Advertisment

ଲକ୍ଷ୍ମଣ ଦ ହିରୋ, ଯିଏ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି

ନବୀନ ସ୍ୱପ୍ନରେ ବି ଭାବି ନଥିବେ ଯେ ସେଠାରୁ ପରାସ୍ତ ହୋଇଯିବେ। ପୁଣି ପରାସ୍ତ ହେଲେ କାହାଠାରୁ? ଲକ୍ଷ୍ମଣ ବାଗଙ୍କ ଠାରୁ। ଯାହାଙ୍କୁ ହୁଏତ ତାଙ୍କ ଅଞ୍ଚଳ ବା ଜିଲ୍ଲା ବା ଆଖପାଖ କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଲୋକେ ଜାଣି ନଥିବେ।

ଅଦ୍ୟତନ ହୋଇଛି
Laxman Bag

Laxman Bag

Advertisment

ଏଥର ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଆସନ ଥିଲା କଣ୍ଟାବାଞ୍ଜି। କାରଣ ସେଠାରୁ ପ୍ରାର୍ଥୀ ହୋଇଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଫଳାଫଳ ଚକିତ କରିଦେଲା ସମସ୍ତଙ୍କୁ। ନବୀନ ସ୍ୱପ୍ନରେ ବି ଭାବି ନଥିବେ ଯେ ସେଠାରୁ ପରାସ୍ତ ହୋଇଯିବେ। ପୁଣି ପରାସ୍ତ ହେଲେ କାହାଠାରୁ? ଲକ୍ଷ୍ମଣ ବାଗଙ୍କ ଠାରୁ। ଯାହାଙ୍କୁ ହୁଏତ ତାଙ୍କ ଅଞ୍ଚଳ ବା ଜିଲ୍ଲା ବା ଆଖପାଖ କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଲୋକେ ଜାଣି ନଥିବେ। ଯଦିଓ ସେ ପୂର୍ବରୁ ନିର୍ବାଚନ ଲଢ଼ିଛନ୍ତି, କିନ୍ତୁ କଣ୍ଟାବାଞ୍ଜିର ଅନ୍ୟତମ ବଡ଼ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଭଳି ସାରା ରାଜ୍ୟରେ ସେ ଜଣାଶୁଣା ନଥିଲେ। ହେଲେ ଏବେ ଲକ୍ଷ୍ମଣ ବାଗ ସାରା ରାଜ୍ୟରେ ଏକ ଜଣାଶୁଣା ନାଁ। ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି। କାରଣ ସେ ନିରବଚ୍ଛିନ୍ନ ଭାବେ ୨୪ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି।

Advertisment

ଲକ୍ଷ୍ମଣ ବାଗଙ୍କ ଗାଁ ନାଁ ଖୁଟୁଲୁମୁଣ୍ଡା। ବଲାଙ୍ଗିର ଜିଲ୍ଳାର ଦାଦନ ପ୍ରବଣ ତୁରେକେଲା ବ୍ଳକର ହିଆଁଲ ପଞ୍ଚାୟତ ପଞ୍ଚାୟତରେ ଅଛି ଏହି ଗାଁ। ଖୁଟୁଲୁମୁଣ୍ଡା ଗାଁର ସ୍ୱର୍ଗତ ଶଙ୍କର ବାଗଙ୍କର ୬ ପୁଅ ଭିତରେ ଲକ୍ଷ୍ମଣ ହେଉଛନ୍ତି ସବୁଠୁ ସାନ। ଲକ୍ଷ୍ମଣଙ୍କ ଦୁଇ ଜଣ ଭାଇଙ୍କର ଦେହାନ୍ତ ହୋଇସାରିଲାଣି। ଏବେ ସେମାନେ ଚାରି ଭାଇ ଅଛନ୍ତି। ଲକ୍ଷ୍ମଣଙ୍କ ବାପା ଶଙ୍କର ବାଗ ଜଣେ ଚାଷୀ ଥିଲେ। ତାଙ୍କ ପୁଅମାନେ ମଧ୍ୟ ଚାଷ କାମ କରୁଛନ୍ତି। ଚାଷ କରିବା ସହିତ ସେମାନେ ରାଜନୀତି କରୁଛନ୍ତି। ଲକ୍ଷ୍ମଣଙ୍କ ଭାଇମାନେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନ ଲଢ଼ି କିଏ ସରପଞ୍ଚ ତ ଆଉ କିଏ ସମିତି ସଭ୍ୟ ହୋଇଥିଲେ। ତାଙ୍କର ଜଣେ ଭାଉଜ ବ୍ଳକ ଅଧ୍ୟକ୍ଷ ମଧ୍ୟ ଥିଲେ। କିନ୍ତୁ ରାଜନୀତିରେ ବେଶ୍ ସକ୍ରିୟ ଥିବା ଲକ୍ଷ୍ମଣ ବାଗ ସିଧା ଲଢ଼ିଥିଲେ ବିଧାନସଭା ନିର୍ବାଚନ।

ଏ ଯେଉଁ ସଫଳତା ଲକ୍ଷ୍ମଣ ପାଇଛନ୍ତି, ସେ ପର୍ଯ୍ୟନ୍ତ ପହଞ୍ଚିବାକୁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଛି। ନିଜ ପେଟ ପୋଷିବାକୁ, ପରିବାରର ପ୍ରତିପୋଷଣ କରିବାକୁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଛି। ଲକ୍ଷ୍ମଣ କହିଛନ୍ତି- ୧୨/୧୩ ବର୍ଷ ହୋଇଥିବା ବେଳେ ୩ ଟଙ୍କାରେ ଶ୍ରମିକ ଭାବେ କାମ କରୁଥିଲି। ସେତେବେଳେ ମୋର ପରିସ୍ଥିତି ସେମିତି ଥିଲା। ମୋ ପରିବାରର ଦାୟିତ୍ୱ ନେବା ପାଇଁ ଚାଷବାସ କରୁଥିଲି। ଟ୍ରକ୍‌ରେ ହେଲ୍‌ପର ବି ଥିଲି। ଗେଟି, ପଥର ଉଠାଉଥିଲି। କିନ୍ତୁ ସବୁବେଳେ ନିଜ ଉପରେ ବିଶ୍ୱାସ ଥିଲା।

Advertisment

୨୦୧୪ରେ ଲକ୍ଷ୍ମଣ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ବିଜେପି ଟିକେଟରେ।  ସେ ୩୦ ହଜାର ୯୬୧ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ସେଥର ଏହି ଆସନରୁ ବିଜୟୀ ହୋଇଥିଲେ ବିଜେଡି ନେତା ଆୟୁବ ଖାଁ। ୨୦୧୯ ନିର୍ବାଚନରେ ଲକ୍ଷ୍ମଣ ବାଗ ପୁଣି ଥରେ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ସନ୍ତୋଷ ସିଂହ ସାଲୁଜାଙ୍କ ସହିତ ତାଙ୍କର ହୋଇଥିଲା କଡ଼ା ଟକ୍କର। ମାତ୍ର ୧୨୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ଲକ୍ଷ୍ମଣ ବାଗ। ସନ୍ତୋଷ ସିଂହ ସାଲୁଜାଙ୍କୁ ୬୪ ହଜାର ୨୪୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଲକ୍ଷ୍ମଣ ବାଗଙ୍କୁ ମିଳିଥିଲା ୬୪ ହଜାର ୧୧୮ ଖଣ୍ଡ ଭୋଟ୍ ମିଳିନଥିଲା।

ଦୁଇ ଥର ପରାସ୍ତ ହେବା ପରେ ଲକ୍ଷ୍ମଣ ବାଗ ନିରାଶ ହୋଇ ନଥିଲେ କି ବିଜେପିର ତାଙ୍କ ଉପରୁ ଭରସା ଉଠିଯାଇ ନଥିଲା। ତେଣୁ ଦଳ ତାଙ୍କୁ ଏଥର ମଧ୍ୟ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରିଥିଲା। ବିଜେଡିରୁ ଖୋଦ୍ ନବୀନ ପଟ୍ଟନାୟକ ସେଠାରୁ ପ୍ରାର୍ଥୀ ହେବା ସତ୍ତ୍ୱେ ଲକ୍ଷ୍ମଣଙ୍କ ମନୋବଳ ଦୃଢ଼ ରହିଥିଲା। ତାଙ୍କ ମନୋବଳକୁ ଦୃଢ଼ ରଖିଥିଲେ ଦଳୀୟ ନେତା, କର୍ମୀ ଓ ସମର୍ଥକ। ବଲାଙ୍ଗିର ଲୋକସଭା ଆସନ ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଏବଂ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ମନୋବଳ ବଢ଼ାଇଥିଲେ।

ବଲାଙ୍ଗିରରେ ନିର୍ବାଚନ ପ୍ରଚାର ସମୟରେ ଲକ୍ଷ୍ମଣ ବାଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଶେର୍‌’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ- ‘ୟେ ହମାରା ଶେର ହୈ’। ଏହା ସହିତ ଲକ୍ଷ୍ମଣ ବାଗଙ୍କୁ ଭୋଟ୍‌ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ହରାନ୍ତୁ ବୋଲି ଲୋକଙ୍କୁ ଆହ୍ୱାନ ଦେଇଥିଲେ। ସେହିଭଳି ସଂଗୀତା ସିଂହଦେଓଙ୍କ ଏକ ଡାଏଲଗ ବେଶ୍ ଲୋକପ୍ରିୟ ହୋଇଥିଲା। ସେ କହିଥିଲେ- କସମ ରାମ କୀ ଖାଏଗେଁ... ମୁଖ୍ୟମନ୍ତ୍ରୀଙ୍କୁ ହରାଏଗେଁ। ଏହା ମଧ୍ୟ ଲକ୍ଷ୍ମଣ ବାଗଙ୍କ ମନୋବଳକୁ ବଢ଼ାଇଥିଲା। ଏହା ବ୍ୟତୀତ ତାଙ୍କ ପାଇଁ ଦଳର ଅନେକ କେନ୍ଦ୍ରୀୟ ନେତା ପ୍ରଚାର କରିଥିଲେ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଓ ଅନ୍ୟପଟେ କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ଥିଲେ ହେଁ ସଠିକ ରଣନୀତି ଓ ଲକ୍ଷ୍ମଣ ଘନ ଘନ ଏବଂ ଘରକୁ ଘର ପ୍ରଚାର ଯୋଗୁ ତାଙ୍କର ଜିତାପଟ ହୋଇଥିଲା। ଲକ୍ଷ୍ମଣ ବାଗ ୧୬ ହଜାର ୩୪୪ ଖଣ୍ଡ ଭୋଟ୍‌ରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ। ଲକ୍ଷ୍ମଣଙ୍କୁ ୯୦ ହଜାର ୮୭୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ନବୀନଙ୍କୁ ୭୪ ହଜାର ୫୩୨ ଖଣ୍ଡ ଭୋଟ୍ ମିଳିଥିଲା। 

ଦାଦନଗଡ଼ ଭାବରେ ପରିଚିତ କଣ୍ଟାବାଞ୍ଜିର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟାଖ୍ୟାନ କରି ଲକ୍ଷ୍ମଣ ବାଗଙ୍କୁ ବିଜୟୀ କରିଥିବା ବେଳେ ସେ କହିଛନ୍ତି- ଏବେ କଣ୍ଟାବାଞ୍ଜିର ବିକାଶ କରାଯିବ।

ରିପୋର୍ଟ- ବଲାଙ୍ଗିର ଓ କଣ୍ଟାବାଞ୍ଜିରୁ ଘଟେଶ୍ୱର ମିଶ୍ର ଏବଂ ଅନ୍ତିମ ପାଣିଗ୍ରାହୀ।

Laxman Bag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe