/odisha-reporter/media/post_attachments/uploads/2021/02/Nasa.jpg)
Nasa
ନୂଆଦିଲ୍ଲୀ: ଚନ୍ଦ୍ର ପରେ ଯଦି ବୈଜ୍ଞାନିକମାନେ କୌଣସି ଗ୍ରହ ଉପରେ ଅଧିକ ଗବେଷଣା କରନ୍ତି ତାହା ହେଲା ମଙ୍ଗଳ ଗ୍ରହ। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସଏକ୍ସର ମାଲିକ ଏଲୋନ ମସ୍କ ମଧ୍ୟ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ସ୍ପେସ ଏକ୍ସ ଜରିଆରେ ଗବେଷଣାକୁ ଜୋରଦାର କରିଛନ୍ତି। ଖାଲି ଏଲୋନ ଏକା ନୁହନ୍ତି ବିଭିନ୍ନ ଦେଶର ଗବେଷକମାନେ ମଧ୍ୟ ମଙ୍ଗଳ ଗ୍ରହ ଉପରେ ଗବେଷଣା କରୁଛନ୍ତି। ଚନ୍ଦ୍ରରେ ଓହ୍ଲାଇବା ମଣିଷ ପାଇଁ ସହଜ ହୋଇଥିବା ବେଳେ ମଙ୍ଗଳରେ ଓହ୍ଲାଇବା ସମୟ ସାପେକ୍ଷ ରହିଛି।
ଏବେ ରକେଟ ଟେକ୍ନୋଲୋଜି ଜରିଆରେ ପୃଥିବୀରୁ ମଙ୍ଗଳ ଗ୍ରହ ଯିବାକୁ ହେଲେ ୯ ମାସ ସମୟ ଲାଗୁଛି। ଏଥିସହ ମଙ୍ଗଳ ଗ୍ରହ ଯିବାକୁ ହେଲେ ରେଡିଏସନର ମଧ୍ୟ ବିପଦ ରହିଛି। ଏବେ କିନ୍ତୁ ନୂଆ ଟେକ୍ନୋଲୋଜିର ଆବିଷ୍କାର ହୋଇଛି। ଯେଉଁଠି ମାତ୍ର ତିନି ମାସରେ ମଙ୍ଗଳ ଗ୍ରହ ପହଞ୍ଚି ହେବ। ଆଉ ରେଡିଏସନର ବିପଦ ମଧ୍ୟ କମ୍ ରହିଛି।
ଆମେରିକାର ନ୍ୟୁଜ ଏଜେନ୍ସି ସିଏନଏନର ରିପୋର୍ଟ ଅନୁୟାୟୀ ଏକ ପରାମାଣୁ ଚାଳିତ ରକେଟ ଜରିଆରେ ତିନି ମାସ ମଧ୍ୟରେ କ୍ରିଉ ମିଶନ ଜରିଆରେ ମଙ୍ଗଳ ଗ୍ରହ ପହଞ୍ଚି ହେବ। ଆମେରିକାର ସ୍ପେସ୍ ଏଜେନ୍ସି ନାସା ୨୦୩୫ ମଧ୍ୟରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଯୋଜନା କରୁଛି। ହେଲେ ଏହି ଗ୍ରହରେ ପହଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ସମୟ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। କାରଣ ମହାକାଶରେ ଅଧିକ ସମୟ ଯାତ୍ରା କଲେ ରେଡିଏସନ ବା ବିକିରଣର ବିପଦ ଅଧିକ ରହିବ। ଏହି ରେଡିଏସନ ପାଇଁ ମହାକାଶରେ ଯାତ୍ରା କରିବା ବେଳେ ମଣିଷ ଅସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି।
ଏବେ କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଆମେରିକାର ସିଏଟଲ ବାଟ ଫିଟିଛି। ଅଲ୍ଟ୍ରା ସେଫ୍ ନ୍ୟୁକ୍ଲିଅର ଟେକ୍ନୋଲଜି (ୟୁଏସଏନସି-ଟେକ୍) ଏକ ସ୍ପେସକ୍ରାଫ୍ଟ ଡିଜାଇନ୍ ତିଆରି କରିଛି। ଏହି ଟେକ୍ନୋଲୋଜି ସାହାଯ୍ୟରେ ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ଆବଶ୍ୟକ ସମୟକୁ କମାଇଦେବ। ପାଖାପାଖି ତିନି ମାସ ମଧ୍ୟରେ ମଙ୍ଗଳ ଗ୍ରହରେ ପହଞ୍ଚି ହେବ ବୋଲି ଜଣାପଡ଼ିଛି।
ୟୁଏସଏନସି-ଟେକର ନିର୍ଦ୍ଦେଶକ ମାଇକେଲ୍ ଇଡସ ପ୍ରତିକ୍ରିୟାରେ କହିଛନ୍ତି, ରକେଟକୁ ଏଭଳି ଡିଜାଇନ୍ ତିଆରି କରାଯାଇଛି ଯାହାକି ରେଡିଏସନକୁ କମାଇ ଦେବ। ଆଉ କ୍ରିଉ ମେମ୍ୱର ସୁରକ୍ଷିତ ଯାତ୍ରା କରିପାରିବେ। ନାସାର ଚିଫ୍ ଇଞ୍ଜିନିଅର ଜେଫ୍ ଶାହୀ ସିଏନଏନ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
