Advertisment

ସରପଞ୍ଚ କରୁଛନ୍ତି ମାଗଣା ଟ୍ୟୁସନ୍

ଉଦ୍ଦେଶ୍ୟ ଆଦିବାସୀ ଇଲାକାରରେ ସାକ୍ଷରତା ବଢ଼ାଇବା ତଥା ପିଲାମାନେ କିପରି ଭଲ ପାଠପଢ଼ି ଭଲ ମଣିଷ ହେବେ।

ଅଦ୍ୟତନ ହୋଇଛି
Sarapancha

Sarapancha

Advertisment

ସରପଞ୍ଚ କରୁଛନ୍ତି ମାଗଣା ଟ୍ୟୁସନ୍। ଉଦ୍ଦେଶ୍ୟ ଆଦିବାସୀ ଇଲାକାରେ ସାକ୍ଷରତା ବଢ଼ାଇବା ତଥା ପିଲାମାନେ କିପରି ଭଲ ପାଠପଢ଼ି ଭଲ ମଣିଷ ହେବେ। ଏବେ ସେ ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀଙ୍କୁ ମାଗଲା ଟ୍ୟୁସନ ଦେଉଛନ୍ତି। ଗାଁକୁ ଗାଁ ଯାଇ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏହି କୋଚିଂ ସେଣ୍ଟର ବାବଦରେ ଜଣାଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍‌କୁ ଛାଡ଼ିବାକୁ ଅଭିଭାବକଙ୍କୁ ବୁଝାଉଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ବେଲପଡା ବ୍ଲକ ମଧ୍ୟପୁର ପଞ୍ଚାୟତରେ ଚାଲିଛି ଏହି ଫ୍ରି ଟ୍ୟୁସନ୍‌। ମାଗଣା ଟ୍ୟୁସନ୍ ଦେଉଥିବା ଏହି ସରପଞ୍ଚ ହେଉଛନ୍ତି ମଧ୍ୟପୁରର ରାମ ଗୋପାଳ ନାଏକ। ଚଳିତ ବର୍ଷ ସେ ଏଠାରୁ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ସରପଞ୍ଚ ହେବାପରେ ଗାଁରେ ଆରମ୍ଭ କରିଛନ୍ତି ମାଗଣା ଟ୍ୟୁସନ।

Advertisment

ଆହୁରି ଭଲ କଥା ତାଙ୍କର ଏହି ମହତ ଉଦ୍ଦେଶ୍ୟକୁ ସଫଳ କରିବାକୁ ଏହି ପଞ୍ଚାୟତରେ ସିଟି, ବିଇଡି କରୁଥିବା ଉଚ୍ଚ ଶିକ୍ଷିତ ଯୁବକ ଓ ଅବସରପ୍ରାପ୍ତ ଶିକ୍ଷକମାନେ ସହଯୋଗର ହାତ ବଢ଼ାଇଛନ୍ତି। ସେମାନେ ମଧ୍ୟ ଟ୍ୟୁସନ୍‌କୁ ଆସି ପାଳି କରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।

ଗୋପାଳଙ୍କ କହିବା କଥା, ଗାଁରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ହେଲେ ଗାଁର ଉନ୍ନତି ସମ୍ଭବ ହେବ। କେବଳ ରାସ୍ତାଘାଟ ଉନ୍ନତିକରଣ କରିଦେଲେ ଗାଁର ବିକାଶ ହୋଇଯିବନି। ସେଥିପାଇଁ ପିଲାମାନଙ୍କୁ ମାଗଣା ଟ୍ୟୁସନ ଦେଉଛନ୍ତି। ଏଥିପାଇଁ ସମୟ ବାହାର କରିବାକୁ ପଡ଼ୁଛି। ପିଲାମାନଙ୍କୁ ଆବଶ୍ୟକ ହେଲେ ଖାତା କଲମ ବି ଯୋଗାଇ ଦେଉଛନ୍ତି। ଗାଁରେ ପଡି ରହିଥିବା ଏକ ପୁରୁଣା ଶିଶୁ ମନ୍ଦିର କୋଠରୀକୁ ସଫା ସୁତରା କରି ଏହି ଟ୍ୟୁସନ୍ ଆରମ୍ଭ ହୋଇଛି। ଏଠାରେ ଏବେ ୫ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କ ସହଯୋଗ ମିଳୁଥିବାରୁ ପାଠପଢ଼ାଇବାରେ କୌଣସି ଅସୁବିଧା ହେଉନି।

Advertisment
Sarapanchaସରପଞ୍ଚ ପିଲାମାନଙ୍କୁ ଖାତା ବାଣ୍ଟୁଛନ୍ତି।

ଏହି ଗାଁରେ ୭୫ ପ୍ରତିଶତ ଆଦିବାସି ଜନଜାତିର ଲୋକ ବାସ କରୁଛନ୍ତି। ଅଧିକାଂଶ ପରିବାର ଲୋକେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଭଲ ପାଠପଢ଼ିବା ନିମନ୍ତେ ଅଧିକ ଖର୍ଚ୍ଚ କରିବା ସ୍ଥିତି ତାଙ୍କର ନାହିଁ। ତେଣୁ ସେମାନଙ୍କୁ ଭଲ ପାଠପଢ଼ାଇ ଭଲ ମଣିଷ କରିବାକୁ ଏହି ଚେଷ୍ଟା କରିଛି। ଏଠାରେ ପ୍ରାୟ ୯ ଜଣ ଶିକ୍ଷିତ ଯୁବକ ପାଳି କରି ପାଠପଢ଼ାଉଛନ୍ତି। ସିଟି, ବିଇଡି କରୁଥିବା ଏହି ଯୁବକମାନେ ଏଠାରେ ପାଠପଢ଼ାଇ ନିଜକୁ ମଧ୍ୟ ଚାକିରି ଉପଯୋଗୀ କରିବା ନିମନ୍ତେ ପ୍ରସ୍ତୁତ କରିପାରୁଛନ୍ତି। ଜାନୁଆରୀ ମାସରୁ ଏହି ଫ୍ରି କୋଚିଂ ସେଣ୍ଟର ଆରମ୍ଭ ହୋଇଛି। ଏହା ସବୁଦିନିଆ ଚାଲୁ କରାଯିବ। ପ୍ରତିଦିନ ସକାଳ ୭ଟା ରୁ ୯ଟା ଏବଂ ସନ୍ଧ୍ୟା ୫ଟା ରୁ ୭ଟା ଦୁଇଟି ସମୟରେ ଏହି ଟ୍ୟୁସନ୍ ଚାଲୁଛି। ଧିରେ ଧିରେ ପିଲାମାନଙ୍କ ସଂଖ୍ୟା ବୃଦ୍ଧି ହେଉଛି ବୋଲି ଗୋପାଳ କହିଛନ୍ତି।

ସେପଟେ ସରପଞ୍ଚଙ୍କ ଏହି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Sarapanchaଗାଁ ପିଲାମାନଙ୍କୁ ଭେଟି ଟ୍ୟୁସନ୍ ଆସିବାକୁ ବୁଝାଉଛନ୍ତି ସରପଞ୍ଚ।

ଛାତ୍ରୀ ଜ୍ୟାତିପ୍ରିୟା ଦଣ୍ଡସେନା କହିଛନ୍ତି, ପାଠପଢ଼ିବାରେ ଅସୁବିଧା ହେବାରୁ ପାଠ ଛାଡ଼ିବାକୁ ପଡ଼ିଥିଲା। ହେଲେ ଏଠାରେ ଭଲ ପାଠପଢ଼ିବା ନିମନ୍ତେ ଟ୍ୟୁସନ୍ ଦିଆଯିବା ସହ ଖାତାବହି ଯୋଗାଇ ଦିଆଯାଉଛି। ତେଣୁ ପୁଣି ପାଠପଢ଼ା ଆରମ୍ଭ କରିଦେଇଛି। ଏଠାରେ ଖୁବ୍ ଭଲ ପାଠପଢ଼ା ହେଉଛି। ଅଭିଭାବକ ଜୋତ୍ସ୍ନା ଦାସ କହିଛନ୍ତି, ଆର୍ଥିକ ସମ୍ବଳ ନ ଥିବାରୁ ପିଲାମାନଙ୍କୁ ଟ୍ୟୁସନ୍ ଦେଇ ହେଉ ନ ଥିଲା। ତେଣୁ ପିଲାମାନେ ଭଲ ପାଠ ପଢ଼ିପାରୁ ନ ଥିଲେ। ଏବେ ପିଲାମାନେ ସକାଳେ ଓ ସନ୍ଧ୍ୟାରେ ଟ୍ୟୁସନ୍ ଯାଉଛନ୍ତି। ମାଗଣା ଟ୍ୟୁସନ୍ ସୁବିଧା କରି ସରପଞ୍ଚ ଏକ ଭଲ କାମ କରିଛନ୍ତି।

ରିପୋର୍ଟ ପାଟଣାଗଡରୁ କରୁଣାକର ବୁଡେକ

Teaching
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe