସ୍ତ ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ଘୋଷଣା କରିଥିଲେ। ଆଉ ତାଙ୍କ ଘୋଷଣାର ୪ ଘଣ୍ଟା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିଜେଡି ଓଡ଼ିଶାରେ ଏକାକୀ ସମସ୍ତ ଆସନରେ ଲଢ଼ି ତିନି ଚତୁର୍ଥାଂଶ ଆସନରେ ଜିତିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି। ତେବେ ଏହି ଦୁଇ ଦଳ ନିଜ ନିଜ ଏକ୍ସ ହ୍ୟାଣ୍ଡଲରେ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ମଧ୍ୟ ପରସ୍ପରକୁ ସୁହାଇବା ଭଳି ଦୁଇପଦ ସେଥିରେ ଲେଖିବାକୁ ପଛାଇ ନାହାନ୍ତି।

ବିଗତ ୧୦ ବର୍ଷ ଧରି ନରେନ୍ଦ୍ର ମୋଦି ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ୱ ଥିବା ଅନେକ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜେଡି ସମର୍ଥନ କରିଆସୁଛି। ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ବିଜେପି କହିଥିଲା। ଯାହାର ଜବାବରେ ବିଜେଡି ମଧ୍ୟ ଅନୁରୂପ ଏକାକୀ ଲଢ଼ିବ ବୋଲି ଘୋଷଣା କରିବା ସହ ରାଷ୍ଟ୍ର ଗଠନ ପାଇଁ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତି ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ। ଅବଶ୍ୟ ଶୁକ୍ରବାର ଦୁଇ ଦଳର ଏଭଳି ଘୋଷଣା ପରେପରେ ବିଜେଡି ଦ୍ୱିତୀୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନ ଅଚାନକ ଦିଲ୍ଳୀ ଗସ୍ତ କରିଛନ୍ତି। ଯାହାକୁ ନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Advertisment

ଏବେ ପ୍ରଶ୍ନ ଉଠୁଛି, ଯଦି ଦୁଇ ଦଳ ମଧ୍ୟରେ ପରସ୍ପରକୁ ସହଯୋଗ କରିବାର ଏଭଳି ମାନସିକତା ରହିଛି ତା’ହେଲେ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା କାହିଁକି?

ଚର୍ଚ୍ଚା ହେଉଛି ଗୋଟିଏ ଅବା ଦୁଇଟି କାରଣ ନୁହେଁ ଏକାଧିକ କାରଣ ପାଇଁ ପ୍ରାକ୍ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜନୀତିକ ମହଲରେ ଯେଉଁ ସବୁ ସମ୍ଭାବ୍ୟ କାରଣକୁ ନେଇ ଚର୍ଚ୍ଚା ଚାଲିଛି ସେଗୁଡ଼ିକ ହେଲା-

୧- ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଆଲୋଚନା ଓ ଚୂଡ଼ାନ୍ତ ସିଟ୍ ବୁଝାମଣା ଫୂର୍ମଲାବେଳେ ରାଜ୍ୟର ରାଜନୀତିକ ସ୍ଥିତି ଭିନ୍ନ ଥିଲା। ଗତବର୍ଷ ଅକ୍ଟୋବର ମାସରେ ମୂଳଦୁଆ ପଡ଼ିଥିବା ଏହି ମେଂଟ ଚର୍ଚ୍ଚା ଉପରେ ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା-ପର୍ଯ୍ୟାଲୋଚନା ପରେ ଗତ ମାର୍ଚ୍ଚ ୩-୪ତାରିଖରେ ନୂଆଦିଲ୍ଲୀରେ ଚୂଡ଼ାନ୍ତ ହୋଇଥିଲା । କିନ୍ତୁ ଗତ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟର ରାଜନୀତିକ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଓ ସରକାରୀବିରୋଧୀ ଆକ୍ରୋଶ ବଢ଼ିଥିଲେ ମଧ୍ୟ ସମ୍ଭାବ୍ୟ ମେଂଟ ଓ ଆସନ ବୁଝାମଣାର ଫର୍ମୂଲାରେ ପରିବର୍ତ୍ତନ ହୋଇନଥିଲା । ଯାହାକି ଦୁଇ ଦଳର ମେଂଟ ଚର୍ଚ୍ଚାକୁ ବାସ୍ତବ ରୂପ ଦେଇପାରିନଥିଲା ।

୨- ମେଂଟ ଚର୍ଚ୍ଚାକୁ ଜାରି ରଖି ରାଜ୍ୟ ବିଜେପି ନେତାମାନଙ୍କ ବାରମ୍ବାର ଦାବି ଓ ଅନୁରୋଧ ଆଧାରରେ କେନ୍ଦ୍ରୀୟ ବିଜେପି ପକ୍ଷରୁ ଓଡ଼ିଶାରେ ନିରପେକ୍ଷ ସର୍ଭେ କରାଯାଇଥିଲା । ଯାହାକି ରାଜ୍ୟରେ ବିଜେଡିର ଆସନ ସଂଖ୍ୟା ହ୍ରାସ ପାଇବା ଓ ବିଜେପିର ଆସନ ବଢ଼ିବାର ସ୍ପଷ୍ଟ ସଙ୍କେତ ଦେଇଥିଲା । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ରହିଥିବା ଓ ବିଜେଡି ସରକାରର ଦୁର୍ନୀତି ଆଦିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଥିବା ଜଣାପଡ଼ିଥିଲା । ଏହି ସର୍ଭେ ରିପୋର୍ଟ ଓ ରାଜ୍ୟ ବିଜେପି ନେତାମାନଙ୍କୁ ଭରସା କରି ବିଜେପି ଶୀର୍ଷ ନେତୃତ୍ୱ ଓଡ଼ିଶାରେ ବିଜେଡି ସହ ସମ୍ଭାବ୍ୟ ମେଂଟ ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।

୩- ଦୁଇ ଦଳ ପରସ୍ପରର ବିରୋଧୀ ଭାବେ ୧୫ ବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ତୃଣମୂଳସ୍ତରରେ ଦୁଇ ଦଳର କର୍ମୀମାନେ ପରସ୍ପର ସହ ଲଢ଼ୁଛନ୍ତି । ତେଣୁ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଲେ ତା’ର ପ୍ରତିକୂଳ ପ୍ରଭାବ ଦଳୀୟ କର୍ମୀ ଓ କ୍ୟାଡ଼ର ଉପରେ ପଡ଼ିବ । ଯାହାକି ଦଳର ସାଂଗଠନିକ ସ୍ଥିତିରେ ଉପରେ ଦୂରଗାମୀ ପ୍ରଭାବ ପକାଇବ ବୋଲି ବିଜେପି ଅନୁଭବ କରିଛନ୍ତି । ବିଜେଡିରେ ରାଜ୍ୟବ୍ୟାପୀ ଏବେ ଗୋଷ୍ଠୀକନ୍ଦଳ ତୀବ୍ରତର ରହିଛି । ଯାହାର ଫାଇଦା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିବ ବୋଲି ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଅନୁଭବ କରିଛନ୍ତି । ତେଣୁ ସମ୍ଭାବ୍ୟ ମେଂଟ ପାଇଁ ରାଜ୍ୟ ବିଜେପି ରାଜି ହୋଇନଥିବା ଚର୍ଚ୍ଚା ହେଉଛି ।

୪- ଆସନ ବୁଝାମଣାକୁ ନେଇ ଦୁଇ ଦଳ ଏକ ସମ୍ମାନଜନକ ସଂଖ୍ୟା ଓ ଫର୍ମୂଲା ଚାହୁଁଥିଲେ । ଯଦିଓ ବିଜେପିକୁ ଅଧିକ ସଂଖ୍ୟକ ଲୋକସଭା ଆସନ ଛାଡ଼ିବାକୁ ବିଜେଡି ପ୍ରସ୍ତୁତ ଥିଲା, କିନ୍ତୁ ରାଜ୍ୟରେ ବିଧାନସଭା ନିର୍ବାଚନରେ ଦଳ ଅତିକମରେ ୧୦୦ ଆସନରେ ଲଢ଼ିବ ବୋଲି ଜଣାଇ ଦେଇଥିଲା । ମାତ୍ର ରାଜ୍ୟ ବିଜେପି ପୁରୁଣା ଫର୍ମୂଲା(ବିଜେଡିକୁ ୮୪ ଓ ନିଜ ପାଇଁ ୬୩ ଆସନ) ଆଧାରରେ ଲଢ଼ିବାର ପ୍ରସ୍ତାବ ଦେଇଥିଲା । ଏପରିକି ୫୦ରୁ କମ୍ ଆସନରେ ଲଢ଼ିବା ଉଚିତ୍ ନୁହେଁ ବୋଲି ରାଜ୍ୟ ବିଜେପି ନିଜର କେନ୍ଦ୍ରୀୟ ନେତୃତ୍ୱଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା । ୨୦୦୯ରେ ବିଜେଡି ଯେଉଁଭଳି ଢଙ୍ଗରେ ୧୧ବର୍ଷର ମେଂଟ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରି ଯାଇଥିଲା, ସେଭଳି ଦଳ ଉପରେ ବେଶୀ ଭରସା କରିବା ଅନୁଚିତ୍ ବୋଲି ବିଜେପି ନେତୃତ୍ୱଙ୍କୁ ବୁଝାଇବାରେ ରାଜ୍ୟ ନେତାମାନେ ସଫଳ ହୋଇଥିବା କୁହାଯାଉଛି ।

୫- ଉଭୟ ୟୁପିଏ ଓ ଏନଡିଏଠୁ ସମଦୂରତ୍ୱ ବଜାୟ ରଖିବା କଥା କହି ବିଜେଡି ଯେଉଁଭଳି ଭାବେ ବିଗତ ୧୦ବର୍ଷ ଧରି ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାରଙ୍କୁ ଉପରେ ପଡ଼ି ସମର୍ଥନ ଦେଇଆସୁଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ ମଧ୍ୟ ନବୀନ କିମ୍ବା ତାଙ୍କ ସରକାରକୁ ଟାର୍ଗେଟ୍ କରି ପଦୁଟିଏ କହିନଥିଲେ । ସେହିପରି ଏକାକୀ ଲଢ଼ିବାକୁ ନେଇ ଗତକାଲି ଦୁଇ ଦଳର ବୟାନ ମଧ୍ୟ ପରୋକ୍ଷରେ ଦୁଇ ଦଳ ମଧ୍ୟରେ ଭଲ ସମ୍ପର୍କର ଆଭାସ ଦେଇଛି । ଯେଉଁଥିପାଇଁ ପ୍ରାକ୍ ନିର୍ବାଚନୀ ନହେଲେ ବି ଆବଶ୍ୟକ ପଡ଼ିଲେ ଦୁଇ ଦଳ ନିର୍ବାଚନ ପରବର୍ତ୍ତୀ ମେଂଟ ସମ୍ଭାବନାକୁ ଅନ୍ୱେଷଣ କରିପାରନ୍ତି।

୬- ବିଗତ ୫ବର୍ଷ ମଧ୍ୟରେ ବିଜେଡି ସରକାରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯେଉଁଥିରେ କୋଟିକୋଟି ଟଙ୍କାର ଦୁର୍ନୀତି ଓ କିକବ୍ୟାକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଉ ବିଜେପିକୁ ସରକାରରେ ସାମିଲ କରି ବିଜେଡି ଏସବୁ ଦୁର୍ନୀତି ଓ ଅନୀତି ଉପରେ ବିଜେପିର କ୍ଲିନ୍ ସାର୍ଟିଫିକେଟ୍ ମୋହର ବଜାଇବାର ଚକ୍କରରେ ରହିଛି। ଆଉ ନିଜର ସଂଗଠନରେ ବଢ଼ୁଥିବା ଅସନ୍ତୋଷ ଓ ତୀବ୍ର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାକୁ ବିଜେଡି ପ୍ରାକ୍ ନିର୍ବାଚନୀ ମେଂଟ ମାଧ୍ୟମରେ ବିଜେପି ବେକରେ ଓହଳି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଛି।

୭- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରେ ନିଜର ଉତ୍ତରାଧିକାରୀ ଚୟନ କରିନଥିଲେ ମଧ୍ୟ ଭିକେ ପାଣ୍ଡିଆନ ଏବେ ଦଳରେ ଦ୍ୱିତୀୟ ପ୍ରଭାବଶାଳୀ ନେତା। ନବୀନଙ୍କ ପରେ ସେ ହିଁ ଦଳର ସର୍ବେସର୍ବା ବୋଲି ବିଜେଡିର ନେତାମାନେ ସ୍ୱୀକାର କରିସାରିଲେଣି। ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ସାମିଲ ହୋଇଥିବା ପାଣ୍ଡିଆନଙ୍କର ଚଳିତ ସାଧାରଣ ନିର୍ବାଚନ ହେଉଛି ତାଙ୍କର ରାଜନୀତିକ ଡେବ୍ୟୁ। ପୂର୍ବରୁ ପରଦା ପଛରେ ରହି ନିର୍ବାଚନୀ ରାଜନୀତି ପରିଚାଳନା କରିଥିବା ପାଣ୍ଡିଆନ ଏବେ ସିଧାସଳଖ ନିର୍ବାଚନ ମଇଦାନରେ ବିଜେଡିର ସେନାପତି ହୋଇ ରହିବେ। ଯଦିଓ ସେ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ଏହି ନିର୍ବାଚନ ଓ ନିର୍ବାଚନୀ ମେଂଟ ମାଧ୍ୟମରେ  ଆଗାମୀ ୫ ବର୍ଷ ପାଇଁ ନିଜର ରାଜନୀତିକ କ୍ୟାରିୟର ଗ୍ରାଫକୁ ଶୀର୍ଷକୁ ନେବା ସହ ସେଥିରେ ସ୍ଥାୟିତ୍ୱ ଆଣିବାକୁ ଚାହୁଁଛନ୍ତି । ବିଜେପି ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରି ନିଜର ରାଜନୀତିକ କ୍ୟାରିୟରକୁ ସଫଳ କରାଇବା ସହଜ ହେବନି । ତେଣୁ ବିଜେପି ସହ ମେଣ୍ଟ ପାଇଁ ପାଣ୍ଡିଆନ ଚାହିଁବା ସ୍ୱାଭାବିକ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe